ମୁଦୁମଲାଇ ଜାତୀୟ ଉଦ୍ୟାନ
ମୁଦୁମଲାଇ ଜାତୀୟ ଉଦ୍ୟାନ ବା ମୁଦୁମଲାଇ ଅଭୟାରଣ୍ୟ ନୀଳଗିରି ପର୍ବତମାଳାର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ତାମିଲନାଡ଼ୁ ରାଜ୍ୟର ନୀଳଗିରି ଜିଲ୍ଲାରେ ଏହି ଅଭୟାରଣ୍ୟ ରହିଛି । ତାମିଲନାଡ଼ୁର କୋଏମ୍ବତୁର୍ ସହରରୁ ଉତ୍ତର-ପଶ୍ଚିମ ଦିଗରେ ୧୫୦ କି.ମି. ଦୂରତାରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଏହି ଅଭୟାରଣ୍ୟକୁ ଏକ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ମିଳିଛି । ଏହି ଅଭୟାରଣ୍ୟର ସୀମା କର୍ଣ୍ଣାଟକ ଓ କେରଳ ରାଜ୍ୟର ସୀମାକୁ ଲାଗିଛି । ଅଭୟାରଣ୍ୟକୁ ମୋଟାମୋଟି ଭାବେ ୫ଟି ବନଖଣ୍ଡରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲେ – ମସିନାଗୁଡ଼ି, ଥିପକାଡ଼ୁ, ମୁଦୁମଲାଇ, କାରଗୁଡ଼ି ଓ ନେଲ୍ଲାକୋଟା ।
ମୁଦୁମଲାଇ ଜାତୀୟ ଉଦ୍ୟାନ | |
---|---|
ମୁଦୁମଲାଇ ଜାତୀୟ ଉଦ୍ୟାନ ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଅବସ୍ଥାନ | ନୀଳଗିରି ଜିଲ୍ଲା, ତାମିଲନାଡ଼ୁ, ଭାରତ |
ପାଖ ସହର | ଗୁଡ଼ାଲୁର (୭ କି.ମି.) |
ଦିଗବାରେଣି | 11°35′N 76°33′E / 11.583°N 76.550°E |
କ୍ଷେତ୍ରଫଳ | ୩୨୧ ବର୍ଗ କି.ମି. |
ସ୍ଥାପିତ | ୧୯୪୦ |
ପର୍ଯ୍ୟଟକ ସଂଖ୍ୟା | ୧୬୩୬୧୦ (୨୦୦୮ ମସିହା) [୧] |
ପରିଚାଳନା | ତାମିଲନାଡ଼ୁ ବନ ବିଭାଗ |
[www.forests.tn.nic.in Official website] |
ଅନେକ ସଙ୍କଟାପନ୍ନ ଓ ଲୁପ୍ତପ୍ରାୟ ବିରଳ ବନ୍ୟଜୀବ ଏହି ଅଭୟାରଣ୍ୟରେ ରହିଛନ୍ତି । ହାତୀ, ମହାବଳ ବାଘ, ବନ୍ୟ ଗୟଳ, କଲରାପତରିଆ ବାଘ ଇତ୍ୟାଦି ଏଠାକାର ମୁଖ୍ୟ ବନ୍ୟଜୀବ । ୨୬୬ରୁ ଅଧିକ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟରେ ବସବାସ କରନ୍ତି । ତନ୍ମଧ୍ୟରୁ କିଛି ଲୋପ ପାଇବା ଅବସ୍ଥାରେ ଥିବା ପ୍ରଜାତି ଯଥା ବଙ୍ଗଳା ଶାଗୁଣା (Indian white-rumped vulture), ଭାରତୀୟ ଶାଗୁଣା (long-billed vulture) ମଧ୍ୟ ଏଠାରେ ଦେଖାଯାନ୍ତି ।[୨]
ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ଅଞ୍ଚଳ ୬୦୦୦ ବର୍ଗ କି.ମି. ଅଞ୍ଚଳରେ ବ୍ୟାପ୍ତ ଓ ମୁଦୁମଲାଇ ଜାତୀୟ ଉଦ୍ୟାନ ସମେତ ଏହି ଜୈବଗୋଲକର ଅନ୍ୟାନ୍ୟ ଅଂଶକୁ ଏକ UNESCO ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯିବା ବିଷୟରେ ଆଲୋଚନା ଚାଲିଛି । [୩]
ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟ
ନୀଳଗିରି ଜୈବଗୋଲକରେ ସମୁଦାୟ ୪୮ଟି ମହାବଳ ବାଘ ରହିଛନ୍ତି ଓ ଏଠାକାର ଜଙ୍ଗଲମାନଙ୍କରେ ମୁକ୍ତ ଭାବେ ବିଚରଣ କରନ୍ତି ।
ଇତିହାସ
୨୦୦୭ ମସିହା ଅପ୍ରେଲ୍ ମାସରେ ତାମିଲନାଡ଼ୁ ରଜ୍ୟ ସରକାର ମୁଦୁମଲାଇକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ବୋଲି ଘୋଷଣା କରିଥିଲେ । ବନ୍ୟଜୀବ ସଂରକ୍ଷଣ ନିୟମ-୧୯୭୨ର ପର୍ଯ୍ୟାୟ ୩୮V ଅନୁସାରେ ଦେଶରେ ହ୍ରାସ ପାଥିବା ବାଘଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଜାତୀୟ ଉଦ୍ୟାନର କୋର୍ ଅଞ୍ଚଳରେ ରହୁଥିବା ୩୫୦ଟି ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇ ସେମାନଙ୍କୁ ଉଦ୍ୟାନରୁ ସ୍ଥାନାନ୍ତରିତ କରାଯାଇଥିଲା । ଜାତୀୟ ଉଦ୍ୟାନର ୫ କି.ମି. ପାରିପାର୍ଶ୍ୱିକ ଅଣ-କୋର୍ ଅଞ୍ଚଳର ନିବାସୀମାନେ ମଧ୍ୟ ସ୍ଥାନାନ୍ତରିତ ହେବା ଆଶା କରୁଥିଲେ, ତେବେ ଏପରି କରାଯାଇନାହିଁ । ଏହି ଅଞ୍ଚଳରେ ରହୁଥିବା କିଛି ଲୋକଙ୍କୁ ବନ୍ୟଜୀବ ସଂରକ୍ଷଣ ଓ ଜଙ୍ଗଲ ବିଷୟରେ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ଟ୍ରାକର୍ ବା ଗାଇଡ୍ ଭାବେ ନିଯୁକ୍ତି ଦେବାର ଯୋଜନା ରହିଥିଲା ଯାହା କି ସେମାନଙ୍କ ଜୀବିକା ନିର୍ବାହରେ ସହାୟକ ହୋଇପାରିବ ।[୪]
୨୦୧୦ ସେପ୍ଟେମ୍ବର ୧୬ ତାରିଖରେ (୨୦୧୦-୨୦୧୧ ଆର୍ଥିକ ବର୍ଷରେ) ବ୍ୟାଘ୍ର ପ୍ରକଳ୍ପର ପ୍ରସାର ପାଇଁ ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣଦ୍ୱାରା ୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ।[୫]
ଉଦ୍ଭିଦ
ଅଭୟାରଣ୍ୟରେ ମୁଖ୍ୟତଃ ତିନି ପ୍ରକାରର ଜଙ୍ଗଲ ଦେଖିବାକୁ ମିଳେ । ସେଗୁଡ଼ିକ ହେଲେ – ପଶ୍ଚିମ ପଟର କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ, କେନ୍ଦ୍ରୀୟ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଓ ଦକ୍ଷିଣ କ୍ରାନ୍ତୀୟ ଶୁଷ୍କ କଣ୍ଟକମୟ ଜଙ୍ଗଲ । ପଶ୍ଚିମ ପ୍ରାନ୍ତରେ ଅଧିକ ବୃଷ୍ଟିପାତ ହେଉଥିବାରୁ ଏଠାକାର ଜଙ୍ଗଲ ଆର୍ଦ୍ର ପର୍ଣ୍ଣମୋଚୀ । ଏହାଛଡ଼ା ମୁଦୁମଲାଇର ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ ଭାଗରେ ଠାଏ ଠାଏ କ୍ରାନ୍ତୀୟ ସ୍ୱଳ୍ପ-ଚିରହରିତ୍ ଅରଣ୍ୟ ମଧ୍ୟ ଦେଖିବାକୁ ମିଳେ । ସେଠାକାର ବାର୍ଷିକ ବୃଷ୍ଟିପାତ ୨୦୦୦ ମି.ମି.ରୁ ଅଧିକ । ଏହି ଅଭୟାରଣ୍ୟରେ ବଣ ଅଦା, ହଳଦୀ, ଡାଲଚିନି, ପିଜୁଳି, ଆମ୍ବ, ଗୋଲମରିଚ, ବଣ ଚାଉଳ ପରି ଅନେକ ଗଛ ମଧ୍ୟ ଦେଖାଯାଏ ।[୬] କିଛି ସ୍ଥାନରେ ମିଶ୍ରିତ ଜଙ୍ଗଲ ମଧ୍ୟ ଦେଖାଯାଏ । ପର୍ଣ୍ଣମୋଚୀ ଜଙ୍ଗଲର ଗଛ ଗ୍ରୀଷ୍ମ ଋତୁରେ ପତ୍ରଝଡ଼ା ଦିଅନ୍ତି ଓ ମୌସୁମୀର ସ୍ପର୍ଶରେ ପୁଣି ସବୁଜିମା ଲାଭ କରନ୍ତି ।[୭] ଆର୍ଦ୍ର ମୃତ୍ତିକା ଓ ସନ୍ତସନ୍ତିଆ ଅଞ୍ଚଳରେ ବାଉଁଶ ବୁଦାବଣ ମଧ୍ୟ ରହିଥାଏ । ମୁଦୁମଲାଇରେ ଦୁଇ ପ୍ରକାରର ବାଉଁଶ ମିଳେ – କଲିକତା ବାଉଁଶ (Dendrocalamus strictus) ଓ ବାମ୍ବୁସା ବାଉଁଶ (arundinacea) । ହାତୀ ଓ ବନ୍ୟ ଗୟଳମାନେ ଉଭୟ ପ୍ରକାରର ବାଉଁଶ ଖାଆନ୍ତି । ବନ୍ୟଜୀବମାନେ ଘଞ୍ଚ ଅରଣ୍ୟରେ ଖାଦ୍ୟାରହଣ ଓ ବିଶ୍ରାମ କରିବାକୁ ପସନ୍ଦ କରନ୍ତି ।
ବନ୍ୟଜନ୍ତୁ
ଅଭୟାରଣ୍ୟରେ ୫୦ ପ୍ରଜାତିର ମାଛ, ୨୧ ପ୍ରଜାତିର ଉଭୟଚର, ୩୪ ପ୍ରଜାତିର ସରୀସୃପ, ୨୨୭ ପ୍ରଜାତିର ପକ୍ଷୀ ଓ ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଏଠାକାର ଜୈବ ବିବିଧତାର ସ୍ପଷ୍ଟ ଉଦାହରଣ । ଶୁଷ୍କ ପର୍ଣ୍ଣମୋଚୀ ଓ ଶୁଷ୍କ କଣ୍ଟକମୟ ଅରଣ୍ୟରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିବିଧତା ଅନ୍ୟ ଅଂଶ ଅପେକ୍ଷା ଅଧିକ । ଭାରତର ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ୧୩% ଜୀବ ମୁଦୁମଲାଇ ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି ।
