ବଡ଼ଦିନ

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ[୮][୯] ରୂପେ ବଡ଼ଦିନକୁ (ଈଂରାଜୀରେ Christmas, ଉଚ୍ଚାରଣ – କ୍ରିସ୍‍ମସ୍) ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ[୪][୧୦][୧୧] ଦିନ ପାଳନ କରିଥାନ୍ତି ।[୨][୧୨][୧୩] ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ ।[୧୪] କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ ।[୧୫] ଖ୍ରୀଷ୍ଟ ଧର୍ମାବଲମ୍ବୀ[୧୬] ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟ ଜନସମୂହଙ୍କର[୧][୧୭] ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।[୧୮][୧୯][୨୦]

ବଡ଼ଦିନ
ଖ୍ରୀଷ୍ଟମାସ
ଯୀଶୁଙ୍କ ଜନ୍ମ ବୃତ୍ତାନ୍ତର ଦୃଶ୍ୟ ବର୍ଣ୍ଣିତ
ଅନ୍ୟ ନାମନୋଏଲ୍, ଯୀଶୁଙ୍କ ଜନ୍ମଦିନ, ଏକ୍ସ-ମାସ୍ (Xmas), ୟୁଲ୍
ପାଳନକାରୀଖ୍ରୀଷ୍ଟ ଧର୍ମାବଲମ୍ବୀ ଓ ଅନେକ ଅଣ-ଖ୍ରୀଷ୍ଟୀୟ ସମ୍ପ୍ରଦାୟ[୧][୨]
ପ୍ରକାରଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା ଓ ସାଂସ୍କୃତିକ ଉତ୍ସବ
ବିଶେଷତାଯୀଶୁଙ୍କ ଜନ୍ମୋତ୍ସବର ଆନନ୍ଦ ଉଲ୍ଲାସ
ପାଳନଉପହାର ଆଦାନପ୍ରଦାନ, ପାରିବାରିକ ଓ ସାମାଜିକ ମିଳନ, ଘରେ ଆଲୋକମାଳାର ସାଜସଜ୍ଜା, ଭୋଜି
ପର୍ବ ପାଳନଗୀର୍ଜାରେ ପୂଜାପାଠ ଓ ସେବା
ତାରିଖ
  • ଡିସେମ୍ବର ୨୫
    ପାଶ୍ଚାତ୍ୟ ଦେଶର ଖ୍ରୀଷ୍ଟଧର୍ମୀ ଓ କେତେକ ପ୍ରାଚ୍ୟ ଦେଶର ଖ୍ରୀଷ୍ଟଧର୍ମୀ ସମ୍ପ୍ରଦାୟ
  • ଜାନୁଆରୀ ୭
    ପ୍ରାଚ୍ୟ ଦେଶମାନଙ୍କର କେତେକ ଗୀର୍ଜାଘର ଯେଉଁମାନେ ଜୁଲିଆନ୍ ପାଞ୍ଜିର ଅନୁସରଣ କରନ୍ତି[୩][୪]
  • ଜାନୁଆରୀ ୬
    ଆମେରିକୀୟ ଏପୋଷ୍ଟୋଲିକ୍ ଗୀର୍ଜାଘର[୫][୬]
  • ଜାନୁଆରୀ ୧୯
    ଆମେରିକୀୟ ପ୍ୟାଟ୍ରିଆର୍କେଟ୍ ଅଫ୍ ଜେରୁଜେଲମ୍[୭]
ପୁନଃପୌନିକତାବାର୍ଷିକ
ସମ୍ପର୍କିତୟୁଲ୍, ବକ୍ସିଂଗ୍ ଡେ, ସନ୍ଥ ଷ୍ଟିଫେନ୍ ଦିବସ, ଜନ୍ମ ଦିବସ, ପ୍ରଭୁ ପ୍ରକାଶ

ବାଇବେଲ୍‍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍‍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ ।[୨୧] ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ (angels) ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।[୨୨]

ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ “ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍” (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ[୨୩] ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା ।[୨୪][୨୫] ବର୍ତ୍ତମାନ ସମୟରେ ଗ୍ରେଗୋରିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ ଓ ଅଧିକାଂଶ ଦେଶର ସରକାରୀ କ୍ୟାଲେଣ୍ଡର୍ ଡିସେମ୍ବର ୨୫କୁ ବଡ଼ଦିନ ବୋଲି ଘୋଷଣା କରିଛନ୍ତି । କେତେକ ପ୍ରାଚ୍ୟ ଦେଶରେ ଅନୁସୃତ ଜୁଲିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍‍ର ଡିସେମ୍ବର ୨୫ ତାରିଖ (ଯାହା ଗ୍ରେଗୋରିଆନ୍ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ) ଦିନ ବଡ଼ଦିନ ପାଳିତ ହୋଇଥାଏ । ଜୁଲିଆନ୍ ପାଞ୍ଜିର ବଡ଼ଦିନ ଗ୍ରେଗୋରିଆନ୍ ପାଞ୍ଜିର ଏପିଫ୍ୟାନି ବା ପ୍ରଭୁପ୍ରକାଶ ପର୍ବ (ଜାନୁଆରୀ ୬ ତାରିଖ)ର ପରବର୍ତ୍ତୀ ଦିନ ପଡ଼ିଥାଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହାକୁ ଏକ ବିବାଦ ନୁହେଁ ବରଂ ପାଞ୍ଜି ଅନୁସରଣ କରିବାର ଏକ ଭିନ୍ନ ଦିଗ ଭାବେ ପରିଗଣିତ କରିଥାନ୍ତି । ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ଅନୁସାରେ ଜଗତର ପାପମୋଚନ କରିବା ପାଇଁ ଭଗବାନ ଯୀଶୁ ଅବତାର ରୂପେ ପୃଥିବୀପୃଷ୍ଠରେ ଅବତରଣ କରିଥିବାର ବେଳା ବା ଘଟଣାକୁ ପାଳନ କରାଯିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ କେଉଁ ଦିନ ଏହି ସବୁ ଘଟଣା ଘଟିଥିଲା ତାହା ନିମିତ୍ତ ମାତ୍ର ।[୨୬][୨୭][୨୮][୨୯]

ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି ।[୩୦] ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍‍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ । ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା "ସାଣ୍ଟା କ୍ଲସ୍" (ଈଂରାଜୀରେ Santa Claus) ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ ।[୩୧] ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ନାମକରଣର ଇତିହାସ

ଈଂରାଜୀ ଶବ୍ଦ "Christ's Mass" ଶବ୍ଦର କ୍ଷୁଦ୍ରରୂପ ହେଉଛି "Christmas" (ବଡ଼ଦିନ) । ଏହି ଶବ୍ଦଟିକୁ ପ୍ରାଚୀନ ଈଂରାଜୀରେ Crīstesmæsse (୧୦୩୮ ମସିହାରେ ପ୍ରଥମ ଉଲ୍ଲେଖ[୯]) ଓ Cristes-messe (୧୧୩୧ ମସିହାରେ ପ୍ରଥମ ଉଲ୍ଲେଖ.[୩୨]) ଏବଂ ମଧ୍ୟଯୁଗୀୟ ଈଂରାଜୀରେ Cristemasse କୁହାଯାଉଥିଲା । ଗ୍ରୀକ୍ ଶବ୍ଦ Khrīstos (Χριστός) ଯାହାର ହିବ୍ରୁ ଭାଷାର ଅନୁବାଦ ହେଉଛି Māšîaḥ (מָשִׁיחַ) (ଅର୍ଥାତ୍ ଅଭିଷିକ୍ତ)[୩୩][୩୪] ଏବଂ mæsse ଶବ୍ଦଟି ଲାଟିନ୍ ଭାଷାର ଶବ୍ଦ missaରୁ ଗୃହୀତ ଯାହାର ଅର୍ଥ ଦିବ୍ୟ ରାତ୍ରଭୋଜନର ସମାରୋହ (celebrating Eucharist) ।

