ବରାହୀ ଦେଉଳ, ଚଉରାଶି

ବରାହୀ ଦେଉଳ ବା ବାରାହୀ ଦେଉଳ ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ଅନ୍ତିମ ଭାଗ ବା ଦଶମ ଶତାବ୍ଦୀର ପ୍ରଥମ ଭାଗରେ[୧] ନିର୍ମିତ ଏକ ଶକ୍ତିପୀଠ । ଓଡ଼ିଶାର ପୂର୍ବ ଉପକୂଳସ୍ଥ ପୁରୀ ଜିଲ୍ଲାରେ ଚଉରାଶିଠାରେ ପ୍ରାଚୀ ନଦୀ କୁଳରେ ଏହା ଅବସ୍ଥିତ । ଚଉରାଶି କାକଟପୁରରୁ ଅନତିଦୂରରେ ଅବସ୍ଥିତ ।

ବରାହୀ ଦେଉଳ
ଉପର ବାମରୁ : ଆରାଧ୍ୟା ବରାହୀଙ୍କ ପ୍ରତିମା, ଦେଉଳର ପଛ, ସମ୍ମୁଖରୁ ଜଗମୋହନ ଓ ଦେଉଳର ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictChaurasi, ପୁରୀ
Location
ସ୍ଥାନପୁରୀ
Country India

ଇତିହାସ

ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ (ଅନ୍ୟମତେ ୯ମ ଶତାବ୍ଦୀର ଶେଷ ଭାଗରେ) ମନ୍ଦିରଟି ଦେବୀ ବରାହୀଙ୍କ ନିମନ୍ତେ ନିର୍ମିତ । କେତେଜଣ ଗବେଷକଙ୍କ ମତରେ ଭୌମ ବଂଶର କୌଣସି ରାଜାଙ୍କଦ୍ୱାରା ମନ୍ଦିରଟି ନିର୍ମିତ ।[୨] ମନ୍ଦିରଟି ପୂର୍ବମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର, en:Sandstone) ଗଢ଼ାହୋଇଛି । ମୁଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫-୨୭ ଫୁଟ । ୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବରାହୀ । ତନ୍ତ୍ରରେ ବରାହୀ ଦେବୀ ବିଷ୍ଣୁଙ୍କ ବରାହ ଅବତାରର ନାରୀରୂପିଣୀ ଶକ୍ତି । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି ୧୫.୮୪ ମି. x ୮.୨୩ ମି. x ୮.୪୦ ମି. ।[୩]

ତାନ୍ତ୍ରିକ ରୀତିନୀତି

କେତେକ ଗବେଷକଙ୍କ ମତରେ ଚଉରାଶିର ବରାହୀ ଦେଉଳ ଓ ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ସମେତ ଅନ୍ୟାନ୍ୟ ଶାକ୍ତ-ତନ୍ତ୍ର ମନ୍ଦିରରେ ତାନ୍ତ୍ରିକ ରୀତିନୀତି ବିଶେଷ ଭାବେ ଅନୁଷ୍ଠିତ ହେଉଥିଲା । ଏହି କାରଣରୁ ଉଭୟ ମନ୍ଦିର ଜନବସତିଠାରୁ ଦୂରବର୍ତ୍ତୀ ଅଞ୍ଚଳରେସ୍ଥିତ । ଏହି ମନ୍ଦିରଗୁଡ଼ିକରେ କୌଳ ଓ କାପାଳିକ ସମ୍ପ୍ରଦାୟମାନଙ୍କ ପ୍ରଥା ଅନୁଯାୟୀ ମୈଥୁନ ବା ସମ୍ଭୋଗ ରୀତି ହେଉଥିଲା ବୋଲି ମଧ୍ୟ ମତ ରହିଛି ।[୪]

