ଆଣ୍ଡିଜ
ଆଣ୍ଡିଜ ବା ଆଣ୍ଡିଜ୍ ପର୍ବତମାଳା (ଇଂରାଜୀରେ Andes ବା Andean Mountains, ସ୍ପେନୀୟ ଭାଷାରେ Cordillera de los Andes) ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ଓ ବିଶ୍ୱର ଦୀର୍ଘତମ ପର୍ବତମାଳା ଭାବେ ଖ୍ୟାତ । ବିଶ୍ୱର ସର୍ବୋଚ୍ଚ ପର୍ବତମାଳାମାନଙ୍କ ବର୍ଗରେ ଆଣ୍ଡିଜ ହିମାଳୟ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପର୍ବତମାଳା ପ୍ରାୟ ୭୦୦୦ କିଲୋମିଟର ଲମ୍ବା, ଏହାର ପ୍ରସ୍ଥ ୨୦୦ରୁ ୭୦୦ କିଲୋମିଟର ଏବଂ ଏହାର ହାରାହାରି ଉଚ୍ଚତା ୪୦୦୦ ମିଟର । ଆଣ୍ଡିଜ ପର୍ବତମାଳା ଦକ୍ଷିଣ ଆମେରିକାର ୭ଟି ଦେଶରେ ବ୍ୟାପି ରହିଛି ଏବଂ ଉତ୍ତରରୁ ଦକ୍ଷିଣକୁ ଏହି ସବୁ ଦେଶ ହେଲେ ଭେନେଜୁଏଲା, କଲମ୍ବିଆ, ଇକ୍ୱେଡର, ପେରୁ, ବଲିଭିଆ, ଚିଲି ଏବଂ ଆର୍ଜେଣ୍ଟିନା ।
ଆଣ୍ଡିଜ ପର୍ବତମାଳା | |
---|---|
କୋର୍ଡିଲିଏରା ଦେ ଲୋସ୍ ଆଣ୍ଡେସ୍ | |
Elevation | ୬୯୬୧ ମିଟର୍ |
Location | |
Coordinates | 32°S 70°W / 32°S 70°W |
ବହୁ ସ୍ଥାନରେ ଆଣ୍ଡିଜ ପର୍ବତମାଳା ବିଭକ୍ତ ମଧ୍ୟ ହୋଇଛି । ଆଣ୍ଡିଜର ଅନେକ ସ୍ଥାନରେ ଉଚ୍ଚ ମାଳଭୂମି ମଧ୍ୟ ରହିଛି ଏବଂ କ୍ୱିଟୋ, ବୋଗୋଟା, କାଲି, ଆରେକିପା, ମେଡେଲିନ୍, ବୁକାରାମାଙ୍ଗା, ସୁକ୍ରେ, ମେରିଡା, ଲାପାଜ୍ ପରି ଅନେକ ବୃହତ ନଗର ଏହି ଉଚ୍ଚ ମାଳଭୂମିମାନଙ୍କରେ ଅବସ୍ଥିତ । ତିବ୍ବତ ମାଳଭୂମି ପରେ ଆଲ୍ଟିପ୍ଲାନୋ ମାଳଭୂମି ବିଶ୍ୱର ଦ୍ୱିତୀୟ ଉଚ୍ଚତମ ମାଳଭୂମି । ଜଳବାୟୁ ଅନୁସାରେ ଆଣ୍ଡିଜ ପର୍ବତମାଳାକୁ ତିନୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି – କ୍ରାନ୍ତୀୟ ଆଣ୍ଡିଜ, ଶୁଷ୍କ ଆଣ୍ଡିଜ ଏବଂ ଆର୍ଦ୍ର ଆଣ୍ଡିଜ ।
ଏସିଆ ବାହାରର ଉଚ୍ଚତମ ପର୍ବତମାଳା ଆଣ୍ଡିଜ ଓ ଏହାର ସର୍ବୋଚ୍ଚ ଶୃଙ୍ଗ ଆକାଙ୍କାଗୁଆ । ସମୁଦ୍ର ପତନରୁ ଆକାଙ୍କାଗୁଆର ଉଚ୍ଚତା ୬୯୬୧ ମିଟର । ଇକ୍ୱେଡରରେ ଅବସ୍ଥିତ ଆଗ୍ନେୟଗିରି ଚିମ୍ବୋରାଜୋର ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରରୁ ପୃଥିବୀର ଅନ୍ୟ ସ୍ଥାନମାନଙ୍କ ତୁଳନାରେ ସବୁଠାରୁ ଅଧିକ ଦୂର । ପୃଥିବୀର ସର୍ବୋଚ୍ଚ ଆଗ୍ନେୟଗିରିମାନ ଆଣ୍ଡିଜ ପର୍ବତମାଳାର ଅଂଶ । ଚିଲି ଓ ଆର୍ଜେଣ୍ଟିନାର ସୀମାରେ ରହିଥିବା ଓହୋସ୍ ଏଲ୍ ସାଲାଡ଼ୋର ଉଚ୍ଚତା ୬୮୯୩ ମିଟର ।
ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ରହିଥିବା ଆମେରିକୀୟ ପର୍ବତ ମହାଶୃଙ୍ଖଳର (American Cordillera) ଏକ ଅଂଶ ହେଉଛି ଆଣ୍ଡିଜ ।
ନାମକରଣ
ଆଣ୍ଡିଜର ନାମକରଣର ଇତିହାସକୁ ନେଇ ଅତୀତରେ ବହୁ ଆଲୋଚନା ହୋଇଛି । ଅଧିକାଂଶଙ୍କ ମତରେ କେଚୁଆ ଭାଷାର ଶବ୍ଦ “ଆଣ୍ଟି (anti)”ରୁ ଆଣ୍ଡିଜର ସୃଷ୍ଟି ଏବଂ ଏହି କେଚୁଆ ଶବ୍ଦର ଅର୍ଥ ହେଲା ପୂର୍ବ (ଦିଗ) ।[୧] ସେହିପରି କେଚୁଆ ଭାଷାରେ ପୂର୍ବାଞ୍ଚଳ[୧] ବୁଝାଉଥିବା ଆଣ୍ଟିସୁୟୁକୁ ଇନ୍କା ସାମ୍ରାଜ୍ୟର ୪ ଅଞ୍ଚଳ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଉଥିଲା ।
କୋର୍ଡିଲେରା ଶବ୍ଦଟି ଦଉଡ଼ିକୁ ବୁଝାଉଥିବା ସ୍ପେନୀୟ ଶବ୍ଦ “କୋର୍ଡେଲ୍”ରୁ ଉଦ୍ଧୃତ ।[୨] ଉଭୟ ଆମେରିକୀୟ ଦେଶର ପର୍ବତମାଳା ସମୂହକୁ ମିଶାଇ କୋର୍ଡିଲେରା (ପର୍ବତ ମହାଶୃଙ୍ଖଳ) ବୋଲି କୁହାଯାଏ ।
ଭୂଗୋଳ
ଆଣ୍ଡିଜ ପର୍ବତମାଳା ପ୍ରାୟ ୨୦୦ କିଲୋମିଟର ଓସାରିଆ; ବଲିଭିଆରେ ଏହାର ଓସାର ୬୪୦ କିଲୋମିଟର ହୋଇଯାଇଛି । ଆଣ୍ଡିଜ ପର୍ବତମାଳାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ :
- ଦକ୍ଷିଣ ଆଣ୍ଡିଜ : ଲୁଲାଇଲାକୋର ଦକ୍ଷିଣକୁ ଅବସ୍ଥିତ ଏବଂ ଚିଲି ଓ ଆର୍ଜେଣ୍ଟିନାକୁ ବ୍ୟାପ୍ତ ।
- ମଧ୍ୟ ଆଣ୍ଡିଜ : ପେରୁ ଓ ବଲିଭିଆରେ ବ୍ୟାପ୍ତ ।
- ଉତ୍ତର ଆଣ୍ଡିଜ : ଭେନେଜୁଏଲା, କଲମ୍ବିଆ ଓ ଇକ୍ୱେଡରରେ ବ୍ୟାପ୍ତ । ପୃଥକ ଭାବରେ ରହିଥିବା ସାଣ୍ଟା ମାର୍ତ୍ତା ପର୍ବତକୁ ମଧ୍ୟ ବେଳେବେଳେ ଆଣ୍ଡିଜର ଅଂଶ ବୋଲି କୁହାଯାଏ ।[୩]
ପ୍ରଥମେ ଆରୁବା, ବୋନାଏର୍, କୁରାସାଓ ପରି ଲିୱାର୍ଡ୍ ଏଣ୍ଟିଲିସ୍ ଦ୍ୱୀପପୁଞ୍ଜକୁ ସମୁଦ୍ରରେ ନିମଜ୍ଜିତ ଉତ୍ତର ଆଣ୍ଡିଜର ଅଂଶ ବୋଲି କୁହାଯାଉଥିଲା । କିନ୍ତୁ ଭୂବୈଜ୍ଞାନିକ ଗବେଷଣାରୁ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଓ ଦକ୍ଷିଣ ଆମେରିକୀୟ ପ୍ଲେଟ୍ ମଧ୍ୟରେ ଜଣାପଡ଼ିଥିବା ଜଟିଳ ସମ୍ପର୍କକୁ ଆଖିରେ ରଖି ଏହାକୁ ଉତ୍ତର ଆଣ୍ଡିଜର ଅଂଶ ବୋଲି କହିବା ଏକ ତ୍ରୁଟିଯୁକ୍ତ ସରଳୀକରଣ ମାତ୍ର ।[୪]
ଭୂବିଜ୍ଞାନ
ଆଣ୍ଡିଜ ଏକ ମଧ୍ୟବର୍ତ୍ତୀ ମହାକଳ୍ପ-ତୃତୀୟ କଳ୍ପ ସମୟରେ ଟେକ୍ଟୋନିକ୍ ପ୍ଲେଟର ଚଳନରୁ ସୃଷ୍ଟ । ଆଣ୍ଡିଜ ପର୍ବତମାଳା ପ୍ରଶାନ୍ତ ମହାସାଗରର “ଅଗ୍ନି ବଳୟ”ର ଅଂଶ । ପ୍ରଶାନ୍ତ ଅଗ୍ନିବଳୟ ଉଭୟ ଆମେରିକୀୟ ମହାଦେଶର ପଶ୍ଚିମାଂଶ ଓ ଏସିଆ ମହାଦେଶର ପୂର୍ବାଂଶରେ ବ୍ୟାପ୍ତ ହୋଇ ରହିଛି । ସାମୁଦ୍ରିକ କ୍ରଷ୍ଟ୍ ଦକ୍ଷିଣ ଆମେରିକୀୟ ପ୍ଲେଟଠାରୁ ତଳକୁ ଧସିଯିବାରୁ ଆଣ୍ଡିଜ ପର୍ବତମାଳା ସୃଷ୍ଟି ହୋଇଛି । ଆଣ୍ଟାର୍କଟିକା ଓ ନାଜକା ପ୍ଲେଟ ଦବିଯିବା ଫଳରେ ଦକ୍ଷିଣ ଆମେରିକୀୟ ପ୍ଲେଟର ପଶ୍ଚିମାଂଶ ଉପରେ ଚାପ ପଡ଼ିଥିଲା ଓ ଏହା ଉର୍ଦ୍ଧ୍ୱଗାମୀ ହୋଇ ଆଣ୍ଡିଜ ସୃଷ୍ଟି ହୋଇଛି । ଆଣ୍ଡିଜର ପୂର୍ବ ପଟକୁ ଓରିନୋକୋ ନଦୀ, ଆମାଜନ ନଦୀ, ମାଡ୍ରେ ଡି ଡିଓସ୍ ନଦୀ ଓ ଗ୍ରାନ୍ ଚାକୋ ନଦୀର ଅବବାହିକାମାନ ରହିଛି । ଆଣ୍ଡିଜ ପର୍ବତମାଳାର ଦକ୍ଷିଣକୁ ପାଟାଗୋନିଆ ଅଞ୍ଚଳ ରହିଛି । ଆଣ୍ଡିଜର ପଶ୍ଚିମ ପଟେ ପ୍ରଶାନ୍ତ ମହାସାଗର ରହିଛି । ପ୍ରଶାନ୍ତ ମହାସାଗରରେ ରହିଥିବା ପେରୁ-ଚିଲି ଗର୍ତ୍ତକୁ (Peru-Chile trench) ଆଣ୍ଡିଜର ପଶ୍ଚିମତମ ସୀମା ବୋଲି କହିହେବ । ଭୌଗୋଳିକ ଦୃଷ୍ଟିକୋଣରୁ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ଆଣ୍ଡିଜର ପଶ୍ଚିମ ସୀମା କୁହାଯିବ । ଆଣ୍ଡିଜ ପର୍ବତମାଳାର ଅନେକ ପର୍ବତରେ ବହୁ ପରିମାଣର ଲୌହ ଓର୍ ଗଚ୍ଛିତ ରହିଛି ।
ଆଣ୍ଡିଜ ପର୍ବତମାଳାରେ ଅନେକ ବାଙ୍କ ରହିଛି । ବଲିଭିଆ ବାଙ୍କ ସମୁଦ୍ରକୁ ଅବତଳ ଓ ଆଣ୍ଡିଜ ପର୍ବତମାଳାରୁ ୧୮° ଦକ୍ଷିଣକୁ ଅବସ୍ଥିତ ।[୫][୬] ଏଠାରେ ଆଣ୍ଡିଜ ଉତ୍ତର-ପଶ୍ଚିମ ଦିଗରେ ପେରୁରୁ ଦକ୍ଷିଣରେ ଚିଲି ଓ ଆର୍ଜେଣ୍ଟିନା ଆଡ଼କୁ ବୁଲିଛି ।[୬] ଆଣ୍ଡିଜର ଉତ୍ତର ଓ ଦକ୍ଷିଣ ଅଂଶ ତଳର ଭୂଭାଗ ପରସ୍ପର ବିପରୀତ ଦିଗରେ ୧୫°ରୁ ୨୦° ବୁଲିଯାଇଛନ୍ତି ।[୬][୭] ବଲିଭୀୟ ଭୂଭାଗ ଓ ଆଲ୍ଟିପ୍ଲାନୋ ମାଳଭୂମି ପ୍ରାୟ ମିଶିଯାଇଛି ଓ କ୍ରଷ୍ଟ୍ କମିଯାଇ ଏପରି ହୋଇଛି ବୋଲି ବ୍ୟାୟାନ୍ ଆଇଜାକ୍ ମତ ରଖିଛନ୍ତି ।[୫] ୧୮° ଦକ୍ଷିଣର ବାଙ୍କକୁ “ଏରିକା କହୁଣି (Arica Elbow)” ବୋଲି କୁହାଯାଏ ।[୮] ଦକ୍ଷିଣ ପଟକୁ ମାଇପୋ ପର୍ବତବାଙ୍କ ରହିଛି ଯାହା ସମୁଦ୍ର ଆଡ଼କୁ ଅବତଳ ।[୯] ପାଟାଗୋନିଆନ୍ ପର୍ବତବାଙ୍କ ହେଉଛି ଆଣ୍ଡିଜରେ ଦକ୍ଷିଣତମ ।[୧୦]
ଆଗ୍ନେୟ ପ୍ରବଣତା
ଆଣ୍ଡିଜ ପର୍ବତମାଳାରେ ଥିବା ୪ଟି ଆଗ୍ନେୟଶୀଳ ଅଞ୍ଚଳରେ ବହୁ ସଂଖ୍ୟକ ସକ୍ରିୟ ଆଗ୍ନେୟଗିରି ରହିଛି । ସକ୍ରିୟ ଆଗ୍ନେୟଗିରିମାନଙ୍କ ମଧ୍ୟବର୍ତ୍ତୀ ଅଞ୍ଚଳରେ କିଛି ନିଷ୍କ୍ରିୟ ଆଗ୍ନେୟଗିରି ମଧ୍ୟ ରହିଛି । ନାଜକା ଓ ଆଣ୍ଟାର୍କଟିକ ପ୍ଲେଟ ସମୁଦ୍ର ତଳକୁ ଧସିଯିବା କାରଣରୁ ଆଣ୍ଡିଜ ପର୍ବତମାଳାରେ ଆଗ୍ନେୟଶୀଳତା ସୃଷ୍ଟି ହୋଇଥିଲା । ସମ୍ପୂର୍ଣ୍ଣ ଆଗ୍ନେୟ ବଳୟକୁ ୪ଟି ମୁଖ୍ୟ ଅଞ୍ଚଳରେ ବିଭକ୍ତ କରାଯାଇଛି ଓ ଏହି ସବୁ ମୁଖ୍ୟ ଅଞ୍ଚଳ ନିଷ୍କ୍ରିୟ ଆଗ୍ନେୟ ଅଞ୍ଚଳମାନଙ୍କଦ୍ୱାରା ବିଖଣ୍ଡିତ । ଆକୃତି, ଉପାଦାନ ଓ ସକ୍ରିୟାତ ଦୃଷ୍ଟିକୋଣରୁ ଆଣ୍ଡିଜ ଆଗ୍ନେୟ ବଳୟର ଆଗ୍ନେୟଗିରିମାନେ ଭିନ୍ନ ଭିନ୍ନ ପ୍ରକାରର । ଏମାନଙ୍କ ପ୍ରକୃତିରେ ରହିଥିବା ପାର୍ଥକ୍ୟ କିଛି ମାତ୍ରାରେ ବୁଝିହେବ କିନ୍ତୁ ତଥାପି ଗୋଟିଏ ଅଞ୍ଚଳର ଆଗ୍ନେୟଗିରି ଓ ଆଖପାଖର ଆଗ୍ନେୟଗିରିମାନଙ୍କ ମଧ୍ୟରେ ଯଥେଷ୍ଟ ତଫାତ ପରିଲକ୍ଷିତ ହୁଏ ।
