ଓଡ଼ିଶାର ଇତିହାସ

ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି ।

ପୁରାତନ କଳିଙ୍ଗ ସାମ୍ରାଜ୍ୟ
ଖାରବେଳଙ୍କ ତିଆରି ହାତୀଗୁମ୍ଫାରେ ଥିବା ଶିଳାଲେଖ, ଉଦୟଗିରି

ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ।

ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ ।

ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା । ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା ।


ଧଉଳିରୁ ଦୟାନଦୀର ଦୃଶ୍ୟ
ଗଙ୍ଗ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ତିଆରି କୋଣାର୍କ ସୂର୍ଯ୍ୟ ମନ୍ଦିର, ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ

ସଂକ୍ଷେପରେ

  • ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
  • ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
  • କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି (ଆରବ), ବାବିଲନ (ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
  • ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭା ଅନ୍ତର୍ଭୁକ୍ତ ।
  • ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
  • ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
  • ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
  • ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ ।[୧] ଯାଜପୁରରେ ରାଜଧାନୀ ସ୍ଥାପନ ।
  • ୧୦୭୮-୧୪୩୪ ଖ୍ରୀ. - ଗଙ୍ଗବଂଶର ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
୧୦୭୮-୧୧୫୦ ଖ୍ରୀ. - ଚୋଡ଼ଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) ।
୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ |
  • ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
  • ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି କଳାପାହାଡ଼ଦ୍ୱାରା ଓଡ଼ିଶା ଅଧିକୃତ ।
  • ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
  • ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
  • ୧୮୦୩ ଖ୍ରୀ. - ୧୪ ଅକ୍ଟୋବର: ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର [୨](ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
  • ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
  • ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
  • ୧୯୪୬ ଖ୍ରୀ. - ଓଡ଼ିଶା ସ୍ୱାୟତ ଶାସନ ସୁବିଧା ହାସଲ କଲା ।
  • ୧୯୪୭ ଖ୍ରୀ. - ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
  • ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) ।

୭ ମ ଶତାବ୍ଦୀ

୭ମ ଶତାବ୍ଦୀ କାଳରେ ଓଡ଼ିଶାର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।

ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।

ଆଫଗାନ ଓ ମୋଗଲ ଶାସନ

ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।

ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।

ଇଂରେଜ ଶାସନ

୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବଣିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।

ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ ।[୩]

ଜିଲ୍ଲା ଗଠନ

୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟାକୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।

ଆଧାର

ବାହର ତଥ୍ୟ