ମୁସଲମାନ

ମୁସଲମାନମାନେ ଏକେଶ୍ୱରବାଦୀ ଇବ୍ରାହିମୀୟ ଧର୍ମସମ୍ପ୍ରଦାୟ ଇସଲାମ ଅନୁଗାମୀ । ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନ ଓ ସେମାନଙ୍କ ମତରେ ଏହି କୋରାନ ବାସ୍ତବରେ ଆଲ୍ଲାଙ୍କ ମୁଖନିଃସୃତ ବାଣୀ ଯାହା ପୈଗମ୍ବର ମହମ୍ମଦଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା । ଅଧିକାଂଶ ମୁସଲମାନ ମହମ୍ମଦଙ୍କ ଜୀବନଶୈଳୀ ସୁନାଃ ତଥା ହଦିଥ (କିମ୍ବଦନ୍ତୀ) ମଧ୍ଯ ଅନୁସରଣ କରିଥାନ୍ତି ।[୨୯] ମୁସଲମାନ ଏକ ଆରବୀ ଶବ୍ଦ ଓ ଏହାର ଅର୍ଥ ସମର୍ପକ ।[୩୦]

ମୁସଲମାନ
୧୮୬୫ ମସିହାରେ ମୁସଲମାନମାନେ କାଇରୋରେ ପ୍ରାର୍ଥନା କରୁଛନ୍ତି (ଜଁ-ଲିଅଁ ଜେରୋମଙ୍କଦ୍ୱାରା)
ଆଦର୍ଶ ବାକ୍ଯ:
ସର୍ବମୋଟ ଅନୁଗାମୀ

c.୧୯୦ କୋଟି ବିଶ୍ୱବ୍ୟାପୀ (୨୦୨୦)[୧][୨][୩]

ସ୍ଥାପକ

ପୈଗମ୍ବର ମହମ୍ମଦ[୪]

ଧର୍ମାବଲମ୍ବୀ ବହୁଳ ଅଞ୍ଚଳ
 ଇଣ୍ଡୋନେସିଆ୨୩୬,୮୦୦,୦୦୦[୫]
 ପାକିସ୍ଥାନ୨୦୮,୮୦୦,୦୦୦[୬]
 ଭାରତ୧୯୪,୬୦୦,୦୦୦[୭]
 ବଙ୍ଗଳାଦେଶ୧୫୧,୯୦୦,୦୦୦[୮]
 ନାଇଜେରିଆ୯୯,୧୦୦,୦୦୦[୯]
 ଇଜିପ୍ଟ୯୫,୦୦୦,୦୦୦[୧୦]
 ଇରାନ୮୨,୯୦୦,୦୦୦[୧୧]
 ତୁର୍କୀ୮୨,୮୦୦,୦୦୦[୧୨]
 ଚୀନ୬୦,୦୦୦,୦୦୦—୮୦,୦୦୦,୦୦୦[୧୩][୧୪]
 Algeria୪୨,୦୦୦,୦୦୦[୧୫]
ଧର୍ମ
୮୦-୯୦% ସୁନ୍ନି ଇସଲାମ[୧୬][୧୭]
୧୦-୧୩% ସିହା ଇସଲାମ[୧୮][୧୯]
~୧% ଅହମଦୀୟ[୨୦]
~୧% ଅନ୍ୟାନ୍ଯ ଇସଲାମୀୟ ପରମ୍ପରା, ଉ.ସ୍ୱ. ଇବାଦୀ ଇସଲାମ[୨୧]
ଧର୍ମଗ୍ରନ୍ଥ
କୋରାନ[୨୨]
ଭାଷା
ଆରବୀୟ (ଦିବ୍ଯଭାଷା), ଉର୍ଦ୍ଦୁ, ବଙ୍ଗାଳୀ, ମଳୟୀ ଭାଷା, ପାରସୀ ଭାଷା, ଯାଭା ଭାଷା, ପଞ୍ଜାବୀ, ତୁର୍କୀ, ହୌସା, ମାଣ୍ଡାରିନ, ଏବଂ ଅନ୍ଯାନ୍ଯ[୨୩][୨୪][୨୫][୨୬][୨୭][୨୮]

