ଆଜ୍‌ମା

ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ

ଆଜ୍‌ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।.[୨] ଏହାକୁ ଭୁଲରେ ଅନେକ ଆସ୍‌ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍‌ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ୱାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ[୩] । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା[୪]
ଏହି ଲକ୍ଷଣ‌ଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।[୨]

ଆଜ୍‌ମା
Two white plastic tubes with movable dials on the front
ସର୍ବାଧିକ ନିଶ୍ୱାସ ହାର ନିର୍ଣ୍ଣୟ କରିବା ନିମନ୍ତେ ବ୍ୟବ‌ହାର କରାଯାଉଥିବା ପିକ୍ ଫ୍ଲୋ ମିଟର (Peak flow meters), ଏହାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଓ ପର୍ଯ୍ୟବେକ୍ଷଣ କରାଯାଏ । [୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*], immunology[*]
ଆଇସିଡ଼ି-୧୦J45.
ଆଇସିଡ଼ି-୯-ସିଏମ୍493
ଓଏମ୍‌ଆଇଏମ୍600807
ରୋଗ ଡାଟାବେସ1006
ମେଡ଼ିସିନ-ପ୍ଲସ000141
ଇ-ମେଡ଼ିସିନarticle/806890
Patient UKଆଜ୍‌ମା
MeSHD001249

ଜେନେଟିକ୍ ଓ ପରିବେଶ ଦ୍ୱୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍‌ମା ହେବା ବିଶ୍ୱାସ କରାଯାଉଛି ।[୫] ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।.[୨] ଆସ୍ପିରିନ ଓ ବିଟାବ୍ଲକର ଭଳି ଔଷଧ ରହି ରୋଗକୁ ଟ୍ରିଗର କରେ ।[୨] ଲକ୍ଷଣ, ଚିକିତ୍ସାର ପ୍ରଭାବ ଓ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[୬] ଲକ୍ଷଣମାନଙ୍କର ପ୍ରକାଶ ସମୟ, ଏକ ସେକଣ୍ଡରେ ନିଶ୍ୱାସ ଛାଡିବା ପରିମାଣ ଓ ପିକ୍ ଏକ୍ସପିରେଟରି ଫ୍ଲୋ ରେଟ( peak expiratory flow rate.) ଅନୁସାରେ ଏହି ରୋଗକୁ ବର୍ଗୀକରଣ କରାଯାଇଛି ।[୭] ଏହାକୁ ଆଟୋପିକ ଓ ନନ୍ ଆଟୋପିକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି, ଆଟୋପି ଅର୍ଥ ଟାଇପ ୧ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ।[୮][୯]

ଏ ପର୍ଯ୍ୟନ୍ତ ଆଜ୍‌ମା ଆରୋଗ୍ୟ ହେବାର ଉପାୟ ବାହାରି ନାହିଁ ।[୨] ରୋଗର ଟ୍ରିଗର ସମୂହ ଯଥା:- ଆଲର୍ଜେନ, ଉତ୍ତେଜକ ଓ କର୍ଟିକୋସ୍ଟିରଏଡ ଆଘ୍ରାଣ ପରିହାର କରି ଲକ୍ଷଣ ପ୍ରତିଷେଧ କରିହେବ ।[୧୦][୧୧] ଅନିୟନ୍ତ୍ରିତ ଆଜ୍‌ମାରେ ଘ୍ରାଣକାରୀ କର୍ଟିକୋସ୍ଟିରଏଡ ସ‌ହିତ ଦୀର୍ଘକାର୍ଯ୍ୟକାରୀ ବିଟଆ-ଆଡ୍ରେନୋସେପ୍ଟର ଆଗୋନିସ୍ଟ (ଏଲବିଏ) ବା ଆଣ୍ଟିଲିଉକୋଟ୍ରିଏନ ଏଜେଣ୍ଟ ଦିଆଯାଇପାରେ ।[୧୨][୧୩] ଲକ୍ଷଣ ଖରାପ ଦିଗକୁ ଗତି କରୁଥିଲେ ଆଘ୍ରାଣକାରୀ ସାଲବୁଟାମୋଲ ଭଳି ବିଟା ୨ ଆଗୋନିସ୍ଟ ଓ ପାଟିରେ ଦିଆଯାଉଥିବା କର୍ଟିକୋସ୍ଟିରଏଡ ଦିଆଯାଇପାରେ ।[୧୪] ଅତି ସାଂଘାତିକ କେଶ୍‌ରେ ଶୀରାଭ୍ୟନ୍ତର କର୍ଟିକୋସ୍ଟିରଏଡ, ମ୍ୟାଗନେସିଅମ ସଲଫେଟ ଓ ଡାକ୍ତରଖାନା ଆଡମିଶନ ଆବଶ୍ୟକ ହୋଇପାରେ ।[୧୫]

ସନ ୧୯୯୦ରେ ପୃଥିବୀରେ ୧୮୩ ନିୟୁତ ଆଜ୍‌ମା ରୋଗୀ ଥିବାବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୨୪୨ନିୟୁତ ହୋଇଥିଲା ।[୧୬] ଏହା ଫଳରେ ସନ ୨୦୧୩ରେ ୪୮୯,୦୦୦ ମୃତ୍ୟୁ ହୋଇଥିଲା,[୧୭] ସେଥିରୁ ଅଧିକାଂଶ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[୨] ଏହି ରୋଗ ଅଧିକାଂଶ ସମୟରେ ପିଲାବେଳେ ଆରମ୍ଭ ହୁଏ ।[୨] ସନ ୧୯୬୦ରୁ ଏହି ରୋଗ ବଢ଼ିବାରେ ଲାଗିଛି ।[୧୮] ପୁରାତନ ମିଶରରେ ଏହି ରୋଗ ଚିହ୍ନାଯାଇଥିବା ଜଣାଯାଇଛି । [୧୯] ଆଜ୍‌ମା ଶବ୍ଦ ଗ୍ରୀକ୍ ଭାଷାର ἅσθμα, ásthma ଶବ୍ଦରୁ ଆସିଛି ଯାହାର ଅର୍ଥ ଧକେଇବା[୨୦]