ପାରମ୍ପରିକ ଭାବେ ଖ୍ରୀଷ୍ଟେନ୍‍ମାସ୍ (Christenmas) ବୋଲି ଏକ ଶବ୍ଦ ମଧ୍ୟ ବ୍ୟବହୃତ ହେଉଥିଲା କିନ୍ତୁ ଏହାକୁ ପ୍ରାଚୀନ ଓ କଥିତ ଭାଷାରେ ଅପଭ୍ରଂଶ ବୋଲି ବିବେଚନା କରାଯାଇଥାଏ ।[୩୫] ଏହି ଶବ୍ଦ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ Cristenmasseରୁ ଉଦ୍ଧୃତ ।[୩୬] ଏକ୍ସ୍-ମାସ୍ (Xmas) ଶବ୍ଦଟି କ୍ରିସ୍‍ମସ୍ ଶବ୍ଦର କ୍ଷୁଦ୍ର ରୂପ । ଏଥିରେ ବ୍ୟବହୃତ (Χ) ଅକ୍ଷର ଗ୍ରୀକ୍ ଭାଷାର “ଚି” ଅକ୍ଷରକୁ ବୁଝାଏ ଓ ଏହାର ଅର୍ଥ ହେଲା ଖ୍ରୀଷ୍ଟ (Khrīstos (Χριστός)) । ଏହି କ୍ଷୁଦ୍ର ରୂପର ବ୍ୟବହାର ସେତେଟା ପସନ୍ଦ କରାଯାଉନଥିଲେ ବି[୩୭] ମଧ୍ୟଯୁଗୀୟ ଈଂରାଜୀରେ ଏହାର ଅଧିକ ବ୍ୟବହାର ଦେଖାଯାଇଛି (Χρ̄es masse ଶବ୍ଦରେ Χριστόςର କ୍ଷୁଦ୍ରରୂପ ହେଲା "Χρ̄") ।[୩୬]

ବିଭିନ୍ନ ଦେଶରେ କ୍ରିସ୍‍ମସ୍ ପର୍ବର ଭିନ୍ନ ଭିନ୍ନ ନାମ ରହିଛି ସତ, ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଏହି ପର୍ବକୁ ବଡ଼ଦିନ (ବା ମହତ୍ତ୍ୱପୂର୍ଣ୍ଣ ଦିନ) ବୋଲି କୁହାଯାଇଥାଏ । ଔପନିବେଶିକ ଅନୁପ୍ରବେଶ କାଳରେ ଭାରତୀୟ ଉପମହାଦ୍ୱୀପରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟା କରାଯାଉଥିଲା । ୨୧୦ ବର୍ଷ ପୂର୍ବେ ଈଂରେଜ ଭାରତର ଅନେକ ଅଞ୍ଚଳରେ ନିଜ ପ୍ରଭାବ ବିସ୍ତାର କରିସାରିଥିଲେ । ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାହା ଏକ ପ୍ରକୃଷ୍ଟ ସମୟ ବୋଲି ସେମାନଙ୍କୁ ହୃଦବୋଧ ହେଲା । ପ୍ରାୟ ୨୫ ଡିସେମ୍ବର ବା ଏହାର ଆଖପାଖ ସମୟରୁ ଦିନର ଦୈର୍ଘ୍ୟ ସାମାନ୍ୟ ବଢ଼ିବାକୁ ଲାଗେ । ଭାରତରେ ପ୍ରାଚୀନ କାଳରୁ ରହି ଆସିଥିବା ହିନ୍ଦୁ ବା ଅନ୍ୟ ଧର୍ମାବଲମ୍ବୀ ଲୋକେ ଏହି ସମୟର ମହତ୍ତ୍ୱକୁ ଅଣଦେଖା କରିବା ସମ୍ଭବ ନଥିଲା । ତେଣୁ ହିନ୍ଦୁ ଲୋକେ ସହଜରେ ଏହି ପର୍ବକୁ ସ୍ୱୀକାର କରନ୍ତୁ ବୋଲି ଏହାର ନାମ ‘’ବଡ଼ଦିନ’’ ବୋଲି ପ୍ରଚଳନ ହେବାର ଅନୁମାନ କରାଯାଏ ।[୩୮]