ମୁସଲମାନଙ୍କର ବିଶ୍ୱାସ ଯେ ଆଲ୍ଲା ପରାଜାଗତିକ ତଥା ଏକ ଏବଂ ଅଦ୍ୱିତୀୟ, ସ୍ୱୟଂଭୂବଃ, ଅଜନ୍ମା ଓ ଅଭୋକ୍ତା; ଇସଲାମ ହେଉଛି ଆଲ୍ଲାଙ୍କ ବାସ୍ତବ ଧର୍ମ ଯାହା ପୂର୍ବରୁ ଆବ୍ରାହମ, ଇସ୍ମାଏଲ, ଆଇଜାକ, ମୁଶା ତଥା ଯୀଶୁଙ୍କୁ ଦିଆଯାଇଥିଲା[୩୧]; ଏବଂ ଏହି ପୈଗମ୍ବରଙ୍କୁ ଦିଆଯାଇଥିବା ପୂର୍ବ ସନ୍ଦେଶଗୁଡ଼ିକ କାଳକ୍ରମେ ବଦଳିଯାଇଛି;[୩୨] ଏବଂ କୋରାନ ଏହି ସବୁରେ ସର୍ବଶେଷ ଏବଂ ସମ୍ପୂର୍ଣ୍ଣ ।[୩୩]

୨୦୧୫ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିଶ୍ୱ ଜନସଂଖ୍ଯାର ପ୍ରାୟ ଶତକଡା ୨୪.୧ ଭାଗ ଅର୍ଥାତ ୧.୮ ବିଲିଅନ ଲୋକ ଇସଲାମ ଧର୍ମାବଲମ୍ବୀ । ମଧ୍ଯପ୍ରାଚ୍ଯ-ଉତ୍ତର ଆଫ୍ରିକାରେ ୯୧%[୩୪], ମଧ୍ଯ ଏସିଆରେ ୮୧%[୩୫][୩୬], କକସସରେ ୬୫%[୩୭][୩୮][୩୯][୪୦][୪୧], ଆଗ୍ନେୟ ଏସିଆରେ ୪୦%, ଦକ୍ଷିଣ ଏସିଆରେ ୩୧%, ଉପସାହାରୀୟ ଆଫ୍ରିକାରେ ୩୦%, ଏସିଆ-ଓସେନିଆରେ ୨୫%, ୟୁରୋପରେ ୬%, ଆମେରିକାରେ ୧% ଇସଲାମ ଧର୍ମାବଲମ୍ବୀ ବାସକରନ୍ତି ।

ଅଧିକାଂଶ ମୁସଲମାନ ନିଜକୁ ସୁନ୍ନି (୭୫-୯୦%)[୪୨] କିମ୍ବା ସିହା ବୋଲି ବିବେଚନା କରିଥାନ୍ତି । ପ୍ରାୟ ୧୩% ମୁସଲମାନ ଇଣ୍ଡୋନେସିଆରେ ରହନ୍ତି ଓ ଏହା ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଦେଶ । ୩୧% ମୁସଲମାନ ଦକ୍ଷିଣ ଏସିଆରେ ରହନ୍ତି ଓ ତାହା ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଅଞ୍ଚଳ । ୨୦% ମୁସଲମାନ ମଧ୍ଯପ୍ରାଚ୍ଯ-ଉତ୍ତର ଆଫ୍ରିକା ଅଞ୍ଚଳରେ ରହନ୍ତି ଓ ସେଠାରେ ଏହା ମୁଖ୍ଯ ଧର୍ମ ।

ଧାର୍ମିକ ଯୋଗ୍ୟତା

ମୁସଲମାନମାନଙ୍କ ଧାର୍ମିକ ରୀତିନୀତି ସବୁ ଇସଲାମୀୟ ପଞ୍ଚାଧାରରେ ବର୍ଣ୍ଣିତ; ଶହାଦା (ବିଶ୍ବାସର ଉଦ୍ଘୋଷଣା), ସଲାତ (ଦୈନିକ ପ୍ରାର୍ଥନା), ସୱମ (ରମଜାନ ମାସରେ ଉପବାସ), ଜକାତ (ଗରିବଙ୍କୁ ଦାନ) ଏବଂ ହଜ (ଅତି କମରେ ଜୀବନରେ ଥରେ ମକ୍କାକୁ ତୀର୍ଥଯାତ୍ରା କରିବା) ।[୪୩][୪୪]