ଶିଳ୍ପକଳା

ମୁଖ୍ୟ ପ୍ରତିମା

ସ୍ଥାନୀୟ ଅଞ୍ଚଳରେ ଦେବୀ ମତ୍ସ୍ୟ ବରାହୀ ନାମରେ ଖ୍ୟାତ । ବରାହୀଙ୍କ ପ୍ରତିମା କଳାମୁଗୁନି ପଥରରେ ନିର୍ମିତ । ପ୍ରତିମାଙ୍କର ଦୈର୍ଘ୍ୟ ଓ ପ୍ରସ୍ଥ ୬'୯"[୫] (ଅନ୍ୟମତେ ୫'୫"[୬] ଓ ୬'୧"[୭]) ଓ ୨'୯" । କପାଳର ମଧ୍ୟଭାଗରେ ତୃତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଡାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ପାନପାତ୍ର ବା ଖପୁରୀ (ଖର୍ପର) ଧାରଣ କରିଛନ୍ତି ।[୬] ପାନପାତ୍ର ଥିବାରୁ ଦେବୀ ରକ୍ତ ବା ମଦ୍ୟ ପାନ କରୁଥିବା ଭଙ୍ଗୀରେ ରୂପାୟିତ । ଦେବୀଙ୍କ ଉଦର ପୃଥୁଳ ।[୮] ଲୋକମତରେ ମାଆଁ ଭାବେ ବରାହୀ ସମଗ୍ର ସଂସାରକୁ ନିଜ ଉଦରରେ ଧାରଣ କରିଥିବାରୁ ତାଙ୍କ ଉଦର ବିଶାଳ । ତାଙ୍କ ବାହନ ଏକ ମଇଁଷି ବା ମହିଷ । ଦେବୀ ତାନ୍ତ୍ରିକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।

ପୁରାତନ ଶାକ୍ତ ଦେଉଳଗୁଡ଼ିକର ଗଠନଶୈଳୀ ଅନୁକରଣରେ ବରାହୀ ଦେଉଳ ନିର୍ମାଣ କରାଯାଇଛି ବୋଲି ମତ ରହିଛି । ଗର୍ଭଗୃହରେ ପ୍ରତିଷ୍ଠିତ ବରାହୀଙ୍କ ପ୍ରତିମା ବ୍ୟତୀତ ଜଗମୋହନରେ ଆଉ ଦୁଇଗୋଟି ବରାହୀ ମୂର୍ତ୍ତି ରହିଛି । ପାଖ ଅଞ୍ଚଳର କୌଣସି ମନ୍ଦିରରୁ ଏଗୁଡ଼ିକ ଅଣାଯାଇଥିବା ପରି ପ୍ରତୀତ ହୁଏ । ଏହି ଉଭୟ ମୂର୍ତ୍ତି ବର୍ତ୍ତମାନର ବରାହୀ ଦେଉଳଠାରୁ ପ୍ରାଚୀନ ।[୯]

ଗାତ୍ର

ଖାକରା ଶୈଳୀରେ ନିର୍ମିତ ଦେଉଳମାନଙ୍କ ମଧ୍ୟରୁ ବରାହୀ ଦେଉଳ ପ୍ରମୁଖ ଅଟେ । ମୁଖ୍ୟ ଦେଉଳର ଦ୍ୱାରଦେଶରେ ଦୁଇଗୋଟି ନାଗସ୍ତମ୍ଭ ରହିଛି । ଉତ୍କଳୀୟ ଶୈଳୀରେ ଏହା ନାଗସ୍ତମ୍ଭର ପ୍ରଥମ ଉଦାହରଣ ମଧ୍ୟରୁ ଅନ୍ୟତମ ।[୧୦] ଗାତ୍ରରେ ଦୁଇଗୋଟି ପଟଳ ରହିଛି । ଉପର ପଟଳର ସ୍ଥିତି ଓ ବର୍ତ୍ତମାନ ଅବସ୍ଥା ଯୋଗୁଁ ଏଥିରେ ଖୋଦିତ ମୂର୍ତ୍ତିଗୁଡ଼ାକ ସଠିକ ଭାବେ ଚିହ୍ନିତ ହୋଇନାହିଁ । ଅନ୍ୟ ମନ୍ଦିର ଅପେକ୍ଷା ବରାହୀ ଦେଉଳର ଉଭୟ ପଟଳ ଅପେକ୍ଷାକୃତ ଛୋଟ ଆକାରର ହୋଇଛି । ଏହି କାରଣରୁ ଏଥିରେ ଅତ୍ୟଧିକ ଜିନିଷ ଚିତ୍ରିତ ହୋଇପାରିନାହିଁ କିନ୍ତୁ ମଧ୍ୟବର୍ତ୍ତୀ ଯୋଡ଼ାଣସବୁ ନିଖୁଣ ଭାବରେ କରାଯାଇଛି । ବରାହୀ ଦେଉଳର ଶିଳ୍ପ ଅନ୍ୟାନ୍ୟ ଉତ୍କଳୀୟ ମନ୍ଦିର ଅପେକ୍ଷା ଅଧିକ ନିପୁଣ ଭାବେ ସମ୍ପନ୍ନ କରାଯାଇଛି ।[୧]