ଚିହ୍ନ ଓ ଲକ୍ଷଣ

ଆଜ୍‌ମା ରୋଗରେ ଶ୍ୱାସ କ୍ରିୟା ସମୟରେ ବାରମ୍ବାର ହୁଇସିଲ୍ ଶବ୍ଦ ଶୁଣାୟାଏ, ଛୋଟ ପ୍ରଶ୍ୱାସ ଓ ଦୀର୍ଘ ନିଶ୍ୱାସ ହୁଏ, ଛାତି ଚିପି ହେବା ଭଳି ଲାଗେ ଓ କାଶ ହୁଏ । ଫୁସଫୁସ ଭିତରେ କଫ ଥାଏ କିନ୍ତୁ ସହଜରେ କାଢି ହୁଏ ନାହିଁ [୨୧] । ଭଲ ହୋଇ ଆସିବା ବେଳକୁ ଏହି କଫ ପୂଜ ଭଳି ଦେଖାଯାଏ, କାରଣ ଏଥିରେ ବହୁତ ଇଓସିନୋଫିଲ୍ ଥାଏ[୨୨] । ରାତିରେ, ବଡ଼ି ସକାଳେ, ବ୍ୟାୟାମ ବେଳେ ଓ ଥଣ୍ଡା ବାୟୁ ସଂସ୍ପର୍ଶରେ ଆସିଲେ ଆଜ୍‌ମା ବଢିଯାଏ । କେତେକ ଲୋକଙ୍କର ଏହି ରୋଗ ନିମନ୍ତେ କୌଣସି ଟ୍ରିଗର ନ ଥାଏ ଓ ଅନ୍ୟ କେତେକଙ୍କର ଲକ୍ଷଣ ଲାଗି ରହେ ଓ ଅତ୍ୟଧିକ ହୁଏ ।

ସଂଯୁକ୍ତ ରୋଗ

ଆଜ୍‌ମା ସହ ଅନ୍ୟ କେତେକ ରୋଗ ଦେଖାଯାଏ । ସେଗୁଡିକର ନାମ: ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ଡିଜିଜ୍, ରାଇନୋସାଇନୁସାଇଟିସ୍ ଓ ଅବ୍‌ସ୍ଟ୍ରକ୍ଟିଭ ସ୍ଲିପ୍ ଆପ୍‌ନିଆ[୨୩] । ମନସ୍ତାତ୍ୱିକ ରୋଗ କାରଣ ଅତି ସାଧାରଣ[୨୪] ଓ ସେଥି ମଧ୍ୟରୁ ଆଙ୍ଗଜାଇଟି ଡିଜ୍ଅର୍ଡର(୧୬ରୁ ୫୨ %), ମୁଡ ଡିଜ୍ଅର୍ଡର(୧୪ରୁ ୪୧ %) ଥାଏ[୨୫] । ମନସ୍ତାତ୍ୱିକ କାରଣ ଯୋଗୁ ଆଜ୍‌ମା ହୁଏ ବା ଆଜ୍‌ମା ଯୋଗୁ ମନସ୍ତାତ୍ୱିକ ଅସୁବିଧା ହୁଏ, ଏହା ଜଣା ପଡ଼ିନାହିଁ [୨୬]

କାରଣ

ଅନେକ ଜଟିଳ ଓ ଅବୋଧ୍ୟ 'ପରିବେଶ ତଥା ଜେନେଟିକ ଦ୍ୱୟର ପ୍ରତିକ୍ରିୟା' ଯୋଗୁ ଆଜ୍‌ମା ରୋଗ ହୁଏ[୨୭] । ରୋଗର ଭୟାବହତା ଓ ଔଷଧ କାର୍ଯ୍ୟକାରୀତା ଏହି ପ୍ରତିକ୍ରିୟା ଉପରେ ନିର୍ଭରଶୀଳ[୨୮] । ଅଧୁନା କ୍ରମ ବର୍ଦ୍ଧିଷ୍ଣ୍ଣୁ ଆଜ୍‌ମା ରୋଗର କାରଣ ରୂପେ ବଂଶ ପରମ୍ପରା(ଡି.ଏନ୍.ଏ. ବ୍ୟତୀତ) ଓ ପରିବର୍ତ୍ତୀତ ଜୀବନ ଶୈଳୀ ଯୋଗୁ ଆଜ୍‌ମା ରୋଗ ବଢୁଥିବା ବିଶ୍ୱାସ କରାଯାଏ [୨୯]

ପରିବେଶଗତ

ଆଜ୍‌ମା ରୋଗ ହେବା ଓ ବୃଦ୍ଧି ପ୍ରାପ୍ତ ହେବା ନିମନ୍ତେ ଆଲର୍ଜେନ୍, ଦୂଷିତ ବାୟୁ ଓ ପରିବେଶଗତ ରାସାୟନିକ ପଦାର୍ଥ ଭଳି ଉର୍ପାଦକମାନ ଦାୟୀ [୩୦]। ଗର୍ଭାବସ୍ଥା ଓ ପ୍ରଜନନ ପରେ ଧୂମ୍ରପାନ କଲେ ଆଜ୍‌ମା ସମ୍ଭାବନା ଅଧିକ ରହେ । ଅନୁନ୍ନତ ବାୟୁ, ଟ୍ରାଫିକ ପ୍ରଦୂଷଣ ଓ ଅଧିକ ଓଜୋନ ମଧ୍ୟ ଆଜ୍‌ମା ହେବା ନିମନ୍ତେ ଦାୟୀ[୩୧] । ଫର୍ମାଲଡିହାଇଡ ଭଳି ବାଷ୍ପୀୟମାନ ଜୈବ ପଦାର୍ଥ ସଂସ୍ପର୍ଷ, ପଲିଭିନାଇଲ୍ କ୍ଲୋରାଇଡରେ ଥିବା ଥାଲେଟ[୩୨] ଓ ଏଣ୍ଡୋଟକ୍ସିନ ସଂସ୍ପର୍ଷ ଯୋଗୁ ଆଜ୍‌ମା ହୁଏ [୩୩]
ଘର ଭିତରେ ଥିବା ଆଲର୍ଜେନ ଯୋଗୁ ଆଜ୍‌ମା ହୁଏ [୩୪]। ଗୃହ ମଧ୍ୟରେ ଥିବା ଧୂଳି ମାଇଟ୍(house dust mite ), ଅସରପା ଇତ୍ୟାଦି ଯୋଗୁ ଆଜ୍‌ମା ହୋଇପାରେ[୩୫][୩୬] । କେତେକ ଶ୍ୱାସ ବିଭାଗୀୟ ରୋଗ ସୃଷ୍ଟିକାରୀ ଭୁତାଣୁ ଯଥା ରେସ୍ପିରେଟୋରି ସିନ୍ସିଟିଆଲ୍ ଭୁତାଣୁ ଓ ରାଇନୋ ଭୁତାଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । ଅନ୍ୟ କେତେକ ସଂକ୍ରମଣ ଯୋଗୁ ଆଜ୍‌ମା ସମ୍ଭାବନା କମିଯାଏ ।