ସରୀସୃପ ପ୍ରଜାତି[୬] | ଭାରତରେ ଦେଖାଯାନ୍ତି | ମୁଦୁମଲାଇରେ ଦେଖାଯାନ୍ତି | ମୁଦୁମଲାଇରେ ସର୍ବମୋଟର ପ୍ରତିଶତ |
---|---|---|---|
ବର୍ଗୀକରଣ | # ଭାରତର ପ୍ରଜାତି | # ମୁଦୁମଲାଇର ପ୍ରଜାତି | % |
ଆଦିବାନର | ୧୫ | ୩ | ୨୦% |
ସମଦ୍ୱିଖୁରାବିଶିଷ୍ଟ ପ୍ରାଣୀ (ହରିଣ, ଗୟଳ, ବାର୍ହା) | ୩୪ | ୭ | ୨୦.୫୦% |
ପ୍ରୋବୋଶିଡାଏ (ହାତୀ) | ୧ | ୧ | ୧୦୦% |
ହିଂସ୍ର ପରଭକ୍ଷୀ (ମହାବଳ ବାଘ, କଲରାପତରିଆ ବାଘ, ଭାଲୁ) | ୫୮ | ୧୯ | ୩୨.୭୦% |
ଫୋଲିଡୋଟା (ପିମ୍ପୁଡ଼ିଭକ୍ଷୀ) | ୧ | ୧ | ୧୦୦% |
ଲାଗୋମୋର୍ଫା (ଭାରତୀୟ ଠେକୁଆ) | ୧୧ | ୧ | ୯.୦୯% |
ପତଙ୍ଗଭକ୍ଷୀ (ଚୁଚୁନ୍ଦ୍ରା ପରି ଦେଖାଯାଉଥିବା ଶ୍ର୍ୟୁ ନାମକ ଏକ ଜୀବ) | ୩ | ୨ | ୬୬.୬୬% |
ମୂଷା (ମୂଷା, ଗୁଣ୍ଡୁଚି ମୂଷା) | ୧୦୨ | ୧୪ | ୧୩.୭୩% |
ବାଦୁଡ଼ି ଜାତୀୟ | ୧୧୩ | ୭ | ୬.୧୯% |
ଭାରତରେ ଦେଖାଯାଉଥିବା ୧୫ଟି ବଡ଼ ଛୋଟ ବିରାଡ଼ି ପ୍ରଜାତିରୁ ୪ଟି (ମହାବଳ ବାଘ, କଲରାପତରିଆ ବାଘ, କଟାସ, ଚିତା ବିରାଡ଼ି) ମୁଦୁମଲାଇ ଜାତୀୟ ଉଦ୍ୟାନରେ ବସବାସ କରନ୍ତି । ଏହି ଜଙ୍ଗଲରେ ୪୪-୮୦ଟି ବାଘ ରହିଥିବାର ଅନୁମାନ କରାଯାଏ । ପରସ୍ପର ସହିତ ଲାଗି ରହିଥିବା ମୁଦୁମଲାଇ-ନାଗାରହୋଳେ-ୱାୟନାଡ଼୍ ଏହି ତିନି ଅଭୟାରଣ୍ୟକୁ ମିଶାଇ ଦେଖିଲେ ଏଠାରେ ବାଘଙ୍କ ଘନତା ଭାରତର ଅନ୍ୟ ସବୁ ସ୍ଥାନ ଅପେକ୍ଷା ଅଧିକ ଓ ମୁଦୁମଲାଇ ଜଙ୍ଗଲ କିଛି ମାତ୍ରାରେ ଏହି ଶ୍ରେୟର ଭାଗୀଦାର । ଏଠାକାର ବାଘ ପଶ୍ଚିମଘାଟ ପର୍ବତର ପୂର୍ବ ଓ ଉତ୍ତର ପାର୍ଶ୍ୱରେ ବାଘଙ୍କ ସଂଖ୍ୟାବୃଦ୍ଧିର ଏକ କାରଣ ମଧ୍ୟ । ପର୍ଣ୍ଣମୋଚୀ ଅରଣ୍ୟରେ ଶିକାର ଜୀବ ବହୁଳ ସଂଖ୍ୟାରେ ରହିଥିବାରୁ ବାଘଙ୍କ ଘନତା ମଧ୍ୟ ବୃଦ୍ଧି ପାଇଛି ।[୮]
