କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା (Tropical cyclone) କ୍ରାନ୍ତୀୟ (Tropical) ଅଞ୍ଚଳରେ ହେଉଥିବା ବାତାବର୍ତ୍ତକୁ ବୁଝାଇଥାଏ । ଏହା ତୀବ୍ର ଗତିରେ ଆବର୍ତ୍ତନ କରୁଥିବା ଏକ ଚକ୍ରୀୟ ବ୍ୟବସ୍ଥା । ଏଥିରେ ଏକ ନିମ୍ନ ବାୟୁଚାପ ବିଶିଷ୍ଟ କେନ୍ଦ୍ର ଥାଏ ଏବଂ ଚାରିଆଡୁ ବାୟୁ କୁଣ୍ଡଳାକାର ଭାବେ କେନ୍ଦ୍ର ଦିଗକୁ ଧାବମାନ ହୁଅନ୍ତି ଓ ଘୁରି ବୁଲନ୍ତି । ସ୍ଥାନାନୁସାରେ ଏହା ବିଭିନ୍ନ ନାମରେ ଜଣା, ଯେପରି କି ଆଣ୍ଟଲାଟିକ ମହାସାଗର ଏବଂ ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ହରିକେନ (Hurricane) ବା ତୁଫାନ କୁହାଯାଏ[୧], ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ଟାଇଫୁନ (Typhoon) କୁହାଯାଏ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ଏସିଆ ମହାଦେଶୀୟ ସାଗରକୁ କେବଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ବା ଗୁରୁତର ଚକ୍ରବାତୀ ଝଡ଼ କୁହାଯାଏ ।[୨]

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଈସାବେଲାର ଦୃଶ୍ୟ

ସାଧାରଣତଃ ଆନ୍ତରିକ ସ୍ଥାନ ଅପେକ୍ଷା ତଟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଅଧିକ ଅନୁଭୂତ ହୋଇଥାଏ । ଏହିପରି ସାମୁଦ୍ରିକ ଝଡ଼ର ପ୍ରମୁଖ ଉର୍ଜା କେନ୍ଦ୍ର ହେଉଛି ସମୁଦ୍ରର ଉଷ୍ମ ଜଳ । ଏଣୁ ଏଗୁଡ଼ିକ ସ୍ଥଳଭାଗ ଅପେକ୍ଷା ସମୁଦ୍ର ମଧ୍ୟରେ ତଥା ନିକଟରେ ଥିବା ସମୟରେ ଅଧିକ ପ୍ରଭାବଶାଳୀ ଥାନ୍ତି । ତଟଭାଗରେ ତୀବ୍ର ପବନ, ବର୍ଷା, ପବନ ଯୋଗୁ ଉଚ୍ଚ ସାମୁଦ୍ରିକ ତରଙ୍ଗ ଓ ଝଡ଼ ଏବଂ ଚକ୍ରବାତ (Tornado) ହେତୁ ଅନେକ କ୍ଷୟକ୍ଷତି ହୋଇଥାଏ । କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡ଼ିକ ନିକଟସ୍ଥ ବିସ୍ତୃତ ଅଞ୍ଚଳରୁ ଅଧିକ ପବନ ଆହରଣ କରି ଅତି ଗୁରୁତର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଯାନ୍ତି । ସେହି ଆକର୍ଷିତ ହୋଇଥିବା ବାୟୁରେ ଥିବା ଜଳ ଖୁବ ସ୍ୱଳ୍ପ ଜାଗା ମଧ୍ୟରେ କେନ୍ଦ୍ରୀଭୂତ ହୋଇଥାଏ ଏବଂ ନିରନ୍ତର ଭାବେ ସେଠାରେ ଥିବା ଆର୍ଦ୍ର ବାୟୁକୁ ନୂତନ ଆର୍ଦ୍ର ବାୟୁ ବିସ୍ଥାପିତ କରିଥାଏ, ଯଦ୍ଦ୍ୱାରା ପ୍ରବଳ ବର୍ଷା ଏବଂ ବନ୍ୟା ଘଟିଥାଏ ।

ଯଦିଓ ଘୂର୍ଣ୍ଣିବାତ୍ୟାର ପ୍ରଭାବ ମନୁଷ୍ୟଙ୍କ ପାଇଁ ଭୟଙ୍କର, ଏହା ମରୁଡ଼ି ପରି ସ୍ଥିତିକୁ ଏଡ଼ାଇଥାଏ ।[୩] ଏହି ବାତ୍ୟା କ୍ରାନ୍ତୀୟ ଅଞ୍ଚଳରୁ ତାପ ନେଇ ଶୀତୋଷ୍ଣ ଅଞ୍ଚଳରେ ପହଞ୍ଚେଇଥାଏ, ଯାହାକି ଭୂମଣ୍ଡଳୀୟ ଜଳବାୟୁରେ ସାମଗ୍ରିକ ସନ୍ତୁଳନ ସ୍ଥାପନ କରିଥାଏ ।[୪]