ସ୍ୱାସ୍ଥ୍ୟଗତ ଅନୁମାନ

ପିଲାଦିନେ ସଂକ୍ରମଣ ବିହୀନ ଜୀବାଣୁ ଓ ଭୁତାଣୁ ସଂସ୍ପର୍ଶରେ ସ୍ୱଳ୍ପ ବା ଆଦୌ ନ ଆସିବାରୁ ଏହି ରୋଗ ହେବା ଅନୁମାନ କରାଯାଉଛି [୩୭][୩୮]। ଆଧୁନିକ ସମାଜରେ ଅତ୍ୟଧିକ ପରିଷ୍କାର ପରିଚ୍ଛନ୍ନ ରହିବା ଓ ଛୋଟ ପରିବାର ହେବା ଯୋଗୁ ଏହା ହେଉଛି [୩୯]। ଫାର୍ମରେ ଓ ପୋଷା ଜନ୍ତୁ ରଖୁଥିବା ପରିବାରରେ ଆଜ୍‌ମା ରୋଗ ବହୁତ କମ ହେଉଥିବାରୁ ଏହି ଅନୁମାନ କରାଯାଉଛି ।
କମ ବୟସରେ ଆଣ୍ଟିବାୟୋଟିକ ବ୍ୟବହାର ଯୋଗୁ ଆଜ୍‌ମା ହେବାର ଅନୁମାନ କରାଯାଉଛି[୪୦] । ସିଜରିଆନ ଶିଶୁମାନଙ୍କୁ ଅଧିକ ଆଜ୍‌ମା ହେଉଥିବାରୁ ଅନୁମାନ କରାଯାଉଛି । ଜନ୍ମ ପଥରେ ଥିବା କେତେକ ଅଣୁଜୀବ ସଂସ୍ପର୍ଷରେ ନ ଆସିବାରୁ ଏହା ହେଉଛି[୪୧] । ସ୍ୱଚ୍ଛଳ ଅବସ୍ଥା ସହ ମଧ୍ୟ ଆଜ୍‌ମାର ସଂମ୍ପର୍କ ଥିବା ଅନୁମାନ ହେଉଛି[୪୨]

ଜେନେଟିକ

ବଂଶଗତ ଆଜ୍‌ମା ଅନେକ ପ୍ରକାର ଜୀନ ଯୋଗୁ ହୁଏ[୪୩] । ଯାଆଁଳା ହୋଇଥିବା ଗୋଟିଏ ପିଲାର ଆଜ୍‌ମା ଥିଲେ ଅନ୍ୟଟିର ୨୫ % ଆଜ୍‌ମା ହେବା ସମ୍ଭାବନା ଥାଏ[୪୩] । ୨୦୦୫ ମସିହା ସୁଦ୍ଧା ୨୫ଟି ଜୀନ୍ ଚିହ୍ନଟ ହୋଇଥିଲା । ଏଗୁଡିକ ଇମ୍ମୁନ ସିସ୍ଟମ ବା ପ୍ରଦାହ ସମ୍ପର୍କିତ ଜୀନ । ଅନୁଶୀଳନରେ ଦେଖାଯାଇଥିବା ଜୀନ ସବୁ ପ୍ରକାର ଲୋକମାନଙ୍କଠାରେ ସମାନ ଭାବରେ ଦେଖାଯାଆନ୍ତି ନାହିଁ । ୨୦୦୬ ମସିହାରେ ୧୦୦ଟି ଜୀନ ସନ୍ଧାନ ମିଳିଥିଲା[୪୪] । ଏହାଠାରୁ ଅଧିକ ସଂଖ୍ୟକ ଜୀନ ସନ୍ଧାନ ମଧ୍ୟ ମିଳୁଛି[୪୫]
କେତେକ ଜୀନ ନିର୍ଦ୍ଦିଷ୍ଟ ପରିବେଶରେ ଆଜ୍‌ମା କରାନ୍ତି । ଧୂମ, ଫାର୍ମ ଓ କୁକୁର ଇତ୍ୟାଦି ପରିବେଶରୁ ଏଣ୍ଡୋଟକ୍ସିନ ଆସି ଆଜ୍‌ମା କରାନ୍ତି । ତେଣୁ ଜେନେଟିକ ଓ ଏଣ୍ଡୋଟକ୍ସିନ ଦ୍ୱୟ ଆଜ୍‌ମା ସଙ୍କଟର ଭୂମିକା ସୃଷ୍ଟି କରନ୍ତି[୪୬]

ଅନ୍ୟ ରୋଗ ସମ୍ପର୍କ

ଆଟୋପିକ ଏକ୍‌ଜିମା, ଆଲର୍ଜିକ ରାଇନାଇଟିସ ଓ ଆଜ୍‌ମା ତ୍ରୟକୁ ଆଟୋପି କୁହାଯାଏ । ଆଟୋପିକ ରୋଗ ଥିଲେ ଆଜ୍‌ମା ସଙ୍କଟ ଅଧିକ ରହେ । ଏକଜିମା ଓ ହେ ଫିଭର ଥିଲେ ଆଜ୍‌ମା ସଙ୍କଟ ବହୁତ ଅଧିକ ରହେ । ଚଗ-ସ୍ଟ୍ରସସିଣ୍ଡ୍ରୋମ ଓ ଭାସ୍କୁଲାଇଟିସ ରୋଗ ସହ ମଧ୍ୟ ଆଜ୍‌ମା ସମ୍ପର୍କ ଅଛି । କେତେକ ପ୍ରକାରାର ଅର୍ଟିକାରିଆ ରୋଗରେ ଆଜ୍‌ମା ଲକ୍ଷଣ ଦେଖାଯାଏ[୪୭]
ପୃଥୁଳତା ସହ ଆଜ୍‌ମା ସମ୍ପର୍କ ଥିବା ଅଧୁନା ଦେଖାଯାଉଛି [୪୮][୪୯]
ସମ୍ବେଦନଶୀଳ ରୋଗୀଙ୍କଠାରେ ପ୍ରୋପ୍ରାନୋଲୋଲ ଔଷଧଦ୍ୱାରା ଆଜ୍‌ମା ହୋଇପାରେ[୫୦] । ଆସ୍ପିରିନ(ASA), ଏନ୍.ଏସ୍.ଏ.ଆଇ.ଡି.(NSAID) ଓ ଅନ୍ୟାନ୍ୟ ଔଷଧଦ୍ୱାରା ମଧ୍ୟ ଆଜ୍‌ମା ହୁଏ[୫୧]

