ଦେବଦୀପାବଳି

ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ ।[୧] ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟାଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।[୨]

ବେଶ

ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।[୩]

ନୀତି

ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ସନ୍ଧ୍ୟାଧୂପ ନୀତି ବଢ଼ି ଧୋପଖାଳ ହେବାପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରନ୍ତି । ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣକରି ଚାଉଳ ଗଛରେ ବତୀ ବସାନ୍ତି । ସମୁଦାୟ ଅଠେଇଶଟି ବତୀ ବସାଯାଏ, ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଦଶଗୋଟି, ଶ୍ରୀବଳଭଦ୍ରଙ୍କ ନିମନ୍ତେ ନଅଟି ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ନଅଟି ଦୀପ ବସାଯାଇଥାଏ । ତିନିଗୋଟି ସୁନାଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରନ୍ତି । ଏହାପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିବା ପରେ ତିନୋଟି ମହାଦୀପରେ ବନ୍ଦାପନା କରାଯାଏ । ତତ୍ପରେ ପୂଜକ ତିନିଜଣ ମହାଦୀପ ଗୁଡ଼ିକୁ ହାତରେ ଧରି ଜୟବିଜୟ ଦ୍ୱାରର ଭିତର ପାଖକୁ ଆସନ୍ତି, ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି । ସେହି ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯାଏ । ଚୂନରା ସେବକ ବଡ଼ଓଡ଼ିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ଶ୍ରୀମନ୍ଦିରର ଅଁଳାବେଢ଼ା ଉପରେ ଦୀପମାନ ଜାଳନ୍ତି [୪]ଓ ଚନ୍ଦ୍ରଉଦିଆ ଜାଳି ‘ଗଜପତି ମହାରାଜଙ୍କୁ ମହାପ୍ରଭୁ ଶଙ୍ଖେପୁରାଇ ଚକ୍ରେ ଆଢୁଆଳ କରନ୍ତୁ’ କହି ହରିବୋଲ ଡାକ ଦିଅନ୍ତି । ମହାପ୍ରଭୁଙ୍କର ଶ୍ରାଦ୍ଧବେଶ ଦେଖିବାଲାଗି ଶ୍ରୀମନ୍ଦିରରେ ଦର୍ଶନାର୍ଥୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ ।

ପିତୃଶ୍ରାଦ୍ଧର ଦ୍ୱିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପଦାନ କରିଥାନ୍ତି ।

ପିତୃଶ୍ରାଦ୍ଧର ତୃତୀୟ ଦିବସରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରନ୍ତି । ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

ଆଧାର

ଅଧିକ ତଥ୍ୟ