ସୂର୍ଯ୍ୟପରାଗ

ପ୍ରାକୃତିକ ଘଟଣା


ସୌର ଜଗତରେ ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ ଏବଂ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ । ଏହି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲୁଥିବା ବେଳେ ଯେଉଁ ଦିନ ଚନ୍ଦ୍ର ଘୁରୁଥିବା ଅବସ୍ଥାରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଏକ ସରଳ ରେଖାରେ ଅବତୀର୍ଣ୍ଣ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକର କିଛି ଅଂଶ ଚନ୍ଦ୍ରଙ୍କଦ୍ୱାରା ଆଛାଦିତ ହୋଇ ପୃଥିବୀ ପୃଷ୍ଠରେ ଛାୟା ସୃଷ୍ଟି କରେ ସେହି ସମୟରେ ସୂର୍ଯ୍ୟ ଅଂଶିକ ବା ସଂପୂର୍ଣ୍ଣ ଭାବେ ଚନ୍ଦ୍ରଦ୍ୱାରା କିଛି ସମୟ ପାଇଁ ଆଛାଦିତ ବା ଘୋଡାଇ ହୋଇଯାଆନ୍ତି । ଭୌତିକ ବିଜ୍ଞାଣା ଦୃଷ୍ଟିରେ ଏହି ଭଳି ମହା ଜାଗତୀୟ ଘଟଣାକୁ ସୌରପରାଗ ବୋଲି କୁହାଯାଏ । ଏହା କେବଳ ଅମାବାସ୍ୟା ତିଥୀରେ ସମ୍ଭବ ହୋଇଥାଏ [୧]! ତେବେ ସବୁ ଅମାବାସ୍ୟାରେ ସୌର ପରାଗ ହୁଏ ନାହିଁ ।[୨]

ସୌରପରାଗର ଚିତ୍ର

ସୂର୍ଯ୍ୟପରାଗର ଦୃଶ୍ୟ

ସୂର୍ଯ୍ୟପରାଗ ବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଅବସ୍ଥାନ କରୁଥିବାରୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯାଲୋକ ପ୍ରବେଶ କରିପାରେ ନାହିଁ । ତେବେ ସୂର୍ଯ୍ୟର କିଛି ଅଂଶ ଚନ୍ଦ୍ରଦ୍ୱାରା ଘୋଡାଇ ହୋଇଯାଇଥିବାରୁ କଳା ଦେଖାଯାଏ । ସଂପୂର୍ଣ୍ଣ ସୌରପରାଗ ସମୟରେ ପୃଥିବୀର କିଛି ଅଂଶ, ଅର୍ଥାତ ଯେଉଁ ଅଞ୍ଚଳରେ ସୌରପରାଗ ଦୃଶ୍ୟମାନ ହୋଇଥାଏ, ସେହି ଅଞ୍ଚଳ କିଛି ସମୟ ପାଇଁ ସାମାନ୍ୟ ଅନ୍ଧକାର ମଧ୍ୟ ହୋଇଯାଏ ।

ସୂର୍ଯ୍ୟପରାଗର ପ୍ରକାର

ପ୍ରକାର ଭେଦରେ ଏହାକୁ ଆଂଶିକ ସୂର୍ଯ୍ୟପରାଗ ଏବଂ ପୂର୍ଣ୍ଣ ସୂର୍ଯ୍ୟପରାଗ ଏହି ଭଳି ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।

ଆଂଶିକ ସୂର୍ଯ୍ୟପରାଗ

ପୃଥିବୀ ତଥା ଚନ୍ଦ୍ରର କକ୍ଷପଥର ଆକାର ତଥା ସୌର ଜଗତରେ ଏହାର ଅବସ୍ଥିତି ଅନୁସାରେ ପ୍ରତି ସୂର୍ଯ୍ୟପରାଗରେ ଚନ୍ଦ୍ରଦ୍ୱାରା ସଂପୂର୍ଣ୍ନ ସୂର୍ଯ୍ୟ ବା ଏହାର ସଂପୂର୍ଣ୍ନ ଅଂଶ ଆଛାଦିତ ହୋଇ ନ ଥାଏ । ଅନେକ ସମୟରେ ଏହି ଅବସରରେ ସୂର୍ଯ୍ୟର କେବଳ ଗୋଟିଏ ଅଂଶକୁ ଅଛାଦିତ କରିପାରେ । ଏଭଳି ଅବସ୍ଥିତିକୁ ଖଗୋଳ ଶାସ୍ତ୍ରରେ ଆଂଶିକ ସୂର୍ଯ୍ୟପରାଗ ବା ଖଣ୍ଡ ଗ୍ରହଣ କୁହାଯାଏ ।

ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ

ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗର ଜ୍ୟାମିତୀୟ ଚିତ୍ର

ସେହିଭଳି ଅବସ୍ଥିତି ଭେଦରେ କେବେ କେବେ ସୂର୍ଯ୍ୟପରାଗ ଅବସରରେ ଚନ୍ଦ୍ର ସଂପୂର୍ଣ୍ଣ ସୂର୍ଯ୍ୟକୁ ଆଛାଦିତ କରିଯାଏ । ଏଭଳି ଅବସରରେ ଏହି ବିରଳ ଦୃଶ୍ୟ ଭୂପୃଷ୍ଟର ଏକ ନିର୍ଦ୍ଦିଷ୍ଟ ଅଂଶରେ ହିଁ ଦୃଶ୍ୟମାନ ହୁଏ । ଏହି ପ୍ତେବେ ଅନ୍ୟ ଅଂଶରେ ଆଂଶିକ ସୂର୍ଯ୍ୟପରାଗ ଭାବେ ଏହା ଦୃଶ୍ୟମାନ ହୋଇଥାଏ । ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଆଛାଦିତ କରି ସଂପୂର୍ଣ୍ଣ ଅପସରି ଯିବାକୁ ପ୍ରାୟତଃ ଦୁଇ ଘଣ୍ଟା ସମୟ ଲାଗିଯାଇଥାଏ [୩]। ତେବେ ଏହି ସମୟରେ ଚନ୍ଦ୍ରମା କେବଳ ଦର୍ବାଧିକ ସାତ ମିନିଟ ସମୟ ପାଇଁ ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଆଛାଦିତ କରିପରିଥାଏ ଅର୍ଥାତ ସଂପୂର୍ଣ୍ଣ ସୂର୍ଯ୍ୟପରାଗର ବିରଳ ସମୟ ସର୍ବାଧିକ ସାତ ମିନିଟ ହୋଇଥାଏ ।

ଜ୍ୟୋତିଷ ବିଜ୍ଞାନ ଦୃଷ୍ଟିରେ ସୂର୍ଯ୍ୟପରାଗ

ସୂର୍ଯ୍ୟପରାଗ ବା ଚନ୍ଦ୍ର ଗ୍ରହଣ ହେଉଛି ପ୍ରକୃତିର ଏକ ଚମତ୍କାର ମହାଜାଗତିକ ଘଟଣା । ଜ୍ୟୋତିଷ ବିଜ୍ଞାନ ଅନୁସାରେ ସୂର୍ଯ୍ୟପରାଗ କେବଳ ସେତେବେଳେ ସମ୍ଭବ, ଯେତେବେଳେ ଅମାବାସ୍ୟା ହୋଇଥିବ, ଚନ୍ଦ୍ରମାର ଦ୍ରାଘିମା ରାହୁ କିମ୍ବା କେତୁ ନିକଟରେ ରହିଥିବ ଏବଂ ଚନ୍ଦ୍ରମାର ଅକ୍ଷାଂଶ ଶୂନ୍ୟ ନିକଟରେ ହୋଇଥିବ । ଏହାଛଡା ହିନ୍ଦୁ ପୁରାଣରେ ସୂର୍ଯ୍ୟପରାଗକୁ ନେଇ ଅନେକ କିମ୍ବଦନ୍ତୀ ପ୍ରଚଳିତ ଅଛି ।

ପୌରାଣିକ ମାନ୍ୟତା ଅନୁସାରେ ଗ୍ରହଣ ସମୟରେ ରାହୁ ଚନ୍ଦ୍ରମାଙ୍କୁ ଏବଂ କେତୁ ସୂର୍ଯ୍ୟଙ୍କୁ ଗ୍ରାସ କରିଥାଏ । ଏହି ରାହୁ ଓ କେତୁ ଦୁହେଁ ହେଉଛନ୍ତି ଛାୟାଙ୍କ ସନ୍ତାନ । ଗ୍ରହଣ ସମୟରେ ଏହାର କୁପ୍ରଭାବରୁ ପୌରାଣିକ ମତରେ ଚନ୍ଦ୍ର ଗ୍ରହଣ ସମୟରେ କଫର ପ୍ରାଧାନ୍ୟତା ବଢେ ଏବଂ ସୂର୍ଯ୍ୟପରାଗ ସମୟରେ ଜଠରାଦ୍ନୀ, ନେତ୍ର ତଥା ପିତ୍ତର ଶକ୍ତିହୀନତା ଘଟେ ।[୪]

ହିନ୍ଦୁ ପୁରାଣ ଅନୁସାରେ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ଦେବତାମାନଙ୍କ ମଧ୍ୟରେ ବାଣ୍ଟିବା ବେଳେ ରାହୁ ନାମକ ରାକ୍ଷସ ଛଳନା ପୂର୍ବକ ଏହି ଅମୃତ ପାନ କରିଗଲା । ମାୟାରୂପୀ ବିଷ୍ଣୁ ତତ୍ କ୍ଷଣାତ୍ ତାହାର ମସ୍ତକ ଛେଦନ କଲେ । ତଥାପି ଅମୃତ ପ୍ରଭାବରେ ତାହାର ମସ୍ତକ ଜିବୀତ ରହି ସୂର୍ଯ୍ୟଙ୍କର ପିଛା କରୁଛି ଏବଂ ଗ୍ରହଣ ସମୟରେ ତାଙ୍କୁ ଗ୍ରାସ କରିବାକୁ ଚେଷ୍ଟ କରୁଛି । ତେବେ ସେଥିରେ ସଫଳ ନ ହେବାରୁ ସୂର୍ଯ୍ୟ ପୁଣି ରାହୁଠାରୁ ଖସି ଆସୁଛନ୍ତି ।[୫]

ଏହିଭଳି ବିଭିନ୍ନ ଦେଶରେ ସୂର୍ଯ୍ୟପରାଗକୁ ନେଇ ଭିନ୍ନ ଭିନ୍ନ କିମ୍ବଦନ୍ତି ତଥା ବିଶ୍ୱାସ ତଥା ଅନ୍ଧବିଶ୍ୱାସ ପ୍ରଚଳିତ ଅଛି ।

ଆଧାର

ବାହାର ତଥ୍ୟ