କବାଡି

ଭାରତର ବିଭିନ୍ନ ଅଞ୍ଚଳରେ ଖେଳା ଯାଉଥିବା ଏକ ଲୋକପ୍ରିୟ ଖେଳ

କବାଡି ଭାରତର ବିଭିନ୍ନ ଅଞ୍ଚଳରେ ଖେଳା ଯାଉଥିବା ଏକ ଲୋକପ୍ରିୟ ଖେଳ । ଏହା ସର୍ବପ୍ରଥମେ ଭାରତରୁ ଆରମ୍ଭ ହୋଇଥିବାର ନଜିର ରହିଛି । ଭାରତରେ ବିଭିନ୍ନ ପର୍ବ ପାଳନ ଅବସରରେ ତଥା ଅନ୍ୟ ସମୟରେ ଆମୋଦ ପାଇଁ ମଧ୍ୟ ଖେଳା ଯାଇଥାଏ । ଭାରତ ଛଡା ବିଭିନ୍ନ ସ୍ଥାନରେ ଏହି ଖେଳକୁ ଭିନ୍ନ ଭିନ୍ନ ଆଞ୍ଚଳିକ ନାମରେ ଲୋକମାନେ ଜାଣନ୍ତି । ବଙ୍ଗଳାଦେଶରେ ଏହି ଖେଳକୁ ହୁହୁଡୁ , ମାଳଦ୍ୱୀପରେ ଏହାକୁ ବାନାଟି , ଆନ୍ଧ୍ରପ୍ରଦେଶରେ ଏହାକୁ ଚୀଡୁଗୁଡୁ , ତାମିଲନାଡୁରେ ସାଡୁଗୁଡୁ ଆଦି ନାମରେ ଜଣାଯାଇଥାଏ । [୧][୨] ଏହି ଖେଳଟି ବଙ୍ଗଳାଦେଶରେ ଜାତୀୟ ଖେଳ ଭାବରେ ଆଦୃତ ହୋଇଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏବେ ଭାରତରେ ଜାତୀୟ ସ୍ତରରେ ପ୍ରୋ କବାଡି ଲିଗ(Pro Kabaddi League) ଆୟୋଜନ କରାଯାଉଛି । [୩] ଯଦିଓ ଏହାର ନାମର ଉତ୍ପତ୍ତିକୁ ନେଇ ସେପରି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ଆଜିଯାଏଁ ମିଳି ପାରିନାହିଁ , ତଥାପି ଉତ୍ତର ଭାରତରୁ ଏହାର ଉତ୍ପତ୍ତି ବିଷୟରେ ସୂଚନା ମିଳେ ।[୪] ତାମିଲ ଶବ୍ଦ "କାଭିଡି"(ତାମିଲ ଅର୍ଥ ଅଧା ନଇଁ କରି ଖେଳିବାକୁ ବୁଝାଏ) କିମ୍ବା "କାଇ-ପିଡି"(ହାତକୁ ହାତ ଧରିକରି ଖେଳିବାକୁ ବୁଝାଏ )ରୁ "କବାଡି'" ଶବ୍ଦ ଆସିଥିବା ଅନୁମାନ କରାଯାଏ । [୫][୬]

