ସଚ୍ଚିଦାନନ୍ଦ ରାଉତରାୟ

ଓଡ଼ିଆ ଲେଖକ

ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ । [୧]

ପଦ୍ମଶ୍ରୀ

ସଚ୍ଚିଦାନନ୍ଦ ରାଉତରାୟ
ଜନ୍ମ ଓ ଜନ୍ମସ୍ଥାନ(1916-05-13)୧୩ ମଇ ୧୯୧୬
ଗୁରୁଜଙ୍ଗ, ଖୋର୍ଦ୍ଧା ଜିଲ୍ଲା,
ମୃତ୍ୟୁ୨୧ ଅଗଷ୍ଟ ୨୦୦୪(2004-08-21) (ବୟସ ୮୮)
ଭାଷାଓଡ଼ିଆ ଭାଷା
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟ
ପୁରସ୍କାରପଦ୍ମଶ୍ରୀ, ଜ୍ଞାନପୀଠ ପୁରସ୍କାର
ଜୀବନସାଥୀଭୂଦେବୀ
ସନ୍ତାନମଞ୍ଜୁଶ୍ରୀ, ଚିତ୍ରା, ଶ୍ରୀହର୍ଷ, ଉଦୟନ
ସମ୍ପର୍କୀୟପିତା - ସଦାନନ୍ଦ ରାଉତରାୟ, ମାତା - ହେମବତୀ ଦେବୀ

ପ୍ରାରମ୍ଭିକ ଜୀବନ

ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ୧୩ ମଇ ୧୯୧୬ରେ ଜନ୍ମଗ୍ରହଣ କରିଥିଲେ ।[୨] ଚାଟଶାଳୀରେ ପଢ଼ିବା କାଳରେ ସେ ସ୍ୱାଧୀନତା ଆନ୍ଦୋଳନରେ ବି ଝାସ ଦେଇଥିଲେ । ଫିରିଙ୍ଗି ସରକାର ବିରୋଧରେ ଲଢି, ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ ଓ ତାପରେ ତାଙ୍କର ପିଲାବେଳ କଟିଥିଲା ବଙ୍ଗପ୍ରଦେଶରେ ।[୩] ଏଗାର ବର୍ଷ ବୟସରୁ ରାଉତରାଏ କବିତା ଲେଖା ଆରମ୍ଭ କରିଥିଲେ । [୧] ସ୍ୱାଧୀନଚେତା ଲେଖା ପାଇଁ ତାଙ୍କର ଦୁଇଟି କବିତା ୧୯୩୯ରେ 'ରକ୍ତଶିଖା'ଓ ୧୯୪୩ରେ 'ଉଠ ଜାଗ ଭୋକବନ୍ଦୀ'କୁ ଫିରିଙ୍ଗିମାନେ ଲୋକଙ୍କ ପାଖରେ ପହଞ୍ଚିବାରୁ ରୋକି ଦେଇଥିଲେ ।'[୪]'୧୯୩୮ରେ ତାଙ୍କର କାବ୍ୟ 'ବାଜି ରାଉତ'କୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ 'ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା' ମର୍ମରେ ଅନୁବାଦ କରିଥିଲେ । ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠିତ ହୋଇଥିଲେ । ରାଜନୈତିକ ଚରମପନ୍ଥୀ ଥିବାରୁ ରେଭେନ୍ସା ମହାବିଦ୍ୟାଳୟର ତତକାଳୀନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜା, ରାଉତରାୟଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଲାଭରୁ ବଞ୍ଚିତ କରିଥିଲେ । ଗୋଳାପଲିର ଜଣେ ତେଲୁଗୁ ରାଜଜେମାଙ୍କୁ ସେ ବିଭା ହୋଇଥିଲେ । [୫] ସ୍ୱାଧୀନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ ।

ସେ କଟକଠାରେ ୨୧ ଅଗଷ୍ଟ ୨୦୦୪ରେ ଦେହତ୍ୟାଗ କରିଥିଲେ । [୬]