ବଡ଼ଦିନର ଅନ୍ୟନାମ

କ୍ରିସ୍‍ମସ୍ ବା ବଡ଼ଦିନ ବ୍ୟତୀତ ଏହି ପର୍ବର ଆହୁରି ଅନେକ ନାମ ଲୋକମୁଖରେ ପ୍ରଚଳିତ ଥିବା ଇତିହାସରୁ ଜଣାପଡ଼େ । ପଞ୍ଚମ ଶତାବ୍ଦୀର ଏଂଗ୍ଲୋ-ସେକ୍ସନ‌ମାନେ ଏହାକୁ ଶୀତଋତୁର ଅର୍ଦ୍ଧବିନ୍ଦୁ ("midwinter")[୩୯][୪୦] ବୋଲି କହୁଥିଲେ । କେହିକେହି ଏହାକୁ ନେଟିଉଟିଓ (ଲାଟିନ୍ ଶବ୍ଦ nātīvitāsରୁ ଗୃହୀତ) ବୋଲି କହୁଥିଲେ ।[୩୯][୪୧] ଯୀଶୁଙ୍କ ଜନ୍ମକୁ ଈଂରାଜୀରେ "Nativity of Jesus" ବୋଲି କୁହାଯାଇଥାଏ ଓ ଏହା ଲାଟିନ୍ ଶବ୍ଦ nātīvitāsରୁ ଗୃହୀତ ହୋଇଛି ।[୪୨] ପ୍ରାଚୀନ ଈଂରାଜୀରେ ବ୍ୟବହୃତ ଶବ୍ଦ Gēola (ୟୁଲ୍) ଶବ୍ଦର ପ୍ରକୃତ ଅର୍ଥ ହେଲା ଡିସେମ୍ବର ଓ ଜାନୁଆରୀ ମାସର ସମୟ, କିନ୍ତୁ ବଡ଼ଦିନ ଏହି ସମୟରେ ପାଳିତ ହେଉଥିବାରୁ କ୍ରମଶଃ ବଡ଼ଦିନକୁ ୟୁଲ୍ ବୋଲି କୁହାଗଲା ।[୪୩] ଜନ୍ମ (ଦିନ) ବୁଝାଉଥିବା ଲାଟିନ୍ ଶବ୍ଦ nātālis (diēs)ରୁ ପ୍ରାଚୀନ ଫରାସୀ ଶବ୍ଦ noël ବା naël ଏବଂ ସେଥିରୁ ଈଂରାଜୀ ଶବ୍ଦ "Noel" (ବା "Nowel")ର ସୃଷ୍ଟି ଓ ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ବେଳକୁ ଈଂରାଜୀ ଭାଷାରେ ଏହି ଶବ୍ଦ ବ୍ୟବହୃତ ହୋଇ ବଡ଼ଦିନ ସହିତ ସମ୍ପୃକ୍ତ ହେବାକୁ ଲାଗିଲା ।[୪୪]

ଯୀଶୁଙ୍କ ଜନ୍ମ

ସନ୍ଥ ଲ୍ୟୁକ୍‍ଙ୍କ ଧର୍ମୋପଦେଶ (୨ୟ ଅଧ୍ୟାୟ, v ୧–୨୦)

