ପିତୃ ଦିବସ

ପିତୃତ୍ଵ ବନ୍ଧନକୁ ସମ୍ମାନ ଦେଉଥିବା ଉତ୍ସବ

ପିତା ତଥା ପିତୃତ୍ୱ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପିତୃ ଦିବସ ପାଳିତ ହୋଇ ଆସୁଅଛି । ୟୁରୋପର କ୍ୟାଥୋଲିକ୍ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫଙ୍କ ଦିବସ ଭାବେ ମାର୍ଚ୍ଚ ୧୯ରେ ପାଳନ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ, ସୋନୋରା ସ୍ମାର୍ଟ ଡୋଡଙ୍କ[୧][୨][୩]ଦ୍ୱାରା ପିତୃ ଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ପ୍ରଥମ ଥର ପାଇଁ ଜୁନ ତୃତୀୟ ରବିବାରରେ ପାଳନ କରାଯାଇଥିଲା । ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରନ୍ତି ।

ଭାରତ ସଂଦର୍ଭରେ

ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା ଜୁନ ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।[୪] ଏହି ଦିବସରେ ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରିଥାନ୍ତି ।

ଆଧାର