ପଖାଳ ଦିବସ

ଓଡ଼ିଆ ଆଧୁନିକ ଉତ୍ସବ

ପଖାଳ ଦିବସ, ପଖାଳର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେରେ ଅଣଆନୁଷ୍ଠାନିକ ଭାବେ ଓଡ଼ିଆମାନେ ପାଳନ କରିଥାନ୍ତି ।[୧]

ପଖାଳ ଦିବସ
ଏକ ବେଲାରେ ସଜ୍ଜିତ ପଖାଳ ଭାତ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଗରମ ପଖାଳ, ଜିରା ପଖାଳ, ବାସି ପଖାଳ
ବାଢ଼ିବାର ତାତିଥଣ୍ଡା, ଗରମ
ମୂଳ ଉପାଦାନଭାତ

ପଖାଳ

ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ ।[୨] ଏହାକୁ ବଙ୍ଗଳାରେ "ପନ୍ତ ଭାତ" ଓ ଭୋଜପୁରୀରେ "ମାରା ଭାତ" ଓ ମାଲାୟାଲାମରେ "ବଲ୍ଲୁ ଚୋରୁ" ବୋଲି କୁହାଯାଏ ।

ଆରମ୍ଭ

ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ ।[ଆଧାର ଲୋଡ଼ା]୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି ।[୩] ତେଣୁ ୨୧ ମାର୍ଚ୍ଚମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି ।

ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି ।[୪]ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।

ପାଳନ ପ୍ରଣାଳୀ

ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି । ଅଧୁନା ଏହି ଦିବସ ଓଡ଼ିଶାର କେତେକ ଭୋଜନାଳୟମାନଙ୍କରେ ପଖାଳ ପରଷି କରାଯାଏ । ଅନେକ ସ୍ଥାନରେ ପଖାଳ ଖାଇବା ସହ ଫଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ ।[୫]

ଆଧାର

ଅଧିକ ପଠନ