ବେଥ୍ଲେହେମ୍ ସହରରେ କୁମାରୀ ମାତା ମେରି ବା ମରିୟମ୍‍ଙ୍କଠାରୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ ବୋଲି ସନ୍ଥ ଲ୍ୟୁକ୍, ସନ୍ଥ ମେଥ୍ୟୁ ଆଦି ନିଜ ଧର୍ମୋପଦେଶମାନଙ୍କରେ କହିଯାଇଛନ୍ତି । ଲ୍ୟୁକ୍‍ଙ୍କ ବିବରଣୀ ଅନୁସାରେ ଜୋସେଫ୍ ଓ ମେରି ନଜାରେତ୍‍ରୁ ବେଥ୍ଲେହେମ୍ ଯାତ୍ରା କରି ସେଠାରେ ମେରି ଯୀଶୁଙ୍କୁ ଜନ୍ମଦାନ କରିଥିଲେ ଓ ପାଳଗଦାର ଏକ ଛୋଟ ଝୁଲଣାରେ ଯୀଶୁଙ୍କୁ ରଖାଯାଇଥିଲା ।[୪୫] ଯୀଶୁ ମାନବଜାତିର ତ୍ରାଣକର୍ତ୍ତା ହେବେ ବୋଲି ଦେବଦୂତମାନେ (angel-ଏଞ୍ଜେଲ୍) ଜଣାଇବା ପରେ ମେଷପାଳକମାନେ ଯୀଶୁଙ୍କୁ ସ୍ନେହର ସହିତ ଗ୍ରହଣ କରିଥିଲେ ।

ମେଥ୍ୟୁଙ୍କ ବିବରଣୀ ଅନୁସାରେ ପ୍ରାଚ୍ୟର ଜ୍ଞାନୀଗଣ (ମ୍ୟାଗି) ବେଥ୍ଲେହେମ୍ ତାରକାର ଅନୁସରଣ କରି ଯୀଶୁଙ୍କୁ (ଯିଏ ୟେହୁଦୀମାନଙ୍କ ଭବିଷ୍ୟତର ରାଜା ହେବେ ବୋଲି କିମ୍ବଦନ୍ତୀ ରହିଥିଲା) ଉପହାର ଦେବା ସକାଶେ ବେଥ୍ଲେହେମ୍ ପହଞ୍ଚିଥିଲେ । ରାଜପଦ ଚାଲିଯିବା ଆଶଙ୍କା କରି ରାଜା ହେରୋଡ୍ ଏହି ସମୟରେ ରାଜ୍ୟରେ ଜନ୍ମ ନେଇଥିବା ୨ ବର୍ଷ ବୟସରୁ କମ୍ ସମସ୍ତ ଶିଶୁଙ୍କ ହତ୍ୟା କରିବାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ଯୀଶୁଙ୍କ ପରିବାର ତାଙ୍କୁ ନେଇ ବେଥ୍ଲେହେମ୍‍ରୁ ମିଶର୍ ପଳାୟନ କଲେ ଓ ପରେ ନଜାରେତ୍‍ ସହରରେ ବାସ କରିବା ଆରମ୍ଭ କଲେ ।

ଇତିହାସ

ପଞ୍ଚଦଶ ଶତାବ୍ଦୀ ସମୟରେ ଅଙ୍କିତ ପ୍ରାଚ୍ୟ ଖ୍ରୀଷ୍ଟ ଧର୍ମରେ ପ୍ରଚଳିତ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତର ଏକ ଚିତ୍ର (ସନ୍ଥ ଆନ୍ଦ୍ରେ ରୁବ୍ଲେଭ୍)
ଦ୍ୱାଦଶ ଶତାବ୍ଦୀରେ ଲାଣ୍ଡସ୍‍ବର୍ଗ୍‍ର ହେରାଡ୍ ନନ୍‍ଙ୍କ ହୋର୍ଟୁସ୍ ଡେଲିସିଆରୁମ୍ ପୁସ୍ତକର ପାଣ୍ଡୁଲିପିରେ ଅଙ୍କିତ ଯୀଶୁ ଜନ୍ମବୃତ୍ତାନ୍ତ
୧୬୨୨ ମସିହାରେ ଓଲନ୍ଦାଜ୍ ଚିତ୍ରକର ଜେରାର୍ଡ୍ ଭାନ୍ ହୋନ୍ଥ୍ରୋଷ୍ଟଙ୍କ ଅଙ୍କିତ Adoration of the Shepherds (ମେଷପାଳକଙ୍କ ସ୍ନେହ) ଚିତ୍ରରେ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ

ମେଥ୍ୟୁ ଓ ଲ୍ୟୁକ୍‍ଙ୍କ ବର୍ଣ୍ଣିତ ଯୀଶୁ ଜନ୍ମ ବୃତ୍ତାନ୍ତ ପ୍ରାୟତଃ ସମସ୍ତ ଖ୍ରୀଷ୍ଟ ଧର୍ମବାଣୀରେ ପ୍ରତିଫଳିତ ହୋଇଛି ଓ ପୁରାତନ ଖ୍ରୀଷ୍ଟୀୟ ଲେଖକଗଣ ଯୀଶୁଙ୍କ ଜନ୍ମ ତାରିଖ ବିଷୟରେ ବିଭିନ୍ନ ମତ ଦେଇଆସିଛନ୍ତି । ଖ୍ରୀ. ୩୩୬ରେ ରୋମ୍ ନଗରରେ ପ୍ରଥମ ଥର ପାଇଁ ବଡ଼ଦିନ ପାଳିତ ହୋଇଥିବାର ଉଲ୍ଲେଖ ରହିଛି ।[୪୬][୪୭] ଚତୁର୍ଥ ଶତାବ୍ଦୀରେ ଖ୍ରୀଷ୍ଟ ଧର୍ମରେ ଦେଖାଦେଇଥିବା ଏରୀୟ ବିବାଦ ପଛରେ ମଧ୍ୟ ବଡ଼ଦିନ ଉତ୍ସବର ଭୂମିକା ରହିଥିଲା । ମଧ୍ୟଯୁଗରେ ଏହା ପ୍ରଭୁପ୍ରକାଶ (ବା ଏପିଫେନି) ଉତ୍ସବ ଯୋଗୁଁ କ୍ରମେ ଶିଥିଳ ପଡ଼ି ଆସିଥିଲା । ବଡ଼ଦିନ ଉପଲକ୍ଷେ ଚାର୍ଲିମେନ୍ ସମ୍ରାଟ ରୂପେ ଅଭିଷିକ୍ତ ହେବାରୁ ଖ୍ରୀ. ୮୦୦ ପରେ ବଡ଼ଦିନ ପାଳନକୁ ନେଇ ପୁଣି ଉତ୍ସାହ ସୃଷ୍ଟି ହୋଇଥିଲା ।

ଉତ୍ସବ ସମୟରେ ନିଶାସକ୍ତି ଓ ସାମାଜିକ ଦୁର୍ବ୍ୟବହାର ଇତ୍ୟାଦିର ଉଦାହରଣରେ ବ୍ୟଥିତ ହୋଇ ନୈଷ୍ଠିକ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ୧୭ଶ ଶତାବ୍ଦୀରେ ବଡ଼ଦିନ ପାଳନକୁ ନିଷିଦ୍ଧ ଘୋଷଣା କରିଥିଲେ ।[୪୮] ୧୬୬୦ ମସିହାରେ ଏହାକୁ ଏକ ବୈଧ ଛୁଟିଦିନ ଭାବେ ଗ୍ରହଣ କରାଯାଇଥିବାର ଉଲ୍ଲେଖ ରହିଛି କିନ୍ତୁ ତଥାପି ଏହି ପର୍ବ ଉଲ୍ଲାସର ସହିତ ପାଳିତ ହେଉନଥିଲା । ୧୯ଶ ଶତାବ୍ଦୀର ଆରମ୍ଭରେ ଅକ୍ସଫୋର୍ଡ୍ ଆନ୍ଦୋଳନ ସହିତ ବଡ଼ଦିନ ନିଜର ସତ୍ତା ଫେରିପାଇଥିଲା ।[୪୯]

