ଖଟୁଳି

(ଖଟୁଲିରୁ ଲେଉଟି ଆସିଛି)

ଖଟୁଳି ଓଡ଼ିଶାରେ ପୋଥି ଆଦି ପଢ଼ିବା ପାଇଁ ଓ ଠାକୁର ପୂଜା ପାଇଁ ବ୍ୟବହାର ହେଉଥିବା ଏକ କାଠ କିମ୍ବା ଧାତବ ଉଚ୍ଚ ଆସନ । କେତେକ ଦେଉଳରେ ମଧ୍ୟ ଏଗୁଡ଼ିକ ଅଧୀଷ୍ଠିତ ଠାକୁରଙ୍କ ପ୍ରତିମା ରଖିବା ପାଇଁ ବ୍ୟବହାର କରାଯାଇଥାଏ ।[୧][୨] ଓଡ଼ିଶାର ଗଣ ପର୍ବ ମାଣବସା ଗୁରୁବାରରେ ଏକ ଖଟୁଳି ଉପରେ ନୂଆ ଧାନ ଭରା ମାଣକୁ ନୂଆ ଲୁଗା ଓ ଗହଣାରେ ବେଢ଼ାଇ ଏକ ଖଟୁଳି ଉପରେ ରଖାଯାଇଥାଏ ।[୩][୪] ଜଗନ୍ନାଥଙ୍କ ୧୧୯ ଜଣ ସେବକଙ୍କ ଭିତରୁ ଏକ ହେଉଛନ୍ତି "ଖଟୁଳି ସେବକ" ।[୫] ଜଗନ୍ନାଥଙ୍କ ବିଭିନ୍ନ ସେବାନୀତି ଭିତରୁ "ଖଟୁଳି ନିଯୋଗ" ଅନ୍ୟତମ । ଏଥିରେ ଖଟୁଳି ଉପରେ ସଜ ରଖି ସେବା ନୀତି କରାଯାଇଥାଏ ।[୬] ଓଡ଼ିଶାର ଦେବଗୁନିଅାଁ ଜାତିର ଲୋକେ ମାଣବସା ଗୁରୁବାର ସମୟରେ ଗାଁ ଗାଁ ବୁଲି ଅନ୍ୟନ୍ୟ ବିଭିନ୍ନ ମୂର୍ତ୍ତି ସହିତ "ମୁକୁଟ-ଖଟୁଳି" ଆଦି ବିକ୍ରି କରିଥାନ୍ତି ।[୭]

ନାମକରଣ

ସାରଳା ମହାଭାରତରେ ଖଟୁଳି ଶବ୍ଦର ବ୍ୟବହାର ହୋଇଥିଲା । ଏହା ବିଶ୍ଳେଷଣ କରି ସରଳ ଭାଷାତତ୍ତ୍ୱ ବହିରେ ଗିରିଜାଶଙ୍କର ରାୟ ଏହି ଶବ୍ଦ "ଖଟ" ଶବ୍ଦରୁ ଉତ୍ପତ୍ତିଲାଭ କରିଛି ବୋଲି ଉଲ୍ଲେଖ କରିଛନ୍ତି ।[୮] ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ତର୍ଜମା ଅନୁସାରେ ଛୋଟ ଖଟକୁ ଖଟୁଳି ବୋଲି କୁହାଯାଏ ।[୯]

ଆଧୁନିକ ବ୍ୟବହାର

ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ମାଡ୍ରାସ ପ୍ରେସିଡେନ୍ସୀ ବିଶେଷ କରି ଓଡ଼ିଶାରେ "ଗାନ୍ଧୀ ଖଟୁଳି"ଟିଏ ଗାଁରୁ ଗାଁକୁ ଯାଉଥିଲା । ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୂଳ ଉଦ୍ଦେଶ୍ୟ ଥିଲା ।[୧୦]

ବ୍ରହ୍ମ ସ୍ଥାପନ ଖଟୁଳି

ଏହି ଖଟୁଲିକୁ ନବକଳେବର ଅବସରରେ ବ୍ରହ୍ମ ପରିବର୍ତ୍ତନ ସମୟରେ ବ୍ରହ୍ମ ସ୍ଥାପନ ନୀତିରେ ବ୍ୟବହୃତ ହୋଇଥାଏ ।

ନିର୍ମାଣ ଓ ବ୍ୟବହାର

ପୁରୀ ଦୋଳବେଦୀ ପରିସରରେ ବିଶ୍ୱକର୍ମା ସେବକ ଏହାକୁ ନିର୍ମାଣ କରନ୍ତି ଏହି ଖଟୁଳି ନିର୍ମାଣରେ ଗମ୍ଭାରୀ କାଠ ବ୍ୟବହାର କରାଯାଏ । ଏହାର ଚାରୋଟି ଗୋଡ଼ ରହିଛି । ଏହି ଖଟୁଳିର ମଝିରେ ଖୋଦେଇରେ ଅଷ୍ଟଦଳ ପଦ୍ମର ଚିତ୍ର ପ୍ରସ୍ତୁତ ହୋଇଥାଏ । ଏହାର ପଶ୍ଚାଦଭାଗରେ ପ୍ରଭା ପ୍ରସ୍ତୁତ କରାଯାଏ । ଏହା ଉପରେ ଦରଜୀ ସେବକଙ୍କଦ୍ୱାରା ଭେଲଭେଟ କନାର ଗଦିଶେଯ ବିଛାଯାଏ ।

ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ ମଧ୍ୟରାତ୍ରରେ ନୂତନ ବିଗ୍ରହମାନଙ୍କୁ ଅଣସର ପିଣ୍ଡିକୁ ଅଣାଯାଇଥାଏ । ଏହି ସମୟରେ ପରିସରଟି ସମ୍ପୂର୍ଣ୍ଣ ଶୋଧ କରାଯାଇଥାଏ । ପୁରୁଣା ବିଗ୍ରହଙ୍କ ବ୍ରହ୍ମ ଏହି ଖଟୁଲିରେ ରଖାଯାଇ ପାରମ୍ପରିକ ବିଧିରେ ପୂଜର୍ଚ୍ଚନା କରାଯାଇ ନୂତନ ବିଗ୍ରହରେ ସ୍ଥାପନା କରାଯାଏ । ଚାରି ବାଡ଼ ନିମନ୍ତେ ଚାରୋଟି ଖଟୁଲି ବ୍ୟବହାର ହୋଇଥାଏ ।[୧୧]

ଆଧାର