ଜଗନମୋହ‌ନ ଲାଲ

ପ୍ରଥମ ଆଧୁନିକ ଓଡ଼ିଆ ନାଟ୍ୟକାର
(ଜଗନ୍‌ମୋହ‌ନ ଲାଲରୁ ଲେଉଟି ଆସିଛି)

ଜଗନମୋହ‌ନ ଲାଲ (୨୫ ନଭେମ୍ବର ୧୮୩୮ - ୨୬ ଡିସେମ୍ବର ୧୯୧୩)[୧](ଜଗନ୍ ମୋହନ ଲାଲ[୨] ଓ ଜଗମୋହନ ଲାଲା [୩]ନାମରେ ମଧ୍ୟ ପରିଚିତ) ଜଣେ ଭାରତୀୟ ନାଟ୍ୟକାର ଥିଲେ ଓ ସେ ଓଡ଼ିଶାର ପ୍ରଥମ ଆଧୁନିକ ନାଟ୍ୟକାର ଭାବରେ ପରିଚିତ ।[୪]ସେ ଜଣେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ । ୧୮୭୭ରେ ପ୍ରଥମ ଓଡ଼ିଆ ନାଟକ ଥିଲା ବାବାଜୀ ନାଟକ ରଚନା କରି ତାକୁ ମଞ୍ଚସ୍ଥ ମଧ୍ୟ କରାଇଥିଲେ ।

ଜଗନମୋହନ ଲାଲ
ଜନ୍ମ ଓ ଜନ୍ମସ୍ଥାନ(1838-11-25)୨୫ ନଭେମ୍ବର ୧୮୩୮
ମାହାଙ୍ଗା, କଟକ ଜିଲ୍ଲା
ମୃତ୍ୟୁ୨୬ ଡିସେମ୍ବର ୧୯୧୩(1913-12-26) (ବୟସ ୭୫)
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ
ସାହିତ୍ୟ କୃତିବାବାଜୀ

ଜୀବନୀ ଓ ଶିକ୍ଷା

ଜଗନମୋହନ ଲାଲ ୧୮୩୮ ନଭେମ୍ବର ୨୫ରେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ପୂର୍ବଜ ଫତେଚାନ୍ଦ ଉତ୍ତର ପ୍ରଦେଶରୁ ମାହାଙ୍ଗା ଅଞ୍ଚଳକୁ ଆସି ସେଠାରେ ଦୀର୍ଘକାଳ ବସବାସ କରିଆସୁଥିଲେ । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ଶିକ୍ଷାଲାଭ କରିଥିଲେ ।

ବୃତ୍ତିଗତ ଜୀବନ

ସ୍କୁଲ ଶିକ୍ଷା ପରେ ଜମିଦାରୀ ଥିଲେ ମଧ୍ୟ ସରକାରୀ ସେ ଚାକିରିରେ ଯୋଗ ଦେଇଥିଲେ ।[୬] ବ୍ରିଟିଶ ଶାସନ କାଳରେ ସେ ଡେପୁଟି କଲେକ୍ଟର ପଦବୀ ପର୍ଯ୍ୟନ୍ତ ଯାଇପାରିଥିଲେ । ତାଙ୍କର ରଚିତ ଭ୍ରମ ଭଞ୍ଜନ (୧୮୭୧)[୭] ସେତେବେଳେ ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିଲା । ତାଙ୍କର ଯାତ୍ରା, ସୁଆଙ୍ଗ ଓ ନାଟକ ପ୍ରତି ବିଶେଷ ରୁଚି ଥିଲା । କଟକରେ ପାଠ ପଢୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସାଲ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ ।[୮]ଅନୁବାଦ ନାଟକ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏଥିରେ ସେ ମୁଖ୍ୟ ଚରିତ୍ର ବାବାଜୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାର ନିର୍ଦ୍ଦେଶକ ଥିଲେ । କୁସଂସ୍କାର ବିରୁଦ୍ଧରେ ନାଟକରେ ପ୍ରତିବାଦ କରୁଥିଲେ ଓ ନିଜେ ଜମିଦାର ହୋଇ ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ ।

ରଚନାବଳୀ

  • ଭ୍ରମ ଭଞ୍ଜନ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ'ର ଅନୁବାଦ)
  • ଓଡ଼ିଶା ବିଜୟ (ଐତିହାସିକ ଟୟନବିଙ୍କ 'ଦି ସ୍କେଚ ଅଫ ଦି ହିଷ୍ଟ୍ରି ଅଫ ଓଡ଼ିଶା'ର 'କନକ୍ୱେଷ୍ଟ ଅଫ ଓଡ଼ିଶା' ପ୍ରସଙ୍ଗକୁ ନେଇ ରଚନା)
  • ବାବାଜୀ (୧୮୭୭ର ନାଟକ; ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ ଓ ଗଣେଶ୍ୱର ମିଶ୍ର The Holy Man, a Play ନାମରେ ଏହାର ଇଂରାଜୀ ରୂପାନ୍ତର କରିଥିଲେ)
  • ସତୀ (୧୮୮୬ର ନାଟକ; ବିଧବା ବିବାହ ସପକ୍ଷରେ ଲିଖିତ)
  • ବୃଦ୍ଧ ବିବାହ (ନାଟକ; ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ)
  • ପ୍ରୀତି (ନାଟକ; ଜମିଦାରମାଙ୍କର କୁକର୍ମ ବିରୁଦ୍ଧରେ ଲିଖିତ)
  • ଅଷ୍ଟବକ୍ର ଉପଦେଶ

ଆଧାର