କବାଡି ଖେଳ

ଇତିହାସ

ମହିଳାମାନେ କବାଡି ଖେଳୁଥିବାର ଏକ ଦୃଶ୍ୟ

କବାଡି ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ଖେଳାଯାଇଥାଏ । ତେଣୁକରି ଭାରତର ଅନେକ ରାଜ୍ୟ କବାଡି ଖେଳ ନିଜ ରାଜ୍ୟରୁ ଆରମ୍ଭ ହୋଇଥିବା ଦାବି କରନ୍ତି । ଏହାର କେତେକ ପ୍ରକାର ତାମିଲ ନାଡୁରେ ଆଗ କାଳରେ ହେଉଥିବା ଶିକାର ଓ ଗ୍ରାମର ସୁରକ୍ଷା ପଦ୍ଧତ୍ତିରୁ ଆସିଥିବା ଅନୁମାନ କରାଯାଏ । [୭][୮][୯] ଅନ୍ୟ କେତେକ ପ୍ରକାର ଉତ୍ତର ଭାରତରୁ ମଧ୍ୟ ଆରମ୍ଭ ହୋଇଥିବା ନଜିର ରହିଛି । [୧୦][୧୧][୧୨] ଯଦିଓ ଦକ୍ଷିଣ ଏସିଆର ବିଭିନ୍ନ ପ୍ରାନ୍ତରେ କବାଡି ଏକ ପାରମ୍ପରିକ ଖେଳ ଭାବେ ଆଦୃତ , ତଥାପି ବର୍ତ୍ତମାନ ମହାରାଷ୍ଟ୍ରରେ କବାଡିର ଆଦୃତିକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଏଠାରେ ୧୯୧୫ରୁ ୧୯୨୦ ମଧ୍ୟରେ କବାଡି ଖେଳକୁ ଅଧିକ ଉନ୍ନତ କରିବା ପାଇଁ ଖେଳର ନୀତି ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲା , କିନ୍ତୁ ଏହାର ଉଦ୍ଦେଶ୍ୟ ସମାନ ରହିଥିଲା । [୧୩][୧୪][୧୫][୧୬]ଲୋକମାନେ ଶାରୀରିକ ପରିଶ୍ରମ ପାଇଁ ତଥା ଆମୋଦ ଲାଭ କରିବାକୁ କବାଡି ଖେଳୁଥିଲେ । [୧୭] ବର୍ତ୍ତମାନ ଖେଳାଯାଉଥିବା କବାଡିକୁ ସେହି ପୁରୁଣା କାଳର କବାଡିର ଏକ ପ୍ରକାର ଭାବରେ ଜଣାଯାଏ । [୧୮] ୧୯୩୬ରେ ବର୍ଲିନ ଅଲମ୍ପିକ ଚାଲିଥିବା ସମୟରେ , କବାଡିକୁ ଭାରତୀୟମାନେ ଆନ୍ତର୍ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିପାରିଥିଲେ । ୧୯୩୮ରେ ଏହି ଖେଳକୁ କଲିକତାଠାରେ ଅନୁଷ୍ଠିତ ଇଣ୍ଡିଆନ ନ୍ୟାସନାଲ ଗେମ(Indian National Game)ରେ ସାମିଲ କରାଯାଇଥିଲା । ଏହାର ଉନ୍ନତି ତଥା ଲୋକପ୍ରିୟତା ବୃଦ୍ଧି କରିବାକୁ 1950ରେ ଅଲ ଇଣ୍ଡିଆ କବାଡି ଫେଡେରେସନ (All India Kabaddi Federation (AIKF)) ଗଠନ କରାଯାଇଥିଲା । ୧୯୭୨ରେ AIKF ପକ୍ଷରୁ ଚେନ୍ନାଇଠାରେ ପୁରୁଷମାନଙ୍କ ପାଇଁ ପ୍ରଥମେ ଏକ କବାଡି ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।[୧୯] ୧୯୭୯ରେ AIKF ତରଫରୁ ଭାରତର "ସୁନ୍ଦର ରାମ"ଙ୍କଦ୍ୱାରା , କବାଡି ଖେଳକୁ ଜାପାନରେ ଆରମ୍ଭ କରାଯାଇଥିଲା । ସେତେବେଳେ ଏହି ଖେଳ ଜାପାନରେ ୨ ମାସ ଧରି ଚାଲିଥିଲା । [୨୦] ଏହି ଖେଳର ଆରମ୍ଭ ପୁରାତନ ଭରତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି । ଏପରିକି ପ୍ରସିଦ୍ଧ ମହାଭାରତରେ ମଧ୍ୟ ଏହାର ବର୍ଣ୍ଣନା ରହିଛି । ଆଗ କାଳରେ ଗୁରୁକୁଳ ମାନଙ୍କରେ ଶିଷ୍ୟମାନଙ୍କୁ ଶିକ୍ଷାଦାନ ସହିତ ଖେଳକୁଦର ମଧ୍ୟ ଅଭ୍ୟାସ କରାଯାଉଥିଲା ଓ କବାଡି ସେଥି ମଧ୍ୟରୁ ଅନ୍ୟତମ ଥିଲା । ନନ୍ଦ ପୁରାଣରେ ମଧ୍ୟ କୃଷ୍ଣ ଛୋଟ ଥିବା ବେଳେ ସାଙ୍ଗ ମାନଙ୍କ ସହିତ କବାଡି ଖେଳୁଥିବାର ବର୍ଣ୍ଣନା ରହିଛି ।