ଖଣିଜ ସମ୍ପଦ
ଆଣ୍ଡିଜ ପର୍ବତମାଳାରେ ବହୁ ପରିମାଣର ଧାତବ ଓର ଏବଂ ଖଣିଜ ଲବଣ ଗଚ୍ଛିତ ହୋଇ ରହିଛି । ଆଣ୍ଡିଜର ପୂର୍ବାଂଶରୁ ହାଇଡ୍ରୋକାର୍ବନ ମଧ୍ୟ ବାହାର କରାଯାଏ । ଆଟାକାମା ମରୁଭୂମି ସଂଲଗ୍ନ ଅଞ୍ଚଳରେ ବହୁ ପରିମାଣର ତମ୍ବା ଗଚ୍ଛିତ ରହିଛି ଏବଂ ଏହି କାରଣରୁ ତମ୍ବା ରପ୍ତାନୀରେ ଚିଲି ଓ ପେରୁ ବିଶ୍ୱରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ହାଇଡ୍ରୋଥର୍ମାଲ ତରଳର ଶୀତଳୀକରଣ ଓ ଶୁଷ୍କ ଜଳବାୟୁ ଯୋଗୁଁ ଆଣ୍ଡିଜର ପଶ୍ଚିମ ଢାଲୁରେ ତମ୍ବା ଖଣିଜ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ । ମଧ୍ୟ-ପଶ୍ଚିମ ଆଣ୍ଡିଜର ଶୁଷ୍କ ଜଳବାୟୁ ଯୋଗୁଁ ଏଠାରେ ଚିଲି ସଲ୍ଟପିଟର୍ ବା ନାଇଟ୍ରେଟିନ୍ ସୃଷ୍ଟି ହୋଇ ଗଚ୍ଛିତ ରହିଛି । ଶୁଷ୍କ ଜଳବାୟୁ ଯୋଗୁଁ ଉୟୁନି ଓ ଆଟାକାମାର ସାଲାର୍ ଇତ୍ୟାଦି ସୃଷ୍ଟି ହୋଇଛି ଯେଉଁଠାରୁ ବହୁ ପରିମାଣର ଲିଥିୟମ୍ ମିଳିଥାଏ । ବଲିଭୀୟ ଆଣ୍ଡିଜରେ ବହୁମାତ୍ରାରେ ଟିଣ ଗଚ୍ଛିତ ରହିଛି ।
ଜଳବାୟୁ ଓ ଜଳବିଜ୍ଞାନ
ଅକ୍ଷାଂଶ, ଉଚ୍ଚତା ଓ ସମୁଦ୍ରରୁ ଦୂରତା ଅନୁସାରେ ଆଣ୍ଡିଜରେ ବିଭିନ୍ନ ପ୍ରକାରର ଜଳବାୟୁ ଅନୁଭୂତ ହୋଇଥାଏ । ସମୁଦ୍ର ପତନରୁ ଅଧିକ ଉଚ୍ଚତାରେ ତାପମାତ୍ରା, ବାୟୁ ଚାପ ଓ ଆର୍ଦ୍ରତା କମିଯାଏ । ଆଣ୍ଡିଜର ଦକ୍ଷିଣାଂଶ ଶୀତଳ ଓ ବୃଷ୍ଟିବହୁଳ ହୋଇଥିବା ବେଳେ ମଧ୍ୟାଂଶ ଶୁଷ୍କ । ଉତ୍ତର ଆଣ୍ଡିଜ ମଧ୍ୟ ବୃଷ୍ଟିବହୁଳ କିନ୍ତୁ ଉଷ୍ମ । କଲମ୍ବିଆରେ ହାରାହାରି ତାପମାତ୍ରା ୧୮° ସେଲସିୟସ ହୋଇଥାଏ । ଅଳ୍ପ ବ୍ୟବଧାନରେ ଆଣ୍ଡିଜରେ ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇପାରେ । କୋଟୋପାକ୍ସିର ତୁଷାରାଚ୍ଛନ୍ନ ଶିଖରରୁ ଅଳ୍ପ ଦୂରରେ ବୃଷ୍ଟିବଣ ଦେଖାଯିବା ଏହାର ଏକ ଉଦାହରଣ । ଆଣ୍ଡିଜ ପର୍ବତମାଳା ଆଖପାଖର ଅଞ୍ଚଳର ତାପମାତ୍ରା ନିୟନ୍ତ୍ରଣରେ ବଡ଼ ଭୂମିକା ଗ୍ରହଣ କରିଥାନ୍ତି । ସ୍ଥାନ ଅନୁସାରେ ତୁଷାରରେ ମଧ୍ୟ ତଫାତ ଦେଖାଯାଏ । ଇକ୍ୱେଡର, କଲମ୍ବିଆ, ଭେନେଜୁଏଲା ଓ ପେରୁସିଥିତ ଆଣ୍ଡିଜରେ ୪୫୦୦ରୁ ନେଇ ୪୮୦୦ ମିଟର ଉଚ୍ଚତାରେ ତୁଷାର ଦେଖାଯାଏ । ଦକ୍ଷିଣ ପେରୁରୁ ଉତ୍ତର ଚିଲିର ଶୁଷ୍କ ଅଞ୍ଚଳରେ ୪୮୦୦ରୁ ୫୨୦୦ ମିଟର ଉଚ୍ଚତାରେ ତୁଷାର ଦେଖାଯାଏ । ବହୁ ହିମସ୍ରୋତ ସମୁଦ୍ରପତନ ପର୍ଯ୍ୟନ୍ତ ମଧ୍ୟ ବ୍ୟାପ୍ତ ହୋଇ ରହିଛନ୍ତି ।[୧୧]
ଚିଲି ଓ ଆର୍ଜେଣ୍ଟିନାରେ ଥିବା ଆଣ୍ଡିଜକୁ ଜଳବାୟୁ ଓ ହିମସ୍ରୋତ ଦୃଷ୍ଟିରୁ ୨ଟି ଅଞ୍ଚଳରେ ବିଭକ୍ତ କରାଯାଇପାରିବ । ସେଗୁଡ଼ିକ ହେଲେ ଶୁଷ୍କ ଆଣ୍ଡିଜ ଓ ଆର୍ଦ୍ର ଆଣ୍ଡିଜ । ଆଟାକାମା ମରୁଭୂମିରୁ ନେଇ ମାଉଲେ ନଦୀ ପର୍ଯ୍ୟନ୍ତ ଶୁଷ୍କ ଅଞ୍ଚଳ ବ୍ୟାପ୍ତ ଏବଂ ଏଠାରେ ଦୋଳାୟମାନ ତାପମାତ୍ରା ସହିତ ଅଳ୍ପ ବୃଷ୍ଟିପାତ ପରିଲକ୍ଷିତ ହୁଏ । ଏକ ସ୍ଥାନରେ ହିମସ୍ରୋତର ପ୍ରକୃତିରେ ମଧ୍ୟ ବହୁ ପାର୍ଥକ୍ୟ ଦେଖାଯାଏ ।
ଅଧିକ ସୌର ବିକିରଣ ଯୋଗୁଁ ମଧ୍ୟ ଚିଲିର ଅଧିକ ଉଚ୍ଚତାବିଶିଷ୍ଟ ଆଣ୍ଡିଜ ଓ ମେଣ୍ଡୋଜା ପ୍ରାନ୍ତରେ ସାଧାରଣ ହିମସ୍ରୋତ ପରିବର୍ତ୍ତେ ବୃହତ ଆକାରର ପ୍ରସ୍ତରିକୃତ ହିମସ୍ରୋତ ଅଧିକ ଦେଖାଯାଏ ।[୧୨]
ଉଚ୍ଚତା ସହିତ ବୃଷ୍ଟିପାତର ମାତ୍ରା ବଢ଼ିଥାଏ କିନ୍ତୁ ୭୦୦୦ ମିଟର ପାଖାପାଖି ଉଚ୍ଚତାରେ ଅଳ୍ପଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଉପକ୍ରାନ୍ତୀୟ ଅଞ୍ଚଳରେ ଏପରି ଶୁଷ୍କ ଜଳବାୟୁ ଅଧିକାଂଶରେ ଦେଖାଯାଏ । ପାର୍ବତୀୟ ଉପତ୍ୟକାରେ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ବୁଦାଳିଆ ଜଙ୍ଗଲ ଦେଖିବାକୁ ମିଳେ । ପ୍ଲୋମୋ ଓ ହୋର୍କୋନ୍ ପରି ବୃହତ୍ତମ ହିମସ୍ରୋତ ୧୦ କି.ମି.ରୁ କମ୍ ଦୀର୍ଘ ଓ ଏମାନଙ୍କ ହିମ ଆସ୍ରଣ ଅତ୍ୟଧିକ ମୋଟା ନୁହେଁ । କିନ୍ତୁ ପ୍ରାୟ ୨୦୦୦୦ ବର୍ଷ ତଳେ ହିମଯୁଗରେ ଏହି ସମସ୍ତ ହିମସ୍ରୋତ ବର୍ତ୍ତମାନ ଆକାରରୁ ୧୦ ଗୁଣ ବଡ଼ ଥିବେ । ମେଣ୍ଡୋଜିନା ଆଣ୍ଡିଜର ପୂର୍ବ ପଟ ପର୍ବତ ଉପରୁ ୨୦୬୦ ମିଟର ଓ ପଶ୍ଚିମ ପଟ ୧୨୨୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ରହିଥିବାର ଦେଖାଯାଏ ।