ଶୈଳବାଳା ଦାସ

ସମାଜସେବୀ

ଶୈଳବାଳା ଦାସ, (ଶୈଳବାଳା ହାଜରା[୨]୧୮୭୫-୧୯୬୮) ଜଣେ ସମାଜସେବୀ ଥିଲେ । ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ତାଙ୍କର ମୁଖ୍ୟ ଭୂମିକା ଥିଲା।ମଧୁସୂଦନ ଦାସ‎‎ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ୦୩ ଅପ୍ରେଲ ୧୯୫୨ରୁ ୦୨ ଅପ୍ରେଲ ୧୯୫୪ ପର୍ଯ୍ୟନ୍ତ ରାଜ୍ୟ ସଭାର ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ତାଙ୍କରି ନାମରେ ନାମିତ ହୋଇଛି । [୩]

ଶୈଳବାଳା ଦାସ
Sailabala Das
ସଭ୍ୟ: ରାଜ୍ୟସଭା
କାର୍ଯ୍ୟକାଳ
୦୩ ଅପ୍ରେଲ ୧୯୫୨ – ୦୨ ଅପ୍ରେଲ ୧୯୫୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଶୈଳବାଳା ହାଜରା

(1875-03-25)୨୫ ମାର୍ଚ୍ଚ ୧୮୭୫


[୧]
ଚକ୍ରବେରିଆ ରୋଡ଼, ଭବାନୀପୁର, କଲିକତା
ମୃତ୍ୟୁ୨୯ ଅପ୍ରେଲ ୧୯୬୮(1968-04-29) (ବୟସ ୯୩)
କଟକ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଅବିବାହିତା
ବୃତ୍ତିସମାଜସେବା
ପୁରସ୍କାରପଦ୍ମଶ୍ରୀ

୧୮୯୨ରେ ମଧୁସୂଦନ ବିଧିବଦ୍ଧ ଭାବେ ଶୈଳବାଳାଙ୍କୁ ପାଳିତ କନ୍ୟାଭାବେ ଗ୍ରହଣ କରିଥିଲେ ।[୪]

୧୯୫୯ରେ ସମାଜସେବାରେ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଥିଲା । [୫]୨୯ ଅପ୍ରେଲ ୧୯୬୮ରେ, ୯୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଦ୍ୟ ଜୀବନ

୧୮୭୫ ମାର୍ଚ୍ଚ ୨୫ରେ କୋଲକାତାର ଭବାନୀପୁରସ୍ଥିତ ମଧୁସୂଦନଙ୍କ ଚକ୍ରବାରିଆ ରୋଡ୍‌ ଭଡ଼ା ଘରେ ଶୈଳବାଳା ଜନ୍ମଗ୍ରହଣ କରିଥିଲେ। ପିତା ଅମ୍ବିକା ଚରଣ ହାଜରା ଓ ମାତା ପ୍ରସନ୍ନମୟୀ ହାଜରାଙ୍କ ସେ ଜ୍ୟେଷ୍ଠ ସନ୍ତାନ ଥିଲେ। ତାଙ୍କର ୫ଜଣ ଭାଇଭଉଣୀ ଥିଲେ। ୧୮୯୨ରେ ତାଙ୍କ ମା ପ୍ରସନ୍ନମୟୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଶୈଳବାଳା ନିଜ ଭାଇଭଉଣୀଙ୍କ ସହ ମଧୁସୂଦନଙ୍କ କଟକ ଘରେ ଆସି ରହିଲେ। ସେ ଆଇ.ଏ ପାଶ କରିବା ପରେ ମଧୁସୂଦନ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ୧୯୦୦ ମସିହା ସେପ୍ଟେମ୍ବର ୨୪ରେ ସେ ଶୈଳବାଳା ହାଜରାରୁ ଶୈଳବାଳା ଦାସକୁ ପରିବର୍ତ୍ତିତ ହୋଇଥିଲେ।

ଶିକ୍ଷା

ଶୈଳବାଳା ତାଙ୍କ ପ୍ରାଥମିକ ଶିକ୍ଷା ଲଣ୍ଡନ ମିସନ ବାଳିକା ବିଦ୍ୟାଳୟରେ ଅାରମ୍ଭ କରିଥିଲେ। ପରେ ସେ ସିମଳା ପଢ଼ିବାକୁ ଗଲେ। ୧୯୦୬ରେ ସେ ଉଚ୍ଚ ଶିକ୍ଷା ପାଇଁ ସେ ଇଂଲଣ୍ଡ ଯାଇଥିଲେ। ସେଠାରେ ମାରିଅା ଟ୍ରେନିଂ କଲେଜରେ ଶିକ୍ଷକତାରେ ପ୍ରଶିକ୍ଷଣ ନେଇଥିଲେ। ପ୍ରଥମ ଓଡ଼ଅା ମହିଳା ଭାବେ ଉଚ୍ଚ ଶିକ୍ଷା ପାଇଁ ସେ ବିଦେଶ ଯାଇଥିଲେ।[୬] [୭]

