ଗୋବିନ୍ଦ ଦ୍ୱାଦଶୀ
ଫାଲଗୁନ ଶୁକ୍ଳ ଦ୍ୱାଦଶୀକୁ ଗୋବିନ୍ଦ ଦ୍ୱାଦଶୀ ଭାବେ ପାଳନ କରାଯାଏ ।[୧]ବର୍ଷକର ୨୪ଦ୍ୱାଦଶୀ ମଧ୍ୟରୁ ଲକ୍ଷଣ ଭେଦରେ ଆଠଟିକୁ ମହାଦ୍ୱାଦଶୀ କହନ୍ତି । ପ୍ରଥମ ଚାରିଟି ଦ୍ୱାଦଶୀ ‘ତିଥି’ ଯୋଗରେ ଏବଂ ପରବର୍ତ୍ତୀ ଚାରିଟି ‘ନକ୍ଷତ୍ର’ ଯୋଗରେ ହୋଇଥାଏ । ନକ୍ଷତ୍ର ଯୋଗରେ ହୋଇଥିବା ଦ୍ୱାଦଶୀରେ ତାରାଶୁଦ୍ଧି ଓ ତୀର୍ଥସ୍ନାନ ଯୋଗ ପଡ଼ିଥାଏ । ଏଥିରେ ବାରୁଣୀ ସ୍ନାନ, କୁମ୍ଭସ୍ନାନ, ଗୋବିନ୍ଦ ବୁଡ଼ ଅନ୍ୟତମ । ବ୍ରହ୍ମପୁରାଣ ଅନୁସାରେ ଏହି ପାପନାଶିନୀ ଦ୍ୱାଦଶୀ ତିଥିରେ ସ୍ନାନ, ଦାନ, ଜପ, ହୋମ, ଦେବାର୍ଚ୍ଚନା ସହ ଅଅଁଳା ବୃକ୍ଷକୁ ପୂଜାକରିବାର ବିଧି ରହିଛି । ଅଅଁଳା ବୃକ୍ଷ ଅଭାବରେ ମହୋଦଧିରେ ଅଅଁଳା ପତ୍ର ବା ଅଅଁଳା କୋଳି, ହରିଡ଼ା, ଗୁଆ, ନଡ଼ିଆ, ଫୁଲ ବିସର୍ଜନ କରାଯାଇପାରେ । କ୍ଷୀରସାଗର ମନ୍ଥନ ସମୟରେ ସମୁଦ୍ରରୁ ଗୋବିନ୍ଦଙ୍କ ପ୍ରିୟ ବୃକ୍ଷ ଅଅଁଳାର ଉତ୍ପନ୍ନ ଦିବସ ଥିଲା ପୁଷ୍ୟା ନକ୍ଷତ୍ରଯୁକ୍ତ ଫାଲଗୁନ ଶୁକ୍ଳ ଦ୍ୱାଦଶୀ । ଏହିଦିନ ସାଗର ସ୍ନାନ ସହ ହବିଷ୍ୟାନ୍ନ ଗ୍ରହଣ, ଦୀପଦାନ, ବିଷ୍ଣୁ ସହସ୍ରନାମ ପଠନ, ବିଷ୍ଣୁ ଦର୍ଶନ, ବ୍ରାହ୍ମଣ ଭୋଜନ ଓ ଦାନ ଆଦି ମୁଖ୍ୟ ବିଧି । ଗୋବିନ୍ଦ ଦ୍ୱାଦଶୀରେ ତୁଳସୀ ଚୟନ ସମ୍ପୂର୍ଣ୍ଣ ନିଷିଦ୍ଧ । [୨]
ଗୋବିନ୍ଦ ଦ୍ୱାଦଶୀ | |
---|---|
ପାଳନକାରୀ | ହିନ୍ଦୁ |
ପ୍ରକାର | ଧାର୍ମିକ |
ପର୍ବ ପାଳନ | ବୁଡ଼ |
ତାରିଖ | ଫାଲଗୁନ ଶୁକ୍ଳ ଦ୍ୱାଦଶୀ |
୨୦୨୪ ତାରିଖ |
ଗୋବିନ୍ଦ ଦ୍ୱାଦଶୀ ବୁଡ଼
ଫାଲଗୁନ ମାସ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ, ତାହା ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗ ହୁଏ ଏବଂ ଏହି ଦିବସରେ ଅଲଭ୍ୟ ମହୋଦଧି ସ୍ନାନ ଯୋଗ ପଡ଼େ । ଗୋବିନ୍ଦ ଦ୍ୱାଦଶୀର ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲେ ମଧ୍ୟ, ପ୍ରତିବର୍ଷ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପଡ଼େ ନାହିଁ, ଏହା ଦୁର୍ଲ୍ଲଭ । ପୂର୍ବରୁ ଏହା ୨୭ ଫେବୃଆରୀ ୧୯୬୧[୩] ଓ ୮ ମାର୍ଚ୍ଚ ୨୦୦୯[୪]ରେ ପାଳିତ ହୋଇଥିଲା ।ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହୋଦଧିରେ ବୁଡ଼ ପକାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକଲେ ପୁଣ୍ୟ ଅର୍ଜନ ହୁଏ ।[୫]