ରସ୍କିନ ବଣ୍ଡ

ବ୍ରିଟିଶ ଭାରତୀୟ ଲେଖକ

ରସ୍କିନ ବଣ୍ଡ (ଜନ୍ମ : ୧୯ ମଇ ୧୯୩୪) ଜଣେ ବ୍ରିଟିଶ-ଭାରତୀୟ ଲେଖକ । ସେ ୫୦୦ରୁ ଅଧିକ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସିକା ଆଦି ଲେଖିଛନ୍ତି । ତାଙ୍କ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫକୁ ୧୯୫୭ ମସିହାରେ ଯୁକ୍ତରାଜ୍ୟର ପ୍ରତିଷ୍ଠିତ ଜନ ଲେୱେଲିନ ରାଏସ ପୁରସ୍କାର ଲାଭ କରିଥିଲା । ୧୯୯୨ ମସିହାରେ ରସ୍କିନ ନିଜ ଲିଖିତ ପୁସ୍ତକ ଆୱାର ଟ୍ରିଜ ଷ୍ଟିଲ ଗ୍ରୋ ଇନ ଡେହେରା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୧୪ ମସିହାରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧] ରସ୍କିନ ନିଜ ଗୃହିତ ପରିବାର ସହିତ ମଶୋରୀର ଲଣ୍ଡୋରଠାରେ ରୁହନ୍ତି ।

ରସ୍କିନ ବଣ୍ଡ
ରସ୍କିନ ବଣ୍ଡ ୨୦୧୨ ମସିହାରେ ବାଙ୍ଗାଲୋରଠାରେ ଏକ ପୁସ୍ତକ ଉନ୍ମୋଚନ ଅବସରରେ
ରସ୍କିନ ବଣ୍ଡ ୨୦୧୨ ମସିହାରେ ବାଙ୍ଗାଲୋରଠାରେ ଏକ ପୁସ୍ତକ ଉନ୍ମୋଚନ ଅବସରରେ
ଜନ୍ମ ଓ ଜନ୍ମସ୍ଥାନ (1934-05-19) ୧୯ ମଇ ୧୯୩୪ (ବୟସ ୮୯)
କସୌଲୀ, ହିମାଚଳ ପ୍ରଦେଶ,(ପରାଧିନ ଭାରତରେ ଏହ ପଞ୍ଜାବ ପ୍ରଦେଶରେ ଥିଲା)
ବୃତ୍ତିସାହିତ୍ୟିକ
ଶିକ୍ଷାନୁଷ୍ଠାନବିଶପ କଟନ ସ୍କୁଲ, ସିମଳା
ସମୟ୧୯୫୧ରୁ ଏପର୍ଯ୍ୟନ୍ତ
ସାହିତ୍ୟ କୃତିଦ ରୁମ ଅନ ଦ ରୁଫ
ଆୱାର ଟ୍ରିଜ ଷ୍ଟିଲ ଗ୍ରୋ ଇନ ଡେହେରା
ଏ ଫ୍ଲାଇଟ ଅଫ ପିଜିୟନ୍ସ
ଦ ବ୍ଲୁ ଅମ୍ବ୍ରେଲା