ଦେଉଳର ଗାତ୍ରରେ ଖୋଦିତ ମୂର୍ତ୍ତିଗୁଡ଼ିକରୁ ଦେବୀଙ୍କର ତାନ୍ତ୍ରିକ ସମ୍ବନ୍ଧର ବଳିଷ୍ଠ ପ୍ରମାଣ ମିଳେ । ତନ୍ତ୍ରରେ ଅଷ୍ଟକାମକଳାପ୍ରୟୋଗର ବିଧି ଆଚରିତ ହୁଏ । ସଂସ୍କୃତ ଓ ଓଡ଼ିଆ ଭାଷାରେ ଲିଖିତ ଏକ ତନ୍ତ୍ରଶାସ୍ତ୍ର ମତରେ ଅଷ୍ଟକାମକଳାପ୍ରୟୋଗରେ ଆଠଗୋଟି କଳାରେ କାମକେଳି କରାଯାଏ । କୌଳ ଚୂଡ଼ାମଣି ଗ୍ରନ୍ଥରେ ଏଥିରୁ ଛଅଗୋଟି ସ୍ତର ବିଷୟରେ ଉଲ୍ଲେଖ ରହିଛି । ବରାହୀ ଦେଉଳରେ ଏହି ସବୁ ଖୋଦିତ ହୋଇଛି । ବରାହୀ ଦେଉଳରେ ଏହା ଛଡ଼ା ଅନେକ ଊର୍ଦ୍ଧ୍ୱଲିଙ୍ଗ ନଗ୍ନପୁରୁଷଙ୍କ ବିଗ୍ରହ ଅଙ୍କିତ ହୋଇଛି । ଏହା ବାମାଚାରର ପ୍ରଧାନ ପ୍ରତୀକମାନଙ୍କ ଭିତରୁ ଅନ୍ୟତମ ।[୧୧] ଶବ ଆସନ ଦେବାଦେବୀମାନେ ମଧ୍ୟ ତାହାର ନିଦର୍ଶନ । ପୂର୍ବକଥିତ ଆଠଗୋଟି କଳା ବା ଭାଗ ହେଲା : ବଶୀକରଣ, ସମ୍ମୋହନ, ଆକର୍ଷଣ, ଉଚ୍ଚାଟନ, ଯୋନ୍ୟାଭିଷେକ, ପୁରଶ୍ଚରଣ, ରଜୋପାନ, ପ୍ରସ୍ତାବ ଓ ନିବୃତ୍ତି ।[୯][୧୧] ବୋଧ ହୁଏ ଏହା ତାନ୍ତ୍ରିକ ପରମ୍ପରାରେ ପ୍ରବେଶ କରୁଥିବା ନୂତନ ଶିଷ୍ୟମାନଙ୍କ କାମତନ୍ତ୍ର ସହ ପ୍ରଥମ ପରିଚିତି ।[୧୨]

ତନ୍ତ୍ରଶାସ୍ତ୍ରରେ ଅଷ୍ଟକାମକଳାପ୍ରୟୋଗ
କ୍ରମନାମବିବରଣୀ
ବଶୀକରଣଯୁବତୀକୁ ବଶରେ ଆଣିବା
ସମ୍ମୋହନଯୁବତୀକୁ ମୋହିତ କରିବା
ଆକର୍ଷଣଯୁବତୀକୁ ନିଜ ପ୍ରତି ଆକର୍ଷିତ କରାଇବା
ଉଚ୍ଚାଟନଯୁବତୀକୁ ଉଚ୍ଚାଟ କରାଇବା
ଯୋନ୍ୟାଭିଷେକଯୋନିର ଅଭିଷେକ
ପୁରଶ୍ଚରଣପୂର୍ବକ୍ରିୟା
ରଜୋପାନରଜର ପାନ
ପ୍ରସ୍ତାବ ଓ ନିବୃତ୍ତିସାଧାରଣ ସ୍ତରକୁ ଫେରିବା

ରାମାୟଣ ପଟଳ

ଉତ୍କଳରେ ରାମାୟଣର ଚିତ୍ର ଓ ନାଟ୍ୟ ପରମ୍ପରାର ବିଶିଷ୍ଟ ଗବେଷିକା ଜୋଆନା ଉଇମିଆମ୍ସଙ୍କ ମତରେ ବରାହୀ ଦେଉଳରେ ସର୍ବତ୍ର ଦୃଶ୍ୟମାନ ତାନ୍ତ୍ରିକ ପ୍ରଭାବ ରାମାୟଣ ପଟଳରେ ପଡ଼ିନାହିଁ । ରାମାୟଣ କଳାକୃତିଗୁଡ଼ିକ କଠିଣ ଆଭରଣ ରହିଛି । ଦ୍ୱାରର ଦକ୍ଷିଣ ପଟରୁ ଆରମ୍ଭ ହୋଇ ଚକ୍ରଗତିରେ ରାମାୟଣ କାରୁକାର୍ଯ୍ୟଗୁଡ଼ିକ ସ୍ଥାପିତ ହୋଇଛି । ଶୂର୍ପଣଖା ପ୍ରସଙ୍ଗ, ମାୟାମୃଗ ଆଗମନ, ମାରୀଚ ମାରଣ, ଜଟାୟୁ ରାବଣ ସଙ୍ଗ୍ରାମ, ଦୁନ୍ଦୁଭି ଶବ, ସପ୍ତତାଳ ଭେଦ, ବାଳୀଯୁଦ୍ଧ, ସମୁଦ୍ରସେତୁ ନିର୍ମାଣ - ରାମାୟଣର ଏହି ସମସ୍ତ ପ୍ରସଙ୍ଗ ଚଉରାଶିରେ ରହିଛି ।[୧]

