ଗୌରୀଶଙ୍କର ରାୟ

ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ

ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ[୧]ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗନେଇଥିଲେ ।[୨] ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।

କର୍ମବୀର

ଗୌରୀଶଙ୍କର ରାୟ
ଜନ୍ମ(1838-07-13)୧୩ ଜୁଲାଇ ୧୮୩୮
ଦୀକ୍ଷିତପଡ଼ା, ଅସୁରେଶ୍ୱର, କଟକ
ମୃତ୍ୟୁ୭ ମାର୍ଚ୍ଚ ୧୯୧୭(1917-03-07) (ବୟସ ୭୮)
ଜାତୀୟତାଭାରତୀୟ
ସମ୍ପର୍କୀୟରାମଶଙ୍କର ରାୟ (ସାନଭାଇ)
ଅଶ୍ୱିନୀ କୁମାର ଘୋଷ (ନାତି)

ପ୍ରାରମ୍ଭିକ ଜୀବନ

ପାରିବାରିକ

ସେ ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ୱାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।

ଶିକ୍ଷାଲାଭ

ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ଚାକିରି

ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ।

୧୮୬୪: କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନ

ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।[୩]

୧୮୬୬: ଉତ୍କଳ ଦୀପିକା ପ୍ରକାଶନ

କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା । [୪]ପ୍ରଥମ ଓଡ଼ିଆ ଖବରକାଗଜ 'ଉତ୍କଳ ଦୀପିକା', ୪ ଅଗଷ୍ଟ ୧୮୬୬ ତାରିଖରେ[୫] ପ୍ରଥମ କରି ପ୍ରକାଶିତ ହୋଇଥିଲା ।[୬]ଏହା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶିତ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ର ପ୍ରଥମ ସମ୍ପାଦକ ।

ଦେହାନ୍ତ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର