କାଳୀଚରଣ ପଟ୍ଟନାୟକ

କବି, ଓଡ଼ିଶୀ ସଙ୍ଗୀତଜ୍ଞ, ଗବେଷକ ଓ ନାଟ୍ୟକାର

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)[୧]ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ "ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ "ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ । [୨]ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା ।[୩]

ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର

କାଳୀଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1897-12-23)୨୩ ଡିସେମ୍ବର ୧୮୯୭
ବାଙ୍କୀ, କଟକ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୨୪ ଜୁଲାଇ ୧୯୭୮(1978-07-24) (ବୟସ ୮୦)
ଭାଷାଓଡ଼ିଆ
ବିଷୟନାଟକ, ଓଡ଼ିଶୀ ସଙ୍ଗୀତ, ଗପ, ଏକାଙ୍କିକା, କବିତା
ସାହିତ୍ୟର ଆନ୍ଦୋଳନଓଡ଼ିଆ ନାଟ୍ୟ
ସାହିତ୍ୟ କୃତିଓଡ଼ିଶା ଥିଏଟର୍ସ
ପୁରସ୍କାର
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୭୭)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୧)
ସମ୍ପର୍କୀୟଶ୍ୟାମାମଣି ପଟ୍ଟନାୟକ

ଦସ୍ତଖତ

ବାଲ୍ୟଜୀବନ ଓ ଶିକ୍ଷା

କାଳୀଚରଣ, ୧୮୯୭ ଡିସେମ୍ବର ୨୩ତାରିଖ, ବକୁଳ ଅମାବାସ୍ୟା ଦିନ ବାଙ୍କୀ ସହର ଉପକଣ୍ଠରେ ଥିବା ଖମାରଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ।[୪]ସେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । କାଳୀଚରଣଙ୍କ ପିତା ବଡ଼ମ୍ବାଗଡ଼ର ଦେବାନ ଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ସେ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ସମ୍ପନ୍ନ କରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ ।

ଓଡ଼ିଆ ସାହିତ୍ୟକୁ ଅବଦାନ

ଖୋାର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ଆସକ୍ତ କାଳୀଚରଣ ପ୍ରଥମେ ସଙ୍ଗୀତଜ୍ଞ ବାସୁଦେବ ମହାପାତ୍ର ଓ ପରେ ଓସ୍ତାଦ୍ ଖାନୁ ଖାଁ, ବନୱାରୀ ମିଶ୍ରଙ୍କ ଭଳି ବିଶାରଦଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବାଙ୍କୀର ମହାପର୍ବତ ଦେଖି 'ମହାପର୍ବତ' ନାମକ ଖଣ୍ଡକାବ୍ୟ ଓ 'କଳଙ୍କ ଭଞ୍ଜନମାଳା' ନାଟକ ରଚନା କରିବା ପରେ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପ୍ରକୃତି ବର୍ଣ୍ଣନା ପାଇଁ ଉପଦେଶ ତାଙ୍କର ରଚନାତ୍ମକ ଦୃଷ୍ଟିଭଙ୍ଗୀରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକ ସୁଲଭତା ବିକଶିତ ହୋଇଥିଲା । ରେଭେନ୍ସା କଲେଜରେ ପଢୁଥିବା ସମୟରେ 'କଳାହାଣ୍ଡିଆ ମେଘ' ନାମରେ ସେ ପ୍ରଥମ କବିତା ଲେଖିଥିଲେ । କବିତାଟି ପଢ଼ି ମଧୁସୂଦନ ରାଓ ତାଙ୍କୁ ୧୦୦ଟଙ୍କା ପୁରସ୍କାର ଦେଇଥିଲେ । ୧୯୧୮ ମସିହାରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ଧ୍ରୁବ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ପ୍ରତିଶୋଧ । ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ ଓ କବିତା ।[୫]