ମାତୃକା ଭାବେ ବରାହୀ

ଗବେଷକଙ୍କ ମତରେ ଚଉରାଶିର ବରାହୀ ମନ୍ଦିରରୁ ସପ୍ତମାତୃକାଙ୍କ ତାନ୍ତ୍ରିକ ସମ୍ବନ୍ଧ ସୁସ୍ପଷ୍ଟ ଭାବେ ଗୋଚର ହୁଏ ।[୯]

ଶିଳ୍ପ ପ୍ରକାଶ

ଶିଳ୍ପ ପ୍ରକାଶ ହେଉଛି ପଣ୍ଡିତ ସଦାଶିବ ରଥଶର୍ମା ଓ ଆଲିସ ବୋନରଙ୍କଦ୍ୱାରା ପୁନରୁଦ୍ଧୃତ ଓ ପ୍ରକାଶିତ ଏକ ପୁରାତନ ଉତ୍କଳୀୟ ଶିଳ୍ପଶାସ୍ତ୍ର । ଏହି ପୁସ୍ତକର ପ୍ରଣେତା ରାମଚନ୍ଦ୍ର କୌଳାଚାର ମହାନଦୀ ଉପକୁଳରେ ବସବାସ କରୁଥିବା କୌଳତନ୍ତ୍ର ସାଧକମାନଙ୍କ ଭିତରୁ ଜଣେ ଅଟନ୍ତି । ଏହି ପୁସ୍ତକର ତନ୍ତ୍ର ପ୍ରଣାଳୀରେ କିପରି ମନ୍ଦିର ଗଠନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ରହିଛି । ଚଉରାଶିର ବରାହୀ ଦେଉଳ ଏହି ପୁସ୍ତକର ଅଧିକାଂଶ ଉଲ୍ଲେଖର ବାସ୍ତବିକ ରୂପାୟନ ଦେଖିହୁଏ । ଏହି ଗ୍ରନ୍ଥାନୁସାରେ ବରାହୀ ଦେଉଳ ଖାକରା ଶୈଳୀର କାମଗର୍ଭ ପ୍ରକାରର ମନ୍ଦିର ।[୧୩]

ଶିଳ୍ପ ପ୍ରକାଶର ଉଲ୍ଲେଖ ଅନୁସାରେ ବରାହୀ ଦେଉଳରେ ନିବିଡ଼ ମୈଥୁନ ମୂର୍ତ୍ତି ଗାତ୍ରରେ ମିଳେ । ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।[୧୪]

ପର୍ବପର୍ବାଣି

ମନ୍ଦିରର ମୁଖ୍ୟ ପର୍ବ ପର୍ବାଣି ମଧ୍ୟରେ ବିଜୟା ଦଶମୀ ଏବଂ ଚୈତ୍ରପର୍ବ ଅନ୍ୟତମ ।

ଅବସ୍ଥିତି

ନିମାପଡ଼ା-କାକଟପୁର ରାସ୍ତାରେ କୋଣାର୍କଠାରୁ ୩୦  କି.ମି. ଏବଂ କାକଟପୁରଠାରୁ ୧୪  କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି ।[୩] ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ ୨୯ କି.ମି. ଯିବାପରେ ଦାହାଣ ପଟେ ଅମରେଶ୍ୱର ଆଡକୁ ୩ କି.ମି. ଯାଇ ବାମ ପଟେ ୧.୮ କି.ମି. ଯିବାକୁ ହେବ । ମନ୍ଦିରର ଭୌଗୋଳିମ ଅବସ୍ଥିତି ହେଉଛି ଅକ୍ଷାଂଶ ୮୬° ୦୭′ ୦୭″ ପୂର୍ବ ଏବଂ ଦ୍ରାଘୀମା ୨୦° ୦୩′ ୩୧″ ଉତ୍ତର ।[୩]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