ରୋଗ ବୃଦ୍ଧି

କେତେକ ଲୋକଙ୍କର ସପ୍ତାହ ଓ ମାସ ବ୍ୟାପି ସ୍ଥିତାବସ୍ଥାରେ ରହିଲା ପରେ ଆଜ୍‌ମା ହଠାତ୍ ତୀବ୍ର ହୋଇଯାଏ । ଭିନ୍ନ ଭିନ୍ନ ଲୋକ ଆଲଗା ଅଲଗା ଜିନିଷ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ଦ୍ୱାର ତୀବ୍ରତା ବୃଦ୍ଧି ହୁଏ [୫୨]। ଏହି ତୀବ୍ରତା ନିମନ୍ତେ କେତେକ ଟ୍ରିଗର ଥାଏ ।
ଧୂଳି, ପଶୁ ଲୋମ, ଅସରପା ଆଲର୍‌ଜେନ୍ ଓ କବକ ଇତ୍ୟାଦି ତୀବ୍ରତା ବୃଦ୍ଧି କରନ୍ତି । ମହିଳା ଓ ଶିଶୁମାନେ ପରଫ୍ୟୁମଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଶ୍ୱାସ ନଳୀର ଉପର ଅଂଶରେ ଜୀବାଣୁ ଓ ଭୁତାଣୁ ଜନିତ ପ୍ରଦାହ ହେଲେ ଆଜ୍‌ମା ତୀବ୍ର ହୁଏ । ମାନସିକ ଚାପ ଯୋଗୁ ଶରୀରର ପ୍ରତିରୋଧ ପ୍ରଣାଳୀ ପରିବର୍ତ୍ତିତ ହୋଇ ଆଜ୍‌ମା ତୀବ୍ର ହୁଏ[୫୩]

ବିକାରୀ ଶରୀର କ୍ରିୟା

Obstruction of the lumen of a bronchiole by mucoid exudate, goblet cell metaplasia, and epithelial basement membrane thickening in a person with asthma.

ଶ୍ୱାସ ନଳୀର ପ୍ରଦାହ ଯୋଗୁ ସ୍ମୁଥ ମାଂସପେଶୀର ସଙ୍କୋଚନ ଶକ୍ତି ବଢିଯିବାଦ୍ୱାରା ନଳୀ ସରୁ ହୋଇଯାଏ, ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ଓ ହୁଇଜ୍ ହୁଏ । ଏହା ଆଜ୍‌ମାର ଲକ୍ଷଣ । ଚିକିତ୍ସା ହେଉ ବା ନ ହେଉ, ଏହି ସଙ୍କୋଚନ କିଛି ସମୟ ନିମନ୍ତେ ରହେ । କ୍ୱଚିତ ଏହି ନଳୀର ପରିବର୍ତ୍ତନ ହୁଏ । ନଳୀରେ ଇଓସିନୋଫିଲ ସଂଖ୍ୟା ବଢିଯାଏ ଓ ଲାମିନା ରେଟିକୁଲାରିସ୍ ମୋଟା ହୋଇଯାଏ । ଦୀର୍ଘ କାଳୀନ ରୋଗରେ ନଳୀରେ ଥିବା ମ୍ୟୁକସ ଗ୍ଲାଣ୍ଡ ସଂଖ୍ୟା ବଢେ ଓ ସ୍ମୁଥ ମାଂସପେଶୀ ଆକାର ବଢେ ।ଟି ଲିମ୍ଫୋସାଇଟ୍, ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ସଂଖ୍ୟା ମଧ୍ୟ ବଢିଯାଏ । ସାଇଟୋକାଇନ୍, କେମୋକାଇନ୍, ହିସ୍ଟାମିନ୍ ଓ ଲିଉକୋଟ୍ରିଏନ୍ ମାତ୍ରା ବଢିଯାଏ ।

ରୋଗ ନିର୍ଣ୍ଣୟ

ଆଜ୍‌ମା ଗୋଟିଏ ଅତି ପରିଚିତ ରୋଗ ହେଲେ ମଧ୍ୟ ତାହାର ଏକ ସର୍ବସମ୍ମତ ସଂଜ୍ଞା ନିରୁପିତ ହୋଇ ପାରିନାହିଁ । ଗ୍ଲୋବାଲ୍ ଇନିସିଏଟିଭ୍ ଫର ଆଜ୍‌ମା ଅନୁସାରେ ଏହା ଏକ "ଶ୍ୱାସ ନଳୀ ପ୍ରଦାହ ଯେଉଁଥିରେ ଅନେକ ଜୀବକୋଷ ଓ କୋଷ ଏଲିମେଣ୍ଟମାନଙ୍କ ଭୂମିକା ଥାଏ" । ଶ୍ୱାସ ନଳୀର ଅତ୍ୟଧିକ ସମ୍ବେଦନଶୀଳତା ଯୋଗୁ ବାରମ୍ବାର ହୁଇଜ୍, ଅଣନିଶ୍ୱାସୀ, ଛାତି ଚିପି ହେବା ଭଳି ଲାଗିବା ଓ ରାତିରେ ବା ସକାଳେ କାଶ ହୋଇ ଏହା ଦୀର୍ଘକାଳୀନ ରୋଗ ହୁଏ । ଏହି ଲକ୍ଷଣମାନଙ୍କ ସହ ବିବିଧ ପ୍ରକାର ଶ୍ୱାସରୁଦ୍ଧ ହେବା ଦେଖାଯାଏ ।
ଏହି ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ନାହିଁ, କେବଳ ଲକ୍ଷଣ ଓ ଔଷଧର କର୍ଯ୍ୟକାରିତାରୁ ଏହା ଜଣାଯାଏ । ବ୍ୟାୟାମ, ଭୁତାଣୁ ସଂକ୍ରମଣ, ଆଲର୍ଜେନ୍ ବା ବାୟୁ ପ୍ରଦୁଷଣ ହୋଇ ଉପର ଲିଖିତ ଲକ୍ଷଣ କେଖାଗଲେ ଆଜମା ନିର୍ଣ୍ଣୟ କରାଯାଏ[୫୪] । ତା ପରେ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ରୋଗ ନିଶ୍ଚିତ କରାଯାଏ । ଛ ଅ ବର୍ଷ ବୟସରୁ କମ ପିଲାମାନଙ୍କର ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ଓ ସ୍ପାଇରୋମେଟ୍ରି ସମ୍ଭବ ନୁହେଁ [୫୫]