[୧୩][୧୪] ଆକାଙ୍କାଗୁଆ (୬୯୬୧ ମି), ଟୁପୁଙ୍ଗାଟୋ (୬୫୫୦ ମି)ଓ ନେଭାଡୋ ହୁଙ୍କାଲ (୬୧୧୦ ମି) ପରସ୍ପରଠାରୁ ମାତ୍ର ୧୦ କି.ମି. ଦୂର ଓ ଏମାନେ ଏକ ହିମ ବ୍ୟବସ୍ଥାଦ୍ୱାରା ସଂଯୁକ୍ତ ଥିଲେ । ଉପତ୍ୟକାର ହିମସ୍ରୋତମାନେ ୧୧୨.୫ କିମି ଲମ୍ବା, ୧୨୫୦ ମିଟରରୁ ଅଧିକ ମୋଟା ଓ ୫୧୫୦ ମିଟରର ଉଚ୍ଚତା ବିଶିଷ୍ଟ ଥିଲେ । ବହୁ ପୁରାତନ ସମୟରେ ହିମରେଖା ୪୬୦୦ ମିଟରରୁ ଖସି ୩୨୦୦ ମିଟରକୁ ଆସିଯାଇଥିଲା ।[୧୩][୧୫][୧୬][୧୭][୧୮][୧୯][୨୦][୨୧][୨୨]
ଉଦ୍ଭିଦ ଜଗତ
ଆଣ୍ଡିଜ ପର୍ବତମାଳାରେ ବହୁ ଜଳବାୟୁ ପରିଲକ୍ଷିତ ହୁଏ – ଶୁଷ୍କ ଓ ଆର୍ଦ୍ର, ଉଷ୍ମ ଓ ଶୀତଳ । ଉତ୍ତର ଆଣ୍ଡିଜରେ ପୂର୍ବେ ଉଭୟ ବୃଷ୍ଟିବଣ ଓ କ୍ରାନ୍ତୀୟ ଶୁଷ୍କ ଅରଣ୍ୟ ଦେଖାଯାଉଥିଲା ।[୨୩] ବର୍ତ୍ତମାନ ଜଙ୍ଗଲ ଉଚ୍ଛେଦ ଯୋଗୁଁ କଲମ୍ବିଆର ଉପତ୍ୟକା ଓ ଏଲ୍ ଚୋକୋରେ ଏହି ସବୁ ଅରଣ୍ୟ ବହୁ ମାତ୍ରାରେ କମିଯାଇଛି । ପେରୁ, ଚିଲି, ଆର୍ଜେଣ୍ଟିନାର ପଶ୍ଚିମ ପଟେ ଆର୍ଦ୍ର ପରିବର୍ତ୍ତେ ଅପେକ୍ଷାକୃତ ଶୁଷ୍କ ଅରଣ୍ୟ ଦେଖାଯାଏ । ଆଣ୍ଡିଜର ସ୍ଥାନେ ସ୍ଥାନେ ପର୍ଣ୍ଣମୋଚୀ ଓ ବୁଦାଳିଆ ଜଙ୍ଗଲ ରହିଥିବା ବେଳେ ଆଟାକାମା ମରୁଭୂମି ପ୍ରାୟ ଜୀବହୀନ ।
ଆଣ୍ଡିଜରେ ପ୍ରାୟ ୩୦,୦୦୦ ପ୍ରଜାତିର ଉଦ୍ଭିଦ ରହିଛନ୍ତି । ଏଥିରୁ ପାଖାପାଖି ୫୦% ସ୍ଥାନୀୟ ପ୍ରଜାତି । ଏହି ସ୍ଥାନ ଜୈବ ବିବିଧତା ଦୃଷ୍ଟିକୋଣରୁ ମଧ୍ୟ ଶ୍ରେଷ୍ଠ ।[୨୪] ମ୍ୟାଲେରିଆର ଔଷଧ ପାଇଁ ଆବଶ୍ୟକ ଉପାଦାନ କୁଇନାଇନ୍ ଏଠାରେ ବଢ଼ୁଥିବା କିଞ୍ଚୋନା ପ୍ୟୁବିସେନ୍ସ ଗଛରୁ ବାହାର କରାଯାଏ । ଆଣ୍ଡିଜ ପର୍ବତ ହେଲା ତମାଖୁ ଓ ଆଳୁ ପରି ଗଛର ଉତ୍ପତ୍ତି ସ୍ଥଳ । ପେରୁ, କଲମ୍ବିଆ, ବଲିଭିଆ, ଇକ୍ୱେଡର ଓ ଚିଲିରେ ଆଣ୍ଡିଜର ଉଚ୍ଚ ଅଞ୍ଚଳରେ (ସମୁଦ୍ର ପତନରୁ ୪୫୦୦ ମିଟର ଉଚ୍ଚ) ବଢ଼ୁଥିବା ଗଛକୁ ସ୍ଥାନୀୟ ଲୋକେ କେନୁଆ ବା ୟାଗୁଆଲ୍ ବୋଲି କୁହନ୍ତି । ଠାଏ ଠାଏ ଯାଗାରେ ରହିଥିବା ବଣଗୁଡ଼ିକ ପ୍ରାକୃତିକ ଭାବେ ଏପରି ବିକ୍ଷିପ୍ତ ହୋଇ ସୃଷ୍ଟି ହୋଇଛନ୍ତି ବା ଇନ୍କା ସଭ୍ୟତା ସମୟରେ ଏଠାରେ ବୃକ୍ଷଛେଦନ ହୋଇ ଏପରି ଜଙ୍ଗଲ ସୃଷ୍ଟି ହୋଇଛି ତାହା କହିବା କଷ୍ଟକର । ସେ ଯାହା ହେଉ, ଆଧୁନିକ ଯୁଗରେ ଜଙ୍ଗଲ ଉଚ୍ଛେଦ ଆହୁରି ବଢ଼ିଯାଇଥିବାରୁ ପୂର୍ବ ସମୟର କେବଳ ୧୦% ଜଙ୍ଗଲ ବଞ୍ଚି ରହିଛି ।[୨୫]
ଜୀବଜନ୍ତୁ
ଆଣ୍ଡିଜ ପର୍ବତମାଳାରେ ପ୍ରାୟ ୧୦୦୦ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି ଯହାର ଦୁଇ-ତୃତୀୟାଂଶ ସ୍ଥାନୀୟ । ଆଣ୍ଡିଜରେ ବହୁ ପ୍ରଜାତିର ଉଭୟଚର ଜୀବ ଦେଖାଯାନ୍ତି ।[୨୪]ଆଣ୍ଡିଜର ଜୈବବିବିଧତା ମଧ୍ୟ ଉନ୍ନତ ମାନର ; ଏଠାରେ ୬୦୦ ପ୍ରଜାତିର ସ୍ତନ୍ୟପାୟୀ (୧୩% ସ୍ଥାନୀୟ), ୧୭୦୦ରୁ ଅଧିକ ପକ୍ଷୀ ପ୍ରଜାତି (ଏକ-ତୃତୀୟାଂଶ ସ୍ଥାନୀୟ), ୬୦୦ରୁ ଅଧିକ ପ୍ରଜାତିର ସରୀସୃପ (୪୫% ସ୍ଥାନୀୟ) ଓ ପ୍ରାୟ ୪୦୦ ପ୍ରଜାତିର ମାଛ (ଏକ-ତୃତୀୟାଂଶ ସ୍ଥାନୀୟ) ଦେଖିବାକୁ ମିଳନ୍ତି ।[୨୪]
ଆଲ୍ଟିପ୍ଲାନୋରେ ଭିକୁନା ଓ ଗ୍ୱାନାକୋ ବାସ କରୁଥିବା ବେଳେ ଲାମା ଓ ଆଲପକା ପରି ଜୀବମାନଙ୍କୁ ସ୍ଥାନୀୟ ଲୋକେ ମାଂସ ଓ ଶୀତ କପଡ଼ା ପାଇଁ ଗୋଠରେ ପୋଷା ମନାଇ ରଖନ୍ତି । ଭୋର ଏବଂ ଗୋଧୂଳି ସମୟରେ ସକ୍ରିୟ ରହୁଥିବା ଚିଞ୍ଚିଲା ମୂଷାର ଉଭୟ ବିରଳ ପ୍ରଜାତି ଆଣ୍ଡିଜ ପର୍ବତରେ ଦେଖାଯାନ୍ତି ।[୨୬][୨୭] ଆଣ୍ଡିଜ କୋଣ୍ଡୋର ପକ୍ଷୀ ଏଠାକାର ସର୍ବବୃହତ ପକ୍ଷୀ କିନ୍ତୁ ଏମାନଙ୍କ ଘନତା କମ୍ ।[୨୮] ଅଳ୍ପ ଖୋଲା ଅଧିବାସରେ ହୁଏମୁଲ, କୁଗାର ଓ କୋକିଶିଆଳୀ ପରି ଜୀବ[୨୬][୨୭] ଏବଂ ଟିନାମୌ, ଆଣ୍ଡିଜ୍ ବତକ, ଜାଏଣ୍ଟ କୁଟ୍, ଫ୍ଲାମିଙ୍ଗୋ, ସାନ ରିଆ, ଆଣ୍ଡିଜ୍ ଫ୍ଲିକର୍, ଫ୍ଲିଞ୍ଚ୍, ମାଇନର୍, ପ୍ଲୋଭର୍ ପରି ପକ୍ଷୀ ବାସ କରନ୍ତି ।[୨୮]
