କୁନ୍ତଳା କୁମାରୀ ସାବତ

ଓଡ଼ିଆ କବୟିତ୍ରୀ, ଲେଖିକା ଓ ଡାକ୍ତର,

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ତଥା ଡାକ୍ତର, ଲେଖିକା, ଓ ଭାରତୀୟ ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ ।[୧] ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।[୨]

କୁନ୍ତଳା କୁମାରୀ ସାବତ
ଜନ୍ମ ଓ ଜନ୍ମସ୍ଥାନ(1901-02-08)୮ ଫେବୃଆରୀ ୧୯୦୧
ଜଗଦଳପୁର, ଛତିଶଗଡ଼, ଭାରତ
ମୃତ୍ୟୁ୨୩ ଅଗଷ୍ଟ ୧୯୩୮(1938-08-23) (ବୟସ ୩୭)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ଦସ୍ତଖତ

ପ୍ରାରମ୍ଭିକ ଜୀବନ

କୁନ୍ତଳା କୁମାରୀ ସାବତ ୧୯୦୧ ମସିହା ଫେବୃଆରି ୮ ତାରିଖରେ ତତ୍କାଳୀନ ବସ୍ତର ରାଜ୍ୟର ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ଥିଲେ ଓ ତାଙ୍କ ମା'ଙ୍କ ନାମ ଥିଲା ମନିକା ସାବତ । ତାଙ୍କ ପରିବାରର ଉପାଧୀ ଥିଲା ସାବୁତ । ଏହି ବଂଶରେ ବ୍ରଜବନ୍ଧୁ ସାବୁତଙ୍କର କୈାଣସି ସନ୍ତାନ ସନ୍ତତି ନ ହେବାରୁ ସେମାନେ ପୁରୀ କୁଲେଇବେଣ୍ଟ ସାହିର ବିଦ୍ୟାଧର ଦାଶଙ୍କ ପୁଅ ଶ୍ଯାମରତନଙ୍କୁ ଆଣି ପୋଷ୍ୟପୁତ୍ର କରିଥିଲେ । ଶ୍ଯାମରତନ ଥିଲେ କୁନ୍ତଳା କୁମାରୀ ସାବତଙ୍କ ପିତାମହ । ମିଶନ ସ୍କୁଲରେ ପାଠ ପଢୁଥିବା ଶ୍ଯାମରତନଙ୍କୁ ଦଶ ବର୍ଷ ହୋଇଥିଲା ବେଳେ ତାଙ୍କ ପାଳିତ ପିତାମାତାଙ୍କ ମୃତ୍ୟୁ ହେବାରୁ ସେ ଅନ୍ଯର ଆଶ୍ରୟରେ କିଛି ଦିନ ପଢ଼ିଲେ । ଶ୍ଯାମରତନଙ୍କୁ ପାଦ୍ରୀ ଜେ. ମିଲର ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିଥିଲେ । କିଛି ବର୍ଷ ପରେ ମିଲର ତାଙ୍କୁ ଖୋର୍ଦ୍ଧାର ମାଧବୀଙ୍କ ସହ ବିବାହ କରାଇଥିଲେ । ଶ୍ଯାମରତନ ଓ ମାଧବୀ ଥିଲେ ପୁରୀ ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ।[୫] ୧୮୭୩ ମସିହାରେ କୁନ୍ତଳା କୁମାରୀଙ୍କ ପିତା ଦାନିଏଲ୍ ଜନ୍ମଗ୍ରହଣ କରିଥିଲେ । ଦାନିଏଲ୍ ଜଗଦଲପୁରରେ ପ୍ରଥମେ ଅବସ୍ଥାପିତ ହୋଇଥିବା ବେଳେ କୁନ୍ତଳା କୁମାରୀ ଜନ୍ମଗ୍ରହଣ କରିଥିଲେ । କୁନ୍ତଳା କୁମାରୀଙ୍କୁ ବର୍ଷେ ନ ପୁରୁଣୁ ଅଧିକ ବେତନ ପାଇ ଦାନିଏଲ ତତ୍କାଳୀନ ବର୍ମା (ଆଧୁନିକ ମିଆଁମାର)କୁ ବଦଳି ହେଲେ । କୁନ୍ତଳା କୁମାରୀଙ୍କ ବ୍ୟତୀତ ତାଙ୍କର ଅନ୍ୟ ସବୁ ଭାଇ ଭଉଣୀମାନେ ବର୍ମାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଚଉଦ ବର୍ଷ ହେବା ପର୍ଯ୍ୟନ୍ତ ସେ ବର୍ମାରେ ରହିଥିଲେ । ବର୍ମାରେ ଥିବା ବେଳେ ତାଙ୍କ ବାପା ତାଙ୍କ ମାଉସୀଙ୍କୁ ପୁନଃବିବାହ କରିଥିଲେ ଏବଂ କୁନ୍ତଳା ତାଙ୍କ ମା'ଙ୍କ ସହ ଓଡ଼ିଶା ଫେରି ଖୋର୍ଦ୍ଧାରେ ବସବାସ କରିଥିଲେ । କୁନ୍ତଳା କୁମାରୀଙ୍କ ଦୁଇ ଭାଇ ସାମୁଏଲ୍ ଓ ନିଥାନିଏଲ୍ ଖୋର୍ଦ୍ଧା ହାଇସ୍କୁଲରେ ନାମ ଲେଖାଇଲେ ।

