ସମାଜ (ଖବରକାଗଜ)

ଓଡ଼ିଆ ଖବରକାଗଜ

ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା ।[୧] ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତାସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ସୁଶାନ୍ତ କୁମାର ମହାନ୍ତି ଏବେ ସମାଜର କାର୍ଯ୍ୟକାରୀ ସମ୍ପାଦକ[୨] ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।[୩]

ସମାଜ
ମାଲିକଲୋକ ସେବକ ମଣ୍ଡଳ
ପ୍ରତିଷ୍ଠାତାଉତ୍କଳମଣି ଗୋପବନ୍ଧୁ ଦାସ
ପ୍ରକାଶକନିରଞ୍ଜନ ରଥ
ସମ୍ପାଦକସୁଶାନ୍ତ କୁମାର ମହାନ୍ତି
ପ୍ରତିଷ୍ଠିତ୧୯୧୯ ଅକ୍ଟୋବର ୪
ଭାଷାଓଡ଼ିଆ
ମୁଖ୍ୟାଳୟକଟକ
Circulation୩,୦୦,୦୦୦
Sister newspapersସମାଜ ସାପ୍ତାହିକ
ୱେବସାଇଟOfficial website
ମାଗଣା ଅନଲାଇନ ଅଭିଲେଖsamajaepaper.in
କଟକରେ ଥିବା ସମାଜ କାର୍ଯ୍ୟାଳୟ

ଇତିହାସ

ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । [୪]ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତାକୁ ବୃତି ହିସାବରେ ଗ୍ରହଣ କରିଥିଲେ । ପ୍ରଥମେ ସେ 'ସତ୍ୟବାଦୀ' ନାମରେ ଗୋଟିଏ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସରରେ ସେ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୂପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | [୫] ନିଜେ ଉତ୍କଳମଣି ଗୋପବନ୍ଧୁ ଦାସ ଏହାର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଁରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବରୁ ସମାଜକୁ ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜର ପରିଚାଳନା କରିଆସୁଛି ।[୬] ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ୱ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତିରେ ଭାଗନେଇ ସମାଜର ସମ୍ପାଦନାରୁ ଦଊରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ୱରେ ରହିଥିଲେ ।

ସମ୍ପାଦକଗଣ

  1. ଗୋପବନ୍ଧୁ ଦାସ (୧୯୧୯ – ୧୯୨୮)
  2. ଲିଙ୍ଗରାଜ ମିଶ୍ର (୧୯୩୧ – ୧୯୪୫)
  3. ରାଧାନାଥ ରଥ (୧୯୪୫ – ୧୯୫୨ ଏବଂ ୧୯୬୧ – ୧୯୯୮)
  4. ମନୋରମା ରଥ (୧୯୯୮ – ୨୦୨୧)
  5. ସୁଶାନ୍ତ କୁମାର ମହାନ୍ତି
  6. ପ୍ରମୋଦ କୁମାର ମହାପାତ୍ର

ସାମାଜିକ କାର୍ଯ୍ୟ ଓ ସମ୍ମାନ

ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ୱାଧୀନତା ପରବର୍ତି ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ଏହାକୁ 'ଆଇ.ଏଲ୍.ଏନ୍.ଏ' ସର୍ବୋତ୍କୃଷ୍ଟ ଜାତିୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । [୭]ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି ।

ଆଧାର

ବାହାର ଲିଙ୍କ