ଟିଟିକାକା ହ୍ରଦରେ ମଧ୍ୟ ଡେଣାହୀନ ଗ୍ରେବେ[୨୮] ଓ ପାଣି ବେଙ୍ଗ[୨୯] ସମେତ ଆହୁରି ବହୁ ସ୍ଥାନୀୟ ଜୀବ ଦେଖିବାକୁ ମିଳନ୍ତି । କିଛି ପ୍ରଜାତିର ହମିଂବର୍ଡ୍ ପକ୍ଷୀ ୪୦୦୦ ମିଟରରୁ ଅଧିକ ଉଚ୍ଚତାରେ ଦେଖାଯାନ୍ତି । କିନ୍ତୁ ଉଚ୍ଚତାରେ ରହୁଥିବା କିଛି ପକ୍ଷୀ ନିମ୍ନାଞ୍ଚଳରେ ଆର୍ଦ୍ର ଜଙ୍ଗଲରେ ବାସ କରିବା ମଧ୍ୟ ଦେଖାଯାଇଛି ।[୨୮] ଆଣ୍ଡିଜର ଜଙ୍ଗଲମାନଙ୍କରେ ବିରଳ ପାର୍ବତୀୟ ଟାପିର, ଚଷମାଆଖି ଭାଲୁ ଓ ହଳଦିଲାଞ୍ଜିଆ ମାଙ୍କଡ଼ ମଧ୍ୟ ବାସ କରନ୍ତି ।[୨୬]
ଆର୍ଦ୍ର ଆଣ୍ଡିଜ ଜଙ୍ଗଲମାନଙ୍କରେ ପାର୍ବତୀୟ ଟୁକାନ, କିତ୍ଜାଲ, ଆଣ୍ଡିଜ କକ୍-ଅଫ୍-ଦ-ରକ୍, ଟାନାଜର୍, ଟାପାକୁଲୋ, ରେନ୍, ଆଣ୍ଟପିଟା ଆଦି ପକ୍ଷୀ ପରିଲକ୍ଷିତ ହୁଅନ୍ତି ।[୨୮]
ମାନବୀୟ କାର୍ଯ୍ୟକଳାପ
ଆଣ୍ଡିଜ ପର୍ବତମାଳା ଉତ୍ତର-ଦକ୍ଷିଣ ଦିଗରେ ରହିଥିବା ଏକ ସାଂସ୍କୃତିକ ଅକ୍ଷ ପରି । ପଞ୍ଚଦଶ ଶତାବ୍ଦୀରେ ଇନ୍କା ସଭ୍ୟତାର ପ୍ରସାର ସମୟରେ ଏହି ଅଞ୍ଚଳ ସାଂସ୍କୃତିକ ଦୃଷ୍ଟିରୁ ପ୍ରଭାବିତ ହୋଇଥିଲା । ଇନ୍କାମାନେ ଉତ୍ତମ ସୈନ୍ୟବାହିନୀ, ପରିଚାଳନା ପଦ୍ଧତିର ବ୍ୟବହାର କରି ନିଜ ସଭ୍ୟତାକୁ ବିକଶିତ କରିଥିଲେ ।[୩୦] ଇନ୍କା ସରକାର ସଡ଼କ, ପାଣି ପାଇଁ ନଳ ପ୍ରଭୃତି ନିର୍ମାଣ କରାଇଥିଲେ ଯାହାର ଅବଶେଷ ଅଦ୍ୟାବଧି ଦେଖିବାକୁ ମିଳେ ।ୟୁରୋପରୁ ସଂକ୍ରମିତ ରୋଗ ଏବଂ ଗୃହଯୁଦ୍ଧ ଇନ୍କା ସଭ୍ୟତାକୁ ଦୁର୍ବଳ କରିଥିଲା । ୧୫୩୨ ମସିହାରେ ହୁଆନ୍କା, ଚାଚାପୋୟା, କାନାରି ଓ ଫ୍ରାନ୍ସିସ୍କୋ ପିଜାରୋଙ୍କ କ୍ଷୁଦ୍ର ସ୍ପେନୀୟ ସେନାର ମିଳିତ ଆକ୍ରମଣରେ ଇନ୍କାମାନେ ପରାସ୍ତ ହୋଇଥିଲେ । କିନ୍ତୁ ଆଣ୍ଡିଜ ପର୍ବତର ଏକ ଶୃଙ୍ଗ ପଛରେ ଲୁକ୍କାୟିତ ଭାବେ ଇନ୍କାମାନଙ୍କଦ୍ୱାରା ସ୍ଥାପିତ ମାଚୁ ପିଚୁ ବିଷୟରେ କେହି ଜାଣି ପାରିନଥିଲେ । ପୃଥିବୀର ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ମାଚୁ ପିଚୁ ଅନ୍ୟତମ । କେଚୁଆ ଓ ଆୟମାରା ପରିବାରର ଭାଷାମାନ ଏବେ ବି ଆଣ୍ଡିଜ ଅଞ୍ଚଳରେ ଜୀବିତ ରହିଛି । ୧୮୨୬-୨୭ରେ ଉଡ୍ବାଇନ୍ ପେରିଶ୍ ଓ ଜୋସେଫ୍ ପେଣ୍ଟଲ୍ୟାଣ୍ଡ ବଲିଭୀୟ ଆଣ୍ଡିଜର ଏକ ବୃହତ ଅଞ୍ଚଳରେ ସର୍ବେକ୍ଷଣ କରିଥିଲେ ।
ନଗର ସମୂହ
ଆଧୁନିକ ସମୟରେ ଆଣ୍ଡିଜ କୋଳରେ ବହୁ ବୃହତ ନଗରୀମାନ ଗଢ଼ିଉଠିଛି ଓ ବୋଗୋଟା, ସାଣ୍ଟିଆଗୋ, ମେଡେଲିନ୍, କାଲି ଏମାନଙ୍କ ମଧ୍ୟରୁ ଅନ୍ୟତମ । ଲିମା ନଗର ଏକ ଉପକୂଳବର୍ତ୍ତୀ ନଗର ଯାହା ଆଣ୍ଡିଜକୁ ସଂଲଗ୍ନ । ଆଣ୍ଡିଜରେ ଥିବା ନଗରମାନଙ୍କ ମଧ୍ୟରେ ଲିମା ବୃହତ୍ତମ । ଆଣ୍ଡିଆନ୍ ରାଷ୍ଟ୍ରମାନଙ୍କ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଲିମାରେ ଅବସ୍ଥିତ ।
ବଲିଭିଆର ରାଜଧାନୀ ଲାପାଜ ବିଶ୍ୱର ସର୍ବୋଚ୍ଚ ରାଜଧାନୀ ନଗର । ସମୁଦ୍ର ପତନରୁ ଏହାର ଉଚ୍ଚତା ପ୍ରାୟ ୩୬୫୦ ମିଟର । ଲାପାଜର କିଛି ଅଂଶ ଏବଂ ଏଲ୍ ଆଲ୍ଟୋ ନଗର ୪୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପ୍ତ ।
ଆଣ୍ଡିଜରେ ଅବସ୍ଥିତ ଅନ୍ୟ ନଗରମାନଙ୍କ ମଧ୍ୟରେ ପ୍ରମୁଖ ହେଲେ :
- ପେରୁର ଆରେକିପୋ, କୁସ୍କୋ, ହୁଆନ୍କାୟୋ, କାହାମାର୍କା, ହୁଲିଆକା, ହୁଆନୁକୋ, ହୁଆରାଜ୍ ଓ ପୁନୋ
- ଇକ୍ୱେଡରର କ୍ୱିଟୋ, କ୍ୱେଙ୍କା, ଆମ୍ବାଟୋ, ଲୋହା, ରିଓବାମ୍ବା ଓ ଇବାରା
- ବଲିଭିଆର କୋଚାବାମ୍ବା, ଓରୁରୋ, ସୁକ୍ରେ, ତାରିହା
- ଚିଲିର କାଲାମା ଓ ରାଙ୍କାଗୁଆ
- କଲମ୍ବିଆର ଆର୍ମେନିଆ, କୁକୁଟା, ବୁକାରାମାଙ୍ଗା, ଇବେଗ୍ୱେ, ପେରେଇରା, ପାସ୍ତୋ, ପାଲମିରା, ପୋପାୟାନ, ଟୁନ୍ହା, ଭିଲାଭିସେନ୍ସିଓ ଓ ମାନିଜାଲେସ୍
- ଭେନେଜୁଏଲାର ବାର୍କିସିମେଟୋ, ସାନ୍ କ୍ରିଷ୍ଟୋବାଲ, ମେରିଡ଼ା ଓ ଭାଲେରା
- ଆର୍ଜେଣ୍ଟିନାର ମେଣ୍ଡୋଜା, ଟୁକୁମାନ, ସାଲଟା ଓ ସାଁ ହୁଆଁ
ଭେନେଜୁଏଲାର କାରାକାସ, ଭାଲେନ୍ସିଆ ଓ ମାରାକେ ଉପକୂଳବର୍ତ୍ତୀ ଓ ପର୍ବତ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ କିନ୍ତୁ ଏହି ଅଞ୍ଚଳର ପର୍ବତ ଆଣ୍ଡିଜର ଅଂଶ ନା ନୁହେଁ ତାହା ବିବାଦୀୟ ବିଷୟ ।