କାରଗୁଡ଼ି ବନଖଣ୍ଡରେ କଲରାପତରିଆ ବାଘ ବହୁବାର ଦେଖାଯାଇଛି । ବଳିଆ କୁକୁର, ହେଟା ବାଘ, ସୁବର୍ଣ୍ଣ ଶିଆଳ ଓ ଭାଲୁ ହେଉଛନ୍ତି ଏଠାକାର ଅନ୍ୟ ମାଂସାସୀ ହିଂସ୍ର ପ୍ରାଣୀ । ଜାତୀୟ ଉଦ୍ୟାନରେ ଶହ ଶହ ହାତୀ ମଧ୍ୟ ରହିଛନ୍ତି । ହନୁ ମାଙ୍କଡ଼, ବୋନ୍ନେଟ୍ ମାଙ୍କଡ଼ ଏପରି ତିନୋଟି ପ୍ରଜାତିର ଆଦିବାନର ମୁଦୁମଲାଇ ଜଙ୍ଗଲରେ ବସବାସ କରନ୍ତି । ହିଂସ୍ର ପ୍ରାଣୀଙ୍କ ଶିକାର ଜୀବ ଯଥା ବନ୍ୟ ଗୟଳ, ସମ୍ବର ହରିଣ, ଚିତଲ୍ ହରିଣ, କୁଟୁରା, ଖୁରାଣ୍ଟି, ବାର୍ହା ମଧ୍ୟ ଜଙ୍ଗଲରେ ବହୁ ସଂଖ୍ୟାରେ ଦେଖାଯାନ୍ତି । ନେପାଳୀ ମୂଷା ଓ ଲାଲ୍ ଉଡ଼ନ୍ତା ଗୁଣ୍ଡୁଚି ମୂଷା ପରି ପ୍ରଜାତି ମଧ୍ୟ ମୁଦୁମଲାଇ ଅଭୟାରଣ୍ୟରେ ବସବାସ କରନ୍ତି ।
ଏଠାରେ ଦୃଶ୍ୟମାନ ସରୀସୃପଙ୍କ ମଧ୍ୟରେ ଅଜଗର ସାପ, ନାଗ ସାପ, ଚିଟି ସାପ, ବୋଡ଼ା ସାପ, ଉଡ଼ନ୍ତା ଚମ୍ପେଇନେଉଳ ପ୍ରମୁଖ ପ୍ରଜାତି ।[୯] ମୁଦୁମଲାଇ ଜଙ୍ଗଲରେ ରହୁଥିବା ଗୋଧିଙ୍କ ଗତିବିଧି ଓ ସଂଖ୍ୟା ସବୁବେଳେ ନିରୀକ୍ଷଣ କରାଯାଇଥାଏ ।
ପକ୍ଷୀ
ଭାରତରେ ଦେଖାଯାଉଥିବା ସମସ୍ତ ପକ୍ଷୀ ପ୍ରଜାତିର ୮% ମୁଦୁମଲାଇ ଜଙ୍ଗଲରେ ବାସ କରନ୍ତି । ଏଠାକାର ଅଧିବାସୀ ୨୨୭ଟି ପକ୍ଷୀ ପ୍ରଜାତିରୁ ୧୧୦ଟି ପତଙ୍ଗଭକ୍ଷୀ, ୬୨ଟି ମାଂସଭୋଜୀ ବା ଶିକାରୀ ପକ୍ଷୀ, ୨୩ଟି ମତ୍ସ୍ୟଭୋଜୀ, ୧୨ଟି ସର୍ବଭୋଜୀ ଓ ୨୦ଟି ଶସ୍ୟଭୋଜୀ ।
ମୁଦୁମଲାଇ ଜଙ୍ଗଲରେ ସଙ୍କଟାପନ୍ନ କଳା-କମଳା ଫ୍ଲାଇକ୍ୟାଚର୍ ପକ୍ଷୀ ଦେଖିବାକୁ ମିଳେ । ମାଲାବାର୍ ଟ୍ରୋଗୋନ୍ ଓ ମାଲାବାର୍ ଧୁସରିଆ କୋଚିଲାଖାଇ ଏହି ଜଙ୍ଗଲର ସ୍ଥାନୀୟ ପ୍ରଜାତି । ଶ୍ୱେତକଣ୍ଠ ଚିଲ ପରି ବିରଳ ପ୍ରଜାତିର ଶିକାରୀ ପକ୍ଷୀ ମଧ୍ୟ ମୁଦୁମଲାଇ ଜଙ୍ଗଲରେ ଦେଖାଯାନ୍ତି । ଏଠାରେ ବେଳେବେଳେ ଦେଖାଯାଉଥିବା ଅନ୍ୟ ଶିକାରୀ ପକ୍ଷୀମାନେ ହେଲେ – ଚୂଳିଆ ଚିଲ, ସାପଖିଆ ଚୂଳିଆ ଚିଲ, କଳା ଗରୁଡ଼ ଚିଲ, କ୍ରେଷ୍ଟେଡ଼୍ ହନି ବଜାର୍ଡ଼୍, ଜେର୍ଡୋନ୍ ବାଜପକ୍ଷୀ, ବୋନେଲି ଚିଲ, କ୍ରେଷ୍ଟେଡ଼୍ ଗୋଶ୍ହକ୍, ଚଟିଆଖିଆ ବେସରା ଚିଲ, ପେଚା ଇତ୍ୟାଦି ।
