ଇସଲାମ ଧର୍ମ

ଧର୍ମ

ଇସଲାମ (اَلْإِسْلَامُ‎ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ)[୧] ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ ।[୨][୩] ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ ରାମ ନାମ ସତ୍ୟ।[୪] ଏହାର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି ।[୫] ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି ।[୬] ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ[୭] ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତଦ୍ୱାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ ।[୮] ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।[୯]

ରାତିରେ କାବା - ମୁସଲମାନଙ୍କ ପବିତ୍ରତମ ତୀର୍ଥସ୍ଥଳୀ

ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି ।[୧୦] ମୁସଲମାନଙ୍କ ମତରେ ଆରବୀୟ ଭାଷାରେ କୋରାନ ହେଉଛି ଆଲ୍ଲାଙ୍କ ଅପରିବର୍ତ୍ତନୀୟ ତଥା ଅନ୍ତିମ ମାର୍ଗଦର୍ଶନ । ଅନ୍ଯାନ୍ଯ ଆବ୍ରାହମୀୟ ଧର୍ମ ପରି ଇସଲାମରେ ମଧ୍ଯ ଶିଖାଯାଏ ଯେ ପୁଣ୍ଯାତ୍ମାମାନେ ଶେଷରେ ସ୍ୱର୍ଗ ଯିବେ ଏବଂ ପାପାତ୍ମାମାନେ ନର୍କ ଯିବେ । ମକ୍କା, ମଦିନା ତଥା ଜେରୁଜେଲମ ଇସଲାମର ତିନୋଟି ପବିତ୍ରତମ ତୀର୍ଥସ୍ଥଳୀ ।[୧୧]

ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା[୧୨] ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା । ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଇସଲାମୀୟ ସ୍ୱର୍ଣ୍ଣଯୁଗ ବୋଲି ବୋଲି କୁହାଯାଏ । ଏହି ସମୟରେ ଆବାଶିଦ ଖିଲାଫତର ଅଧିନରେ ମୁସଲିମ ଜଗତରେ ବୈଜ୍ଞାନିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପରିଲକ୍ଷିତ ହୋଇଥିଲା ।[୧୩] hello :)

ନୈରୁକ୍ତଶାସ୍ତ୍ର

ଆରବୀୟ ଭାଷାରେ, ତ୍ରୈଧ୍ୱନି ଧାତୁ ସ-ଲ-ମରୁ ଇସଲାମ(ଆରବୀୟ: إسلام‎) ଶବ୍ଦର ସୃଷ୍ଟି । ଏହି ଧାତୁରୁ ସମର୍ପଣ, ସମ୍ପୂର୍ଣ୍ଣତା, ନିର୍ଭୟତା ତଥା ଶାନ୍ତି ସହ ସମ୍ବନ୍ଧିତ ଅନେକ ଶବ୍ଦ ସୃଷ୍ଟି ହୋଇଛି ।[୧୪] ଇସଲାମ, ଏହି ଧାତୁର ଚତୁର୍ଥ ରୂପର କ୍ରିୟାବାଚକ ବିଶେଷ୍ୟ ଯାହାର ଅର୍ଥ ସମର୍ପଣ ।

ବିଶ୍ବାସର ଆଧାର

ଈଶ୍ବରଙ୍କ ସ୍ୱରୂପ

ମେଡାଲରେ ଅଲ୍ଲାଃ ଲେଖାଯାଇଛି, ହାଗିଆ ସୋଫିଆ, ଇସ୍ତାନବୁଲ, ତୁର୍କୀ

ଇସଲାମର ମୂଳାଧାର ହେଉଛି ତହ୍ୱିଦ ବା ଏକେଶ୍ୱରବାଦ ।[୧୫] କୋରାନର ୧୧୨ତମ ସୁରାଃରେ କୁହାଯାଇଛି - "ହେ ନବୀ, କୁହ, ସେ ଆଲ୍ଲା, ଏକ ଏବଂ କେବଳ ଏକ ଈଶ୍ବର, ସେ ପାଳକ ଏବଂ ସମସ୍ତଙ୍କଦ୍ୱାରା ଅତି ଆବଶ୍ୟକ, ସେ ଅଜନ୍ମା ଏବଂ ତାଙ୍କର ସନ୍ତାନ ନାହିଁ, ଏବଂ ସେ ଅଦ୍ୱିତୀୟ ଅଟନ୍ତି ।