ଜୀବନୀ

ରସ୍କିନ ବଣ୍ଡ ୧୯୩୪ ମସିହା ମଇ ମାସ ୧୯ ତାରିଖରେ ହିମାଚଳ ପ୍ରଦେଶର କସୌଲୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅବ୍ରେ ଆଲେକ୍ସାଣ୍ଡର ବଣ୍ଡ[୨][୩] ଓ ମାତାଙ୍କ ନାମ ଏଡ଼ିଥ କ୍ଲାର୍କ । ତାଙ୍କର ଏକମାତ୍ର ଭଉଣୀଙ୍କର ନାମ ଏଲେନ । ତାଙ୍କ ପିତା ଜାମନଗରର ରାଜକୁମାରୀଙ୍କୁ ଇଂରାଜୀ ପଢ଼ାଉଥିଲେ । ସେଥିନିମନ୍ତେ ରସ୍କିନଙ୍କୁ ୬ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ ଗୁଜରାଟର ଜାମନଗରଠାରେ ରହୁଥିଲେ । ୧୯୩୯ ମସିହାରେ ରସ୍କିନଙ୍କ ପିତା ରୟାଲ ଏୟାର ଫୋର୍ସରେ ଯୋଗ ଦେଇଥିଲେ ଓ ଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଥିଲେ । ରସ୍କିନ ତାଙ୍କ ମା ଓ ଭଉଣୀଙ୍କୁ ତାଙ୍କ ମାମୁଘର ଡେରାଡୁନ ଯିବାକୁ ପଡ଼ିଥିଲା । କିଛିଦିନ ପରେ ରସ୍କିନ ମସୁରୀରେ ଏକ ବୋଡିଂ ସ୍କୁଲରେ ପାଠ ପଢ଼ିବାକୁ ଚାଲିଯାଇଥିଲେ । ତାଙ୍କୁ ଆଠ ବର୍ଷ ହୋଇଥିବା ବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ଓ ମାତା ଜଣେ ପଞ୍ଜାବୀ ହିନ୍ଦୁ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ପିତା ରସ୍କିନକୁ ନିଜ ପାଖକୁ ଦିଲ୍ଲୀ ନେଇ ଆସିଥିଲେ ଓ ସେଠାରେ ରସ୍କିନ ଦୁଇ ବର୍ଷ ରହିଥିଲେ । ଏହି ଦୁଇବର୍ଷ ରସ୍କିନ ନିଜ ପିତାଙ୍କର ଖୁବ ନିକଟତ୍ତର ହୋଇଥିଲେ ଓ ସେହି ସମୟ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ବୋଲି ସେ କହିଛନ୍ତି । ରସ୍କିନଙ୍କୁ ଦଶ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କ ପିତା ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ରସ୍କିନ ସିମଳାର ଏକ ବୋଡିଂ ସ୍କୁଲରେ ପଢ଼ୁଥିଲେ । ପିତାଙ୍କ ମୃତ୍ୟୁପରେ ତାଙ୍କ ମା ତାଙ୍କୁ ଡେରାଡୁନ ନେଇ ଆସିଥିଲେ ।

ରସ୍କିନ, ସିମଳାର ବିଶପ କଟନ ସ୍କୁଲରେ ପଢ଼ୁଥିଲେ ଓ ୧୯୫୦ ମସିହାରେ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍କୁଲରେ ପଢ଼ିବା ସମୟରେ ସେ ଅନେକ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିଲେ । ଈରୱିନ ଡିଭିନିଟି ପୁରସ୍କାରହେଲି ଲିଟରେଚର ପୁରସ୍କାର ସେଥିମଧ୍ୟରୁ ଅନ୍ୟତମ । ୧୯୫୧ରେ, ୧୬ ବର୍ଷ ବୟସରେ ସେ କ୍ଷୁଦ୍ରଗଳ୍ପ ଅନଟଚେବୁଲ ଲେଖିଥିଲେ ।

ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ୧୯୫୧ ମସିହାରେ ରସ୍କିନ ଯୁକ୍ତରାଜ୍ୟର ଚ୍ୟାନେଲ ଆଇସଲାଣ୍ଡରେ ଥିବା ନିଜ ମାଉସୀ ଘରକୁ ଚାଲିଯାଇଥିଲେ । ସେଠାରେ ସେ ଦୁଇବର୍ଷ ରହିଥିଲେ ଓ ନିଜ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫ ଲେଖିଥିଲେ । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ରୁଷ୍ଟି ଏକ ବ୍ରିଟିଶ-ଭାରତୀୟ ଅନାଥ ପିଲା ଥିଲା । ଏହି ପୁସ୍ତକଟିକୁ ୧୯୫୭ ମସିହାରେ ଜନ ଲେୱେଲିନ ରାଏସ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି ଛପେଇବା ପାଇଁ ପ୍ରକାଶକ ଖୋଜିବା ପାଇଁ ସେ ଲଣ୍ଡନ ଚାଲିଯାଇଥିଲେ । ପୁସ୍ତକ ପ୍ରକାଶନ ପୂର୍ବରୁ ମିଳିଥିବା ଅଗ୍ରିମ ରାଶିରୁ ସେ ଡେରାଡୁନ ଫେରିବା ପାଇଁ ବମ୍ବେକୁ ଜଳପଥରେ ଟିକେଟ କିଣିଥିଲେ ।[୪]