କୋଚିଲାଖାଇ, ପତ୍ରଗୁପ୍ତ ଚଢ଼େଇ, ସ୍ୱର୍ଣ୍ଣପୃଷ୍ଠ କାଠହଣା, ମାଲାବାର୍ କଳା କାଠହଣା, ନୀଳଡେଣା ଶୁଆ, ମୟୂର, ବଣକୁକୁଡ଼ା, ଶ୍ୱେତୋଦର କାଠହଣା, ସୁବର୍ଣ୍ଣ କାଠହଣା, ନୀଳପରି ପକ୍ଷୀ, ପାଉଁଶିଆ ତିତ୍ତର, ଟିପା, କପୋତ, ସାଗୁଆ ପାରା, କୋଇଲି, ଧୁସରମୁଣ୍ଡିଆ ବୁଲ୍ବୁଲ୍ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ମୁଦୁମଲାଇରେ ଦେଖାଯାନ୍ତି । ଦକ୍ଷିଣ ଭାରତର ବାବ୍ଲର୍ ଚଢ଼େଇ ମଧ୍ୟ ଏଠାରେ ଦେଖାଯାଇପାରିବ ।[୯][୧୦]
ଚିତ୍ର ଗ୍ୟାଲେରି
- ଜଙ୍ଗଲର ଦୃଶ୍ୟ
- ଧଳାଲାଞ୍ଜ ଶାମା ଚଢ଼େଇ
- ଅଣ୍ଡିରା ହାତୀ
- ବଳିଆ କୁକୁର ଦଳ
- ଚିତଲ୍ ହରିଣ
- ମୁଦୁମଲାଇ ଜଙ୍ଗଲର ଏକ ନେପାଳୀ ମୂଷା
- ମୁଦୁମଲାଇ ଜଙ୍ଗଲର ଏକ କଲରାପତରିଆ ବାଘ
- ମୋୟାର୍ ନଦୀ ନିକଟସ୍ଥ ଅଞ୍ଚଳର ହାତୀ କୁମ୍କି
- ହନୁ ମାଙ୍କଡ଼ ଦଳର ମୁଖିଆ
- ମୟୂରୀ
- ଥିପକାଡ଼ୁ ନିକଟରେ ମୋୟାର୍ ନଦୀ
- ମୁଦୁମଲାଇ ହାତୀ ଶିବିରର ଏକ ହାତୀ
- ଉତ୍କାମଣ୍ଡ (ଉଟି) ବନ୍ୟଜୀବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ରହିଥିବା ମୁଦୁମଲାଇ ଜାତୀୟ ଉଦ୍ୟାନର ମାନଚିତ୍ର
- ବଣନିଆଁର ଭୟାବହ କ୍ଷତି
ବିପଦ
କେତେକଙ୍କ ମତରେ ସେଗୁର୍ ଓ ମସିନାଗୁଡ଼ି ଅଞ୍ଚଳରେ ପର୍ଯ୍ୟଟନ ଫଳରେ ଅଭୟାରଣ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି । ତେବେ ସ୍ଥାନୀୟ ବାସିନ୍ଦା ଓ ଉଦ୍ୟାନ କର୍ମଚାରୀ ଏପରି ଦାବୀକୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି । ବହୁ ସ୍ଥାନରେ ଅତିମାତ୍ରାରେ ଗୋରୁଗାଈ ଚରାଯିବାରୁ ଜଙ୍ଗଲ କ୍ଷୟ ହୋଇଯାଉଛି ଓ ସେଠାରେ ଲାଣ୍ଟାନା ପରି ବୁଦାଳିଆ ଗଛ ମାଳିମାଳି ଚାଲୁଛି । ଲାଣ୍ଟାନା ପରି ବୁଦା ଜଙ୍ଗଲର ପ୍ରାକୃତିକ ପ୍ରସାରକୁ ବାଧା ପହଞ୍ଚାଇଥାଏ ।