ଇସଲାମରେ ଅନେକେଶ୍ୱରବାଦ ଏବଂ ମୂର୍ତ୍ତିପୂଜାକୁ ମହାପାପ ବୋଲି ଗଣାଯାଏ । ଏହାସହ ଇସଲାମ, ଖ୍ରୀଷ୍ଟୀୟ ବିଶ୍ବାସ ତ୍ରୈଦିବ୍ଯତାକୁ ମଧ୍ଯ ଖଣ୍ତନ କରିଥାଏ । ଇସଲାମରେ ଆଲ୍ଲା, ସାଧାରଣ ମାନବ ବୁଦ୍ଧିରୁ ଉପରେ ବୋଲି ଗ୍ରହଣ କରାଯାଏ ଅର୍ଥାତ୍ ସାଧାରଣ ମାନବ ବୁଦ୍ଧିଦ୍ୱାରା ଆଲ୍ଲାଙ୍କ ବାସ୍ତବିକତା ବୁଝିବା ଅସମ୍ଭବ ଅଟେ ।[୧୬][୧୭] ଆଲ୍ଲାଙ୍କୁ ବିଭିନ୍ନ ବିଶେଷଣାତ୍ମକ ନାମରେ ସମ୍ବୋଧନ କରାଯାଏ, ଯେପରିକି - ଅର୍-ରହମାନ୍ ଅର୍ଥାତ୍ ପରମକରୁଣାମୟ, ଅର୍-ରହିମ୍ ଅର୍ଥାତ୍ ପରମଦୟାଳୁ ।[୧୮]

ଇସଲାମ କହେ - ଏହି ସଂସାର ଓ ଏଥିର ସବୁକିଛି ଆଲ୍ଲାଙ୍କ ଆଦେଶଦ୍ୱାରା ତିଆରି ହୋଇଛି (ହେଉ ଏବଂ ହେଲା[୧୯]) ଏବଂ ଜୀବନର ଉଦ୍ଦେଶ୍ଯ[୨୦][୨୧] ହେଲା ଆଲ୍ଲାଙ୍କ ପୂଜା କରିବା ବା ତାଙ୍କୁ ଜାଣିବା । ଆଲ୍ଲାଙ୍କୁ ଏକ ବ୍ଯକ୍ତିତ୍ବଧାରୀ ଈଶ୍ବର ଭାବେ ପରିକଳ୍ପନା କରାଯାଇଛି, ଯାହାଙ୍କୁ ଡାକିଲେ ସେ ସାହାଯ୍ୟ କରିବା ପାଇଁ ଆସନ୍ତି । ତାଙ୍କ ସହ ଯୋଡି ହେବା ପାଇଁ କୌଣସି ମାଧ୍ଯମ କିମ୍ବା ସାଧୁସନ୍ଥମାନଙ୍କ ଆବଶ୍ୟକତା ନାହିଁ । ଆଲ୍ଲାଙ୍କ ଜ୍ଞାନକୁ ଅର୍ଥାତ୍ ଆଲ୍ଲାଙ୍କୁ ଜାଣିବାକୁ ତକ୍ୱା କୁହାଯାଏ । ସାଧାରଣତଃ ଆଲ୍ଲା ଏକ ନାମବାଚକ ବିଶେଷ୍ୟପଦ[୨୨] ଯାହାର ବହୁବଚନ କିମ୍ବା ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ ନାହିଁ । ଆଲ୍ଲା, ମୁସଲମାନ ତଥା ଆରବୀୟ କହୁଥିବା ଖ୍ରୀଷ୍ଟୀଆନ ଏବଂ ଇହୁଦୀମାନଙ୍କଦ୍ୱାରା ଈଶ୍ୱରଙ୍କ ପାଇଁ ବ୍ଯବହୃତ ହୁଏ ।[୨୩]

ଦିବ୍ଯଦୂତ

ଦିବ୍ଯଦୂତ ଗାବ୍ରିଏଲଙ୍କଠାରୁ ପ୍ରଥମ ପ୍ରକାଶନ ପାଉଥିବା ମହମ୍ମଦ । ୧୩୦୭ ମସିହାର ରସିଦଲ୍ଦିନ ହମାଦାନୀଙ୍କ ପାଣ୍ଡୁଲିପି ଜାମିନ ଅଲ୍-ତୱରିଖରୁ ଆନୀତ ।

ଇସଲାମରେ ଦିବ୍ଯଦୂତ ବା ଫରିସ୍ତା ଉପରେ ବିଶ୍ବାସ କରିବା ଏକ ମହତ୍ବପୂର୍ଣ୍ଣ ଆଧାର । ଦିବ୍ଯଦୂତ ପାଇଁ କୋରାନୀୟ ପଦ ହେଉଛି ملك‎ - ମଲାକ୍, ମଲାକାରୁ କିମ୍ବା ତ୍ରୈଧ୍ୱନି ମ-ଲ-କରୁ ଆଣାଯାଇଥିବ । ମଲାକା ଅର୍ଥ ଯିଏ ନିୟନ୍ତ୍ରଣ କରେ ।[୨୪] ମ-ଲ-କରୁ ଉତ୍ପନ୍ନ ଶବ୍ଦର ଅର୍ଥ ସମ୍ବାଦବାହକ ବା ଦୂତ । ଏହି ଶବ୍ଦଟି କେବଳ ଆଧ୍ଯାତ୍ମିକ ସ୍ୱର୍ଗୀୟ ଆତ୍ମାରୂପମାନଙ୍କ ପାଇଁ ବ୍ଯବହାର କରାଯାଏ । କୋରାନ ଉଭୟ ଦିବ୍ଯଦୂତୀୟ ତଥା ମାନବିକ ସମ୍ବାଦବାହକମାନଙ୍କୁ ରସୁଲ କହିଥାଏ ।

ଇସଲାମରେ ଦିବ୍ଯଦୂତ ବିଷୟରେ କୋରାନରେ ସର୍ବାଧିକ ବର୍ଣ୍ଣନା କରାଯାଇଛି ।[୨୫] ଗାବ୍ରିଏଲ ଏବଂ ମିକାଏଲ ପରି ଦିବ୍ଯଦୂତମାନଙ୍କ ବିଷୟରେ ବିଶେଷ ବର୍ଣ୍ଣନା କରାଯାଇଛି । ଅନ୍ଯାନ୍ଯ ଦିବ୍ଯଦୂତମାନଙ୍କର କାର୍ଯ୍ୟାଧାରରେ ନାମକରଣ କରାଯାଇଛି । ଦିବ୍ଯଦୂତମାନେ ନିମ୍ନ ଲିଖିତ କାର୍ଯ୍ୟମାନ କରିଥାନ୍ତି - ଆଲ୍ଲାଙ୍କ ସନ୍ଦେଶ ବହନ, ଆଲ୍ଲାଙ୍କ ପ୍ରଶଂସା, ପ୍ରତ୍ଯେକ ବ୍ଯକ୍ତିଙ୍କ କର୍ମର ଲେଖାଲେଖା ଏବଂ ମୃତ୍ଯୁ ପରେ ସମସ୍ତଙ୍କ ଆତ୍ମା ସଂଗ୍ରହ ଇତ୍ୟାଦି ।