ଲଣ୍ଡନରୁ ଫେରି ସେ କିଛି ବର୍ଷ ଦିଲ୍ଲୀ ଓ ଡେରାଡୁନରେ କାର୍ଯ୍ୟ କରିଥିଲେ ।[୫] ୧୯୬୩ ମସିହାରେ ସେ ମଶୋରୀରେ ରହିବା ଆରମ୍ଭ କରିଥିଲେ । ମଶୋରୀ ସହର ଦିଲ୍ଲୀର ନିକଟତ୍ତର ହୋଇଥିବାରୁ, ଦିଲ୍ଲୀର ପ୍ରକାଶକ ଓ ସମ୍ପାଦକମାନଙ୍କ ସହିତ ସମ୍ପର୍କରେ ରହିବାକୁ ସୁବିଧା ହୋଇଥିଲା । ୧୯୮୦ ମସିହାରେ ପେଙ୍ଗୁଇନ ପ୍ରକାଶନା ସଂସ୍ଥା ଭାରତରେ ନିଜର ପ୍ରକାଶନ କାର୍ଯ୍ୟ ଆରମ୍ଭ କରିଥିଲା । ୧୯୯୩ ମସିହାରେ ପେଙ୍ଗୁଇନ ରସ୍କିନଙ୍କର ଦ ରୁମ ଅନ ଦ ରୁଫ ଓ ତାହାର ଦ୍ୱିତୀୟ ଭାଗ ଭାଗ୍ରାଣ୍ଟସ ଇନ ଦ ଭ୍ୟାଲି (୧୯୫୬)କୁ ଏକତ୍ର ଛାପିଥିଲେ । ଅତିଭୌତିକ କଥାକୁ ନେଇ ସେ ଘୋଷ୍ଟ ଷ୍ଟୋରୀସ ଫ୍ରମ ଦ ରାଜ, ଏ ସିଜିନ ଅଫ ଘୋଷ୍ଟସ, ଏ ଫେସ ଇନ ଦ ଡାର୍କ ଓ ଅଦର ହଣ୍ଟିଙ୍ଗଜ ଆଦି ପୁସ୍ତକ ଲେଖିଛନ୍ତି । ତାଙ୍କ ଆତ୍ମଜୀବନୀ ସିନସ ଫ୍ରମ ଏ ରାଇଟରସ ଲାଇଫ ଓ ଲୋନ ଫକ୍ସ ଡାନସିଂ ନାମରେ ପ୍ରକାଶିତ ।

୧୯୬୩ ମସିହାରୁ ସେ ଫ୍ରିଲାନ୍ସ ଲେଖକ ଭାବରେ ଲଣ୍ଡୌରଠାରେ ନିଜ ଆଶ୍ରିତ ପରିବାର ସହ ରହି ଆସୁଛନ୍ତି । ୧୯୮୦ ମସିହାରୁ ସେ ଲଣ୍ଡୌରର ଆଭି କଟେଜଠାରେ ରହୁଛନ୍ତି ।[୬][୭] ତାଙ୍କ ଭଉଣୀ ଏଲେନ ଲୁଧିଆନାରେ ରହୁଥିଲେ ଓ ୨୦୧୪ ମସିହାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ଅନ୍ୟ ଜଣେ ଭାଇ ଉଇଲିୟମ, କାନାଡ଼ାରେ ରୁହନ୍ତି ।