ସମାଜ ସେବା ଓ ନାରୀ ଶିକ୍ଷାର ପ୍ରସାର

ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳାଙ୍କ ମୁଖ୍ୟ ଭୂମିକା ଥିଲା। ୧୯୦୭ରେ ସେ ଇଂଲଣ୍ଡରୁ ପ୍ରଶିକ୍ଷଣ ସମାପ୍ତ କରି ଫେରିବା ପରେ ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ୧୯୦୮ ଫେବୃଆରୀ ୮ରେ ସେ ରେଭେନ୍‌ସା ବାଳିକା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କଲେ। ସେତେବେଳେ ସେଠାରେ ମାତ୍ର ୧୫ଜଣ ଛାତ୍ରୀ ଥିଲେ। ୧୯୦୯ ବେଳକୁ ୩୦୦ ବାଳିକା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ପରେ ସରକାର ଏହାକୁ ନାରୀ ଶିକ୍ଷା ପୀଠ ଭାବେ ଗ୍ରହଣ କରିବା ସହ ଶୈଳବାଳାଙ୍କୁ ନାରୀ ଶିକ୍ଷା ପ୍ରବକ୍ତା ଭାବେ ଗ୍ରହଣ କରାଗଲା। ୧୯୧୩ରେ ତାଙ୍କ ଉଦ୍ୟମରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଆନ୍ତର୍ମାଧ୍ୟମିକ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା। ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା। ୧୯୪୬ରେ ଏହି ଇଣ୍ଟରମେଡିଏଟ ମହିଳା କେଲଜ ପ୍ରଥମ ଶ୍ରେଣୀ ମାନ୍ୟତା ଲାଭ କରିଥିଲା। ମାତ୍ର ଏହା ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଥିବାରୁ ପରିଚାଳନାଗତ ସମସ୍ୟାର ସମ୍ମୁଖୀନ ହେଉଥିଲା। ୧୯୫୨ ମସିହା ଅପ୍ରେଲ ୨୮ରେ ଶୈଳବାଳା ମହିଳା କଲେଜର ନୂତନ ଗୃହ ଉଦ୍‌ଘାଟିତ ହେଲା। ମଧୁବାବୁଙ୍କ ସ୍ମୃତିରେ ଏହାର ନାମ "ମଧୁସୂଦନ ମହିଳା ମହାବିଦ୍ୟାଳୟ" ରଖିବାକୁ ଶୈଳବାଳା ପ୍ରସ୍ତାବ ଦେଇଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନାରୀ ଶିକ୍ଷାରେ ଶୈଳବାଳାଙ୍କ ବିଶେଷ ଅବଦାନ ପାଇଁ ଏହାର ନାମ " ଶୈଳବାଳା ମହିଳା ମହାବିଦ୍ୟାଳୟ" ରଖିଥିଲେ। ୧୯୨୦ରେ ହାଇସ୍କୁଲମାନଙ୍କରେ ଶିକ୍ଷାଦାନ ପାଇଁ ଶୈଳବାଳା ହିନ୍ଦୁ ବିଧବାମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ।

ରାଜନୈତିକ ଜୀବନ

୧୯୦୩ରେ ସେ ଉତ୍କଳ ଯୁବ ସଂଗଠନ ଗଠନ କରିବା ସହ ଉତ୍କଳ ମହିଳା ସଂଘର ମଧ୍ୟ ଆରମ୍ଭ କରିଥିେଲେ। ୧୯୫୨ରେ ସେ କଂଗ୍ରେସ ଟିକେଟରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ୧୯୫୪ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ।

ପୁରସ୍କାର

ନାରୀ ଶିକ୍ଷାର ପ୍ରସାର ଓ ସମାଜେସବା ପାଇଁ ୧୯୫୯ରେ ଭାରତ ସରକାର ତାଙ୍କୁ "ପଦ୍ମଶ୍ରୀ" ପୁରସ୍କାର ପ୍ରଦାନ କରିଥିଲେ। ଏହାପୂର୍ବରୁ ତତ୍କାଳୀନ ବିହାର-ଓଡ଼ିଶା ଛୋଟଲାଟ ସାର୍‌ ଏଡଓ୍ବାଡ଼'ଗେଟ୍‌ ତାଙ୍କୁ "କାଇଜର-ଇ-ହିନ୍ଦ" ସ୍ୱର୍ଣ୍ଣପଦକରେ ଭୂଷିତ କରିବା ଘୋଷଣା କରିଥିଲେ। ମାତ୍ର ସେ ଏହାକୁ ଗ୍ରହଣ କରିନଥିଲେ।

ମୃତ୍ୟୁ

୧୯୬୮ ଅପ୍ରେଲ ୨୯ରେ ୯୩ ବର୍ଷ ବୟସରେ ଶୈଳବାଳା ମୃତ୍ୟୁ ବରଣ କରିଥିଲେ।

ଆଧାର

ବାହାର ଆଧାର