ଇହୁଦୀ ତଥା ଖ୍ରୀଷ୍ଟ ଧର୍ମ ପରି ଇସଲାମର ଦିବ୍ଯଦୂତଙ୍କୁ ମଧ୍ଯ ମାନବ ରୂପରେ କଳ୍ପନା କରାଯାଇ ଥାଏ ।[୨୬] ତାଙ୍କର କପୋତ ପରି ଶୁଭ୍ର ବର୍ଣ୍ଣର ବଡ଼ବଡ଼ ଡେଣା ରହିଥାଏ, ସାଧାରଣତଃ ସେମାନେ ବୃହଦାକାୟ ବିଶିଷ୍ଟ ଏବଂ ତାଙ୍କର ଚତୁର୍ପାର୍ଶ୍ୱରେ ଏକ ଆଲୌକିକ ଆଭାମଣ୍ଡଳ ରହିଥାଏ । କୋରାନ ତାଙ୍କୁ ଦୁଇ ବା ଚାରି ବା ଛଅ ପକ୍ଷ ବିଶିଷ୍ଟ ଦୂତ ଭାବେ ବର୍ଣ୍ଣନା କରିଅଛି ।[୨୭] ସାଧାରଣତଃ ଦିବ୍ଯଦୂତମାନଙ୍କୁ ଭୋକଶୋଷ କିମ୍ବା ନିଦ୍ରା ତଥା ବିଶ୍ରାମର ଆବଶ୍ୟକତା ନ ଥାଏ । ସେମାନେ ଆଲୋକରୁ ତିଆରି ହୋଇଥାନ୍ତି ବୋଲି ଧାରଣା ରହିଛି; ଆଲୋକରୁ ତିଆରି ଦିବ୍ଯଦୂତ ସାଧାରଣତଃ ଦୟାଳୁ ଥାଆନ୍ତି ଏବଂ ଦଣ୍ଡ ପାଇଁ ଆବଶ୍ୟକ ଦିବ୍ଯଦୂତମାନେ ଅଗ୍ନିରୁ ତିଆରି ହୋଇଥାଆନ୍ତି ।

ପ୍ରକାଶିତ ଦିବ୍ଯଜ୍ଞାନ

କୋରାନର ସପ୍ତ ଶ୍ଳୋକ ବିଶିଷ୍ଟ ପ୍ରଥମ ସୁରାଃ ଅଲ୍-ଫତିହା (ଆରମ୍ଭ)

ଇସଲାମୀୟ ପବିତ୍ର ଗ୍ରନ୍ଥାବଳୀ ସବୁ ଆଲ୍ଲାଙ୍କଦ୍ୱାରା ପ୍ରେରିତ ତଥା ନବୀମାନଙ୍କୁ ପ୍ରକାଶିତ ଦିବ୍ଯଜ୍ଞାନ ଏବଂ ଈଶ୍ବରାଜ୍ଞା । ମୁସଲମାନମାନେ ବିଶ୍ବାସ କରନ୍ତି ଯେ ପୂର୍ବ ପ୍ରକାଶିତ ଦିବ୍ଯଗ୍ରନ୍ଥ, ଯଥା - ତବ୍ରତ ତଥା ଇଞ୍ଜିଲ, ଆଦି ବିକୃତ ହୋଇଯାଇଛନ୍ତି ।[୨୮] ମୁସଲମାନଙ୍କ ମତରେ କୋରାନ ହେଉଛି ଆଲ୍ଲାଙ୍କ ଅନ୍ତିମ ପ୍ରକାଶିତ ଜ୍ଞାନୋପଦେଶ ଯାହା ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ଆରବୀୟ ଭାଷାରେ ସାହିତ୍ୟର ସର୍ବୋତ୍କୃଷ୍ଟ କୃତି ।[୨୯][୩୦]