ପରିବହନ
ଆଣ୍ଡିଜର ନଗର ଓ ସହରଗୁଡ଼ିକ ପିଚୁରେ ତିଆରି ପକ୍କା ସଡ଼କମାନଙ୍କଦ୍ୱାରା ସଂଯୋଜିତ ହୋଇଥିବା ବେଳେ ଛୋଟ ସହରଗୁଡ଼ିକ କଚା ସଡ଼କ ମାଧ୍ୟମରେ ସଂଯୁକ୍ତ ।[୩୧]
ଆଧୁନିକ ବୈଷୟିକ ଜ୍ଞାନକୌଶଳ ସତ୍ତ୍ୱେ ଆଣ୍ଡିଜର ପଥୁରିଆ ପାହାଡ଼ ଭେଦି ସଡ଼କପଥ ବା ରେଳପଥ ନିର୍ମାଣ କରିବା ଏକ ବ୍ୟୟବହୁଳ ବ୍ୟାପାର । ଉଦାହରଣ ସ୍ୱରୂପ ଆର୍ଜେଣ୍ଟିନାରୁ ଚିଲି ଯିବା ପାଇଁ “ଇଣ୍ଟରନାସିଓନାଲ୍ ଲସ୍ ଲିବେର୍ତାଡୋରେସ୍” ଗିରିପଥ ଏବେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ନିକଟ ଅତୀତରେ କିଛି ରାଜପଥର ସଂଯୋଗୀକରଣ ହୋଇପାରିଛି ।[୩୨] ତେଣୁ ଯାତ୍ରୀମାନେ ଅଧିକାଂଶରେ ଆକାଶପଥର ବ୍ୟବହାର କରିଥାନ୍ତି ।
ଆଣ୍ଡିଜ ମଧ୍ୟ ଦେଇ ଚିଲି ଓ ପେରୁକୁ ସଂଯୋଗ କରୁଥିବା ଏକ ରେଳପଥ ମଧ୍ୟ ରହିଛି । ଦକ୍ଷିଣ ବଲିଭିଆରେ ମଧ୍ୟ ଆଣ୍ଡିଜ ଉପରେ କିଛି ରେଳପଥ ନିର୍ମିତ ହୋଇଛି ।
ବଲିଭିଆରେ ଅନେକ ରାଜପଥ ଆଣ୍ଡିଜକୁ ବିଖଣ୍ଡିତ କରିଅଛନ୍ତି । ବଲିଭିଆ ଓ ପାରାଗୁଏ ଯୁଦ୍ଧ ସମୟରେ ଏଥିରୁ କିଛି ସଡ଼କପଥ ନିର୍ମିତ ହୋଇଥିଲା । ସେ ସମୟରେ ଦକ୍ଷିଣ-ପୂର୍ବ ବଲିଭିଆ ଓ ପଶ୍ଚିମ ପାରାଗୁଏକୁ ସୈନ୍ୟବଳ, ଜରୁରୀ ସାମଗ୍ରୀ, ଗୁଳିଗୋଳା ପଠାଇବା ପାଇଁ ଏହି ସଡ଼କପଥ ବ୍ୟବହୃତ ହେଉଥିଲା ।
ଦଶନ୍ଧି ଧରି ଆଣ୍ଡିଜର ପୂର୍ବ ପଟକୁ ଥିବା ଭୂଖଣ୍ଡ ଉପରେ ଚିଲି ଦାବୀ ଉପସ୍ଥାପନ କରି ଆସୁଥିଲା । ବଲିଭିଆ ଓ ପେରୁର ମିଳିତ ସେନା ଓ ଚିଲି ମଧ୍ୟରେ ୧୮୭୦ ମସିହାରେ ହୋଇଥିବା ଯୁଦ୍ଧ ସମୟରେ ଏକ ସନ୍ଧି ଅନୁସାରେ ଚିଲି ନିଜ ଦାବୀ ଫେରାଇ ନେଇଥିଲା । ଚିଲିର ସ୍ଥଳସେନା ଓ ନୌସେନା ପେରୁ ଓ ବଲିଭିଆକୁ ପରାସ୍ତ କରିଥିଲେ । ଏହା ପରେ ଚିଲି ପେରୁର କିଛି ଭୂଭାଗ ଓ ବଲିଭିଆର ଉପକୂଳ ଅଞ୍ଚଳ ନିଜ କବଜାକୁ ନେଇଥିଲା । ସେବେଠାରୁ ବଲିଭିଆର ଆଉ ଉପକୂଳ ନାହିଁ । ଅନ୍ତର୍ଜାତୀୟ ବ୍ୟାପାର ପାଇଁ ଏହା ଆର୍ଜେଣ୍ଟିନା ଓ ଉରୁଗୁଏର ବନ୍ଦର ବ୍ୟବହାର କରିଥାଏ । ପେରୁକୁ ତାହାର ଭୂଭାଗ ଅନେକ ଦଶନ୍ଧି ପରେ ମିଳିଯାଇଥିଲା । ୧୯୭୮ ପରଠାରୁ ବଲିଭିଆ ଓ ଚିଲି ମଧ୍ୟରେ ସମସ୍ତ କୂଟନୈତିକ ସମ୍ପର୍କ ବନ୍ଦ ରହିଛି ।
ଆଣ୍ଡିଜରେ ଥିବା ସହର ଓ ଗ୍ରାମରେ କଷ୍ଟକର ପଥ ରହିଥିବାରୁ ମୋଟରଗାଡ଼ି ଅଧିକ ଉପଯୋଗୀ ନୁହେଁ । ତେଣୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଓଟ, ଲାମା, ଆଲପକା, ଗଧ, ଖଚ୍ଚର ଓ ଘୋଡ଼ା ପରି ପଶୁମାନଙ୍କର ବ୍ୟବହାର କରିବା ଦେଖାଯାଏ । କିନ୍ତୁ ଆଧୁନିକ ଯୁଗରେ ପଶୁଙ୍କ ପିଠିରେ ଗମନାଗମନ ଓ ପରିବହନ କମ୍ ଦେଖିବାକୁ ମିଳେ ।
କୃଷିକାର୍ଯ୍ୟ
ଇନ୍କାଙ୍କ ପରି ଆଣ୍ଡିଜରେ ବାସ କରୁଥିବା ପ୍ରାଚୀନ ଲୋକେ ୬୦୦୦ ବର୍ଷରୁ ଜଳସେଚନ ବ୍ୟବସ୍ଥାର ଉପଯୋଗ କରିଆସୁଛନ୍ତି । ଢାଲୁଆ ପାର୍ବତ୍ୟ ଭୂମି ହେତୁ ଏଠାରେ ସୋପାନ ପ୍ରଣାଳୀରେ ଚାଷ କରାଯାଏ । କେବଳ ଇନ୍କା ଲୋକେ ବ୍ୟାପକ ଭାବେ ସୋପାନ କୃଷିପ୍ରଣାଳୀ ଅବଲମ୍ବନ କରୁଥିଲେ । ଆଳୁ ଏଠାକାର ମୁଖ୍ୟ କୃଷି ଉତ୍ପାଦନ । ମକାମଧ୍ୟ ଏଠାରେ ଚାଷ ହେଉଥିବା ଏକ ମୁଖ୍ୟ ଫସଲ ଓ ଏଥିରୁ ଚିଚା ପ୍ରସ୍ତୁତ ହୋଇଥାଏ । ଏହାଛଡ଼ା ରପ୍ତାନୀ ପାଇଁ ତମାଖୁ, କପା, କଫି ଇତ୍ୟାଦି ଚାଷ କରାଯାଇଥାଏ । ବହୁ କଟକଣା ସତ୍ତ୍ୱେ କୋକା ଚାଷ ହେଉଥାଏ । ବୈଧ ଭାବେ କୋକାରୁ ଜଡ଼ିବୁଟି ଚା’ ଓ ଅବୈଧ ଭାବେ ଏଥିରୁ କୋକେନ୍ ନାମକ ମାଦକଦ୍ରବ୍ୟ ପ୍ରସ୍ତୁତ କରାଯାଏ ।
ଜଳସେଚନ
ଜଳସେଚନ ନଥିବା ଅଞ୍ଚଳରେ ଜମିକୁ ପଡ଼ିଆ ବା ତୃଣଭୂମି ପାଇଁ ଛାଡ଼ି ଦିଆଯାଏ । ବର୍ଷା ସମୟରେ ଏଥିରୁ କିଛି ଅଂଶକୁ ସାମୟିକ ଫସଲ ଯଥା ଆଳୁ, ବାର୍ଲି, ଗହମ ଓ ଓସାରିଆ ବିନ୍ସ୍ ପାଇଁ ଚାଷରେ ଲଗାଯାଏ ।
ଜଳସେଚନର ବ୍ୟବସ୍ଥା ଥିଲେ ବର୍ଷସାରା ଫସଲ ଉତ୍ପାଦନ ସମ୍ଭବପର । ସମୁଦ୍ର ପତନରୁ ୩୮୦୦ ମିଟର ଉଚ୍ଚରେ ମଧ୍ୟ ମକା ପରି ଫସଲ ଲଗାଯାଇପାରିବ । ଶୀତ ଋତୁରେ ଶୁଷ୍କ ସମୟରେ ଜମିକୁ ପଡ଼ିଆ ନ ପକାଇ ଗାଜର ବା ପିଆଜ ପରି ଫସଲ ଚାଷ କରାଯାଏ ।[୩୩]