ପ୍ରକାର ଭେଦ

ଆନ୍ତର୍ଜାତୀୟ

ଏକ କବାଡି ମଇଦାନ

ଆନ୍ତର୍ଜାତୀୟ ସ୍ତରରେ ଖେଳଯାଉଥିବା କବାଡିରେ ,ଗୋଟିଏ ଖେଳ ମଇଦାନରେ ଗୋଟିଏ ରେଖାର ୨ଟି ପାର୍ଶ୍ୱରେ, ୨ଟି ଦଳରେ ୭ ଜଣ ଲେଖାଏଁ ଖେଳାଳି ରହିଥାନ୍ତି । ମଇଦାନର ଆକାର ମହିଳା(୮ ମିଟର×୧୨ ମିଟର) ଓ ପୁରୁଷ(୧୦ ମିଟର ×୧୩ ମିଟର) ଉଭୟଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । [୨୧]ଉଭୟ ପକ୍ଷରେ କୌଣସି ଦରକାରୀ ସମୟରେ ଖେଳିବା ପାଇଁ ୩ ଜଣ ଲେଖାଏଁ ଖେଳାଳି ଅଧିକା ରଖାଯାଇଥାନ୍ତି । ଖେଳ ୨୦ - ୨୦ ମିନିଟ ସମୟ ବ୍ୟବଧାନ ରଖି ଖେଳାଯାଏ ଓ ଏକ ୫ ମିନିଟର ବିରତି ସମୟ ରଖାଯାଇଥାଏ । ଏହି ସମୟ ସୀମା ମଧ୍ୟରେ ଉଭୟ ଦଳର ଖେଳାଳି ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି । ଖେଳର ନିୟମ ଅନୁସାରେ , ଗୋଟିଏ ଦଳରୁ ଜଣେ ଖେଳାଳି ରେଖାଟି ପାର ହୋଇ ଅନ୍ୟ ପଟକୁ ଯାନ୍ତି । ଏକ ରାହାରେ ଏକ ନିଶ୍ୱାସରେ ଅନ୍ୟ ପାର୍ଶ୍ୱରେ ଥିବା ଦଳର ଖେଳାଳି ମାନଙ୍କୁ ଛୁଇଁବା ପାଇଁ ଚେଷ୍ଟା କରନ୍ତି । ଯଦି ସେପରି ହୁଏ , ତେବେ ପ୍ରତିପକ୍ଷ ଦଳର ସେହି ଖେଳାଳିଙ୍କୁ ଖେଳ ଛାଡି ମଇଦାନରୁ ବାହାରକୁ ଯିବାକୁ ହୁଏ ଓ ଅନ୍ୟ ସାଥି ଖେଳାଳିମାନେ ଖେଳ ଜାରି ରଖନ୍ତି । କିନ୍ତୁ ଯଦି ପ୍ରଥମ ଦଳର ଖେଳାଳିଟି ସେପରି କରିବାରେ ଅସଫଳ ହୁଏ କିମ୍ବା ନିଶ୍ୱାସ ଛାଡିଦିଏ କିମ୍ବା ରେଖାର ନିଜ ଦଳ ପଟକୁ ଫେରିବା ଆଗରୁ ପ୍ରତିପକ୍ଷ ଦଳର ଖେଳାଳିଙ୍କ ହାତରେ ଧରାପଡେ , ତେବେ ସେହି ଖେଳାଳିକୁ ମଇଦାନରୁ ବାହାରକୁ ଯିବାକୁ ହୁଏ ଓ ଅନ୍ୟ ସାଥି ଖେଳାଳିମାନେ ଖେଳ ଜାରି ରଖନ୍ତି ।

