ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧

ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ମାଧ୍ୟମରେ ସରକାରୀ ସ୍ତରରେ ଓଡ଼ିଶାର ଇଂରାଜୀ ନାମ Orissaରୁ Odishaକୁ ପରିବର୍ତ୍ତନ କରାଯାଇଛି ।[୧] ଏହା ଫଳରେ Oriya ମଧ୍ୟ ପରିବର୍ତ୍ତନ ହୋଇ Odia ହୋଇଛି ।

ଅଧିନିୟମ ବିଷୟରେ

ଓଡ଼ିଶାର ପ୍ରକୃତ ଇଂରାଜୀ ବନାନ "Odisha" ହୋଇଥିବା ସ୍ଥଳେ ଭାରତୀୟ ସମ୍ବିଧାନ ତଥା ଅନ୍ୟାନ୍ୟ ସରକାରୀ କାଗଜପତ୍ରରେ "Orissa" ଲିପିବଦ୍ଧ ଥିଲା । ଉଚ୍ଚାରଣ ଦୃଷ୍ଟିରୁ ଏହା ଓଡ଼ିଶା ନ ହୋଇ ଓରିଶା ହୋଇଥିବାରୁ ଏହାର ପରିବର୍ତ୍ତନ ପାଇଁ ଅନେକ ଦାବୀ ହୋଇ ଆସୁଥିଲା । ପରିଶେଷରେ ଓଡ଼ିଶା ସରକାର ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏହି ଅଧିନିୟମଦ୍ୱାରା ଏହାର ପରିବର୍ତ୍ତନ କରାଇଥିଲେ ।[୨]ରାଜ୍ୟ କ୍ୟାବିନେଟ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଜୁନ ୨୦୦୮ରେ ଗ୍ରହଣ କରିବା ପରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଅଗଷ୍ଟ ୨୦୦୮ରେ ଗୃହୀତ ହୋଇ ପାର୍ଲିଆମେଣ୍ଟରେ ଅନୁମୋଦନ ପାଇଁ ପଠାଯାଇଥିଲା ।[୩] ୨୩ ସେପ୍ଟେମ୍ବର ୨୦୧୧ରେ ବିଲଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି ।[୪]

  • ଅଧିନିୟମର ଧାରା ୩ ଅନୁଯାୟୀ ଏହି ଅଧିନିୟମ ବିଜ୍ଞପ୍ତି ଭାବେ ପ୍ରକାଶ ପାଇବା ଦିନଠାରୁ ଓଡ଼ିଶା ରାଜ୍ୟର ନାମ Orissa ପରିବର୍ତ୍ତେ Odisha ଭାବେ ମାନ୍ୟ ହେବ ।
  • ଅଧିନିୟମର ଧାରା ୪ ପ୍ରକାରେ ଭାରତୀୟ ସମ୍ବିଧାନର ଧାରା ୧୬୪(୧)ରେ Orissa ପରିବର୍ତ୍ତିତ ହୋଇ Odisha ହେବ ।
  • ଅଧିନିୟମର ଧାରା ୬ ପ୍ରକାରେ ଭାରତୀୟ ସମ୍ବିଧାନର ପ୍ରଥମ ପରିଶିଷ୍ଟର "THE STATES" ଶିର୍ଷକର ଦଶମ ଧାଡିରେ Name ତଳକୁ Orissa ପରିବର୍ତ୍ତିତ ହୋଇ Odisha ହେବ ।
  • ଅଧିନିୟମର ଧାରା ୭ ପ୍ରକାରେ ଭାରତୀୟ ସମ୍ବିଧାନର ଚତୁର୍ଥ ପରିଶିଷ୍ଟର "TABLE" ଶିର୍ଷକର ଚତୁର୍ଦ୍ଦଶ ଧାଡିର ଦ୍ୱିତୀୟ ସ୍ତମ୍ଭରେ Orissa ପରିବର୍ତ୍ତିତ ହୋଇ Odisha ହେବ ।

ଘଟଣାକ୍ରମ

  • ବହୁଦିନରୁ ବୁଦ୍ଧିଜୀବି ମହଲରେ Orissa ତଥା Oriyaର ସଂଶୋଧନ ପାଇଁ ଦାବୀ ହୋଇଆସୁଥିଲା ।
  • ଓଡ଼ିଶା କ୍ୟାବିନେଟରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ପ୍ରଥମ ଥର ପାଇଁ ଜୁନ ୨୦୦୮ରେ ଗୃହୀତ ହେଲା ।
  • ଅଗଷ୍ଟ ୨୮, ୨୦୦୮ରେ ଓଡ଼ିଶା ବିଧାନ ସଭାରେ ଏହି ପ୍ରସ୍ତାବ ପାରିତ ହୋଇ କେନ୍ଦ୍ରର ଅନୁମୋଦନ ନିମିତ୍ତ ପଠାଗଲା ।
  • ବିଲଟିକୁ ପି ଚିଦାମ୍ବରମ ଲୋକ ସଭାରେ ପେସ କଲେ ।
  • ବିଲଟି ୯ ନଭେମ୍ବର ୨୦୧୦ରେ ଲୋକ ସଭାରେ ପାରିତ ହୋଇ ରାଜ୍ୟ ସଭାକୁ ପଠାଗଲା ।
  • ବିଲଟି ରାଜ୍ୟସଭାରେ ୨୪ ମାର୍ଚ ୨୦୧୧ରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମିତ୍ତ ପଠାଗଲା ।[୫]
  • ବିଲଟି ୨୩ ସେପ୍ଟେମ୍ବର ୨୦୧୧ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣର ଦେଲା ଏବଂ ୧ ନଭେମ୍ବର ୨୦୧୧ରେ କେନ୍ଦ୍ରୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଲା ।[୫]
  • କେନ୍ଦ୍ରୀୟ ବିଜ୍ଞପ୍ତି ଅନୁସାରେ ଆଇନଟି ୧ ନଭେମ୍ବର ୨୦୧୧ରୁ ଲାଗୁ ହେଲା ।
  • କେନ୍ଦ୍ରୀୟ ବିଜ୍ଞପ୍ତି ଆଧାରରେ ଏହା ପୁଣି ଓଡ଼ିଶା ଗେଜେଟରେ ୧୨ ମାର୍ଚ ୨୦୧୨ରେ ରାଜ୍ୟ ବିଜ୍ଞପ୍ତି ଭାବେ ପ୍ରକାଶିତ ହେଲା ।[୬]

ଆଧାର

ବାହାର ଆଧାର