ଓଡ଼ିଆ ସଙ୍ଗୀତକୁ ଅବଦାନ

  1. ସଙ୍ଗୀତ ସାର
  2. ଗୀତ ମଞ୍ଜରୀ
  3. କବିଚନ୍ଦ୍ର ଗୀତାବଳୀ (ଓଡ଼ିଶୀ ଭାଗ)
  4. କବିଚନ୍ଦ୍ର ଗୀତାବଳୀ (ଲଘୁ ସଂଗୀତ ଭାଗ)
  5. କବିଚନ୍ଦ୍ର ଗୀତାବଳୀ (ଭଜନ ଓ ଜଣାଣ)
  6. କବିଚନ୍ଦ୍ର ଗୀତାବଳୀ (ପଲ୍ଲୀଗୀତ ଭାଗ)
  7. କବିଚନ୍ଦ୍ର ଗୀତାବଳୀ (କୀର୍ତ୍ତନ ଭାଗ)
  8. ସଙ୍ଗୀତ ଓ ହାର୍ମୋନିୟମ ଶିକ୍ଷା
  9. ପିଲାଙ୍କ ସଙ୍ଗୀତ ଶିକ୍ଷା
  10. ଓଡ଼ିଶୀ ସଙ୍ଗୀତର ରୂପରେଖ
  11. ରକ୍ତ ଝଙ୍କାର
  12. ବରଣ ଡାଲା
  13. ସପ୍ତସୁରୀ
  14. ସୁରଲେଖା (ଗୀତ ଓ ସ୍ୱରଲିପି)
  15. ଚମ୍ପୂ-ସ୍ୱରଲିପି
  16. ଆମ ଓଡ଼ିଆ ସଙ୍ଗୀତ

ଓଡ଼ିଆ କଥାଚିତ୍ରକୁ ଅବଦାନ

କାଳୀଚରଣ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଲଳିତା (୧୯୪୯) ଓ ମାଟିର ମଣିଷ (୧୯୬୭) ପାଇଁ ଗୀତ ରଚନା କରିଥିଲେ। ସେ ଲଳିତା କଥାଚିତ୍ରର ନିର୍ଦ୍ଦେଶକ ଥିଲେ।[୬]

ପୁରସ୍କାର ଓ ସମ୍ମାନ

ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ଗଜପତିଙ୍କଦ୍ୱାରା ୧୯୨୬ ମସିହା ସୁନିଆଁ ଦିନ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ଦେଇଥିଲେ । ଏହାପରେ ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜଦ୍ୱାରା "ନାଟ୍ୟାଚାର୍ଯ୍ୟ', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ୍ ଉପାଧି[୭] ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ-କୁମ୍ଭାର ଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ "ପଦ୍ମଶ୍ରୀ' ସମ୍ମାନ (ଯୁଗ୍ମ ବିଜେତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।[୮]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭
  • ଡି ଲିଟ, ୧୯୭୫
  • ଫେଲୋସିପ୍‍ (ରତ୍ନ ସଦସ୍ୟ)- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ୧୯୬୮[୯]
  • ନାଟ୍ୟାଚାର୍ଯ୍ୟ, ୧୯୪୪ - ଉତ୍କଳ ସାହିତ୍ୟ ସମାଜ
  • କବିଚନ୍ଦ୍ର, ୧୯୨୬[୧୦]
  • ପଦ୍ମଶ୍ରୀ ପୁରସ୍କାର ସେ ପ୍ରତ୍ୟାଖ୍ୟାନ କରିଥିଲେ

କାଳୀଚରଣ ୧୯୭୮ ମସିହା ଜୁଲାଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।

ରେକର୍ଡ଼ କରିଥିବା ଗୀତ

ଗ୍ରାମୋଫୋନ ରେକର୍ଡ଼
କ୍ରମଗୀତକବିସମୟ
1."କାହ୍ନୁ ଗୁଣେ ତୋ ଋଣୀ ବ୍ରଜଧାମେ ବ୍ରଜନାରୀ"କାଳୀଚରଣ ପଟ୍ଟନାୟକ 
2."ଚାକିରି ଝକମାରି ଏ ଜନମେ ନାହିଁ କରି"କାଳୀଚରଣ ପଟ୍ଟନାୟକ 

ଚାକିରି ଝକମାରି ଗୀତଟି ବିଷୟରେ କବିଚନ୍ଦ୍ର ବିସ୍ତୃତ ଭାବେ ନିଜ ଆତ୍ମଜୀବନୀ କୁମ୍ଭାରଚକରେ ଲେଖିଛନ୍ତି ।

ଆଧାର