ଗଜାନନ ବେଶ

ଶ୍ରୀଜଗନ୍ନାଥଙ୍କ ବେଶ

ଗଜାନନ ବେଶ (ଗଣପତି ବେଶ ବା ହାତୀ ବେଶ ବା ଗଣେଶ ବେଶ ଭାବରେ ମଧ୍ୟ ଜଣା) ଦେବସ୍ନାନ ପୂର୍ଣ୍ଣିମା (ଜ୍ୟୈଷ୍ଠ ପୂର୍ଣ୍ଣିମା) ଦିନ ଆନନ୍ଦବଜାରସ୍ଥିତ ସ୍ନାନମଣ୍ଡପ (ବେଦୀ) ଉପରେ ହୋଇଥାଏ ।[୧][୨]ସ୍ନାନ ଯାତ୍ରା ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହେଇଥାଏ ।[୩]

ପୁରୀ ଜଗନ୍ନାଥଙ୍କ ହାତୀ ବେଶ
୨୦୧୯ ମସିହାରେ ଅନୁଷ୍ଠିତ ସ୍ନାନପୂର୍ଣ୍ଣିମାରେ ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କର ଗଜାନନ ବେଶ

ନୀତି

ମହାପ୍ରଭୁଙ୍କ ଗଜାନନ ବେଶ

ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଏ । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି । ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ । ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ ।

କିମ୍ବଦନ୍ତୀ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ । ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି । [୪]

ଆଧାର

ଅଧିକ ତଥ୍ୟ