ଓଡ଼ିଶୀ

ଭାରତର ଏକ ଶାସ୍ତ୍ରୀୟ ନୃତ୍ୟ
(ଓଡ଼ିଶୀ ନୃତ୍ୟରୁ ଲେଉଟି ଆସିଛି)

ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶା ତତ୍କାଳୀନ କଳିଙ୍ଗର ଅଂଶ ଥିଲା ଓ ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ । ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ ଭୁବନେଶ୍ୱରସ୍ଥିତ ଖଣ୍ଡଗିରିଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା । ଭରତ ତାଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ଓଡ୍ର-ମାଗଧି ବୋଲି ଉଲ୍ଲେଖ କରିଥିଲେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅ ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା ।[୧] ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ପଙ୍କଜ ଚରଣ ଦାସ, ଦେବ ପ୍ରସାଦ ଦାସକେଳୁଚରଣ ମହାପାତ୍ରଙ୍କ ଭୂମିକା ଅନ୍ୟତମ । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ।

ଓଡ଼ିଶୀ ନୃତ୍ୟ
ଓଡ଼ିଶୀ ନୃତ୍ୟ ପରିବେଷଣ
ମାଧ୍ୟମଗୀତ-ନୃତ୍ୟ
ପ୍ରକାରମଙ୍ଗଳାଚରଣ
ପୁରାତନ କଳାମାହାରୀ, ଗୋଟିପୁଅ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମଧ୍ୟଯୁଗ
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ
କଳାକାରଏକକ ବା ବହୁ

ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ଭିତରୁ ଏକ । ପୁରାତନ ତତ୍ତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।[୨][୩] ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ହେତୁ ଏହାକୁ ବାକି ଭାରତୀୟ ନୃତ୍ୟ ପରମ୍ପରାରୁ ଭିନ୍ନ ।[୪][୫]

ବୈଶିଷ୍ଟ୍ୟ

ଓଡ଼ିଶୀ ନୃତ୍ୟର ବୈଶିଷ୍ଟ୍ୟ ମଧ୍ୟରେ ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ତଥା ଏହାର ପାଞ୍ଚଗୋଟି ପର୍ଯ୍ୟାୟ ଯଥା: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ ଅନ୍ୟତମ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରି ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଇଥାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀର ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ ।

ଆରମ୍ଭ ଓ ଇତିହାସ

ଜଗନ୍ନାଥ ମନ୍ଦିର ନୀତିରେ ଓଡ଼ିଶୀ

ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରୀ ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଖୋଦିତ ହୋଇଥିବା ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ପରେ ଏହା ମନ୍ଦିର ଚଳଣିରେ ଯୋଡ଼ା ହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା'ପରେ ବାକି ଶିବ ଓ ବିଷ୍ଣୁ ମନ୍ଦିରମାନଙ୍କରେ ଏହା ପ୍ରଚଳିତ ହୋଇଥିଲା । ମାହାରୀମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରି ମନ୍ଦିର ଭିତରେ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିବାର ଓଡ଼ିଶାର ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତିରୁ ଜଣାପଡ଼େ ।[୬] ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ଐତିହାସିକ ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଓଡ଼ିଶୀକୁ ସର୍ବପୁରାତନ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦିଆଯାଇଥାଏ ।[୭]

ମନ୍ଦିର ଇତିହାସ

ନୃତ୍ୟଭଙ୍ଗୀରେ ଆଦିଗୁରୁ ପଙ୍କଜ ଚରଣ ଦାସ

ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କଦ୍ୱାରା ତିଆରି କରାଯାଇଥିଲା । ଏହାର ଗୁମ୍ଫାରେ ଖୋଦିତ ମୂର୍ତ୍ତିରୁ ମିଳୁଥିବା ପ୍ରମାଣ ଭିତ୍ତିରେ ଓଡ଼ିଶୀକୁ ଏକ ପୁରାତନ ନୃତ୍ୟକଳା ବୋଲି ଗଣାଯାଇଥାଏ । କୋଣାର୍କବ୍ରହ୍ମେଶ୍ୱର ମନ୍ଦିର କାନ୍ଥରେ ଖୋଦିତ ଚିତ୍ରରେ ବି ନାଚୁଥିବା ନର୍ତ୍ତକ ଓ ନର୍ତ୍ତକୀଙ୍କ ଅଙ୍ଗଭଙ୍ଗୀ ଓଡ଼ିଶୀ ସହ ସମ୍ବନ୍ଧିତ ।[୮] ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, ଯାଜପୁରର ରତ୍ନଗିରିରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ଦେଖିବାକୁ ମିଳେ । ସେହିପରି ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ଭଳି ତନ୍ତ୍ର ମନ୍ଦିରମାନଙ୍କରେ ଥିବା ଯୋଗିନୀମାନଙ୍କ ମୁଦ୍ରାରେ ଓଡ଼ିଶୀ ସହ ସମାନତା ପରିଲକ୍ଷିତ ହୋଇଥାଏ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର (କୋଣାର୍କର ସୁର୍ଯ୍ୟ ମନ୍ଦିର)ରେ ଥିବା ମୂର୍ତ୍ତିରେ ମଧ୍ୟ ଦେଖିବାକୁ ମିଳେ ।

ଗୁରୁ କେଳୁଚରଣ ମହାପାତ୍ର

ଶିକ୍ଷାରେ

୨୦୧୫ଠାରୁ ଭୁବନେଶ୍ୱରର ଭାରତୀୟ ବୈଷୟିକ ଅନୁଷ୍ଠାନର ଇଞ୍ଜିନିୟରିଂରେ ସ୍ନାତକ ପାଠ୍ୟକ୍ରମରେ ଓଡ଼ିଶୀ ଅନ୍ତର୍ଭୁକ୍ତ ହୋଇଛି । ଏହା କୌଣସି ଶାସ୍ତ୍ରୀୟ ନୃତ୍ୟକୁ ପାଠ୍ୟକ୍ରମରେ ଯୋଡ଼ିବାରେ ପ୍ରଥମ ବୈଷୟିକ ଅନୁଷ୍ଠାନ ।[୯][୧୦][୧୧]

ଆଧାର

ବାହାର ଆଧାର