ସ୍ପାଇରୋମେଟ୍ରି

ଆଜ୍‌ମା ନିର୍ଣ୍ଣୟ ଓ ଚିକିତ୍ସା ନିମନ୍ତେ ଏହା ସବୁଠାରୁ ଉତ୍ତମ ପରୀକ୍ଷା ଓ ଏହା କରିବା ନିମନ୍ତେ ଉପଦେଶ ଦିଆଯାଏ[୫୬][୫୭] । ଏହି ପରୀକ୍ଷାରେ ସାଲ୍‌ବୁଟାମଲ୍ ଭଳି ଶ୍ୱାସ ନଳୀ ସ୍ଫିତକାରୀ ପ୍ରୟୋଗ ପରେ ଏଫ୍.ଇ.ଭି.୧ରେ ଯଦି ୧୨ % ଉନ୍ନତି ହୁଏ ତାହା ହେଲେ ଆଜ୍‌ମା ନିର୍ଣ୍ଣୟ ସଠିକ ବୋଲି ଧରାଯାଏ[୫୮] । ସ୍ୱଳ୍ପ ମାତ୍ରା ଆଜ୍‌ମାରେ କିଛି ପରିବର୍ତ୍ତନ ନ ହୋଇପାରେ । ସିଙ୍ଗ୍ଲ ବ୍ରେଥ୍ ଡିଫ୍ୟୁଜିଙ୍ଗ କାପାସିଟି ପରୀକ୍ଷାଦ୍ୱାରା ଆଜ୍‌ମା ଓ ସି.ଓ.ପି.ଡି. ମଧ୍ୟରେ ପାର୍ଥକ୍ୟ ଜଣାଯାଏ । ବର୍ଷେ ବା ଦୁଇ ବର୍ଷ ଅନ୍ତରରେ ସ୍ପାଇରୋମେଟ୍ରିଦ୍ୱାରା ଆଜ୍‌ମାର ଉନ୍ନତି ଚିହ୍ନଟ କରିହୁଏ[୫୯]

ଅନ୍ୟାନ୍ୟ

ମେଥାକୋଲିନ ଚାଲେଞ୍ଜ୍ ଟେଷ୍ଟ ନେଗେଟିଭ୍ ଥିଲେ ଆଜ୍‌ମା ନାହିଁ, କିନ୍ତୁ ପଜିଟିଭ ଥିଲେ କେବଳ ଆଜ୍‌ମା ଅଛି, ଏହା ଠିକ ନୁହେଁ ।
ଆଜ୍‌ମା ନିର୍ଣ୍ଣୟ ନିମନ୍ତେ ପିକ୍ ଏକ୍ସପିରେଟରି ଫ୍ଲୋ(peak expiratory flow) ଏକ ସାହାଯ୍ୟକାରୀ ପରୀକ୍ଷା ।

ବର୍ଗୀକରଣ

ତିନି ପ୍ରକାର ପଦ୍ଧତିରେ ଆଜ୍‌ମା ବର୍ଗୀକରଣ କରାଯାଏ । ସେଗୁଡିକ ଯଥା କ୍ରମେ ଏକ ସେକଣ୍ଡରେ ଫୋର୍ସଡ୍ ଏକ୍ସପିରେଟରି ଭଲ୍ୟୁମ୍ (forced expiratory volume in one second ବା FEV1), ପିକ ଏକ୍ସପିରେଟରି ଫ୍ଲୋ ରେଟ୍(peak expiratory flow rate) ଓ ଲକ୍ଷଣମାନଙ୍କର ପୁନଃପୌନକିତା( frequency of symptoms)[୬୦] । ଆଟିପିକ୍ ଓ ନନ୍ ଆଟୋପିକ୍ ମଧ୍ୟ ଅନ୍ୟ ଏକ ବର୍ଗୀକରଣ । ଏହା ଏକ ଶ୍ୱାସ ନଳୀ ରୁଦ୍ଧକାରୀ ରୋଗ ହେଲେ ମଧ୍ୟ କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ୍ ମଧ୍ୟରେ ଯାଏ ନାହିଁ,[୬୧] କାରଣ ଏହା ଅନ୍ୟ ରୋଗ ଭଳି ଚିରସ୍ଥାୟୀ ନୁହେଁ, ଶ୍ୱାସ ନଳୀ କିଛି ସମୟ ପରେ ପ୍ରସାରିତ ହୋଇଯାଏ । ଚିକିତ୍ସା ନ ହେଲେ ଆଜ୍‌ମାଦ୍ୱାରା ଶ୍ୱାସ ନଳୀ ସଙ୍କୁଚିତ ହୋଇ ରହିଯାଏ ।

ପ୍ରତିରୋଧ

ଆଜ୍‌ମା ବିରୁଦ୍ଧରେ ଯେତେ ସବୁ ପଦକ୍ଷେପ ନିଆଯାଇଛି, ସେ ସମସ୍ତ ଅତି ଦୁର୍ବଳ । ଗର୍ଭାବସ୍ଥାରେ ବା ଶିଶୁ ଜନ୍ମ ପରେ ସ୍ୱଳ୍ପ ଧୁମ୍ର ପାନ, ସ୍ତନ୍ୟ ପାନ ଓ ବଡ଼ ପରିବାରରେ ରହିବା ଇତ୍ୟାଦି ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ସମୟରେ ଭଲ ଜଣା ପଡୁଥିବା ବେଳେ ପରେ ବିଶେଷ ଉପକାରୀ ହେଲେ ନାହିଁ ତଥା ଏ ବିଷୟରେ ଉପଦେଶ ଦେବାକୁ ଉଚିତ ମନେ ହେଲା ନାହିଁ[୬୨] । ପୋଷା ଜନ୍ତୁ ସଂଷ୍ପର୍ଶ ପ୍ରାଥମିକ ଅବସ୍ଥାରେ ଉପକାରୀ ହୁଏ[୬୩] । କିନ୍ତୁ ଅନ୍ୟ ସମୟରେ ଏହା ଉପକାରୀ ଜଣା ପଡେ ନାହିଁ[୬୪] । ପୋଷା ଜନ୍ତୁ ସଂସ୍ପର୍ଷରେ ଆସିଲେ ଆଲର୍ଜି ଥିଲେ ଏମାନଙ୍କୁ ଦୂରରେ ରଖିବା ଉଚିତ[୬୫] । ଗର୍ଭାବସ୍ଥାରେ ବା ସ୍ତନ୍ୟ ପାନ କରେଇବା ସମୟରେ ସୀମିତ ଖାଦ୍ୟ ଖାଇବାକୁ ଉପଦେଶ ଦେବା ମଧ୍ୟ ଉପକାରୀ ବୋଲି ଜଣା ଯାଏ ନାହିଁ[୬୬] । କର୍ମ ସ୍ଥାନରେ ଯଦି କୌଣସି ଆଲର୍ଜି ହେବା ଭଳି ବସ୍ତୁ ଥାଏ, ତାହା ହେଲେ ତାହାଠାରୁ ଦୂରରେ ରହିବା ଉଚିତ ।