ଏକ ମୁସଲମାନ ହେବା ପାଇଁ ବା ଇସଲାମରେ ଦୀକ୍ଷିତ ହେବା ପାଇଁ ଶହାଦା କହିବା ପାଇଁ ପଡ଼ିଥାଏ । ଶହାଦା ଉଦ୍ଘୋଷଣା ଅନୁସାରେ ଆଲ୍ଲା ଏକ ଏବଂ ମହମ୍ମଦ ତାଙ୍କର ପୈଗମ୍ବର ।[୪୫] ଏଥିପାଇଁ ଏକ ଆରବୀୟ ବାକ୍ଯ ଲା' ଇଲାହା' ଇଲ୍ଲା-ଲ୍ଲାହୁ' ମୁହମ୍ମଦୁନ୍' ରସୁଲୁ-ଲ୍ଲାହ (الله لَا إِلٰهَ إِلَّا الله مُحَمَّدٌ رَسُولُ) କହିବାପାଇଁ ପଡ଼ିଥାଏ । ତାହାର ଅର୍ଥ ହେଲା ଏହି ସଂସାରରେ ଆଲ୍ଲାଙ୍କ ଛଡ଼ା ଆଉ କେହି ଆଲ୍ଲା ନାହାନ୍ତି ଏବଂ ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର ।[୪୬]

ସୁନ୍ନି ଇସଲାମରେ ଶହାଦାର ଦୁଇଟି ପଦ ରହିଛି । ପ୍ରଥମ ଶହାଦା ହେଲା ଲା' ଇଲାହା' ଇଲ୍ଲା-ଲ୍ଲାହୁ (ଏହି ସଂସାରରେ ଆଲ୍ଲାଙ୍କ ଛଡ଼ା ଆଉ କେହି ଆଲ୍ଲା ନାହାନ୍ତି) ଏବଂ ଦ୍ୱିତୀୟ ଶହାଦା ହେଲା "ମୁହମ୍ମଦୁନ୍' ରସୁଲୁ-ଲ୍ଲାହ'" (ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର) । ପ୍ରଥମ ଶହାଦାକୁ ତଲିଲ ବୋଲି ମଧ୍ଯ କୁହାଯାଏ ।[୪୭]

ସିହା ଇସଲାମରେ ଶହାଦାର ଏକ ତୃତୀୟ ଭାଗ ମଧ୍ଯ ଥାଏ - "ୱା ଅଲିୟୁନ ୱାଲିୟୁ-ଲ୍ଲାହ" (الله وليُّ وعليٌ) (ଅଲୀ ଆଲ୍ଲାଙ୍କ ୱାଲୀ) । ଏହା ଜଣେ ସିହା ଇମାମ ଅଲୀଙ୍କ ବିଷୟରେ କହିଥାନ୍ତି ।[୪୮]

ନୈରୁକ୍ତଶାସ୍ତ୍ର

ଓଡ଼ିଆରେ ମୁସଲମାନ ଶବ୍ଦଟି ହିନ୍ଦୁସ୍ଥାନୀ ଭାଷାର ମୁସଲ୍‌ମାନ୍ ଶବ୍ଦରୁ ଆନୀତ ଓ ଉକ୍ତ ଶବ୍ଦଟି ମୂଳ ଆରବୀରୁ କ୍ରମେ ପାରସୀ ଦେଇ ଓଡ଼ିଆକୁ ଆସିଛି । ମୁସଲିମ ଶବ୍ଦଟି (ଆରବୀୟ: مسلم‎ ; ଇଂରାଜୀ: ମୁସଲିମ, ମୋସ୍ଲେମ୍) ଆରବୀ ତ୍ରୈଧ୍ୱନି ସ-ଲ-ମରୁ (ଅର୍ଥାତ ସମ୍ପୂର୍ଣ୍ଣ ଥିବା) ଆନୀତ । ଏହି ତ୍ରୈଧ୍ୱନିରୁ ଇସଲାମ ଶବ୍ଦ ମଧ୍ଯ ତିଆରି ହୋଇଛି । ସ୍ତ୍ରୀ ଅନୁଗାମୀଙ୍କୁ ମୁସଲିମା (ଆରବୀୟ: مسلمة‎) ("ମୁସ୍ଲିମାଃ" ବୋଲି ମଧ୍ଯ ପଢ଼ାଯାଇପାରେ) କୁହାଯାଏ । ଆରବୀରେ ମୁସଲିମର ବହୁବଚନ ମୁସଲିମନ/ମୁସ୍ଲିମୁନ୍ (مسلمون) କିମ୍ବା ମୁସଲିମିନ/ମୁସ୍ଲିମିନ (مسلمين) ଏବଂ ଏହାର ସ୍ତ୍ରୀରୂପ ହେଉଛି ମୁସଲିମାତ/ମୁସ୍ଲିମାତ୍ (مسلمات) ।