ମୁସଲମାନମାନେ ବିଶ୍ବାସ କରନ୍ତି ଯେ ୬୧୦ ଖ୍ରୀଷ୍ଟାବ୍ଦରୁ ୬୩୨ ଖ୍ରୀଷ୍ଟାବ୍ଦରେ ମହମ୍ମଦଙ୍କ ମୃତ୍ଯୁ ପର୍ଯ୍ୟନ୍ତ, ଆଲ୍ଲା ରାଜ-ଦିବ୍ଯଦୂତ ଜିବ୍ରିଲଙ୍କ ଦ୍ୱରା ମହମ୍ମଦଙ୍କୁ କୋରାନର ବିଭିନ୍ନ ଶ୍ଳୋକ ସବୁ ସମୟ ସମୟରେ ପ୍ରକାଶିତ କରୁଥିଲେ ।[୩୧] ମହମ୍ମଦଙ୍କ ଜୀବନକାଳରେ ତାଙ୍କର ସହାବାହଙ୍କଦ୍ୱାରା ସମସ୍ତ ପ୍ରକାଶିତ ଶ୍ଳୋକ ଲେଖାଯାଇ ସାରିଥିଲା ।[୩୨] କୋରାନ ୧୧୪ ଗୋଟି ଅଧ୍ଯାୟରେ ବିଭକ୍ତ, ଏବଂ ଏଥିରେ ସମୁଦାୟ ୬୨୩୬ଟି ଶ୍ଳୋକ ରହିଛି । ସମୟ ଦୃଷ୍ଟିରୁ ପ୍ରାଥମେ ପ୍ରକାଶିତ ମକ୍କୀୟ ସୁରାଃଗୁଡ଼ିକ, ନୈତିକ ତଥା ଆଧ୍ଯାତ୍ମିକ ବିଷୟାଧାରିତ । ପରେ ପ୍ରକାଶିତ ମେଦିନୀୟ ସୁରାଃଗୁଡ଼ିକ ମୁସଲମାନ ସମ୍ପ୍ରଦାୟ ସହ ଜଡ଼ିତ ସାମାଜିକ ଏବଂ ରାଜନୈତିକ ବିଷୟ ସହ ସମ୍ପୃକ୍ତ ।[୩୩]

ନବୀ ଏବଂ ସୁନ୍ନାଃ

ମଧ୍ଯଯୁଗୀୟ ପାରସୀ ପାଣ୍ଡୁଲିପି - ମହମ୍ମଦଙ୍କ ସହ ଆବ୍ରାହମ, ମୁସା ଏବଂ ଯୀଶୁ ପ୍ରାର୍ଥନା ପାଇଁ ଯାଉଛନ୍ତି ।

ନବୀ (ଆରବୀୟ - أنبياء‎ - ଅନ୍ବୀଆ) ବା ପୈଗମ୍ବର ହେଉଛନ୍ତି ଈଶ୍ବର ବା ଆଲ୍ଲାଙ୍କଦ୍ୱାରା ପ୍ରେରିତ ମହାପୁରୁଷ ଯେ ଲୋକମାନଙ୍କୁ ଆଲ୍ଲାଙ୍କ ଜ୍ଞାନ, ଦିଗ୍ଦର୍ଶନ ତଥା ନିୟମାଦି ଦେଇଥାନ୍ତି । କୋରାନ ଅନୁସାରେ ଆଲ୍ଲା ନବୀମାନଙ୍କଦ୍ୱାରା ନିଜର ଇଚ୍ଛା ପୂରଣ କରିଥାନ୍ତି । ନବୀମାନେ ମଧ୍ଯ ସାଧାରଣ ମନୁଷ୍ଯ କିନ୍ତୁ ଆବଶ୍ୟକ ସ୍ଥଳେ ନିଜର ନବୀତ୍ୱକୁ ପ୍ରମାଣିତ କରିବା ପାଇଁ ଅଦ୍ଭୁତ କାର୍ଯ୍ୟ କରିପାରନ୍ତି । ଇସଲାମୀୟ ବିଶ୍ବାସ ଅନୁସାରେ ଆଲ୍ଲାଙ୍କ ସମସ୍ତ ଦୂତଗଣ ଇସଲାମର ପ୍ରଚାର କରିଥିଲେ ।

