କଲରାପତରିଆ ବାଘ

କଲରାପତରିଆ ବାଘ (ହିନ୍ଦୀରେ तेन्दुआ, ଈଂରାଜୀରେ Leopard ବା Panther ଓ ଜୀବବିଜ୍ଞାନ ନାମ Panthera pardus) ବଡ଼ ବିଡ଼ାଳ (Felidae) ପରିବାରର ପାନ୍ଥେରା ବଂଶର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ ।[୩] ଆଫ୍ରିକା ଓ ଏସିଆ ମହାଦେଶରେ ବହୁଳ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ଏହି ପ୍ରାଣୀକୁ IUCN ତାଲିକାରେ Vulnerable ଶ୍ରେଣୀରେ ସ୍ଥାନିତ କରାଯାଇଛି । ଅଧିବାସ କ୍ଷୟ ଓ ବିଖଣ୍ଡିତ ହେବା ଯୋଗୁଁ ହଂକଂ, ସିଙ୍ଗାପୁର, କୁୱେତ୍, ସିରିଆ, ଲିବ୍ୟା, ଟ୍ୟୁନିସିଆ ଆଦି ସ୍ଥାନରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ମୋରୋକ୍କୋ ପରି ସ୍ଥାନରେ ଏମାନେ ଲୋପ ପାଇ ସାରିଲେଣି ।[୨]ବର୍ତ୍ତମାନ ସମୟରେ କଲରାପତରିଆ ବାଘମାନେ ନିଜ ଅତୀତର ଭୌଗୋଳିକ ବ୍ୟାପ୍ତିର କେବଳ ୨୫% ଅଂଶରେ ସୀମିତ ।[୪][୫] ବହୁ କଲରାପତରିଆ ବାଘଙ୍କର ଅବୈଧ ଶିକାର କରାଯାଏ ଓ ଔଷଧ, ପୋଷାକ, ଚମଡ଼ା ପାଇଁ ଏମାନଙ୍କ ଦେହର ସମସ୍ତ ଅଂଶର ଚୋରା ବ୍ୟବସାୟ ଚାଲେ ।[୬][୭]

କଲରାପତରିଆ ବାଘ
କଲରାପତ୍ରିଆ ବାଘ
ଜୀବାଶ୍ମ କାଳ: ପ୍ଲାୟୋସିନ୍ ଶେଷ ବା ପ୍ରାକ୍-ପ୍ଲାଇଷ୍ଟୋସିନ୍ ସମୟରୁ ବର୍ତ୍ତମାନ
ଭାରତୀୟ କଲରାପତରିଆ ବାଘ
(ଜୀବବିଜ୍ଞାନ ନାମ Panthera pardus fusca)
Conservation status

Vulnerable  (IUCN 3.1)[୨]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ମାମାଲିଆଫୋର୍ମ୍ସ
ଶ୍ରେଣୀ:ମାମାଲିଆ
ବର୍ଗ:କାର୍ନିଭୋରା
Suborder:Feliformia
Family:Felidae
Genus:Panthera
ଜାତି:P. pardus[୧]
ବାଇନୋମିଆଲ ନାମ
Panthera pardus[୧]
(କାର୍ଲ୍ ଲିନାୟସ୍, ୧୭୫୮)
Subspecies

see text

କଲରାପତରିଆ ବାଘଙ୍କ ଭୌଗୋଳିକ ବ୍ୟାପ୍ତି: ଅତୀତ (ଲାଲ୍), ବିଖଣ୍ଡିତ ଅବସ୍ଥିତି (ଫିକା ସାଗୁଆ), ଉପସ୍ଥିତି ଅନିଶ୍ଚିତ (ହଳଦିଆ) ଓ ବର୍ତ୍ତମାନ (ଗାଢ଼ ସାଗୁଆ)
Synonyms