ଭାରତୀୟ ଶୈଳୀ

କବାଡି ମଇଦାନର ଗୋଲେଇ

ଭାରତରେ ମୁଖ୍ୟତଃ ୪ ପ୍ରକାରର କବାଡି ଖେଳ ଦେଖିବାକୁ ମିଳିଥାଏ । AIKFଦ୍ୱାରା ଏହାର ବିଭାଗୀକରଣ କରାଯାଇଥାଏ । "ସଞ୍ଜିବନୀ କବାଡି"ରେ ଉଭୟ ଦଳର ଖେଳାଳି ମାନଙ୍କ ମଧ୍ୟରେ ଜଣେ ଜଣେ କରି ମୁକାବିଲା ହୋଇଥାଏ । "ଜେମିନି" ଢଙ୍ଗରେ ଖେଳା ଯାଉଥିବା କବାଡିରେ ଗୋଟିଏ ଦଳର ଜଣେ ଖେଳାଳିଙ୍କୁ ଅନ୍ୟ ଦଳର ୭ ଜଣ ଖେଳାଳିଙ୍କ ସହିତ ମୁକାବିଲା କରିବାକୁ ପଡିଥାଏ । "ଅମର" ଢଙ୍ଗରେ ଖେଳା ଯାଉଥିବା କବାଡିର ନିୟମ "ସଞ୍ଜିବନୀ କବାଡି" ସହିତ ଅନେକ ମେଲ ଖାଇଥାଏ ,କିନ୍ତୁ ଏଥିରେ ଯେଉଁ ଖେଳାଳି ପରାସ୍ତ ହୁଏ ସେ ମଇଦାନ ଛାଡି ଯାଏ ନାହିଁ । ଖେଳ ସରିବା ଯାଏଁ ମଇଦାନରେ ରହିଥାଏ । "ପଞ୍ଜାବୀ କବାଡି"ର ବିଶେଷତ୍ୱ ହେଉଛି ଏହା ଏକ ୧୨ ମିଟର ବ୍ୟାସ ବିଶିଷ୍ଟ ଗୋଲାକାର ମଇଦାନ ଭିତରେ ଖେଳା ଯାଇଥାଏ । [୨୨]

କେତେକ ପ୍ରତିଯୋଗିତା

ପ୍ରତିଯୋଗିତାରେ କବାଡିର ସଂକେତ

ଏସୀୟ କ୍ରୀଡ଼ା

୧୯୯୦ ମସିହାରୁ କବାଡିକୁ ଏସୀୟ କ୍ରୀଡାରେ ସାମିଲ କରାଯାଇଛି । ଏଥିରେ ଭାରତୀୟ କବାଡି ଦଳ ସଫଳତମ ଦଳ ଭାବରେ ଉଭା ହୋଇଥିବା ବେଳେ ଭାରତ ପଛକୁ ବଙ୍ଗଳାଦେଶ ଦ୍ୱିତୀୟ ସ୍ଥାନରେ ରହିଛି ।

ଏସିଆ କବାଡି କପ

ବିଶେଷ ଭାବରେ କବାଡି ପାଇଁ ପ୍ରତି ବର୍ଷ ଏସିଆ କବାଡି କପ ଆୟୋଜନ କରାଯାଇଥାଏ । ୨୦୧୧ରେ ଏହା ଇରାନରେ ଓ ୨୦୧୨ରେ ଲାହୋରଠାରେ ଆୟୋଜିତ ହୋଇଥିଲା ।

