ମାଟିର ମଣିଷ

୧୯୬୬ର ଓଡ଼ିଆ କଥାଚିତ୍ର

ମାଟିର ମଣିଷ, ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ ।[୨] ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । କାଳିନ୍ଦୀ ଚରଣ ଏହି ଉପନ୍ୟାସର ଚଳଚ୍ଚିତ୍ର ରୂପାନ୍ତରଣ ପାଇଁ ବାବୁଲାଲ ଦୋଶୀଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ, ସତ୍ୟଜିତ ରାୟ କିମ୍ବା ମୃଣାଳ ସେନ ଏହାର ନିର୍ଦ୍ଦେଶନା କରନ୍ତୁ । ସତ୍ୟଜିତ ରାୟଙ୍କ ସମୟ ଅଭାବରୁ, ବାବୁଲାଲ ମୃଣାଳ ସେନଙ୍କୁ ଏହାର ନିର୍ଦ୍ଦେଶନା ପାଇଁ ବାଛିଥିଲେ ।[୩] ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । [୪][୫] ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା ।

ମାଟିର ମଣିଷ
ନିର୍ଦ୍ଦେଶକମୃଣାଳ ସେନ
ପ୍ରଯୋଜକବାବୁଲାଲ ଦୋଶୀ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ
ମୂଳ ଆଧାରମାଟିର ମଣିଷ (ଉପନ୍ୟାସ)
କଳାକାରସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣଶୈଳଜା ଚାଟାର୍ଜୀ
ମୁକ୍ତିଲାଭ ତାରିଖ
୧୯୬୬
କଥାଚିତ୍ରର ସମୟ
୧୧୩ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ସଂକ୍ଷିପ୍ତ କାହାଣୀ

ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।[୬]

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର

ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତା

ଚଳଚ୍ଚିତ୍ରଟି ଉପନ୍ୟାସ ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ଉଭୟରେ କିଛି ଭିନ୍ନତା ଥିଲା । ଉପନ୍ୟାସରେ ବରଜୁ ମୁଖ୍ୟ ଚରିତ୍ରରେ ଥିବା ସମୟରେ ଚଳଚ୍ଚିତ୍ରରେ ଛକଡ଼ିକୁ ବେଶୀ ଗୁରୁତ୍ୱ ମିଳିଥିଲା । ଉପନ୍ୟାସଟି ୧୯୩୨ ମସିହାରେ ଲେଖାଯାଇଥିବାରୁ, ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଆଦୌ ନଥିଲା । କିନ୍ତୁ ଚଳଚ୍ଚିତ୍ରରେ ବରଜୁ ଓ ଛକଡ଼ିଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ବିବାଦ ହୋଇଥିବା ଦର୍ଶାଯାଇଥିଲା । ଉପନ୍ୟାସରେ ଗାନ୍ଧୀବାଦ ଚେତନା ଦେଖା ଦେଇଥିବା ବେଳେ, ଚଳଚ୍ଚିତ୍ରରେ ସେହି ସ୍ଥାନ ନେଇଥିଲା ମାର୍କ୍ସବାଦ । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ପ୍ରଯୋଜକ ବାବୁଲାଲ ଦୋଶୀ, ମୃଣାଳଙ୍କୁ ଚଳଚ୍ଚିତ୍ରରେ ସେହି ପରିବର୍ତ୍ତନ ଆଣିବାକୁ କହିଥିଲେ । କିନ୍ତୁ ମୃଣାଳ କୌଣସି ପରିବର୍ତ୍ତନ କରିବାକୁ ମନା କରିଥିଲେ ଓ ଚଳଚ୍ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲେ, ନିଜ ନାମ ସେଥିରୁ ହଟେଇ ଦେବାକୁ କହିଥିଲେ । ଚଳଚ୍ଚିତ୍ରଟି ପରିବର୍ତ୍ତିତ ହୋଇ, ଦ୍ୱିତୀୟ ଥର ମୁକ୍ତିଲାଭ କରିଥିଲା ଓ ଏଥିରେ ମୃଣାଳଙ୍କ ନାମକୁ ହଟେଇ ଦିଆଯାଇଥିଲା ।[୭]

ଆଧାର

ଅଧିକ ତଥ୍ୟ