ଫେଲିସ୍ ପାର୍ଡୁସ୍ (Felis pardus) କାର୍ଲ୍ ଲିନାୟସ୍, ୧୭୫୮

ବଡ଼ ବିଡ଼ାଳ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ କଲରାପତରିଆ ବାଘଙ୍କ ଗୋଡ଼ଗୁଡ଼ିକ ଛୋଟ, ଶରୀର ଟିକେ ଲମ୍ବା ଓ ମୁଣ୍ଡର ଖପୁରୀ ବଡ଼ । ଶରୀର ଗଠନରେ ଏମାନଙ୍କର ଜାଗୁଆରମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ କଲରାପତରିଆ ବାଘ ଜାଗୁଆର ଅପେକ୍ଷା ସାମାନ୍ୟ ଛୋଟ ଓ ଏହା ଦେହରେ ରହିଥିବା ଦାଗର ଆକାର ମଧ୍ୟ ଜାଗୁଆରର ଦେହର ଦାଗ ତୁଳନାରେ ଛୋଟ । କଲରାପତରିଆର ଦାଗ ଜାଗୁଆର ତୁଳନାରେ ଲାଗି ଲାଗି ହୋଇ ରହିଥାଏ । ଜାଗୁଆରର ପତ୍ରଦାଗର କେନ୍ଦ୍ରରେ ଆଉ ଏକ ଛୋଟ ଦାଗ ରହିଥାଏ ଯାହା କଲରାପତରିଆ ବାଘର ଦାଗରେ ଦେଖାଯାଇନଥାଏ । କିଛି ଜାଗୁଆର ଓ କଲରାପତରିଆ ବାଘଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ଦେଖାଦିଏ ଓ ସେମାନେ ସମ୍ପୂର୍ଣ୍ଣ କଳା ଦେଖାଯାନ୍ତି । ଏମାନଙ୍କୁ ବ୍ଲାକ୍ ପାନ୍ଥର୍ (କଳାବାଘ) ବୋଲି ମଧ୍ୟ କୁହାଯାଏ । କଲରାପତରିଆ ବାଘର ଚମଡ଼ାର ରଙ୍ଗ ଛଳାବରଣରେ ବହୁତ ସହାୟକ ହୁଏ । ଏମାନେ ନିଜର ଛଳାବରଣ, ଚତୁର ଶିକାର ଶୈଳୀ, ଶିକାରରେ ବିବିଧତା, ଯେକୌଣସି ଅଧିବାସରେ ଖାପଖୁଆଇ ରହିପାରିବା ଓ ପ୍ରବଳ ଶକ୍ତି (ଅନାୟାସରେ ନିଜ ଶିକାରକୁ ଦାନ୍ତରେ ଭିଡ଼ିଧରି ଗଛ ଚଢ଼ିବା) ପରି ଗୁଣ ଯୋଗୁଁ ବେଶ ପରିଚିତ । ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରହନ୍ତି । କଲରାପତରିଆ ବାଘମାନେ ୫୮ କି.ମି. ପ୍ରତି ଘଣ୍ଟାର (୩୬ ମାଇଲ୍ ପ୍ରତି ଘଣ୍ଟା) ବେଗରେ ଦୌଡ଼ି ପାରନ୍ତି ।[୮]

ଜୀବାଶ୍ମ ଅଧ୍ୟୟନରୁ ଜଣାଯାଇଛି ଯେ ୟୁରୋପଜାପାନରେ ପ୍ଲାଇଷ୍ଟୋସିନ୍ ସମୟର ଶେଷବେଳକୁ କଲରାପତରିଆ ବାଘଙ୍କ ଉଦ୍ଭବ ହୋଇଥିଲା ।[୯][୧୦]

ନାମକରଣ

ଦେହରେ କଲରା ପତ୍ର ପରି ଛାପିଛାପିକା ଦାଗ ରହିଥିବାରୁ ଏମାନଙ୍କୁ କଲରାପତରିଆ ବାଘ ବୋଲି ନାମ ଦିଆଯାଇଛି । ଈଂରାଜୀ ନାମ "ଲେପର୍ଡ୍" ("leopard")[୧୧] ଦୁଇଟି ଗ୍ରୀକ୍ ଶବ୍ଦ "λέων" (leōn ଅର୍ଥାତ୍ ସିଂହ) ଓ "πάρδος" (pardos ଅର୍ଥାତ୍ ଅଣ୍ଡିରା ପାନ୍ଥର୍) ଶବ୍ଦର ମିଳନରୁ ସୃଷ୍ଟ ଏକ ଯୁଗ୍ମ ଶବ୍ଦ । ପାରମ୍ପରିକ ଗ୍ରୀକ୍ ସଂସ୍କୃତିରେ ସିଂହ ଓ ପାନ୍ଥର୍ ନାମକ ଏକ କିମ୍ବଦନ୍ତୀ ଜୀବର ସଂକରରୁ କଲରାପତରିଆ ବାଘର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ । ତେବେ ଏହି ଗ୍ରୀକ୍ ଶବ୍ଦଟିର ସଂସ୍କୃତ ଶବ୍ଦ "पृदाकु" (ପୃଦାକୁ : ଅର୍ଥାତ୍ ସାପ, ବାଘ) ସହିତ ