କାଶୀନାଥ ପୂଜାପଣ୍ଡା

ଓଡ଼ିଶୀ ସଙ୍ଗୀତଜ୍ଞ

କାଶୀନାଥ ପୂଜାପଣ୍ଡା(୧୫ ମାର୍ଚ୍ଚ ୧୯୨୧- ୨୮ ମାର୍ଚ୍ଚ ୨୦୦୯) ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗୁରୁ ଥିଲେ ।[୧] ଓଡ଼ିଶୀ ସଙ୍ଗୀତରେ ଉତ୍କର୍ଷତା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୨]

କାଶୀନାଥ ପୂଜାପଣ୍ଡା
ଜନ୍ମ(1921-03-15)୧୫ ମାର୍ଚ୍ଚ ୧୯୨୧
ମାଟିମଣ୍ଡପ ସାହି, ପୁରୀ
ମୃତ୍ୟୁ୨୮ ମାର୍ଚ୍ଚ ୨୦୦୯(2009-03-28) (ବୟସ ୮୮)
ବୃତ୍ତିଓଡ଼ିଶୀ ସଙ୍ଗୀତ ଗୁରୁ
ଶୈଳୀଓଡ଼ିଶୀ ସଙ୍ଗୀତ

ଜୀବନୀ

କାଶୀନାଥ, ୧୯୨୧ ମସିହାରେ ପୁରୀର ମାଟିମଣ୍ଡପ ସାହିର[୩] ଏକ ସେବାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅଜା ନୀଳକଣ୍ଠ ଖୁଣ୍ଟିଆ ଥିଲେ, ଚାଖି ଖୁଣ୍ଟିଆଙ୍କ ନାତି । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ହଜୁରୀ ଥିଏଟର୍ସ୍ ପ୍ରତିଷ୍ଠା କରିଥିଲେ । ଏହି ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥ ହାରମୋନିୟମ ଓ ବଂଶୀ ବଜଉଥିଲେ । ତାଙ୍କରି ପ୍ରଭାବ ପଡିଥିଲା କାଶୀନାଥଙ୍କ ଉପରେ । ନବମ ଶ୍ରେଣୀରେ ପାଠପଢ଼ା ଛାଡି ସଙ୍ଗୀତରେ ମାତିଥିଲେ କାଶୀନାଥ । ପିତାଙ୍କର ପୁତ୍ରର ସଙ୍ଗୀତ ଆସକ୍ତି ପ୍ରତି ସହମତି ନଥିଲା । କିନ୍ତୁ ମା ଓ ଭିଣୋଇଙ୍କ ସମର୍ଥନ ମିଳିଥିଲା କାଶୀନାଥଙ୍କୁ । ଭିଣୋଇ ପଦ୍ମତୋଳାଚନ୍ଦ୍ର ତାଙ୍କୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସହିତ ପରିଚିତ କରାଇଦେଇଥିଲେ । ପୁରୀର କାଳିକା କୋଟଠାରେ କାଶୀନାଥ, ସିଂହାରୀ ଶ୍ୟାମସୁନ୍ଦର କରଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ । ପିତା ତାଙ୍କର ସଙ୍ଗୀତ ଶିକ୍ଷା ପ୍ରତି ବିରକ୍ତ ହେବାରୁ, କାଶୀନାଥ ଘର ଛାଡି କଲିକତା ପଳେଇ ଯାଇଥିଲେ । କଲିକତାରେ ଏକ ଓଡ଼ିଆ ଭୋଜନାଳୟରେ ଚା ଦେବାନେବା କରି ପେଟ ପୋଷୁଥିଲେ କାଶୀନାଥ । ଭୋଜନାଳୟରେ ମାଲିକ ତାଙ୍କ ସଙ୍ଗୀତ ପ୍ରତି ଅନୁରକ୍ତି ଦେଖି, ତାଙ୍କ ପାଇଁ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରିଦେଇଥିଲେ । କଲିକତାରୁ କିଛି ସମୟ ପରେ ଫେରି ଆସି, ସେ କଟକର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଆଜୀବନ ସଙ୍ଗୀତ ସାଧନାରେ ବ୍ରତି ହୋଇ କାଶୀନାଥ ୨୦୦୯ ମସିହାରେ ହୃଦ୍‌ଘାତରେ ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ । ସ୍ତ୍ରୀ, ତିନି ପୁଅ ଓ ଦୁଇ ଝିଅଙ୍କୁ ନେଇ କାଶୀନାଥଙ୍କ ପରିବାର ଥିଲା ।[୪]

କାଶୀନାଥ, ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଓ ହରିହର ରାଜଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଓ ମର୍ଦଳ ବାଦନ ତଥା କାଳିପଦ ମୁଖାର୍ଜୀ, ସୁଧୀର ମିତ୍ରଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ । ପରେ ସେ ପ୍ରୟାଗ ସଙ୍ଗୀତ ସମିତି, ଆହ୍ଲାବାଦରୁ ସଙ୍ଗୀତ ଶିକ୍ଷାକରି ସଙ୍ଗୀତ ପ୍ରଭାକର ଉପାଧୀ ଲାଭ କରିଥିଲେ ।[୫] ସେ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ ଓ ୧୯୪୧ମସିହାରୁ ଆକାଶବାଣୀରେ ସଙ୍ଗୀତ ପରିବେଷଣ କରୁଥିଲେ । ସେ କଟକର ଉତ୍କଳ ସଙ୍ଗୀତ ସମାଜ, ଭୁବନେଶ୍ୱରର ଲଳିତ କଳାପିଠରାଗନ ଆଦି ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ ।[୬]

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
  • ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ[୭]

ଆଧାର