ରଚନାବଳୀ

୧୯୨୮ ମସିହାରେ ୧୫ ବୟସରୁ ସଚ୍ଚି ରାଉତରାୟଙ୍କ କବିତା ରଚନାର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ 'ନବୀନ' ପତ୍ରିକାରେ 'ଭଗବାନ ଅଛ କାହିଁ' ପ୍ରଥମ ପ୍ରକାଶିତ କବିତାରେ ସାମ୍ୟବାଦୀ ବୈପ୍ଲବିକ ମାର୍କ୍ସୀୟ ଚେତନା ରହିଥିଲା । ଏହି କବିତାଟି ପରେ ଅଭିଯାନ କବିତା ଗ୍ରନ୍ଥରେ ସଂକଳିତ ହୋଇଛି । କବିତାର ଏକ ନୂତନ ଛନ୍ଦର ଐତିହାସିକ ପ୍ରୟୋଗ ସମ୍ପର୍କରେ 'ପାଂଡୁଲିପି (ପାଣ୍ଡୁଲିପି) କବିତା ଗ୍ରନ୍ଥର 'ନାନ୍ଦୀମୂଖୀ'ରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । [୭] ୧୯୪୩ରେ କବିଙ୍କ "ବାଜି ରାଉତ" କବିତା ମାଟି ମା ପାଇଁ ଜୀବନ ଦେବାକୁ ଅନେକ ଲୋକଙ୍କୁ ସ୍ୱାଧୀନତା ଆନ୍ଦୋଳନକୁ ଠେଲି ଦେଇଥିଲା । "ବାଜି ରାଉତ" ଏକ ନାଉରିଆ ପିଲାର ମାଟି ମା ପାଇଁ ବଳିଦାନର କଥା କହେ, ଯିଏ ନିଜ ଜୀବନକୁ ପଛରେ ପକାଇ ଫିରିଙ୍ଗିସେନାକୁ ମହାନଦୀ ପାରି ହେବାକୁ ଦେଇନଥିଲା । 'ପାଣ୍ଡୁଲିପି' ଓ 'ବାଜି ରାଉତ'ରେ ତାଙ୍କର ବିଦ୍ରୋହୀ ସ୍ୱର ଆହୁରି ଶାଣିତ କରିଛନ୍ତି । ପ୍ରତୀକ ଓ ଚିତ୍ରକଳ୍ପ ପ୍ରୟୋଗରେ କବି ପ୍ରୟୋଗିକ ନୂତନତା ଓ ଅପାରମ୍ପରିକ କଳାତ୍ମକ ବୌଦ୍ଧକତା ଓଡ଼ିଆ କବିତାକୁ ଏକ ଭିନ୍ନ ବ୍ୟଞ୍ଜନାତ୍ମକତାର ସ୍ୱାଦରେ ସମୃଦ୍ଧ କରିଛି । କବିଙ୍କର କୋଡ଼ିଏ ସରିକି କବିତା ସଙ୍କଳନ ବାହାରିସାରିଛି । 'ଛୋଟ ମୋର ଗାଁଟି'ର ଭଙ୍ଗା ଡିହଠୁ ଦଙ୍ଗାବିଧ୍ୱସ୍ତ ନୂଆଖାଲିର ନକ୍ସା ବେଶ୍ ନିଖୁଣ ଭାବରେ ଫୁଟି ଉଠିଛି ତାଙ୍କ କବିତା ନଖଦର୍ପଣରେ - ଫୁଟି ଉଠିଛି ସମୟର ମୁହଁ - ରୂପ ରୂପାନ୍ତର ରଙ୍ଗବଦଳ । ଯେଉଁଠି 'ଅଳକା ସାନ୍ୟାଲ'ର ଶେଷ ପଂକ୍ତି ସରିଛି ସେଇଠୁ ଆରମ୍ଭ ହୋଇଛି - 'ପ୍ରତିମା ନାୟକ'ର ବାସ୍ତବ ଜୀବନ ଯୁଦ୍ଧ । ତାଙ୍କର ପଲ୍ଲୀଶ୍ରୀ, ଗାଉଁଲି ଜୀବନର କଥା କହେ । ପ୍ରତିମା ନାୟକ ଏକ ସହରିଆ ଝିଅର ବେଦନାଭରା ଜୀବନର ଗଳ୍ପ କହେ । ଲୋକଙ୍କର ଲେଖାଳି ଭାବେ ଜଣାଶୁଣା ଓଡ଼ିଆ ଲେଖାଳିମାନଙ୍କ ଭିତରୁ ସଚ୍ଚି ରାଉତରାଏ ହେଉଛନ୍ତି ଜଣେ । ଧର୍ମକୁ ନେଇ ବି ସଚ୍ଚି ରାଉତରାୟ କେତୋଟି କବିତା ଲେଖିଛନ୍ତି । ବହୁ କାବ୍ୟ କବିତା ଇଂରାଜୀ, ହିନ୍ଦୀ, ତେଲୁଗୁ, ଓ ପଞ୍ଜାବୀ ଭାଷାରେ ଅନୁବାଦ ହୋଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି ।ଏକଦା ଛାତ୍ର ଆନ୍ଦୋଳନ ସମରେ ରେଭେନ୍ସା କଲେଜର ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କ ନିଧନଜନିତ ସେ ଯେପରି ଲେଖିଥିଲେ 'ଚିରପ୍ରଦୀପ୍ତ', ସେହିପରି ଏକ ନୂତନ ଦେଶର ଗର୍ଭଯନ୍ତ୍ରଣାକୁ ନେଇ ୧୯୭୧ରେ ଆରମ୍ଭ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ଆତ୍ମାହୁତି ଦେଇଥିବା ଛାତ୍ରୀ ରୋଶନାରା ପାଇଁ ରଚନା କରିଥିଲେ ତାଙ୍କର ଚିରଅମର ପଂକ୍ତିମାଳା - 'ମୁଁ ତା'ର ଶବକୁ ଧରି କାନ୍ଧେ ମୋର, କରୁଅଛି ବିଶ୍ୱ ପ୍ରଦକ୍ଷଣ !' ଜୀବଦ୍ଦଶାରେ କବି ରାଉତରାୟ ବାଂଲାଦେଶକୁ ଜଣେ ସାରସ୍ୱତ ରାଷ୍ଟ୍ରଦୂତ ଭାବରେ ଯାଇ ରୋଶନରା ସମ୍ପର୍କିତ ଏ କବିତାକୁ ପାଠ କରୁଥିବା ବେଳେ ପାଇଥିଲେ ପ୍ରଚୁର ଖ୍ୟାତି ।[୮]