ଲିଖନ ଶୈଳୀ

ରସ୍କିନଙ୍କର ପିଲାଦିନ ହିମାଳୟର ପାଦଦେଶରେ ବିତିଥିଲା । ତାଙ୍କ ଲେଖାରେ ହିମାଳୟର ପାଦଦେଶ ଅଞ୍ଚଳର କଥା ବର୍ଣ୍ଣିତ ହୋଇଛି । ତାଙ୍କ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫ ଲେଖାଯିବା ବେଳକୁ ତାଙ୍କର ବୟସ ଥିଲା ୧୬ ଓ ଏହି ବହି ପ୍ରକାଶିତ ହେଲାବେଳକୁ ତାଙ୍କୁ ୨୧ ବର୍ଷ ହୋଇଥିଲା । ଏହି ପୁସ୍ତକରେ ଡେରାଡୁନରେ ଥିବା ତାଙ୍କ ଭଡ଼ାଘର ଓ ତାଙ୍କ ସାଙ୍ଗସାଥିଙ୍କ କଥା ଲେଖାଯାଇଛି । ୭୦ ଦଶକରେ ପ୍ରକାଶ ପାଇଥିବା ତାଙ୍କ ପୁସ୍ତକ ଆଙ୍ଗ୍ରି ରିଭର ପିଲାମାନଙ୍କ ପାଇଁ ଲେଖାଯାଇଥିବା ତାଙ୍କର ପ୍ରଥମ ପୁସ୍ତକ ।[୮] ବଣ୍ଡଙ୍କ ଲେଖାରେ ତାଙ୍କ ବ୍ରିଟିଶ-ଭାରତୀୟ ପରିବାର, ଚଳଣି, ଭାରତର ସାମାଜିକ, ରାଜନୈତିକ, ବ୍ରିଟିଶ ମାନଙ୍କର ଭାରତ ଉପରେ ପ୍ରଭାବ, ଭାରତ ସ୍ୱାଧିନତା ପୂର୍ବ ଓ ପର କଥା ଲେଖାଯାଇଛି ।[୨]

ବଣ୍ଡଙ୍କ ଲେଖାର ଚଳଚ୍ଚିତ୍ର ରୂପାନ୍ତରଣ

ବଣ୍ଡଙ୍କ ଐତିହାସିକ ଉପନ୍ୟାସ ଏ ଫ୍ଲାଇଟ ଅଫ ପିଜିୟନସକୁ ନେଇ ୧୯୭୮ ମସିହାରେ ହିନ୍ଦୀ ଜୁନୁନ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଶଶି କପୁର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ଶ୍ୟାମ ବେନେଗଲ ନିର୍ଦ୍ଦେଶକ ଥିଲେ । ତାଙ୍କର ଲୋକପ୍ରିୟ ରୁଷ୍ଟି କାହାଣୀକୁ ନେଇ ଦୂରଦର୍ଶନରେ ଏକ ଥା ରୁଷ୍ଟି ନାମରେ ଧାରାବାହିକ ନିର୍ମାଣ କରାଯାଇଥିଲା । ୨୦୦୫ ମସିହାରେ ବିଶାଳ ଭାରଦ୍ୱାଜ, ବଣ୍ଡଙ୍କ ପୁସ୍ତକ ଦ ବ୍ଲୁ ଅମ୍ବ୍ରେଲାକୁ ନେଇ ସମାନ ନାମରେ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୨୦୧୧ ମସିହାରେ ବିଶାଳ ଭାରଦ୍ୱାଜ ବଣ୍ଡଙ୍କ ଗପ ସୁଜାନାସ ସେଭେନ ହଜବ୍ୟାଣ୍ଡକୁ ନେଇ ୭ ଖୁନ ମାଫ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଥିଲେ ।