ଭୌତିକ ସଂରଚନା

ଘୂର୍ଣ୍ଣିବାତ୍ୟାର ସଂରଚନା

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡିକ ପୃଥିବୀର ଟ୍ରପୋସ୍ପିୟର ତଥା ସ୍ଥିର ବାୟୁମଣ୍ଡଳରେ ଗଠିତ ହେଉଥିବା ନିମ୍ନ ବାୟୁଚାପବିଶିଷ୍ଟ ଅଞ୍ଚଳ । ସ୍ଥଳଭାଗରେ ଘୂର୍ଣ୍ଣିବାତ୍ୟାର କେନ୍ଦ୍ରର ଚାପ ଜଳଭାଗରେ ଥିବା ସମୟର ଚାପଠାରୁ ଅନେକ କମ ।[୫] ଘୂର୍ଣ୍ଣିବାତ୍ୟାର କେନ୍ଦ୍ରର ନିକଟବର୍ତ୍ତୀ ଅଞ୍ଚଳର ତାପମାତ୍ରା ଅନ୍ୟ ଅଞ୍ଚଳଠାରୁ ଅଧିକ ଥାଏ, ଏଣୁ ଏହାକୁ ଉତ୍ତପ୍ତ କେନ୍ଦ୍ରବିଶିଷ୍ଟ ବ୍ୟବସ୍ଥା (Warm Core System) କୁହାଯାଏ ।[୬]

ଘୂର୍ଣ୍ଣିବାତ୍ୟା ନେତ୍ର

ପରିପକ୍ୱ ଘୂର୍ଣ୍ଣିବାତ୍ୟା କେନ୍ଦ୍ରରେ ବାୟୁ ଉର୍ଦ୍ଧକୁ ଗତି କରିବା ବଦଳରେ ନିମ୍ନଦିଗକୁ ଗତି କରିଥାଏ । ଏହାଦ୍ୱାରା ମେଘ ସୃଷ୍ଟି ହୋଇପାରେନାହିଁ ଏବଂ ଏକ ଶାନ୍ତ ଅଞ୍ଚଳ ଗଠିତ ହୁଏ । ଏହାକୁ ଘୂର୍ଣ୍ଣିବାତ୍ୟାର ନେତ୍ର (Eye) କୁହାଯାଏ, ଯାହାକି ଦେଖିବାକୁ ସାମାନ୍ୟ ଗୋଲାକାର ତଥା ନେତ୍ରାକାର । ଆକାରାନୁସାରେ ଏହା ପ୍ରାୟ ୩ କିଲୋମିଟର (୧.୯ ମାଇଲ)ରୁ ୩୭୦ କିଲୋମିଟର (୨୩୦ ମାଇଲ) ବିଶିଷ୍ଟ ହୋଇଥାଏ ।[୭][୮]

ଏହାର ବହିଃ ପରିସୀମାକୁ ନେତ୍ରଭିତ୍ତି (Eye Wall) କୁହାଯାଏ, ଯାହା କ୍ରମେ ବାହାରକୁ ବିସ୍ତୃତ ହୁଏ । ଏହିପ୍ରକାର ବିସ୍ତୃତି ଫଳରେ ଘୂର୍ଣ୍ଣିବାତ୍ୟା କେନ୍ଦ୍ରଟି ଫୁଟବଲ ପଡ଼ିଆ ପରି ଦେଖାଯାଏ, ଏଣୁ ଏହି ବିସ୍ତୃତି ପ୍ରକ୍ରିୟାକୁ ଷ୍ଟାଡିଅମ ଇଫେକ୍ଟ (Stadium Effect) କୁହାଯାଏ ।[୯]

ପବନ କ୍ଷେତ୍ର

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ବିଶେଷତ୍ୱ ହେଉଛି, ଏଥିରେ ସ୍ଥଳଭାଗ ନିକଟରେ ଥିବା ବାୟୁ ତୀବ୍ର ବେଗରେ ଘୁରି କେନ୍ଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ବାତ୍ୟାର ବାହାର ପାର୍ଶ୍ୱ ସମ୍ପୂର୍ଣ୍ଣ ଶାନ୍ତ ଥାଏ, ଯଦିଓ ପୃଥିବୀର ଆବର୍ତ୍ତନ ହେତୁ ଏହାର କୋୖଣିକ ସଂବେଗ (Angular momentum) କିଛି ରହିଥାଏ । ଯେତେବେଳେ ପବନ କେନ୍ଦ୍ର ଆଡ଼କୁ ପ୍ରବାହିତ ହେବାକୁ ଆରମ୍ଭ କରେ, କୋୖଣିକ ସଂବେଗର ସନ୍ତୁଳନ ପାଇଁ ଏହା ଚକ୍ରାକାରରେ ବୁଲିବାକୁ ଲାଗେ ।[୧୦]