ପୁନର୍ଜୀବନ ଏବଂ ନ୍ଯାୟବିଚ଼ାର

ପୁନର୍ଜୀବନର ଦିବସ ବା ଅୱମ୍ ଅଲ୍-କ୍ୱିୟାମଃରେ (يوم القيامة‎) ବିଶ୍ବାସ କରିବା ମଧ୍ଯ ଇସଲାମରେ ମହତ୍ତ୍ବପୂର୍ଣ୍ଣ । କ୍ୱିୟାମଃର ଦିବସ ଆଲ୍ଲାଙ୍କଦ୍ୱାରା ପୂର୍ବ ନିର୍ଦ୍ଧାରିତ ଅଟେ କିନ୍ତୁ ମନୁଷ୍ଯକୁ ତାହା ଅଜଣା ।

ଦିବ୍ଯଆଜ୍ଞା

ଦିବ୍ଯଆଜ୍ଞା ବା ଈଶ୍ବରାଜ୍ଞା, ଆଲ୍ଲାଙ୍କ ଇଚ୍ଛା, ପୂର୍ବନିର୍ଦ୍ଧାରିତ ଭାଗ୍ଯ (ଭାଗ୍ଯ), ଇସଲାମରେ ଅଲ୍-କ୍ୱଦା ୱା ଇ-କ୍ୱଦର ବୋଲି କୁହାଯାଏ । ଅଲ୍-କ୍ୱଦରର ଉତ୍ପତ୍ତି ଏକ ଧାତୁରୁ ହୋଇଛି ଯାହାର ଅର୍ଥ ମାପିବା । ସମସ୍ତ ଭଲ ଓ ମନ୍ଦ କାର୍ଯ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି ବୋଲି ବିଶ୍ବାସ କରାଯାଏ ।[୩୪]

ପୂଜାକାର୍ଯ୍ୟ

ଇସଲାମରେ ପାଞ୍ଚଟି ମୁଖ୍ଯ ବିଶ୍ବାସ ରହିଛି ଯାହା ସମସ୍ତଙ୍କ ପାଇଁ ଆନୀର୍ବାଯ୍ଯ ଅଟେ, ଏହାକୁ ଇସଲାମର ପଞ୍ଚାଧାର (ଆରବୀୟ; الإسلام أركان - ଅର୍କାନ୍ ଅଲିସ୍ଲାମ୍) ବା ଧର୍ମର ପଞ୍ଚାଧାର (ଆରବୀୟ; أركان الدين - ଅର୍କାନ୍ ଅଦ୍ଦିନ) କୁହାଯାଏ ।

ଶପଥ

ମୋଗଲ ସମ୍ରାଟ ଆକବରଙ୍କ ରୌପ୍ଯମୁଦ୍ରାରେ ଲିଖିତ ଶହାଦା

ଇସଲାମର ଏକ ମହତ୍ତ୍ବପୂର୍ଣ୍ଣ ଭାଗ; ଶହାଦା - ଅଶାଦୁ' ଅଲ୍-ଲା' ଇଲାହା' ଇଲ୍ଲା-ଲ୍ଲାହୁ' ୱା' ଅଶାଦୁ' ଅନ୍ନା' ମୁହମ୍ମଦନ୍' ରସୁଲୁ-ଲ୍ଲାହ' ଅର୍ଥାତ୍ " ମୁଁ ସ୍ୱୀକାର କରୁଛି ଯେ, ଆଲ୍ଲାଙ୍କ ଛଡ଼ା (ପୂଜାର ଯୋଗ୍ୟ) ଆଉ କେହି ଈଶ୍ବର ନାହାଁନ୍ତି, ଏବଂ ମୁଁ ସ୍ୱୀକାର କରୁଛି ଯେ ମହମ୍ମଦ, ଆଲ୍ଲାଙ୍କ ପୈଗମ୍ବର । ମୁସଲମାନମାନେ ପ୍ରାର୍ଥନା ସମୟରେ ଏହି ବାକ୍ଯ କହିଥାନ୍ତି ଏବଂ ଅଣମୁସଲମାନଙ୍କୁ ଇସଲାମ ଗ୍ରହଣ ସମୟରେ ଏହା କହିବା ପାଇଁ ପଡିଥାଏ ।

ପ୍ରାର୍ଥନା

ଆଧାର