କବାଡି ବିଶ୍ୱ କପ

କବାଡି ବିଶ୍ୱ କପ ପ୍ରଥମେ ୨୦୦୪ ମସିହାରେ ଆରମ୍ଭ କରାଯାଇଥିଲା । ତା ପରେ ଏହା ୨୦୦୭ ,୨୦୧୦ରେ ଆୟୋଜିତ ହୋଇଥିଲା । ୨୦୧୦ ମସିହା ପରଠାରୁ ଏହି କବାଡି ବିଶ୍ୱ କପ ସବୁ ବର୍ଷ ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହେଉଛି । [୨୩][୨୪]ବର୍ତ୍ତମାନ ଯାଏଁ ଏହି ବିଶ୍ୱ କପର ପ୍ରତ୍ୟେକ ସଂସ୍କରଣରେ ଭାରତର କବାଡି ଦଳ ବିଜୟୀ ହୋଇଆସୁଛି ।

କବାଡି ବିଶ୍ୱ କପ ୨୦୧୬

୨୦୧୬ ସଂସ୍କରଣ ବିଶ୍ୱ କପ ଭାରତର ଅହମଦାବାଦ ସହରରେ ଅନୁଷ୍ଠିତ ହେଇଥିଲା । ଏଥିରେ ବିଶ୍ୱର ୧୨ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମେଚରେ ଭରତ ଇରାନକୁ ପରାସ୍ତ କରି ଚମ୍ପିୟାନ ହେଇଥିଲା ।http://indianexpress.com/article/sports/sport-others/live-kabaddi-score-india-vs-iran-final-world-cup-2016-streaming-video-highlights-ahmedabad-3096922

ମହିଳା ବିଶ୍ୱ କପ

ପ୍ରଥମ କବାଡି ମହିଳା ବିଶ୍ୱ କପ ୧୦୧୨ ମସିହାରେ ଭାରତର ପାଟନାଠାରେ ଆୟୋଜିତ କରାଯାଇଥିଲା । ଏଠାରେ ଅନ୍ତିମ ବାଜିରେ ଭାରତୀୟ ମହିଳା କବାଡି ଦଳ ଇରାନକୁ ହରାଇ ବିଜୟୀ ହୋଇଥିଲେ ।[୨୫] ୧୦୧୩ ମସିହାରେ ପୁଣି ଥରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତୀୟ ମହିଳା କବାଡି ଦଳ ବିଜୟୀ ହୋଇଥିଲେ ।

ପ୍ରୋ କବାଡି ଲିଗ

ଭାରତରେ କ୍ରିକେଟ ଖେଳର ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତାକୁ ନଜରରେ ରଖି ୨୦୧୪ ମସିହାରେ ପ୍ରଥମ ଥର ପାଇଁ ପ୍ରୋ କବାଡି ଲିଗ ଆରମ୍ଭ କରାଯାଇଥିଲା ।[୨୬] ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତର ପ୍ରମୁଖ ୮ଟି ସହରର ନାମରେ ୮ଟି ଦଳ ଗଠନ କରି ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ସେଗୁଡିକୁ :

ଆଦି ସହର ଗୁଡିକର ନାମରେ ୮ଟି ଦଳରେ ବିଭକ୍ତ କରାଯାଇଥିଲା ।

ୟୁ.କେ କବାଡି କପ

ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୩ ମସିହାରେ ୟୁ.କେ କବାଡି କପ ଆୟୋଜିତ ହେବା ପରେ ପ୍ରଥମ ଥର ପାଇଁ କବାଡି ସେଠାରେ ଜନସମୂହକୁ ଆସିଥିଲା ଏବଂ ଲୋକପ୍ରିୟତା ହାସଲ କରିଥିଲା । ଏହି କବାଡି କପରେ ପ୍ରମୁଖ ଦଳ ଭାବରେ ଭାରତ , ଇଂଲଣ୍ଡ , ପାକିସ୍ତାନ , ଆମେରିକାକାନାଡା ଆଦି ଦେଶର କବାଡି ଦଳଗୁଡ଼ିକ ଅଂଶଗ୍ରହଣ କରିଥିଲେ ।