ରୁଷ୍ଟି

ବଣ୍ଡ, ରୁଷ୍ଟି ନାମକ ଏକ କାଳ୍ପନିକ ଚରିତ୍ର ତିଆରି କରି, ଅନେକ କାହାଣୀ ରଚନା କରିଛନ୍ତି । ରୁଷ୍ଟି ଡେରାଡୁନରେ ରହୁଥିବା ଏକ ୧୬/୧୭ ବର୍ଷ ବୟସ୍କ ଅନାଥ ବ୍ରିଟିଶ-ଭାରତୀୟ ପିଲା । ସେ ନିଜ ପରିଚାୟକ ଜନ ହାରିସନଙ୍କ ସହିତ ରହେ । ଜନ ଜଣେ କଠୋର ଓ ନିର୍ଦ୍ଦୟ ବ୍ୟକ୍ତି ଥିଲେ । ରୁଷ୍ଟି ବାଧ୍ୟ ହେଇ ଜନଙ୍କର ସବୁ କଥା ମାନୁଥିଲେ, ନହେଲେ ତାଙ୍କୁ ବେତ୍ରାଘାତର ଭୟ ଥିଲା । ରୁଷ୍ଟିର କେହି ବନ୍ଧୁ ନଥିଲେ ଓ ସେ ଜନଙ୍କ ଘରେ ଏକୁଟିଆ ଅନୁଭବ କରୁଥିଲା । ସେ ଡେରାଡୁନରେ ୟୁରୋପିୟ ଲୋକଙ୍କ ଅଞ୍ଚଳରେ ରହୁଥିଲା କିନ୍ତୁ ତାକୁ ଭାରତୀୟମାନଙ୍କ ସହିତ ମିଶିବାକୁ ବହୁତ ଇଚ୍ଛା ଥିଲା । ସେ ଲୁଚି ଲୁଚି କିଛି ଭାରତୀୟ ପିଲାଙ୍କ ସହିତ ସାଙ୍ଗ ହେଲା । କ୍ରମେ ସେ ଜନଙ୍କଠାରୁ ଲୁଚି ଇଂଲାଣ୍ଡ ପଳେଇଯାଇଥିଲା । ରୁଷ୍ଟି ଚରିତ୍ର ମାଧ୍ୟମରେ, ବଣ୍ଡ ଏକ କିଶୋରର ଜୀବନକୁ ନେଇ ସଂଗ୍ରାମ, ତାର ସମ୍ପର୍କ, ଖୁସି ଓ ପ୍ରେମ ଦର୍ଶାଇଛନ୍ତି ।

ରୁଷ୍ଟି ମାଧ୍ୟମରେ, ବଣ୍ଡ ନିଜର ପିଲାଦିନ କଥା ଲେଖିବାକୁ ଚେଷ୍ଟା କରିଛନ୍ତି । ୧୭ ବର୍ଷ ବୟସରେ ଲେଖିଥିବା ତାଙ୍କ ପ୍ରଥମ ଆତ୍ମଜୀବନୀମୂଳକ ଉପନ୍ୟାସ ଦ ରୁମ ଅନ ଦ ରୁଫର ମୁଖ୍ୟ ଚରିତ୍ର ଥିଲା ରୁଷ୍ଟି ।[୯] ଏହି ଉପନ୍ୟାସରେ ରୁଷ୍ଟିର ଡେରାଡୁନର ରହଣୀ ଓ ସାଙ୍ଘସାଥିଙ୍କ କଥା ଲେଖାଯାଇଛି ।[୧୦]

କାହାଣୀରେ ରୁଷ୍ଟି

ରୁଷ୍ଟି ଚରିତ୍ରକୁ ନେଇ ଲେଖାଯାଇଥିବା, ବଣ୍ଡଙ୍କର ଲେଖା :

  • ଦ ରୁମ ଅନ ଦ ରୁଫ
  • ରୁଷ୍ଟି ରନ୍ସ ଆୱେ
  • ରୁଷ୍ଟି କମ୍ସ ହୋମ
  • ଭାଗ୍ରାଣ୍ଟସ ଇନ ଦ ଭ୍ୟାଲି
  • ରୁଷ୍ଟି ଆଣ୍ଡ ଦ ମ୍ୟାଜିକ ମାଉଣ୍ଟେନ
  • ଦ ଆଡଭେଣ୍ଚରସ ଅଫ ରୁଷ୍ଟି
  • ରୁଷ୍ଟି, ଦ ବୟ ଫ୍ରମ ଦ ହିଲ୍ସ
  • ରୁଷ୍ଟି ଗୋସ ଟୁ ଲଣ୍ଡନ

ଆଧାର