ସଚ୍ଚି ରାଉତରାୟଙ୍କ ରଚିତ "ଭାତ" କବିତାରୁ ପଦେ :

ବଡ଼ ଭୋକ ବାବୁ!
ବଡ଼ ଭୋକ ଆଜି ଖାଇବାକୁ ଦିଅ ଭାତ;
ହକ ପାଉଣା ଗଣ୍ଡାକ ପାଇଁ କେତେବି ପାତିବୁ ହାତ ?
ଯେଉଁ ଧାନ ଆମେ ବୁଣିଲୁ କାଟିଲୁ ସେହି ଧାନ ଦିଅ ଆଣି;
ପୀଡ଼ିତ ଆତ୍ମା ଗର୍ଜି ଉଠଇ ଶୁଣ ତା' ବିପୁଳ ବାଣୀ ।

[୯]

ସଚ୍ଚି ରାଉତରାୟଙ୍କଦ୍ୱାରା ପ୍ରକାଶିତ ୩୧ ଖଣ୍ଡ ପୁସ୍ତକ ଯଥା ଖଣ୍ଡକାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ଆଲୋଚନା, ଏବଂ ଆତ୍ମଚରିତ ଦେଶବାସୀଙ୍କୁଭେଟି ଦେଇଛନ୍ତି ସେଗୁଡ଼ିକ ହେଲା[୮]  :

କବିତା ଗ୍ରନ୍ଥ

  • ପାଥେୟ - ୧୯୩୧ (ପ୍ରଥମ କବିତା ଗ୍ରନ୍ଥ)
  • ଛୋଟ ମୋର ଗାଁଟି
  • ପୂର୍ଣିମା -୧୯୩୩
  • ଅଭିଯାନ - ୧୯୩୮ (୧୯୪୮[୮] )
  • ପଲ୍ଲୀଶ୍ରୀ - ୧୯୪୧ (୧୯୪୦[୮] )
  • ବାଜି ରାଉତ - ୧୯୪୧
  • ପାଣ୍ଡୁଲିପି - ୧୯୪୭
  • ଅଭିଜ୍ଞାନ -
  • ହସନ୍ତ - ୧୯୪୮
  • ଭାନୁମତୀର ଦେଶ - ୧୯୪୯
  • ରକ୍ତଶିଖା - ୧୯୪୯
  • ସ୍ୱାଗତ - ୧୯୫୮
  • କବିତା ୧୯୬୨ - ୧୯୬୨
  • କବିତା ୧୯୬୯- ୧୯୬୯
  • କବିତା ୧୯୭୧ - ୧୯୭୧
  • କବିତା ୧୯୭୪ -୧୯୭୪
  • କବିତା ୧୯୮୩ -୧୯୮୩
  • କବିତା ୧୯୮୫ -୧୯୮୫
  • କବିତା ୧୯୮୭ -୧୯୮୭
  • କବିତା ୧୯୯୦ -୧୯୯୦
  • କବିତା ୨୦୦୩-୨୦୦୩

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୧୯୬୨ [୧୧]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୩ (କବିତା-୧୯୬୨ ପାଇଁ )[୧୨]
  • ଉତ୍କଳ ରତ୍ନ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ସମ୍ମାନ)[୧୩]
  • ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର, ୧୯୬୫ [୧]
  • ଜ୍ଞାନପୀଠ ପୁରସ୍କାର, ୧୯୮୬[୧୪]
  • ସାହିତ୍ୟ ଭାରତୀ ସମ୍ମାନ, ୧୯୯୬
  • ସମ୍ମାନନୀୟ ଡକ୍ଟରେଟ - ୧୯୯୮[୧୫]

ଆଧାର

ଅଧିକ ତଥ୍ୟ