ଚାର୍ଲ୍ସ ଡିକେନ୍ସ ଓ ଅନ୍ୟ ବହୁ ଲେଖକ ବଡ଼ଦିନକୁ ଧାର୍ମିକ ଉତ୍ସବ, ପାରିବାରିକ ମିଳନ, ଉପହାର ଆଦାନପ୍ରଦାନ ଓ ସାମାଜିକ ଐକ୍ୟର ସମୟ ବୋଲି ଅଭିହିତ କଲେ ଓ ଏହି ପର୍ବ ପାଳନ କରିବାକୁ ନେଇ ରହିଥିବା ଉଦାସୀନତାକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।[୪୯]

ଡିସେମ୍ବର ୨୫ ତାରିଖର ଚୟନ

ତୃତୀୟ ଶତାବ୍ଦୀ ବେଳକୁ ଯୀଶୁଙ୍କ ଜନ୍ମ ତାରିଖକୁ ନେଇ ଲୋକଙ୍କ ମନରେ ତୁମୁଳ କୌତୁହଳ ତଥା ଅନିଶ୍ଚିତତା ରହିଥିଲା । ୨୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆଲେକ୍‍ଜାଣ୍ଡ୍ରିଆର କ୍ଳେମଁ ଲେଖିଥିଲେ ଯେ :

କିଛି ଲୋକ ଅଛନ୍ତି ଯେଉଁମାନେ ଆମ ଭଗବାନଙ୍କ କେବଳ ଜନ୍ମ ବର୍ଷ ନୁହେଁ ଏପରିକି ତାଙ୍କର ଜନ୍ମ ତାରିଖ ନିର୍ଦ୍ଧାରଣ କରି କହିଛନ୍ତି ଯେ ଅଗଷ୍ଟସ୍‍ଙ୍କ ଶାସନର ୨୮ତମ ବର୍ଷରେ, ମିଶରୀୟ ମାସ ପେଚୋନ୍‍ର ୨୫ତମ ଦିନରେ (ମଇ ୨୦) ଏହା ଘଟିଥିଲା … ପୁଣି ଅନ୍ୟ କିଛି ଜଣ ମତ ଦିଅନ୍ତି ଯେ, ସେ ଫାର୍ମୁଥି ମାସର ୨୪ତମ ବା ୨୫ତମ ଦିନରେ (ଅପ୍ରେଲ୍ ୨୦ ବା ୨୧) ଜନ୍ମ ଗ୍ରହଣ କରିଥିଲେ ।[୫୦]

ଏହି ସମୟର ଆଉ ଏକ ଲେଖାରେ କୁହାଯାଇଛି ଯେ, ଯୀଶୁଙ୍କ ଜନ୍ମ ତାରିଖଟି ମଇ ୨୦ କିମ୍ବା ଅପ୍ରେଲ୍ ୧୮ ବା ୧୯ କିମ୍ବା ମାର୍ଚ୍ଚ ୨୫, ଜାନୁଆରୀ ୨ କିମ୍ବା ନଭେମ୍ବର ୧୭ କିମ୍ବା ନଭେମ୍ବର ୨୦ ହୋଇଥାଇପାରେ ବୋଲି ଅନେକ ପ୍ରସ୍ତାବ ଆସିଥିଲା ।[୯][୫୧] ଅନେକ କାରଣରୁ ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମୋତ୍ସବ ରୂପେ ଗ୍ରହଣ କରାଯାଇଥିଲା । ରୋମାନ୍ ପାଞ୍ଜି ଅନୁସାରେ ଅୟନାନ୍ତ (winter solstice) ମାର୍ଚ୍ଚ ୨୫ ତାରିଖର ୯ ମାସ ପରେ ହୁଏ । ମାର୍ଚ୍ଚ ୨୫ ତାରିଖ ହେଉଛି ବସନ୍ତ-ବିଷୁବ ଯେଉଁ ଦିନ ମେରି ଯୀଶୁଙ୍କୁ ଗର୍ଭରେ ଧାରଣ କରିଥିଲେ ବୋଲି କୁହାଯାଏ ।

ଆହୁରି ଦେଖନ୍ତୁ

ଟୀକା

ଆଧାର

ଆହୁରି ପଢ଼ନ୍ତୁ

ଅନ୍ୟାନ୍ୟ ଲିଂକ୍