ଖଣିଜ ସମ୍ପଦ ଓ ଖନନ
ସ୍ପେନୀୟ ଉପନିବେଶ ଯୁଗରେ ଆଣ୍ଡିଜରେ ଗଚ୍ଛିତ ରହିଥିବା ଖଣିଜ ସମ୍ପଦ ଲୋକଲୋଚନକୁ ଆସିଥିଲା । ଆଣ୍ଡିଜର ଆମେରିଣ୍ଡିଆନ୍ ଜାତି ସୁନା ଓ ଅନ୍ୟ ଧାତୁରୁ ଅଳଙ୍କାର ନିର୍ମାଣ କରିବା ଜାଣିଥିଲେ । କିନ୍ତୁ ବ୍ୟାବସାୟିକ ଭିତ୍ତିରେ ସ୍ପେନୀୟ ଲୋକେ ଏଠାରେ ଖଣି ଖନନ ଆରମ୍ଭ କରାଇଲେ । ବଲିଭିଆର ପୋଟୋସି ଓ ପେରୁର କେରୋ ଡି ପାସ୍କୋ ସ୍ପେନୀୟମାନଙ୍କର ପ୍ରମୁଖ ଖଣି ଥିଲା । ରିଓ ଡି ଲା ପ୍ଲାଟା ଓ ଆର୍ଜେଣ୍ଟିନା ଦେଶର ନାମ[୩୪] ଏହି ପୋଟୋସି ଖଣିରୁ ମିଳୁଥିବା ରୂପାରୁ ଗୃହୀତ ।
ବର୍ତ୍ତମାନ ଚିଲି ଓ ପେରୁର ଆଣ୍ଡିଜରେ ତମ୍ବା ଖଣିମାନ ରହିଛି ଏବଂ ଏମାନେ ଯଥାକ୍ରମେ ବିଶ୍ୱର ପ୍ରଥମ ଓ ତୃତୀୟ ତମ୍ବା ଉତ୍ପାଦକ ଦେଶ । ପେରୁର ୟାନାକୋଚା ଖଣି ବିଶ୍ୱର ଚତୁର୍ଥ ବୃହତ୍ତମ ସୁନାଖଣି । ବଲିଭିଆ ଆଣ୍ଡିଜରୁ ଟିଣ ଖନନ କରାଯାଏ । ପାରମ୍ପରିକ ସମୟରେ ଆଣ୍ଡିଜର ଖଣିରୁ ବାହାରୁଥିବା ରୂପା ୧୭ଶ ଶତାବ୍ଦୀର ୟୁରୋପର ଅର୍ଥନୈତିକ ପ୍ରଗତିରେ ବିଶେଷ ସହାୟକ ହୋଇଥିଲା ।
ଆଣ୍ଡିଜ ପର୍ବତମାଳାରେ ଖଣି ପରମ୍ପରା ବହୁ ପୁରାତନ । ୧୬ଶ ଶତାବ୍ଦୀରେ ପୋଟୋସିର ସ୍ପେନୀୟ ରୂପା ଖଣି ହେଉ ବା ବର୍ତ୍ତମାନର ଚୁକିକାମାଟା, ଏସ୍କଣ୍ଡିଡା, ଟୋକିପାଲା ପ୍ରଭୃତି ସ୍ଥାନର ତମ୍ବା ଖଣି ହେଉ, ଏଠାରେ ଖଣି କାମ ସର୍ବଦା ସକ୍ରିୟ । ଏହା ବ୍ୟତୀତ ଲୁହା, ସୁନା, ଟିଣ ଓ ଅନେକ ଅଧାତବ ଖଣିଜ ପଦାର୍ଥ ଆଣ୍ଡିଜରୁ ମିଳିଥାଏ ।
ଗିରିଶୃଙ୍ଗ ସମୂହ
- ଆକାଙ୍କାଗୁଆ ଶୃଙ୍ଗ (ଆର୍ଜେଣ୍ଟିନା)
- ବଲିଭିଆର ସାହାମା ଶୃଙ୍ଗ
- ପାରିନାକୋଟା ଆଗ୍ନେୟଶୃଙ୍ଗ (ବଲିଭିଆ ଓ ଚିଲି ସୀମା)
- ପିକୋ କ୍ରିଷ୍ଟୋବାଲ୍ କୋଲୋନ୍ (କଲମ୍ବିଆ)
- ଇକ୍ୱେଡରର ଚିମ୍ବୋରାଜୋ ଆଗ୍ନେୟ ଶୃଙ୍ଗ
- ପିକୋ ବୋଲିଭାର୍ (ଭେନେଜୁଏଲା)
- ଚିମ୍ବୋରାଜୋ ଆଗ୍ନେୟଗିରି
- ୟେରୁପାହା ଶୃଙ୍ଗ (ପେରୁ)
- ମାଇପୋ ଶୃଙ୍ଗ
- ଏଲ୍ ମିଷ୍ଟି
- ଆର୍ଟେସନ୍ରାହୁ ଶୃଙ୍ଗ
ଆର୍ଜେଣ୍ଟିନାର ଆକାଙ୍କାଗୁଆ ଆଣ୍ଡିଜ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଆଣ୍ଡିଜ ପର୍ବତମାଳାର ପ୍ରମୁଖ ଶୃଙ୍ଗଗୁଡ଼ିକ ଦକ୍ଷିଣ ଆମେରିକାର ବିଭିନ୍ନ ଦେଶରେ ବିଚ୍ଛୁରିତ ଭାବରେ ରହିଛି ।
ଆର୍ଜେଣ୍ଟିନା
- ଆକାଙ୍କାଗୁଆ (୬୯୬୧ ମିଟର)
- କେରୋ ବୋନେତେ (୬୭୫୯ ମିଟର)
- ଗଲାନ (୫୯୧୨ ମିଟର)
- ମର୍ସେଡାରିଓ (୬୭୨୦ ମିଟର)
- ମୋଣ୍ଟେ ପିସିସ୍ (୬୭୯୫ ମିଟର)
ଆର୍ଜେଣ୍ଟିନା-ଚିଲି ସୀମା
- କେରୋ ବାୟୋ (୫୪୦୧ ମିଟର)
- କେରୋ ଫିଜ୍ ରୋୟ (୩୩୭୫ ମିଟର)
- କେରୋ ଏସ୍କୋରିଆଲ୍ (୫୪୪୭ ମିଟର)
- କର୍ଡନ୍ ଡେଲ୍ ଆଜୁଫ୍ରେ (୫୪୬୩ ମିଟର)
- ଫାଲସୋ ଆଜୁଫ୍ରେ (୫୮୯୦ ମିଟର)
- ଇନ୍କାହୁଆସି (୬୬୨୦ ମିଟର)
- ଲାଷ୍ଟାରିଆ (୫୬୯୭ ମିଟର)
- ଲୁଲାଇଲାକୋ (୬୭୩୯ ମିଟର)
- ମାଇପୋ (ଆଗ୍ନେୟଗିରି, ୫୨୬୪ ମିଟର)
- ମାର୍ମୋଲେଜୋ (୬୧୧୦ ମିଟର)
- ଓହୋସ୍ ଡେଲ୍ ସାଲାଡୋ (୬୮୯୩ ମିଟର)
- ଓଲକା (୫୪୦୭ ମିଟର)
- ସିଏରା ନେଭାଡା ଡେ ଲାଗୁନାସ୍ ବ୍ରାଭାସ୍ (୬୧୨୭ ମି)
- ସୋକୋମ୍ପା (୬୦୫୧ ମିଟର)
- ନେଭାଡୋ ତ୍ରେସ୍ କ୍ରୁକେସ୍ (୬୭୪୯ ମିଟର)
- ଟ୍ରୋନାଡୋର (୩୪୯୧ ମିଟର)
- ଟୁପୁଙ୍ଗାଟୋ (୬୫୭୦ ମିଟର)
- ନାକିମିଏନ୍ତୋ (୬୪୯୨ ମିଟର)
ବଲିଭିଆ
- ହାଙ୍କୁ ଉମା (୬୪୨୭ ମିଟର)
- କାବାରାୟା (୫୮୬୦ ମିଟର)
- ଚାକାଲ୍ଟାୟା (୫୪୨୨ ମିଟର)
- ୱାୟନା ପୋଟୋସି (୬୦୮୮ ମିଟର)
- ଇଲ୍ଲାମ୍ପୁ (୬୩୬୮ ମିଟର)
- ଇଲ୍ଲିମାନି (୬୪୩୮ ମିଟର)
- ଲାରାମ କାୱା (୫୫୨୦ ମିଟର)
- ମାକିଜୋ ଡେ ପାକୁନି (୫୪୦୦ ମିଟର)
- ନେଭାଡୋ ଆନାଲାଃସି (୫୭୫୦ ମିଟର)
- ନେଭାଡୋ ସାହାମା (୬୫୪୨ ମିଟର)
- ପାଟିଲ୍ଲା ପାଟା (୫୩୦୦ ମିଟର)
- ଟାଟା ସାବାୟା (୫୪୩୦ ମିଟର)
ବଲିଭିଆ-ଚିଲି ସୀମା
- ଆକୋଟାଙ୍ଗୋ (୬୦୫୨ ମିଟର)