ଶବ୍ଦାର୍ଥ

ମୁସଲମାନ ଦାର୍ଶନିକ ଇବ୍ନ ଆରବୀ କହିଥିଲେ —

ଯେଉଁ ବ୍ଯକ୍ତି ନିଜର ସମସ୍ତ ପୂଜା ଅର୍ଚ୍ଚନା କେବଳ ଏବଂ କେବଳ ଆଲ୍ଲାଙ୍କୁ (ଆଲ୍ଲାଙ୍କୁ) ସମର୍ପି ଥାଏ ସେ ହିଁ ବାସ୍ତବ ମୁସଲମାନ ଅଟେ.... ଇସଲାମ ଅର୍ଥ ନିଜର ଧର୍ମ ଏବଂ ବିଶ୍ବାସକୁ କେବଳ ଆଲ୍ଲା(ଆଲ୍ଲା)ଙ୍କଠାରେ ରଖିବା ।

ଅନ୍ଯାନ୍ଯ ଭବିଷ୍ଯବକ୍ତା

କୋରାନରେ ଅନେକ ଇହୁଦୀ ତଥା ଖ୍ରୀଷ୍ଟୀୟ ଭବିଷ୍ଯବକ୍ତା ତଥା ସେମାନଙ୍କର ଅନୁଗାମୀ ଯଥା ଆଡାମ, ନୋହା, ଆବ୍ରାହମ, ଇସ୍ମାଏଲ, ଜାକବ, ମୁସା, ଏବଂ ଯୀଶୁ ତଥା ସେମାନଙ୍କ ଶିଷ୍ଯମାନଙ୍କୁ ମୁସଲମାନ ବୋଲି କୁହାଯାଇଛି । କାରଣ ସେମାନେ ମଧ୍ଯ ସେହି ଏକ ଏବଂ ଅଦ୍ୱିତୀୟ ଆଲ୍ଲାଙ୍କୁ ନିଜର ସର୍ବସ୍ବ ସମର୍ପଣ କରିଥିଲେ ତଥା ସେହି ଆଲ୍ଲାଙ୍କ ପ୍ରଦର୍ଶିତ ମାର୍ଗରେ ନିଜେ ଚାଲିଥିଲେ ଏବଂ ଅନ୍ଯକୁ ଚଳାଇଥିଲେ । ତେଣୁ କୋରାନର ସୁରାଃ ୩:୫୨ରେ ଯୀଶୁଙ୍କ ଶିଷ୍ଯମାନେ ତାଙ୍କୁ କହିଲେ ଯେ "ଆମେ ଆଲ୍ଲାଙ୍କୁ ବିଶ୍ବାସ କରୁ ଏବଂ ତୁମେ ଆମର ମୁସଲମାନ ହେବାର ସାକ୍ଷୀ ଅଟ (ୱା-ଶହାଦ୍ ବେ ଅନ୍ନା ମୁସ୍ଲିମୁନ୍) । ମୁସଲମାନଙ୍କ ବିଶ୍ବାସ ଯେ କୋରାନ ପୂର୍ବରୁ ଆଲ୍ଲା ତାୱରତ୍ (ତୋରାଃ) ମୁସାଙ୍କୁ, ଜାବୁର (ସାଲମସ) ଡେଭିଡଙ୍କୁ ଏବଂ ଇଞ୍ଜିଲ (ଗୋସ୍ପେଲ) ଯୀଶୁଙ୍କୁ ପ୍ରଦାନ କରିଥିଲେ ।

ମୁସଲମାନମାନଙ୍କ ସଂଖ୍ୟା

ପ୍ରତ୍ୟେକ ରାଷ୍ଟ୍ର ମୁସଲମାନ ଜନସଂଖ୍ୟା (ଶତକଡାରେ)
୨୦୦୯ମସିହାର ମୁସଲମାନ ଜନସଂଖ୍ୟା ମାନଚିତ୍ର

ସର୍ବାଧିକ ମୁସଲମାନବହୁଳ ଦେଶ ହେଉଛି ଇଣ୍ଡୋନେସିଆ । ସେଠାରେ ବିଶ୍ୱ ମୁସଲମାନ ସମୁଦାୟର ପ୍ରାୟ ୧୨.୭ ଭାଗ ରହନ୍ତି । ଏହା ତଳକୁ ପାକିସ୍ଥାନ (୧୧.୦%), ବଙ୍ଗଳାଦେଶ (୯.୨%), ମିଶର (୪.୯%) ଆଦି ଦେଶ ରହିଛନ୍ତି । ବିଶ୍ୱ ମୁସଲମାନ ସମୁଦାୟର ପ୍ରାୟ ୨୦ ଭାଗ ଲୋକ ମଧ୍ଯପ୍ରାଚ୍ଯ ଏବଂ ଉତ୍ତର ଆଫ୍ରିକାରେ ରହନ୍ତି ।