ଆକାର

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ଆକାର ବିବରଣୀ
ବିସ୍ତୃତିପ୍ରକାର
୨ ଡିଗ୍ରୀ ଅକ୍ଷାଂଶରୁ କମଅତି ଲଘୁ
ଅକ୍ଷାଂଶର ୨ରୁ ୩ ଡିଗ୍ରୀଲଘୁ
ଅକ୍ଷାଂଶର ୩ରୁ ୬ ଡିଗ୍ରୀମାଧ୍ୟମ
ଅକ୍ଷାଂଶର ୬ରୁ ୮ ଡିଗ୍ରୀଗୁରୁତର
ଅକ୍ଷାଂଶର ୮ ଡିଗ୍ରୀରୁ ଅଧିକଅତି ଗୁରୁତର [୧୧]

ଆକାର ଘୂର୍ଣ୍ଣିବାତ୍ୟାଦ୍ୱାରା ହେଉଥିବା କ୍ଷୟକ୍ଷତିର ମାପକ ସଦୃଶ । ବିଶାଳାକାରର ଘୂର୍ଣ୍ଣିବାତ୍ୟା ଅଧିକ ଅଞ୍ଚଳକୁ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ରାନ୍ତ କରିଥାଏ । ସ୍ଥଳଭାଗରେ ଅଧିକ ପବନ କ୍ଷେତ୍ର ରହିବା ହେତୁ, ଅଧିକ ପବନ ଆହରଣ କରିବାକୁ ସୁଯୋଗ ମିଳେ ଏବଂ ତୁଫାନର ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ ।[୧୨]

ଯଦି ୨ ଡିଗ୍ରୀ ଅକ୍ଷାଂଶରୁ କମ ତଥା ୨୨୦ କିଲୋମିଟର ମଧ୍ୟରେ ଆକାର ହୋଇଥାଏ, ତେବେ ଘୂର୍ଣ୍ଣିବାତ୍ୟାକୁ ଖୁବ ଛୋଟ ଆକାରର ବୋଲି ଗ୍ରହଣ କରାଯାଏ । ୩ରୁ ୬ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ ଘୂର୍ଣ୍ଣିବାତ୍ୟାକୁ ମାଧ୍ୟମ ଶ୍ରେଣୀର ଗ୍ରହଣ କରାଯାଏ । ବିଶାଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡ଼ିକର ଆକାର ୮ ଡିଗ୍ରୀ ଅକ୍ଷାଂଶ ଅର୍ଥାତ ୮୮୮ କିଲୋମିଟରରୁ ଅଧିକ ହୋଇଥାଏ ।[୧୧]

ଏହି ଉପାୟରେ ଲକ୍ଷ୍ୟ କରି ଦେଖା ଯାଇଛି ଯେ, ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ହେଉଥିବା କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସବୁଠାରୁ ବଡ଼ ହୋଇଥାନ୍ତି ଏବଂ ଆଣ୍ଟଲାଟିକ ମହାସାଗରରେ ହେଉଥିବା କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଆକାରାନୁସାରେ ସେମାଙ୍କର ଅର୍ଦ୍ଧେକ ହୋଇଥାନ୍ତି ।

ଉଚ୍ଚତା ହିସାବରେ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ବାୟୁମଣ୍ଡଳର ଟ୍ରପୋସ୍ପିୟର ସ୍ତର ତଥା ୧୫୦୦୦ରୁ ୧୮୦୦୦ କିଲୋମିଟର (୫୦,୦୦୦-୬୦,୦୦୦ ଫୁଟ) ପର୍ଯ୍ୟନ୍ତ ବିସ୍ତୃତ ହୋଇଥାନ୍ତି ।[୧୩]

ଗଠନ

ସମୟ

ଉତ୍ତର ଆଣ୍ଟଲାଟିକ ମହାସାଗରରେ ଜୁନ ୧ ତାରିଖରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୂର୍ଣ୍ଣିବାତ୍ୟା ଗଠିତ ହୋଇଥାଏ ।[୧୪] ପୂର୍ବୋତ୍ତର ପ୍ରଶାନ୍ତ ମହାସାଗରରେ କିନ୍ତୁ ଏହି ଅବଧି ବହୁତ ଅଧିକ । ସେଠାରେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ମେ ମାସ ପର୍ଯ୍ୟନ୍ତ ଚାଲିଥାଏ ।[୧୫] ଦକ୍ଷିଣ ଗୋଲାର୍ଦ୍ଧରେ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ଅବଧି ଜୁଲାଇ ୧ ତାରିଖରୁ ଘୂର୍ଣ୍ଣିବାତ୍ୟାର ଅବଧି ଆରମ୍ଭ ହୁଏ ।[୧୬]

କାରକ

ଆହୁରି ଦେଖନ୍ତୁ

ଆଧାର