ଅଚ୍ୟୁତାନନ୍ଦ ଦାସ

ଓଡ଼ିଆ ସନ୍ଥ ଓ କବି

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି ।[୪] ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।

ମହାପୁରୁଷ

ଅଚ୍ୟୁତାନନ୍ଦ ଦାସ
ଜନ୍ମ(1510-01-10)୧୦ ଜାନୁଆରୀ ୧୫୧୦


[୧]
(ମାଘ ଶୁକ୍ଳ ଏକାଦଶୀ)[୨]
ତିଳକଣା, ନେମାଳ, କଟକ[୩]
ମୃତ୍ୟୁଜ୍ୟୈଷ୍ଠ ଶୁକ୍ଳ ଏକାଦଶୀ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସନ୍ଥ, କବି, ଦାର୍ଶନିକ
ଉଲ୍ଲେଖନୀୟ କୃତିହରିବଂଶ

ଜୀବନ

ପ୍ରାରମ୍ଭିକ ଜୀବନ

ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ପ୍ରତିମା

ଅଚ୍ୟୁତାନନ୍ଦ ଦାସ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ନେମାଳ ପାଖରେ ଥିବା ତିଳକଣା ଗାଁରେ ମାତା ପଦ୍ମାବତୀଙ୍କଠାରୁ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ ଜନ୍ମଲାଭ କରିଥିଲେ ।[୫] ସେ ନିଜର ଜନ୍ମ ଗୋପାଳ ଜାତିରେ ହୋଇଥିବା ଉଲ୍ଲେଖ କରିଛନ୍ତି ।

ତିଳକଣାରେ ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ
ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।
ବେନି ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ
ଏମନ୍ତ ମୋ ମାତା ପିଅର ବଞ୍ଚନ୍ତି ଗ୍ରାମରେ କରି ନିବାସ ।
ନାମ ମୋ ଅଚ୍ୟୁତ ଦାସ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ
ଏବେ ଶୂଦ୍ରକୁଳେ ଜନମ ଲଭିଛି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ ।

ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ମାତା ତାଙ୍କୁ 'ଅଗଣି' ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଦୀନବନ୍ଧୁ ନାମ ଖୁଣ୍ଟିଆ ଶୂଦ୍ରର କୁଳରେ ହୋଇବୁ ଜାତ
ବାଞ୍ଛିଲାର ଫଳ ନୋହିବ ବିଫଳ ପ୍ରି ଅଂଶେ ଲାଭ ପୁତ୍ର ।
ଖୁଣ୍ଟିଆ ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ
ପ୍ରଭୁ ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।
ଦଶମାସ ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ
ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।
କେ ବୋଲେ ଅନାମ ଅଗଣି ତ ନାମ କେ ବୋଲେ ଅନନ୍ତ ହରି
ମାତା ପିତା ମୋତେ ଡାକିଲେ ନିଶ୍ଚୟ ଅଚ୍ୟୁତ ଯେ ନାମ ଧରି ।

ସେ ନିଜ ରଚନା ଶୂନ୍ୟସଂହିତାରେ ଆତ୍ମପରିଚୟ ଦେଇ ଲେଖିଛନ୍ତି ଯେ ସେ ପୂର୍ବ ଜନ୍ମରେ ସୁଦାମ ଥିଲେ ।

ଚୈତନ୍ୟଙ୍କ ସହ ଭେଟ

ତାଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି ।

ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।

ଶିଷ୍ୟ

ଅଚ୍ୟୁତାନନ୍ଦଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧,୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ ।

ପ୍ରତାପରୁଦ୍ରଙ୍କ ପରୀକ୍ଷା

ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ[୫]

ଧର୍ମତତ୍ତ୍ୱ

ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିନ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି ।

ଭଜନ

ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି ।

ମୋହ ଶପଥ ତୋତେ ଆହୋ ବାବୁ । ଏ ଭଜନ ସୂତ୍ର ସୂତ୍ରେ ଭଜିବୁ ।।
କିଏ କାହାର ମିଥ୍ଯା ଯେ ସଂସାର । ଆପେ ତରିଲେ ଆଉ କେ କାହାର ।।
ଆପକୁ ଆପେ ଚିହ୍ନିଲେରେ ବାବୁ । କାଳେ କାଳେ ଅଜାମର ହୋଇବୁ ।।
ସୁଖେ ପାରିହେବୁ ଭବସାଗର । ବୁଲିଗଲା ପ୍ରାୟେ ଯିବ ଶରୀର ।।

ଜାତିଭେଦ

ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ ।

ହେଲେ ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ ।
କଲିକତରା ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ ।।

ରଚନାବଳୀ

ଶୂନ୍ୟସଂହିତା

ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ ।

ଅଚ୍ୟୁତଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ ପ୍ରଦତ୍ତ । ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି ।[୫]

ଆଧାର

ଅଧିକ ତଥ୍ୟ