ଶିକ୍ଷା

କୁନ୍ତଳା କୁମାରୀ ସ୍କୁଲରୁ ହିନ୍ଦୀ, ମାଆଙ୍କଠାରୁ ଓଡ଼ିଆ ଓ ତାଙ୍କ ପିତାଙ୍କଠାରୁ ଇଂରାଜୀ ଶିକ୍ଷା କରୁଥିଲେ । ତାଙ୍କର ହାଇସ୍କୁଲ ଶିକ୍ଷା ବିଳମ୍ବରେ ଆରମ୍ଭ ହୋଇଥିଲା । ସେତେବେଳେ ନାରୀ ଶିକ୍ଷାର ସମ୍ପୂର୍ଣ୍ଣ ଅଭାବ ସତ୍ତ୍ୱେ ତାଙ୍କ ମା'ଙ୍କ ପ୍ରେରଣାରୁ ସେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ । ପରେ କଟକସ୍ଥିତ ଓଡ଼ିଶା ମେଡିକାଲ ସ୍କୁଲ (ବର୍ତ୍ତମାନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ)ରେ ଡାକ୍ତରୀ ଶିକ୍ଷାଲାଭ କରିଥିଲେ । ସେ ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲଏମପି (ଲିସେଣ୍ଟିଏଟ୍ ମେଡିକାଲ ପ୍ୟାକ୍ଟିସନର) ଡିଗ୍ରୀ ହାସଲ କରିଥିଲେ । ସେ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ବର୍ମା ଭାଷାରେ ଦକ୍ଷ ଥିଲେ ।


ବୃତ୍ତିଗତ ଜୀବନ

ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ ।

କୈଳାସ ଚନ୍ଦ୍ର ରାଓଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି କେନ୍ଦ୍ରାପଡା ସଦର ମହକୁମାର ଛଅ ନମ୍ବର୍ ୱାଡ଼ ନସଡିପୁରର ବ୍ରହ୍ମଚାରୀ କୃଷ୍ଣ ଚନ୍ଦ୍ର ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ ।ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ[୬] ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।

ସମ୍ମାନ ଓ ପୁରସ୍କାର

ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ତାଙ୍କୁ ଅନେକ ସମୟରେ ସରୋଜିନୀ ନାଇଡୁଙ୍କ ସହ ତୁଳନା କରା ଯାଉଥିଲା ।[୭]

ରଚନା ବଳୀ

କବିତା

ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ,

ସୁଧାରସ ସିକ୍ତ ତବ ଏ ନବଜୀବନ,
ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,

ଏ ନବଜୀବନେ ନାହିଁ ସଂସାର ଜଞ୍ଜାଳ୤

— କୁନ୍ତଳା କୁମାରୀ ସାବତ

'ତୋ' ପରି କ୍ଷୁଦ୍ର ମୁହିଁ 'ତୋ' ପରି କ୍ଷଣିକ,

ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ ।

ଶେଫାଳି ପ୍ରତି

— କୁନ୍ତଳା କୁମାରୀ ସାବତ
  • ଅଞ୍ଜଳି(୧୯୨୨)
  • ଉଚ୍ଛ୍ୱାସ (୧୯୨୪)
  • ଅର୍ଚନା (୧୯୨୭)
  • ସ୍ଫୁଲିଙ୍ଗ (୧୯୨୯)
  • ଆହ୍ୱାନ (୧୯୩୦)
  • ଆଜି ବାପା ତୋତେ କହିବି କଥାଟି
  • ପ୍ରେମ ଚିନ୍ତାମଣି (୧୯୩୦)
  • ଓଡ଼ିଆଙ୍କ କାନ୍ଦଣା (୧୯୩୬)
  • ଗଡ଼ଜାତ କୃଷକ (୧୯୩୭)
  • वरमाला
  • ଶେଫାଳି ପ୍ରତି
  • ତାରା ପ୍ରତି(କବିଙ୍କର ପ୍ରଥମ କବିତା)
  • କୋଟିକୋଟି କଣ୍ଠେ ଆଜି
  • ଅବହେଳିତ ଦେଶ
  • ପୂଜା
  • ଅଭିଶପ୍ତର ଅଭିମାନ
  • ମଣିକାଞ୍ଚନ(ଅସମ୍ପୂର୍ଣ୍ଣ କାବ୍ୟ) (ସାହିତ୍ୟିକା ଜୀବନର ଆଦ୍ୟକାଳରେ ରଚିତ) (ସାବିତ୍ରୀ ଓ ସତ୍ୟବାନ ଉପାଖ୍ଯାନ)
  • ବନଫୁଲ ଉଦ୍ୟାନକୁସୁମ

ଉପନ୍ୟାସ

ସମ୍ମାନ ଓ ପୁରସ୍କାର

  • ଉତ୍କଳ ଭାରତୀ ଉପାଧୀ (ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା)[୮]
  • ଭାରତୀ ଭୂଷଣ ଉପାଧୀ (ଅଖିଳ ଭାରତୀୟ ଆର୍ଯ୍ୟ ସମାଜ)

ଆଧାର

ଅଧିକ ତଥ୍ୟ