ଚିକିତ୍ସା

ଆଜ୍‌ମା ରୋଗ ଆରୋଗ୍ୟସାଧ୍ୟ ନୁହେଁ । ପ୍ରତ୍ୟେକ ରୋଗୀର ଚିକିତ୍ସା ଓ ତଦାରଖ ନିମନ୍ତେ ନିର୍ଦ୍ଦିଷ୍ଟ ଖସଡା ଆବଶ୍ୟକ । ଏହି ପ୍ଲାନ ଅନୁସାରେ ଆଲର୍ଜେନଠାରୁ ରୋଗୀକୁ ଦୂରରେ ରଖାଯାଏ, ଲକ୍ଷଣମାନଙ୍କର ଗୁରୁତ୍ତ୍ୱ ବିବେଚନା କରାଯାଇ ସେହି ଅନୁସାରେ ଔଷଧ ଦିଆଯାଏ । ରୋଗୀଙ୍କୁ ଲିଖିତ ଉପଦେଶ ସହ ଲକ୍ଷଣ ପରିବର୍ତ୍ତନ ଅନୁସାରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ ।[୬୭]
ରୋଗୀକୁ ଆଜ୍‌ମା କରାଉଥିବା ଟ୍ରିଗରଗୁଡିକଠାରୁ (ଟ୍ରିଗର- ଯାହା ସଂସ୍ପର୍ଶରେ ଆସିଲେ ଆଜ୍‌ମା ଆରମ୍ଭ ହୁଏ ଯଥା ସିଗାରଟ ଧୁଆଁ, ପୋଷା ଜନ୍ତୁ, ଆସ୍ପିରିନ ଇତ୍ୟାଦି ) ଦୂରରେ ରହିବାକୁ ଉପଦେଶ ଦିଆଯାଏ । ଟ୍ରିଗରଠାରୁ ଦୂରରେ ରହିବା ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଉଥିଲେ ଔଷଧ ଆବଶ୍ୟକ ହୁଏ । ଲକ୍ଷଣମାନଙ୍କର ଗୁରୁତ୍ତ୍ୱ ଅନୁସାରେ ଔଷଧ ବଛାଯାଏ । ଦୃତ କର୍ଯ୍ୟକାରୀ ଓ ଦୀର୍ଘ କାର୍ଯ୍ୟକାରୀ, ଏହି ଦୁଇ ପ୍ରକାର ଔଷଧ ବ୍ୟବହାର କରାଯାଏ ।[୬୮][୬୯]
ସ୍ୱଳ୍ପ କାଳୀନ ଉପଶମ ନିମନ୍ତେ ଶାସନଳୀ ପ୍ରସାରକ ଔଷଧ ଦିଆଯାଏ । କ୍ୱଚିତ ହେଉଥିବା ରୋଗରେ ଅନ୍ୟ ଔଷଧ ଆବଶ୍ୟକ ହୁଏ ନାହିଁ । ଲଗାତାର କିନ୍ତୁ ସାଧାରଣ ଭାବରେ ହେଉଥିବା ରୋଗରେ ସ୍ୱଳ୍ପ ମାତ୍ରା ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ ବା ଲିଉକୋଟ୍ରିଏନ୍ ଆଣ୍ଟାଗୋନିସ୍ଟ ତଥା ମାସ୍ଟ ସେଲ୍ ସ୍ଟାବିଲାଇଜର ଦିଆଯାଏ । ପ୍ରତ୍ୟେକ ଦିନ ହେଉଥିବା ରୋଗରେ ଅଧିକ ମାତ୍ରାରେ ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ । ଗୁରୁତର ଆବସ୍ଥା ହେଲେ ସ୍ଟିରଏଡ ଖାଇବାକୁ ଦିଆଯାଏ ଓ ଇଞ୍ଜେକସନ ଦିଆଯାଏ ।[୧୪]

ଜୀବନଚର୍ଯ୍ୟା ପରିବର୍ତ୍ତନ

ଆଜ୍‌ମା ରୋଗକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରିଗରମାନଙ୍କଠାରୁ ଦୂରେଇ ରହିବା ଦରକାର । ବିଭିନ୍ନ ପ୍ରକାରର ଆଲର୍ଜେନ୍, ଟବାକୋ ବା ଅନ୍ୟ ଧୂମ, ବାୟୁ ପ୍ରଦୂଷଣ, ନନ୍ ସିଲେକ୍ଟିଭ ବିଟା ବ୍ଲକର୍() ଓ ସଲ୍‌ଫାଇଟ ଥିବା ଖାଦ୍ୟ ଇତ୍ୟାଦି ସାଧାରଣତଃ ଟ୍ରିଗର ହିସାବରେ ଗଣା ଯାଆନ୍ତି[୭୦][୭୧] । ସ୍ଟିରଏଡ ଔଷଧର ଗୁଣକୁ ଧୁଆଁ କମେଇ ଦିଏ[୭୨] । ବିଭିନ୍ନ ପ୍ରକାର କୀଟମାନଙ୍କୁ ମାରିବା ନିମନ୍ତେ ରାସାୟନିକ ଦ୍ରବ୍ୟ ବ୍ୟବହାର କରିବା, ବାୟୁ ଓ ଜଳ ପରିସ୍ରବଣ କରିବା, ଗଦି ତଥା ବିଛଣାକୁ ଭାକ୍ୟୁମ କ୍ଲିନରଦ୍ୱାରା ପରିସ୍କାର କରିବାଦ୍ୱାରା ଆଜ୍‌ମା କମେ ନାହିଁ[୭୩]

ଔଷଧ

ଆଜ୍‌ମା ନିମନ୍ତେ ଦୁଇ ପ୍ରକାର ଔଷଧ ଉପଲବ୍‌ଧ ହୁଏ: ତୀବ୍ର ରୋଗ ନିମନ୍ତେ ଶୀଘ୍ର ଉପସମକାରୀ ଓ ଭବିଷ୍ୟତରେ ତୀବ୍ର ନ ହେବା ନିମନ୍ତେ ଦୀର୍ଘ କାଳୀନ ଔଷଧ ।
ଶୀଘ୍ର ଉପସମକାରୀ

Salbutamol metered dose inhaler commonly used to treat asthma attacks.
  • ସ୍ୱଳ୍ପକାଳୀନ କାର୍ଯ୍ୟକାରୀ ବିଟା ଆଡ୍ରେନୋସେପ୍ଟର ଆଗୋନିସ୍ଟ(ସାବା ବା SABA): ସାଲବୁଟାମଲ୍ ଏକ ପ୍ରଥମ ଧାଡି ଔଷଧ ।
  • ଆଣ୍ଟିକଲିନର୍‌ଜିକ୍: ଇପ୍ରାଟ୍ରୋପ୍ରିଅମ - ଏହା ଅତି ତୀବ୍ର ବା ମଧ୍ୟମ ଧରଣର ରୋଗରେ ସାବା ସହ ଦେଲେ ଅଧିକ ଉପକାର ମିଳେ । କୌଣସି କାରଣ ବଶତଃ ସାବା ନ ଖାଇ ପାରିଲେ ଏହା ଦିଆ ଯାଇପାରେ[୧୪]
  • ଆଡ୍ରେନର୍ଜିକ୍ ଔଷଧ: ଭଲ କାମ କରୁଥିଲେ[୭୪] ମଧ୍ୟ ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଉ ଥିବାରୁ ଆଉ ଦିଆ ଯାଉନାହିଁ[୭୫]


ଦୀର୍ଘକାଳୀନ ଆୟତ୍ତ

Fluticasone propionate metered dose inhaler commonly used for long-term control.

ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ପ୍ରଶ୍ୱାସରେ କର୍ଟିକୋସ୍ଟିରଏଡ(ବେକ୍ଲୋମେଥାଜୋନ) ଗ୍ରହଣ କରିବା ସବୁଠାରୁ ଉତ୍ତମ । ଏହା ଦିନକୁ ଥରେ ବା ଦୁଇ ଥର ଦିଆଯାଏ[୭୬] । ଅତି ଗୁରୁତର ହେଲେ କର୍ଟିକୋସ୍ଟିରଏଡ ଖାଇବାକୁ ଦିଆଯାଏ ।

  • ଦୀର୍ଘ କାଳୀନ ବିଟା ଆଡ୍ରେନୋସେପ୍ଟର ଆଗୋନିସ୍ଟ(Long-acting beta-adrenoceptor agonists ବା ଲାବା): ସାଲ୍‌ମେଟ୍ରଲ ଓ ଫର୍ମେଟ୍ରଲ- ପ୍ରାପ୍ତ ବୟଷ୍କ ଲୋକଙ୍କ ନିମନ୍ତେ ସ୍ଟେରଏଡ ସହ ନେଲେ ଏହା ଉତ୍ତମ କାମ କରେ[୭୭] । ପିଲାମାନଙ୍କ ନିମନ୍ତେ ଏହାର ଉପଯୋଗିତା ସନ୍ଦେହଜନକ[୭୮] ଓ ଏହା ଅଧିକ ସଂକଟ ସୃଷ୍ଟି କରିବା ସମ୍ଭାବନା ଥାଏ[୭୯]
  • ମାସ୍ଟ ସେଲ୍ ସ୍ଟାବିଲାଇଜର୍: ଏହା ସ୍ଟିରଏଡ ବଦଳରେ ବ୍ୟବହାର ହେଉଥିବା ସ୍ପୃହଣୀୟ ଔଷଧ ନୁହେଁ ।

ଔଷଧ ପ୍ରୟୋଗପ୍ରଶ୍ୱାସରେ ଗ୍ରହଣ କରାଯାଉଥିବା ଔଷଧ ଏକ ଯନ୍ତ୍ର ସାହଯ୍ୟରେ ନିର୍ଦ୍ଦିଷ୍ଟ ପରିମାଣରେ ଛଡାଯାଏ । ଏହି ଯନ୍ତ୍ରଟି ଗୋଟିଏ ପ୍ଲାସ୍ଟିକ ସିଲିଣ୍ଡର ଭଳି ଦେଖିବାକୁ । ଏହା ବାୟୁ ସହ ସ୍ପ୍ରେ ଆକାରରେ ବା ପାଉଡର ଆକାରରେ ନିଆଯାଏ ଓ ଏହାକୁ ମିଟର୍ଡ ଡୋଜ୍ କହନ୍ତି । ନେବୁଲାଇଜର ବା ସ୍ପେସର ଆକାରରେ ମିଟର୍ଡ ଡୋଜ୍ ସ୍ପ୍ରେ କରାଯାଏ ।

ପ୍ରତିକୁଳ ପ୍ରଭାବ

ବହୁତ ଦିନ ଧରି ଔଷଧ ଗ୍ରହଣ କଲେ ସ୍ୱଳ୍ପ ପ୍ରତିକୁଳ ଅବସ୍ଥା ଆସିପାରେ[୮୦] । ପରଳ ଓ ଶରୀର ଆକାର ପରିବର୍ତ୍ତନ ସମ୍ଭାବନା ରହେ[୮୧]

ଅନ୍ୟାନ୍ୟ

ବେଳେ ବେଳେ ଔଷଧ କିଛି କାମ କରେ ନାହିଁ । ଜରୁରୀକାଳୀନ ସେବା ନିମନ୍ତେ ନିମ୍ନ ଲିଖିତ ଉପଚାର କରାଯାଏ ।

  • ଅକ୍ସିଜେନ: ସାଚୁରେସନ ୯୨ % ତଳକୁ ରହିଲେ ଅକ୍ସିଜେନ ଦିଆଯାଏ[୮୨]
  • ଶିରାରେ ମ୍ୟାଗନେସିୟମ ସଲଫେଟ୍ ଦେଲେ ଶ୍ୱାସ ନଳୀ ପ୍ରସାରିତ ହୁଏ । ଅନ୍ୟ ଔଷଧ ସହ ଏହା ତୀବ୍ର ଆଜ୍‌ମାରେ ଦିଆଯାଏ[୮୩][୮୪]
  • ହେଲିଅକ୍ସ(Heliox): ଏହା ହିଲିୟମ ଓ ଅକ୍ସିଜେନର ଏକ ମିଶ୍ରଣ । ସାଧାରଣ ଔଷଧ କାମ ନ କଲେ ଏହା ଦିଆଯାଏ ।
  • ଅତି ସିରିୟସ ରୋଗ ହୋଇଥିଲେ ଶିରା ମାଧ୍ୟମରେ ସାଲ୍‌ବୁଟାମଲ୍ ଦିଆଯାଏ ।
  • ଅତି ସାଂଘାତିକ ରୋଗରେ ବ୍ରୋଙ୍କିଆଲ୍ ଥର୍ମୋପ୍ଲାସ୍ଟି କରାଯାଏ ।

ବିକଳ୍ପ ଚିକିତ୍ସା

ପ୍ରାୟ ୫୦ % ଆଜ୍‌ମା ରୋଗୀ ବିକଳ୍ପ ଚିକିତ୍ସା ଆଶ୍ରୟ ନିଅନ୍ତି[୮୫][୮୬] । ଭିଟାମିନ୍ ସି[୮୭], ଆକୁପଙ୍କଚର[୮୮] ଓ ଏୟାର ଆୟୋନାଇଜର୍ ଇତ୍ୟାଦି ବ୍ୟବହାର କଲେ କୌଣସି ପ୍ରାମାଣିକ ତଥ୍ୟ ଗତ ଫଳ ମିଳୁନାହିଁ । ଓଷ୍ଟିଓପାଥିକ, ଚିରୋପ୍ରାକ୍ଟିକ୍, ଫିଜିଓଥେରାପିଉଟିକ୍ ଓ ରେସ୍ପିରେଟରି ଥେରାପିଦ୍ୱାରା ପ୍ରାମାଣିକ ଫଳ ମିଳୁ ନାହିଁ ।

