ଓଡ଼ିଶା ବିଧାନ ସଭା

ଓଡ଼ିଶା ବିଧାନ ସଭା ଓଡ଼ିଶାର ରାଜ୍ୟ ବିଧାନ ସଭା । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ଓ ଏହାର ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୪ ଓ ୩୩ ଆସନ ଯଥାକ୍ରମେ ଅନୁସୂଚିତ ଜାତି (S.C.) ଓ ଅନୂସୂଚିତ ଜନଜାତି ବା ଆଦିବାସୀ (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୦ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।[୧]

ଓଡ଼ିଶା ବିଧାନ ସଭା
ଷୋଡ଼ଶ ଅଧିବେଶନ
Coat of arms or logo
ପ୍ରକାର
ପ୍ରକାରନିମ୍ନ ସଦନ
ନେତୃତ୍ୱ
ବାଚସ୍ପ‌ତିସୂର୍ଯ୍ୟ ନାରାୟଣ ପାତ୍ର, ବିଜେଡ଼ି
ଉପ-ବାଚସ୍ପ‌ତିରଜନୀ କାନ୍ତ ସିଂହ, ବିଜେଡ଼ି
ଗୃହର ନେତା (ମୁଖ୍ୟମନ୍ତ୍ରୀ)ନବୀନ ପଟ୍ଟନାୟକ, ବିଜେଡ଼ି
ବିରୋଧୀ ଦଳ ନେତାପ୍ରଦୀପ୍ତ କୁମାର ନାୟକ, ବିଜେପି
‎‎
ଆସନ ସଂଖ୍ୟା୧୪୭ (୨୦୧୯)
ନିର୍ବାଚନ
First past the post
ଶେଷ ନିର୍ବାଚନ୨୦୧୯
ସାକ୍ଷାତକକ୍ଷ
ଓଡ଼ିଶା ବିଧାନ ସଭା
Website
http://odishaassembly.nic.in
ବିଧାନ ସଭା ଅଧିବେଶନ ସମୟରେ


ସଦସ୍ୟ ନିର୍ବାଚନ ବ୍ୟବସ୍ଥା

ରାଜ୍ୟ ବିଧାନ ସଭାର ସଦସ୍ୟମାନେ ଭୋଟରମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ । ଭାରତର ନିର୍ବାଚନ ଆୟୋଗ ଏହି ନିର୍ବାଚନ କରାନ୍ତି । ସାଧାରଣତଃ ପ୍ରତି ପାଞ୍ଚ ବର୍ଷରେ ଥରେ ବା ଆବଶ୍ୟକ ସ୍ଥଳେ, ପାଞ୍ଚ ବର୍ଷ ପୂରଣ ହେବା ପୂର୍ବରୁ ବିଧାନ ସଭା ଭଙ୍ଗ କରାଯାଇ ଯଥାଶିଘ୍ର (୬ ମାସ ମଧ୍ୟରେ) ନିର୍ବାଚନ କରାଯାଇ ନୂତନ ବିଧାନ ସଭା ଗଠନ କରାଯାଏ ।

ରାଜ୍ୟର ବିଧାନ ସଭାର ଆସନ ସଂଖ୍ୟା ଯେତିକି, ସେତିକି ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ପ୍ରତିରାଜ୍ୟକୁ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହୋଇଥାନ୍ତି ।

ପ୍ରତି ଅଠର ବର୍ଷ ବା ତତୋଧିକ ବୟସ୍କ ସାବାଳକ ନାଗରିକ ଜଣେ ମତଦାତା ( ଭୋଟର) ହିସାବରେ ନିଜର ମତଦାନ ଅଧିକାର ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରି ନିଜ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀଙ୍କୁ ବିଧାନ ସଭାକୁ ଲୋକ-ପ୍ରତିନିଧି ବା ସଦସ୍ୟ (ଏମ:ଏଲ:ଏ) ଭାବେ ନିର୍ବାଚିତ କରିଥାନ୍ତି ।

ସଭ୍ୟ ପଦପାଇଁ ଆବଶ୍ୟକ ଯୋଗ୍ୟତା

ବିଧାନ ସଭାର ସଦସ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତାଥିବା ଥିବା ଆବଶ୍ୟକ ।

  1. ସେ ଜଣେ ଭାରତୀୟ ନାଗରିକ ହେଇଥିବେ ।
  2. ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
  3. ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ସେହି ପ୍ରାର୍ଥୀଙ୍କର ଥିବ ।

ତେବେ ବିଧାନ ସଭାର ସଭ୍ୟପଦ ପାଇଁ ଜଣେ ବ୍ୟକ୍ତି ଅଯୋଗ୍ୟ ଘୋଷିତ ହେବେ, ଯଦି :-

  1. ସେ କୌଣସି ସରକାରୀ ଲାଭଜନକ ପଦବୀରେ ଅବସ୍ଥାପିତ ହୋଇଥିବେ ।
  2. ସେ ମସ୍ତିସ୍କ ବିକୃତ ବୋଲି ନ୍ୟାୟାଳୟଦ୍ୱାରା ବିବେଚିତ ହୋଇଥିବେ ।
  3. ସେ ନିସ୍ୱ ହୋଇଥିବେ ।
  4. ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।

ସେ ସଂସଦ ଦ୍ୱରା ପ୍ରଣୀତ ଆଇନର ବ୍ୟବସ୍ଥାନୁସାରେ ଅଯୋଗ୍ୟ ବିବେଚିତ ହୋଇଥିବେ ।

କାର୍ଯ୍ୟକାଳ

ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷ । ତେବେ ରାଜ୍ୟପାଳ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଧାନ ସଭାକୁ ୫ ବର୍ଷ ସମୟ ସୀମା ପୂରଣ ହେବା ପୂର୍ବରୁ ଭାଙ୍ଗିଦେଇ ପାରନ୍ତି, ତେବେ ଏକ୍ଷେତ୍ରରେ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶ ସର୍ବଦା ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ୟନୁହନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଘୋଷିତ ହୋଇଥିଲେ ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷରୁ ଅଧିକ ୧ ବର୍ଷ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଜରୁରୀ ପରିସ୍ଥିତି ଉଠିଗଲେ, ବର୍ଦ୍ଧିତ କାର୍ଯ୍ୟକାଳା ୬ ମାସରୁ ଅଧିକ ହେବ ନାହିଁ

  1. କୋରମ୍ -ବିଧାନ ସଭାର ସର୍ବମୋଟ ସଭ୍ୟସଂଖ୍ୟାର ୧/୧୦ ଅଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ,ଗୃହ କାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଭ୍ୟଙ୍କର ଉପସ୍ଥିତିକୁ କୋରମ କୁହାଯାଏ ।
  2. ଅଧିବେଶନ - ବିଧାନ ସଭାର ଅଧିବେଶନ ବର୍ଷକୁ ଅନ୍ୟନ ଦୁଇଥର ବସେ ଓ ଦୁଇ ଅଧିବେଶନ ମଧ୍ୟରେ ବିରତି/ବିଶ୍ରାମ ସମୟ ୬ ମାସରୁୟ୍ ଅଧିକ ହୁଏ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ବିଧାନ ସଭାର ଅଧିବେଶନ ସମାପ୍ତି ଘୋଷଣା କରନ୍ତି । ଏବେ ବିଧାନ ସଭା ସାଧାରଣତଃ ବର୍ଷକୁ ତିନିଥର ବସୁଛି, ଯଥା - ବଜେଟ୍ ଅଧିବେଶନ, ବର୍ଷାକାଳୀନ ଓ ଶୀତ କାଳୀନ ଅଧିବେଶନ ।

ଅଧ୍ୟକ୍ଷ ବା ବାଚସ୍ପତି

ବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନ ସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କଦ୍ୱାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ୱରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ୱତନ୍ତ୍ର ସଚିବାଳ୍ୟ ( ସେକ୍ରେଟେରୀଏଟ୍) ଅଛି ।

ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ ଅଧ୍ୟକ୍ଷ ମଣ୍ଡଳୀ ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।

ଇତିହାସ

ସଂଖ୍ୟାନାମଆରମ୍ଭଶେଷବାଚସ୍ପତି [୨]
ପ୍ରଥମ ବିଧାନ ସଭା (ସ୍ୱାଧୀନତା-ପୂର୍ବରୁ)୦୩ ଫେବୃଆରୀ ୧୯୩୭୧୪ ଅକ୍ଟୋବର ୧୯୪୫ମୁକୁନ୍ଦ ପ୍ରସାଦ ଦାସ (୨୮ ଜୁଲାଇ ୧୯୩୭ -୨୯ ମଇ ୧୯୪୬)
ଦ୍ୱିତୀୟ ବିଧାନ ସଭା (ସ୍ୱାଧୀନତା-ପୂର୍ବରୁ)୧୮ଅପ୍ରେଲ ୧୯୪୬୨୦ ଫେବୃଆରୀ ୧୯୫୨ଲାଲ ମୋହନ ପଟ୍ଟନାୟକ (୨୯ ମଇ ୧୯୪୬ - ୬ ମାର୍ଚ୍ଚ ୧୯୫୨)
ପ୍ରଥମ ବିଧାନ ସଭା୨୦ ଫେବୃଆରୀ ୧୯୫୨୪ ମଇ ୧୯୫୭ନନ୍ଦ କିଶୋର ଦାସ (୦୬ ମାର୍ଚ୍ଚ ୧୯୫୨ -୨୭ ମଇ ୧୯୫୭)
ଦ୍ୱିତୀୟ ବିଧାନ ସଭା୧ ଅପ୍ରେଲ ୧୯୫୭୨୫ ଫେବୃଆରୀ ୧୯୬୧ନୀଳକଣ୍ଠ ଦାସ (୨୭ ମଇ ୧୯୫୭ - ୦୧ ଜୁଲାଇ ୧୯୬୧)
ତୃତୀୟ ବିଧାନ ସଭା୨୧ ଜୁନ ୧୯୬୧୧ ମାର୍ଚ୍ଚ ୧୯୬୭ଲିଙ୍ଗରାଜ ପାଣିଗ୍ରାହୀ (୦୧ ଜୁଲାଇ ୧୯୬୧- ୧୮ ମାର୍ଚ୍ଚ ୧୯୬୭)
ଚତୁର୍ଥ ବିଧାନ ସଭା୧ ମାର୍ଚ୍ଚ ୧୯୬୭୨୩ ଜାନୁଆରୀ ୧୯୭୧ନନ୍ଦ କିଶୋର ମିଶ୍ର (୧୮ ମାର୍ଚ୍ଚ ୧୯୬୭ - ୧୨ ଅପ୍ରେଲ ୧୯୭୧)
ପଞ୍ଚମ ବିଧାନ ସଭା୨୩ ମାର୍ଚ୍ଚ ୧୯୭୧୩ ମାର୍ଚ୍ଚ ୧୯୭୩ନନ୍ଦ କିଶୋର ମିଶ୍ର (୧୨ ଅପ୍ରେଲ ୧୯୭୧ – ୨୧ ମାର୍ଚ୍ଚ ୧୯୭୪)
ଷଷ୍ଠ ବିଧାନ ସଭା୬ ମାର୍ଚ୍ଚ ୧୯୭୪୩୦ ଅପ୍ରେଲ ୧୯୭୭ବ୍ରଜ ମୋହନ ମହାନ୍ତି (୨୧ ମାର୍ଚ୍ଚ ୧୯୭୪ - ୧ ଜୁଲାଇ ୧୯୭୭)
ସପ୍ତମ ବିଧାନ ସଭା୨୬ ଜୁନ ୧୯୭୭୧୭ ଫେବୃଆରୀ ୧୯୮୦ସତ୍ୟପ୍ରିୟ ମହାନ୍ତି (୧ ଜୁଲାଇ ୧୯୭୭ – ୧୨ ଜୁନ ୧୯୮୦)
ଅଷ୍ଟମ ବିଧାନ ସଭା୯ ଜୁନ ୧୯୮୦୯ ମାର୍ଚ୍ଚ ୧୯୮୫ସୋମନାଥ ରଥ (୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪)*
ପ୍ରସନ୍ନ କୁମାର ଦାସ (୨୨ ଫେବୃଆରୀ ୧୯୮୪ - ୧୪ ଫେବୃଆରୀ ୧୯୮୫)
ନବମ ବିଧାନ ସଭା୯ ମାର୍ଚ୍ଚ ୧୯୮୫୩ ମାର୍ଚ୍ଚ ୧୯୯୦ପ୍ରସନ୍ନ କୁମାର ଦାସ (୧୪ ଫେବୃଆରୀ ୧୯୮୫ – ୦୯ ମାର୍ଚ୍ଚ ୧୯୯୦)
୧୦ଦଶମ ବିଧାନ ସଭା୩ ମାର୍ଚ୍ଚ ୧୯୯୦୧୫ ମାର୍ଚ୍ଚ ୧୯୯୫ଯୁଧିଷ୍ଠିର ଦାସ (୯ ମାର୍ଚ୍ଚ ୧୯୯୦ – ୨୨ ମାର୍ଚ୍ଚ ୧୯୯୫)
୧୧ଏକାଦଶ ବିଧାନ ସଭା୧୫ ମାର୍ଚ୍ଚ ୧୯୯୫୨୯ ଫେବୃଆରୀ ୨୦୦୦କିଶୋର ଚନ୍ଦ୍ର ପଟେଲ (୨୨ ମାର୍ଚ୍ଚ ୧୯୯୫ - ୧୪ ଜାନୁଆରୀ ୧୯୯୬)*
ଚିନ୍ତାମଣି ଦ୍ୟାନ ସାମନ୍ତରା (୧୬ ଫେବୃଆରୀ ୧୯୯୬ – ୧୦ ମାର୍ଚ୍ଚ ୨୦୦୦)
୧୨ଦ୍ୱାଦଶ ବିଧାନ ସଭା୨୯ ଫେବୃଆରୀ ୨୦୦୦୬ ଫେବୃଆରୀ ୨୦୦୪ଶରତ କୁମାର କର (୧୦ ମାର୍ଚ୍ଚ ୨୦୦୦ - ୨୧ ମଇ ୨୦୦୪)
୧୩ତ୍ରୟୋଦଶ ବିଧାନ ସଭା୧୫ ମଇ ୨୦୦୪୧୯ ମଇ ୨୦୦୯ମହେଶ୍ୱର ମହାନ୍ତି (୨୧ ମଇ ୨୦୦୪ - ୩୧ ମାର୍ଚ୍ଚ ୨୦୦୮)*
କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୨୫ ମଇ ୨୦୦୯)
୧୪ଚତୁର୍ଦ୍ଦଶ ବିଧାନ ସଭା୧୯ ମଇ ୨୦୦୯୨୦ ମଇ ୨୦୧୪ପ୍ରଦୀପ କୁମାର ଅମାତ (୨୫ ମଇ ୨୦୦୯ - ୨୦ ମଇ ୨୦୧୪)
୧୫ପଞ୍ଚଦଶ ବିଧାନ ସଭା୨୧ ମଇ ୨୦୧୪୩୧ ମଇ ୨୦୧୯ନିରଞ୍ଜନ ପୂଜାରୀ (୨୬ ମଇ ୨୦୧୪ - ୬ ମଇ ୨୦୧୭)*
ପ୍ରଦୀପ କୁମାର ଅମାତ (୧୬ ମଇ ୨୦୧୭ - ୩୧ ମଇ ୨୦୧୯)
୧୬ଷୋଡ଼ଶ ବିଧାନ ସଭା୧ ଜୁନ ୨୦୧୯କାର୍ଯ୍ୟରତସୂର୍ଯ୍ୟ ନାରାୟଣ ପାତ୍ର (୧ ଜୁନ ୨୦୧୯ - କାର୍ଯ୍ୟରତ)

* ଇସ୍ତଫା ଦେଇଥିଲେ

ଆଧାର

ବାହାର ତଥ୍ୟ