- କେରୋ ମିଞ୍ଚିଞ୍ଚା (୫୩୦୫ ମିଟର)
- ଇରୁ ଫୁଟୁଞ୍ଚୁ (୫୧୬୩ ମିଟର)
- ଲିକାଙ୍କାବୁର (୫୯୨୦ ମିଟର)
- ଓଲ୍କା (୫୪୦୭ ମିଟର)
- ପାରିନାକୋଟା (୬୩୪୮ ମିଟର)
- ପାରୁମା (୫୪୨୦ ମିଟର)
- ପୋମେରାପେ (୬୨୮୨ ମିଟର)
ଚିଲି
- ମୋଣ୍ଟେ ସାନ୍ ଭାଲେଣ୍ଟିନ୍ (୪୦୫୮ ମିଟର)
- କେରୋ ପାଇନେ ଗ୍ରାଣ୍ଡେ (୨୮୮୪ ମିଟର)
- କେରୋ ମାକା (୨୩୦୦ ମିଟର)
- ମୋଣ୍ଟେ ଡାରୱିନ (୨୫୦୦ ମିଟର)
- ଭୋଲ୍କାନ୍ ହଡ୍ସନ୍ (୧୯୦୦ ମିଟର)
- କେରୋ କାଷ୍ଟିଲୋ ଡାଇନେଭୋର୍ (୧୧୦୦ ମିଟର)
- ମାଉଣ୍ଟ ଟାର୍ଣ୍ଣ (୮୨୫ ମିଟର)
- ପୋଲ୍ଲେରାସ୍ (୫୯୯୩ ମିଟର)
- ଆକାମାରାଚି (୬୦୪୬ ମିଟର)
କଲମ୍ବିଆ
- ପିକୋ କ୍ରିଷ୍ଟୋବାଲ କୋଲୋଁ (୫୭୦୦ ମିଟର)
- ନେଭାଡୋ ଡେଲ୍ ହୁଇଲା (୫୩୬୫ ମିଟର)
- ନେଭାଡୋ ଡେଲ୍ ରୁଇ (୫୩୨୧ ମିଟର)
- ନେଭାଡୋ ଡେଲ୍ ଟୋଲିମା (୫୨୦୫ ମିଟର)
- ପିକୋ ପାନ୍ ଡେ ଆଜୁକାର (୫୨୦୦ ମିଟର)
- ରିଟାକ୍ୟୁବା ନିଗ୍ରୋ (୫୩୨୦ ମିଟର)
- ନେଭାଡୋ ଡେଲ୍ କୁମ୍ବାଲ (୪୭୬୪ ମିଟର)
- କେରୋ ନିଗ୍ରୋ ଡି ମାୟାସ୍କେର (୪୪୪୫ ମିଟର)
- ରିଟାକ୍ୟୁବା ବ୍ଲାଙ୍କୋ (୫୪୧୦ ମିଟର)
- ନେଭାଡୋ ଡେଲ୍ କିନିଡିଓ (୫୨୧୫ ମିଟର)
- ପୁରାସି (୪୬୫୫ ମିଟର)
- ସାଣ୍ଟା ଇସାବେଲ୍ (ଆଗ୍ନେୟଗିରି – ୪୯୫୫ ମିଟର)
- ଡୋନା ହୁଆନା (୪୧୫୦ ମିଟର)
- ଗାରେଲାସ୍ (୪୨୭୬ ମିଟର)
- ଆଜୁଫ୍ରାଲ (୪୦୭୦ ମିଟର)
ଇକ୍ୱେଡର
- ଆଣ୍ଟିସାନା (୫୭୫୨ ମିଟର)
- କାୟାମ୍ବେ (ଆଗ୍ନେୟଗିରି – ୫୭୯୦ ମିଟର)
- ଚିଲେସ୍ (ଆଗ୍ନେୟଗିରି – ୪୭୨୩ ମିଟର)
- ଚିମ୍ବୋରାଜୋ (ଆଗ୍ନେୟଗିରି – ୬୨୬୮ ମିଟର)
- କୋରାଜୋନ୍ (୪୭୯୦ ମିଟର)
- କୋଟୋପାକ୍ସି (୫୮୯୭ ମିଟର)
- ଏଲ୍ ଆଲ୍ଟାର (୫୩୨୦ ମିଟର)
- ଇଲ୍ଲିନିଜା (୫୨୪୮ ମିଟର)
- ପିଚିଞ୍ଚା (ଆଗ୍ନେୟଗିରି – ୪୭୮୪ ମିଟର)
- କିଲୋତୋଆ (୩୯୧୪ ମିଟର)
- ରେଭେଣ୍ଟାଡୋର୍ (୩୫୬୨ ମିଟର)
- ସାଙ୍ଗାୟ (୫୨୩୦ ମିଟର)
- ଟୁଙ୍ଗୁରାହୁଆ (୫୦୨୩ ମିଟର)
ପେରୁ
- ଆଲ୍ପାମାୟୋ (୫୯୪୭ ମିଟର)
- ଆର୍ଟେସନ୍ରାହୁ (୬୦୨୫ ମିଟର)
- କାର୍ଣ୍ଣିସେରୋ (୫୯୬୦ ମିଟର)
- ଚୁମ୍ପେ (୬୧୦୬ ମିଟର)
- କୋରୋପ୍ୟୁନା (୬୩୭୭ ମିଟର)
- ଏଲ୍ ମିଷ୍ଟି (୫୮୨୨ ମିଟର)
- ଏଲ୍ ଟୋରୋ (୫୮୩୦ ମିଟର)
- ହ୍ୱାଣ୍ଡୋୟ (୬୩୯୫ ମିଟର)
- ହୁଆସକରାନ (୬୭୬୮ ମିଟର)
- ହିରିଶାଙ୍କା (୬୦୯୪ ମିଟର)
- ପୁମାସିଲୋ (୫୯୯୧ ମିଟର)
- ରାସାକ୍ (୬୦୪୦ ମିଟର)
- ରୋଣ୍ଡୋୟ (୫୮୭୦ ମିଟର)
- ସାରାପୋ (୬୧୨୭ ମିଟର)
- ସାଲକାଣ୍ଟାୟ (୬୨୭୧ ମିଟର)
- ସେରିଆ ନୋର୍ଟେ (୫୮୬୦ ମିଟର)
- ସ୍ୟୁଲା ଗ୍ରାଣ୍ଡେ (୬୩୪୪ ମିଟର)
- ହୁଆଏତାପାଲାନା (୫୫୫୭ ମିଟର)
- ୟେରୁପାହା (୬୬୩୫ ମିଟର)
- ୟେରୁପାହା ଚିକୋ (୬୦୮୯ ମିଟର)
ଭେନେଜୁଏଲା
- ପିକୋ ବୋଲିଭାର୍ (୪୯୭୮ ମିଟର)
- ପିକୋ ହୁମ୍ବୋଲ୍ଟ୍ (୪୯୪୦ ମିଟର)
- ପିକୋ ବୋନ୍ପ୍ଲାଣ୍ଡ୍ (୪୮୮୦ ମିଟର)
- ପିକୋ ଲା କୋଞ୍ଚା (୪୯୨୦ ମିଟର)
- ପିକୋ ପିଏଡ୍ରାସ୍ ବ୍ଲାଙ୍କାସ୍ (୪୭୪୦ ମିଟର)
- ପିକୋ ଏଲ୍ ଅଗ୍ୱିଲା (୪୧୮୦ ମିଟର)
- ପିକୋ ଏଲ୍ ଟୋରୋ (୪୭୨୯ ମିଟର)
- ପିକୋ ଏଲ୍ ଲିଓଁ (୪୭୪୦ ମିଟର)
- ପିକୋ ମୁକୁନୁଚି (୪୬୦୯ ମିଟର)
ଆହୁରି ଦେଖନ୍ତୁ
- ଆମାଜନ ନଦୀ
- ଗିନି ପିଗ
- ଦକ୍ଷିଣ ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା
- ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି
ଟୀକା
ଆଧାର
ପୁସ୍ତକ ଆଧାର
- Biggar, John (2005). The Andes: A Guide for Climbers (3 ed.). Scotland: Andes Publishing. ISBN 978-0-9536087-2-0.
- Darack, Ed (2001). Wild Winds: Adventures in the Highest Andes (in English). Cordee / DPP. ISBN 978-1-884980-81-7.
{{cite book}}
: CS1 maint: unrecognized language (link)