[୭] ମୁଦୁମଲାଇ ନିକଟରେ ସିଂଗାରାଠାରେ ଭାରତର ନ୍ୟୁଟ୍ରିନୋ ବେଧଶାଳା ନିର୍ମାଣ କରିବାର ଯୋଜନା ରହିଥିଲା ଯାହା ମସିନାଗୁଡ଼ିର ବନ୍ୟପ୍ରାଣୀ ଓ ଜଙ୍ଗଲ ପରିବେଶକୁ ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କରିଥିଲା । ଏହି ପଞ୍ଚବର୍ଷୀୟ ନିର୍ମାଣ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବିସ୍ଫୋରଣ, ଆବର୍ଜନା, ଗାଡ଼ି ଚଳାଚଳ, କାମ କରିବାକୁ ଆସିଥିବା ଶ୍ରମିକଙ୍କ ବାସସ୍ଥାନ ଇତ୍ୟାଦି ମୁଦୁମଲାଇର ପ୍ରାକୃତିକ ପରିବେଶ ଓ ବନ୍ୟଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।[୧୧][୧୨][୧୩] କିନ୍ତୁ ସ୍ୱେଚ୍ଛାସେବୀ ସଂଗଠନ ଓ ପ୍ରକୃତିବିତ୍ମାନଙ୍କ ବିରୋଧ ଯୋଗୁଁ ଏହି ବେଧଶାଳାର ନିର୍ମାଣ ସ୍ଥାନାନ୍ତରିତ ହୋଇଯାଇଛି । [୧୪]
ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର
ଆହୁରି ଦେଖନ୍ତୁ
- ବାନ୍ଦୀପୁର ଜାତୀୟ ଉଦ୍ୟାନ
- ନାଗାରହୋଳେ ଜାତୀୟ ଉଦ୍ୟାନ
- ୱାୟନାଡ଼୍ ବନ୍ୟପ୍ରାଣୀ ଅଭୟାରଣ୍ୟ
ଆଧାର
- B. (1986). Mudumalai Sanctuary. India's wildlife and wildlife reserves. Sterling Publishers, New Delhi.
- Sharma, B.D., Shetty, B.V., Virekananthan, K. and Rathakrishnan, N.C. (1978). Flora of Mudumalai Wildlife Sanctuary, Tamil Nadu. Journal of the Bombay Natural History Society 75: 13–42.
- Plan for Mudumalai Wildlife Sanctuary and National Park (2007–08 to 2016–17)[୬]
ଟୀକା
ଅନ୍ୟାନ୍ୟ ଲିଂକ୍
- Elephants in Mudumalai NP by an expat living in India (pictures + French text)
- Mudumalai wildlife and landscapes
- Mudumalai Photos 15th Aug 2006 – Courtesy Sasikumar & Ananthi[permanent dead link]
- Mudumalai Wildlife Bird Photographs
- Mudumalai Accommodation
- NBR Alliance
- Mudumalai Accommodation
www.mudumalainationalpark.com Archived 2018-02-12 at the Wayback Machine.