ପୂର୍ବ ସୂଚନା

Disability-adjusted life year for asthma per 100,000 inhabitants in 2004.[୮୯]

ପିଲାମାନଙ୍କର ଓ ସ୍ୱଳ୍ପ ମାତ୍ରାର ଆଜ୍‌ମାର ପୂର୍ବ ସୂଚନା ସାଧାରଣତଃ ଭଲ[୯୦] । ରୋଗ ଚିହ୍ନିବା ଓ ଉନ୍ନତ ଯତ୍ନ ଫଳରେ ଗଲା କିଛି ଦଶନ୍ଧି ଧରି ଆଜ୍‌ମା ମୃତ୍ୟୁ ହାର ଅନେକ କମିଛି [୯୧] । ସାରା ପୃଥିବୀରେ ୨୦୦୪ ମସିହାରେ ମଧ୍ୟମ ଧରଣର ଓ ଉଗ୍ର ଧରଣର ଆଜ୍‌ମା ରୋଗୀ ସଂଖ୍ୟା ୧୯.୪ ନିୟୁତ ଥିଲେ ଓ ତା ମଧ୍ୟରୁ ୧୬ ନିୟୁତ ରୋଗୀ ମଧ୍ୟମ ଓ ନିମ୍ନ ରୋଜଗାର କ୍ଷମ ଲୋକ ଥିଲେ[୯୨] । ପିଲା ଦିନର ରୋଗୀମାନଙ୍କ ମଧ୍ୟରୁ ଦଶ ବର୍ଷ ପରେ ଅର୍ଧେକ ସଂଖ୍ୟକ ପିଲା ଆଜ୍‌ମା ମୁକ୍ତ ହେବା ଜଣାଯାଏ[୪୩] । ପ୍ରାଥମିକ ଅବସ୍ଥାରୁ ସ୍ଟିରଏଡ ବ୍ୟବହାର କଲେ ଫୁସଫୁସର ପରିବର୍ତ୍ତନ ରୋକି ହୁଏ[୯୩]

ରୋଗ ଅନୁଶୀଳନ

ସାରା ପୃଥିବୀରେ ୨୦୧୧ ମସିହାରେ ୨୩୫-୩୦୦ ନିୟୁତ ଲୋକ ଆ‌ଜ୍‌ମା ରୋଗର ଶିକାର ହୋଇଥିଲେ[୯୪] । ପ୍ରତ୍ୟେକ ବର୍ଷ ପ୍ରାୟ ୨୫୦,୦୦୦ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଦେଶ ଅନୁସାରେ ଏହି ହାରର ତାରତମ୍ୟ ପରିଲକ୍ଷିତ ହୁଏ । ଆଶାର ବିପରୀତ ଏହି ରୋଗ ବିକଶିତ ରାଷ୍ଟ୍ରମାନଙ୍କରେ ବିକଶିତ ରାଷ୍ଟ୍ରମାନଙ୍କ ଅପେକ୍ଷା ଅଧିକ ହୁଏ । ଏସିଆ, ପୂର୍ବ ୟୁରୋପ ଓ ଆଫ୍ରିକାରେ ଏହି ରୋଗ କମ ହୁଏ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଧନୀ ଲୋକମାନଙ୍କର ଅଧିକ ହୁଏ ଓ ବିକଶିତ ରାଷ୍ଟ୍ରମାନଙ୍କରେ ଅପେକ୍ଷାକୃତ ଅର୍ଥନୈତିକ ଅନଗ୍ରସର ଲୋକଙ୍କର ଅଧିକ ହୁଏ । ସମୁଦାୟ ମୃତ୍ୟୁ ସଂଖ୍ୟାର ୮୦ % ନିମ୍ନ ଓ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତି[୯୫]
ଏହି ରୋଗରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କ ସଂଖ୍ୟା ୨ ଗୁଣ ଅଧିକ । ସାଙ୍ଘାତିକ ଆଜ୍‌ମା ସମ ସଂଖ୍ୟକ ହୁଏ[୯୬] । ମହିଳାମାନଙ୍କର ରୋଗ ହାର ପୁରୁଷମାନଙ୍କଠାରୁ ଅଧିକ । ବୟସ୍କ ବ୍ୟକ୍ତିମାନଙ୍କ ଅପେକ୍ଷା ଯୁବକମାନଙ୍କୁ ଅଧିକ ଆଜ୍‌ମା ହୁଏ ।
୧୯୬୦ ୦ ୨୦୦୮ ମସିହା ମଧ୍ୟରେ ଏହି ରୋଗ ହାର ବୃଦ୍ଧି ପ୍ରାପ୍ତ ହୋଇଛି[୯୭][୯୮] ଓ ୧୯୭୦ ମସିହାଠାରୁ ଏହାକୁ ସାମାଜିକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ବିବେଚନା କରା ଯାଉଛି[୯୯] । ବିକଶିତ ରାଷ୍ଟ୍ରମାନଙ୍କରେ ୧୯୯୦ ମସିହା ମଧ୍ୟ ଭାଗରୁ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅଧୁନା ଏହି ରୋଗ ଅଧିକ ଦେଖା ଯାଉଛି[୧୦୦] । ଆମେରିକାରେ ଲୋକ ସଂଖ୍ୟାର ୭ % ଇଂଲଣ୍ଡରେ ଲୋକ ସଂଖ୍ୟାର ୫ % ଏହି ରୋଗରେ ପୀଡ଼ିତ ହେଉଛନ୍ତି [୧୦୧]। କ୍ୟାନଡା, ଅସ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ୧୪ରୁ ୧୫ % ଲୋକଙ୍କର ଏହି ରୋଗ ହେଉଛି[୧୦୨]

ଇତିହାସ

ପୂରାତନ ମିଶରରେ ଆଜମା ରୋଗ ବିଷୟରେ ଜଣା ଥିଲା । କାଇଫି ନାମକ କିଛି ସୁଗନ୍ଧିତ ତରଳ ପଦାର୍ଥର ମିଶ୍ରଣକୁ ଆଜମା ରୋଗର ଔଷଧ ରୂପେ ପାନ କରୁଥିଲେ[୧୦୩] l ଖ୍ରୀ:ପୂ ୪୫୦ ମସିହାରେ ହିପୋକ୍ରାଟିସ ପ୍ରଥମ କରି ଏହାକୁ ଏକ ନିର୍ଦ୍ଦିଷ୍ଟ ରୋଗ ରୂପେ ଚିହ୍ନଟ କରିଥିଲେ l ଖ୍ରୀ:ପୂ ୨୦୦ ମସିହାରେ ଏହି ରୋଗର ଭାବ ପ୍ରବଣତା ସହ ସମ୍ପର୍କ ଥିବା ଜଣା ଥିଲା ।

ଆଧାର