ଜାତୀୟ ଆଇନ ସେବା ଦିବସ

ଜାତୀୟ ଆଇନ ସେବା ଦିବସ ଭାରତରେ ପ୍ରତିବର୍ଷ ନଭେମ୍ବର ୯ ତାରିଖରେ ପାଳିତ ହୁଏ । ଆଇନ ସେବା ପ୍ରାଧିକରଣ ଅଧିନିୟମ ଏହାର ପରିବର୍ତ୍ତିତ ରୂପରେଖରେ ୧୯୯୫ ମସିହା ନଭେମ୍ବର ୯ ତାରିଖରେ କାର୍ଯ୍ୟକାରୀ ହୋଇଥିବାରୁ ଏହି ଉପଲକ୍ଷ୍ୟେ ଏହି ଦିନକୁ ଜାତୀୟ ଆଇନ ସେବା ଦିବସ ରୂପେ ପାଳନ କରାଯାଉଛି ।[୧][୨][୩]

ପୃଷ୍ଠଭୂମି

ଭାରତୀୟ ଆଇନ ବ୍ୟବସ୍ଥାରେ ତ୍ୱରିତ ନ୍ୟାୟ କ୍ଷେତ୍ରରେ ସୁଧାର ଆଣିବା ତଥା ଆପୋଷ ସମାଧାନ ଜରିଆରେ ମାମଲାର ଫଇସଲା କରିବା ଦିଗରେ ଲୋକ ଅଦାଲତ, ମଧ୍ୟସ୍ଥତା ତଥା ମାଗଣା ଆଇନ ସେବା ଭଳି ଅନେକ ପଦକ୍ଷେପ ଅନେକ ଦିନରୁ ପ୍ରଚଳିତ ହୋଇଛି । ତେବେ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ଆଇନ ଅଧିନିୟମିତ ହୋଇ ନ ଥିବାରୁ ଏହିସବୁର ସୁପରିଚାଳନା ପାଇଁ ଆଇନଗତ ବ୍ୟବସ୍ଥାର ଅଭାବ ପରିଲକ୍ଷିତ ହୋଇ ଆସୁଥିଲା । ଏହି ସମ୍ପର୍କିତ ଏକ ଆଇନ ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭ ୧୧ ଅକ୍ଟୋବର ୧୯୮୭ ଦିନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକଲା । ଏହି ଆଇନକୁ ଅଧିକ ଲୋକାଭିମୁଖି କରିବା ପାଇଁ ଏଥିରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ଏହି ଆଇନ ୯ ନଭେମ୍ବର ୧୯୯୫ ମସିହାରୁ ଲାଗୁ କରାଗଲା । [୪] ଏହି ଆଇନର ବିଶେଷ ବ୍ୟବସ୍ଥା ପ୍ରକାରେ ଭାରତରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ମଧ୍ୟ ପ୍ରତିଷ୍ଠା ହେଲା । ତେବେ ନୂତନ ଆଇନର ଅଧିନିୟମିତ ଦିନକୁ ଭାରତର ଉଚ୍ଚତମ ନ୍ୟାୟାଳୟରେ ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଜାତୀୟ ଆଇନ ସେବା ଦିବସ ରୂପେ ପାଳିତ କରାଗଲା । ଏହି ଉପଲକ୍ଷ୍ୟେ ଜାତୀୟ ଆଇନ ସେବା ପ୍ରାଧିକରଣ ଆଇନ ସେବା ସଚେତନତା ମୂଳକ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । [୫] ଭାରତୀୟ ଆଇନ ସେବା କ୍ଷେତ୍ରରେ ଏହି ପଦକ୍ଷେପକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୯ ତାରିଖ ଜାତୀୟ ଆଇନ ସେବା ଦିବସ ରୂପେ ସାରା ଦେଶରେ ପାଳିତ ହୋଇ ଆସୁଛି ।

ପାଳନ

ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ସାଧାରଣ ଲୋକଙ୍କୁ ଆଇନ ସେବା କ୍ଷେତ୍ରରେ ସେମାନଙ୍କ ଅଧିକାର ତଥା ଆଇନ ସେବା ପ୍ରାଧିକରଣ ଅଧିନିୟମର ବିଭିନ୍ନ ଲୋକାଭିମୁଖି ଧାରା ତଥା ବ୍ୟବସ୍ଥା ବିଷୟରେ ସଚେତନ କରାଯାଏ । ଏହି ଉପଲକ୍ଷେ ଅଲୋଚନା ସଭା, ଲୋକ ଅଦାଲତ, କର୍ମଶାଳା, ମାଗଣା ଆଇନ ସେବା ଶିବିର ତଥା ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥାଏ ।[୬] ରାଜ୍ୟ ସ୍ତରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ସ୍ତରରେ ଜିଲ୍ଲା ଆଇନ ସେବା ପ୍ରଧିକରଣ ତଥା ତାଲୁକ ସ୍ତରରେ ତାଲୁକ ଆଇନ ସେବା ପ୍ରାଧିକରଣ ଏହିସବୁ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି ।[୭]

ଆଧାର

ବାହାର ଆଧାର