ଭାରତ, ଚୀନ, ଇଥିଓପିଆ, ଆମେରିକା, ଅଷ୍ଟ୍ରେଲିଆ ତଥା ୟୁରୋପରେ ମଧ୍ୟ ବହୁସଂଖ୍ୟାରେ ମୁସଲମାନମାନେ ରହନ୍ତି ।

କୋରାନ

ଚୀନରେ ଡୋଙ୍ଗଜିଆଙ୍ଗ ମୁସଲିମ ଛାତ୍ର

କୋରାନ ଆରବୀ ଭାଷାରେ ଲିଖିତ ମୁସଲମାନମାନଙ୍କ ମୁଖ୍ୟ ଧର୍ମଗ୍ରନ୍ଥ । ଆଲ୍ଲା ଏ ଗ୍ରନ୍ଥଲିଖିତ ବାକ୍ୟଗୁଡ଼ିକୁ ଦୂତ ଜେବ୍ରୀୟେଲଙ୍କଦ୍ୱାରା ହଜରତ୍ ମହମ୍ମଦଙ୍କ ନିକଟକୁ କହି ପଠାଇଥିଲେ ବୋଲି ମୁସଲମାନମାନଙ୍କର ବିଶ୍ୱାସ । ଏହି ଗ୍ରନ୍ଥଟି ୩୦ ଭାଗରେ ବିଭକ୍ତ ଓ ପ୍ରତି ଭାଗକୁ ପାରା କୁହାଯାଏ । ପାରାମାନଙ୍କରେ ଥିବା ପଙ୍‌କ୍ତିକୁ ସୁରା କୁହାଯାଏ । କୋରାନ ଗ୍ରନ୍ଥକୁ ମାନ୍ୟରେ ମୁସଲମାନମାନେ "କୁରାନ ସରିଫ" ବା "କୁରାନ ମଜିଦ" ବୋଲି କହିଥାନ୍ତି ।

କୋରାନ ଅନୁଯାୟୀ ପ୍ରତ୍ୟେକ ମୁସଲମାନର ୫ଟି କର୍ତ୍ତବ୍ୟ ହେଲା:

  1. କଲମା
  2. ନମାଜ
  3. ରୋଜା
  4. ଜକାତ
  5. ହଜ

କଲମା

ଏକେଶ୍ୱରବାଦ କଲମା (ଲା ଇଲାହ୍‌ ଇଲ୍ଲିଲ୍ଲାହ୍ ମହମ୍ମଦ୍‌ଉର୍‌ ରସୂମିଲ୍ଲାହ୍‌ ଅର୍ଥାତ ଆଲ୍ଲା ଏକ ଏବଂ ମହମ୍ମଦ ତାଙ୍କର ଦୂତ) ପଠନ ।

ନମାଜ

କୋରାନର ସୁରା ପାଠ ପୁର୍ବକ ଆଲ୍ଲାଙ୍କୁ ଡାକି ସ୍ତୁତିପାଠ ଓ ସମ୍ମାନ ଜଣାଇବା । ପ୍ରତ୍ୟେକ ମୁସଲମାନ ପ୍ରତ୍ୟହ ୫ ଥର ନମାଜ ପାଠ କରିବାର ବିଧି ଅଛି । ମୁହଁହାତ ଧୋଇ ଖଣ୍ଡିଏ ମୂସଲ୍ଲାରେ (ସ୍ୱତନ୍ତ୍ର ଆସନ) ଆଣ୍ଠୁ ମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କା ଆଡ଼କୁ ମୁହଁ କରି ନମାଜ ପଢ଼ିବାକୁ ହୁଏ । ଦୈନିକ ନମାଜ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଆଲ୍ଲାଙ୍କୁ ଉପାସନା କରନ୍ତି । ଏହା ଜୁମା ନମାଜ ନାମରେ ମଧ୍ୟ ଜଣା । ଏହି ବିଶେଷ ନମାଜ ଇଦ ଦିନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ କରାଯାଏ ।

ନମାଜ ପଢ଼ିବା ସମୟ

  • ଫଜର: ସୂର୍ଯ୍ୟୋଦୟ ପୂର୍ବରୁ; ବଡ଼ିଭୋର ୪ଟା ବେଳେ
  • ଜୋହର୍: ଦ୍ୱିପ୍ରହର ପରେ; ଅପରାହ୍ଣ ୧ଟା ବେଳେ
  • ଅସର: ଅପରାହ୍ନ ୩ଟାଠାରୁ ୪ଟା ମଧ୍ୟରେ
  • ମଗରୀବ: ସୂର୍ଯ୍ୟାସ୍ତର ଠିକ ପରେ[୪୯]
  • ଏସା: ରାତି ୮ଟା ବେଳେ

ନମାଜର ୩ଟି ଅଂଶ ରହିଛି:

  • ଫର୍ଜ: ଯାହା ଆଲ୍ଲାଙ୍କ ଉଦ୍ଦେଶ୍ୟରେ ବୋଲାଯାଏ
  • ସୂନ୍ନତ୍: ଯାହା ହଜରତ ମହମ୍ମଦ ପାଠ କରୁଥିଲେ
  • ନଫୀଲ: ଯାହା ପ୍ରାର୍ଥନାକାରୀ ନିଜର ଧର୍ମ ଉଦ୍ଦେଶ୍ୟରେ ପାଠକରେ

ନମାଜର ମର୍ମ

ଆଲ୍ଲା ଏକମାତ୍ର ପ୍ରଭୁ, ତାଙ୍କଛଡ଼ା ଅନ୍ୟ କେହି ପ୍ରଭୁ ନାହାଁନ୍ତି । ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର (ପୃଥିବୀକୁ ପ୍ରେରୀତ ଦୂତ), ତେଣୁ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଉଚିତ ।

ରୋଜା

ରୋଜା ପ୍ରତିବର୍ଷ ରମଜାନ ମାସରେ ଇଦ ଆଗରୁ ୩୦ ଦିନ ପାଇଁ ଦିନତମାମ ପାଳିତ ହେଥିବାବା ଉପବାସ ବ୍ରତ । ଧର୍ମଶାସ୍ତ୍ର ଅନୁଯାୟୀ ଶିଶୁ, ଅତି ରୁଗ୍ଣ ଓ ଅତ୍ୟନ୍ତ ଅକ୍ଷମ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ସମସ୍ତେ ରୋଜା ପାଳିବାକୁ ଧର୍ମତଃ ବାଧ୍ୟ । ରୋଜା ପାଳୁଥିବା ବ୍ୟକ୍ତି ଦିନଯାକ ଜଳଗ୍ରହଣ କରନ୍ତି ନାହିଁ ଓ ସୂର୍ଯ୍ୟାସ୍ତ ପରେ ଇଫତାରରେ (ରୋଜାର ପାରଣା) ଖାଦ୍ୟଗ୍ରହଣ କରନ୍ତି । ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ଇଫତାର କରିବାକୁ ହୁଏ । ରୋଜା ଖୋଲିବା ବେଳେ ପ୍ରଥମେ ସରବତ ପିଇବାକୁ ହୁଏ ଓ ପରେ ଅନ୍ୟ ଖାଦ୍ୟ ଖିଆଯାଏ ।

ଜକାତ

ଇସଲାମ ଧର୍ମାବଲମ୍ବୀ ନିଜ ରୋଜଗାର ଅନୁସାରେ ଜକାତ (ଦାନ) ଦେବା । ବାର୍ଷିକ ଆୟରୁ ହଜାରକେ ୨୫ଟଙ୍କା ହିସାବରେ ଆଲ୍ଲାଙ୍କ ଉପସନା ଓ ଦାନ ପାଇଁ ଉତ୍ସର୍ଗୀକୃତ ଧନ ।

ହଜ

ଆର୍ଥିକ ସମ୍ବଳ ଥିଲେ ମକ୍କା ମଦୀନା ଯାଇ ହଜ (ତୀର୍ଥ) କରିବା । ଇସଲାମ ମାସ "ଜିଲହଜ"ର ଦଶମ ଦିନ ମୁସଲମାନମାନଙ୍କର ବକ୍ରି ଇଦ ପର୍ବ ଦିନ ମକ୍କାକୁ ଯାଇ ହଜ କରନ୍ତି ।

ଆଧାର

ବାହାର ଆଧାର