ବିଶ୍ୱ କବାଡି ଲିଗ

ବିଶ୍ୱ କବାଡି ଲିଗ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା ।[୨୭] ପ୍ରଥମ ସଂସ୍କରଣରେ କାନାଡା , ପାକିସ୍ତାନ , ଆମେରିକା ଓ ଇଂଲଣ୍ଡ ସହିତ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଖେଳର ପ୍ରକାର ପଞ୍ଜାବୀ କବାଡି ରଖାଯାଇଥିଲା ।[୨୮] ଭାରତର କେତେକ ଲୋକପ୍ରିୟ ବ୍ୟକ୍ତିତ୍ୱ ଏହି ସବୁ ଦଳର ମାଲିକାନାରେ ଭାଗୀଦାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ବଲିଉଡ ଅଭିନେତା ଅକ୍ଷୟ କୁମାର , ଅଭିନେତ୍ରୀ ସୋନାକ୍ଷୀ ସିହ୍ନା , ରଜତ ବେଦୀ ଆଦି ଅନ୍ୟତମ ଥିଲେ ।[୨୯] [୩୦][୩୧]

ଲୋକପ୍ରିୟତା

କବାଡି ଦକ୍ଷିଣ ଏସିଆର ଏକ ଲୋକପ୍ରିୟ ଖେଳ ଭାବରେ ପ୍ରସିଦ୍ଧି ଲାଭ କରିଛି । ଭାରତରେ ପ୍ରଥମ କରି ୧୯୫୦ ମସିହାରେ କବାଡି ଫେଡେରେସନ ଅଫ ଇଣ୍ଡିଆ ଗଠନ କରାଯାଇଥିଲା ଓ ଏହି ଖେଳର ସମସ୍ତ ନୀତି ନିୟମ ଜାତୀୟ ସ୍ତରରେ ନିର୍ଦ୍ଧାରିତ କରାଯାଇଥିଲା । କାଳକ୍ରମେ ଏହାର ଲୋକପ୍ରିୟତାକୁ ଦେଖି ଅନ୍ୟ ଦେଶମାନେ ଏହି ଖେଳକୁ ଆପଣେଇନେଇଥିଲେ । ସେଗୁଡିକ ମଧ୍ୟରୁ ପାକିସ୍ତାନ , ବଙ୍ଗଳାଦେଶଇରାନ ଆଦି ଅନ୍ୟତମ । ଏହା ନେପାଳରେ ମଧ୍ୟ ଏକ ଜାତୀୟ ଖେଳର ମାନ୍ୟତା ପାଇଛି । ଏପରିକି ବ୍ରିଟିଶ ସେନା ଓ ଭାରତୀୟ ସେନାର ସୈନିକ ମାନଙ୍କ ମଧ୍ୟରେ କବାଡି ଖେଳ ବେଶ ଲୋକପ୍ରିୟ ହୋଇପାରିଛି ।

ଆଧାରିତ ଚଳଚ୍ଚିତ୍ର

ଏହାର ଲୋକପ୍ରିୟତାକୁ ନଜରରେ ରଖି ବିଭିନ୍ନ ସମୟରେ ବିଭିନ୍ନ ଭାଷାରେ କବାଡି ଆଧାରିତ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ସେଗୁଡିକ ମଧ୍ୟରୁ କିଛି ପ୍ରମୁଖ ଚଳଚ୍ଚିତ୍ର ହେଲେ :

  • ଲିଟିଲ ବୁଦ୍ଧ (୧୯୯୩)
  • ପରଦେଶ (୧୯୯୭)
  • ହୁ ତୁ ତୁ (୧୯୯୯)
  • କବାଡି କବାଡି (୨୦୦୩)
  • ଅକଡୁ (୨୦୦୩)
  • ଗିଲ୍ଲୀ (୨୦୦୪)
  • ଅଜୟ (୨୦୦୬)
  • କବାଡି (୨୦୦୯)
  • ଚାଲ ଧର ଫକଡ (୨୦୧୦)
  • କବାଡି ୱାନ୍ସ ଏଗେନ (୨୦୧୨)
  • ବଦଲାପୁର ବୟେଜ (୨୦୧୪)
  • ତେୱର (୨୦୧୫)

ଆଧାର