ଏ. ପି. ଜେ. ଅବଦୁଲ କଲାମ

ଭାରତର ୧୧ଶ ରାଷ୍ଟ୍ରପତି ଓ ବୈଜ୍ଞାନିକ

ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି ।[୨][୩] ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।

ଏ.ପି.ଜେ. ଅବଦୁଲ କଲାମ
ଅବଦୁଲ କଲାମ,୨୦୦୮
ଭାରତର ଏକାଦଶତମ ରାଷ୍ଟ୍ରପତି
କାର୍ଯ୍ୟକାଳ
୨୫ ଜୁଲାଇ,୨୦୦୨ – ୨୫ ଜୁଲାଇ,୨୦୦୭
ପ୍ରଧାନ ମନ୍ତ୍ରୀଅଟଳ ବିହାରୀ ବାଜପେୟୀ
ମନମୋହନ ସିଂହ
Vice President[[ଭୈରୋ ସିଂହ ଶେଖାp.m.]]
ପୂର୍ବ ଅଧିକାରୀକେ.ଆର.ନାରାୟଣନ
ପର ଅଧିକାରୀପ୍ରତିଭା ପାଟିଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-10-15)୧୫ ଅକ୍ଟୋବର ୧୯୩୧
ରାମେଶ୍ୱରମ୍
ମୃତ୍ୟୁ୨୭ ଜୁଲାଇ ୨୦୧୫(2015-07-27) (ବୟସ ୮୩)
ଶିଲଂ, ମେଘାଳୟ, ଭାରତ ୭.୪୫ ପି.ଏମ
ଶିକ୍ଷାନୁଷ୍ଠାନସେଣ୍ଟ ଯୋସେଫ କଲେଜ, ତ୍ରିରୁଚିରାପଲ୍ଲୀ
ପେଷାବୈଜ୍ଞାନିକ,ଲେଖକ
Aerospace engineer
ୱେବସାଇଟabdulkalam.com

ପିଲାଦିନ ଓ ଶିକ୍ଷା

ଏ. ପି. ଜେ. ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ ଗାଁରେ ଏକ ତାମିଲ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ଥିଲା ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ । ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା । ତାଙ୍କ ବାପା ଜଣେ ନାଉରୀ ଥିଲେ । ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ । ସେ ଘର ଘର ଯାଇ ଖବରକାଗଜ ଦେଉଥିଲେ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।

ବୈଜ୍ଞାନିକ

ସେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସାଟେଲାଇଟ୍କୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା। ୧୯୬୫ରେ ସେ ଡିଆରଡିଓରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୯ରେ ଏହାକୁ ଆହୁରି ସଂପ୍ରସାରିତ କରାଯାଇଥିଲା ଓ ତାଙ୍କ ଅଧୀନରେ ଅନେକ ଇଂଜିନିୟର ସାମିଲ ହୋଇଥିଲେ ।

ବାଲାଷ୍ଟିକ୍ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିସାଇଲ୍ ମ୍ୟାନ୍’। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ନିଭାଇ ଥିଲେ ପ୍ରମୁଖ ଭୂମିକା। ୧୯୭୪ ମସିହା ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ ।

ରାଷ୍ଟ୍ରପତି

ସେ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ଲୋକଙ୍କ ରାଷ୍ଟ୍ରପତି ଭାବେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା[୪][୫]

ଓଡ଼ିଶାରେ କଲାମ

ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପୂର୍ବରୁ ଜଣେ ବୈଜ୍ଞାନିକ ଭାବେ କଲାମ ବହୁବାର ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷାଘାଟୀକୁ ଆସିଛନ୍ତି । ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରପତି ପଦ ମଣ୍ଡନ କରିଥିଲେ । ରାଷ୍ଟ୍ରପତି ଥିବା ସମୟରେ ସେ ଏକାଧିକବାର ଓଡ଼ିଶାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । କୃତିତ୍ତ୍ୱର ସହ କାର୍ଯ୍ୟ ସମ୍ପାଦନ କରି ରାଷ୍ଟ୍ରପତି ପଦମୁକ୍ତ ହେବା ପରେ ମଧ୍ୟ ଓଡ଼ିଶା ପ୍ରତି ଥିଲା ତାଙ୍କର ଗଭୀର ଆସକ୍ତି । ତେଣୁ ସେ ଅନେକବାର ଓଡ଼ିଶାଗସ୍ତ କରିଛନ୍ତି:[୬]

  • ୭ ଜାନୁୟାରୀ ୨୦୦୨ରେ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ସେ ଓଡ଼ିଶା ଆସିଥିଲେ ।
  • ରାଷ୍ଟ୍ରପତି ପଦ ମଣ୍ଡନ କରିବା ପରେ ପ୍ରଥମେ ୧୩ ମେ’ ୨୦୦୩ରେ ସେ ଓଡ଼ିଶା ଆସିଥିଲେ । ଏହି ଗସ୍ତରେ ସେ ବାରିପଦା, ରାଉରକେଲା ସମେତ ଯାଜପୁର ଜିଲ୍ଲାର କିଛି ଗ୍ରାମ ପରିଦର୍ଶନ କରିଥିଲେ ।
  • ୨୦୦୫ରେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ । ୨୭ ଡିସେମ୍ବର, ୨୦୦୫ରେ ଅନୁଷ୍ଠିତ ଫକିର ମୋହନ ବିଶ୍ବବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହର ମୁଖ୍ୟ ଆକର୍ଷଣ ଥିଲେ ଅବଦୁଲ କଲାମ ।
  • ୨ ଜୁଲାଇ, ୨୦୦୬ରେ କଲାମ ଓଡ଼ିଶା ଆସିଥିଲେ । ଏହି ଗସ୍ତ ସମୟରେ ସେ ବ୍ରହ୍ମପୁରସ୍ଥିତ ସିଟି ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି, ମହୁଦାସ୍ଥିତ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ସ୍ମାରକୀ କର୍କଟ ରୋଗ ଗବେଷଣା କେନ୍ଦ୍ର ଓ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେବା ସହ ଭୁବନେଶ୍ବରରେ ଏକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ ।
  • ୧୧ ମେ’ ୨୦୦୮ରେ ଡଃ କଲାମ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ।
  • ୪ ଜାନୁୟାରୀ ୨୦୧୨ରେ ସେ ୯୯ ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଯୋଗ ଦେବା ପାଇଁ ଭୁବନେଶ୍ବରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଆସିଥିଲେ ।

ରଚନାବଳୀ

ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍‘ (୨୦୦୨), ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ‘ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍‘ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ମିଶନ୍ ଇଣ୍ଡିଆ, ଇନସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି ।

ପୁରସ୍କାର ଓ ସମ୍ମାନ

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ୧୯୯୭ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ପ୍ରଦାନ କରିଥିଲେ ବୀର ସଭରକର ପୁରସ୍କାର। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ ଓ ଆହୁରି ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି ।

ମୃତ୍ୟୁ

ଅବଦୁଲ କଲାମଙ୍କର ଶିଲଂସ୍ଥିତ ବେଥନି ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦ୍‌ଘାତରେ ତାଙ୍କରି ଛାତି ପୀଡ଼ାହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।[୭][୮][୯]

ଆଧାର

ଅଧିକ ତଥ୍ୟ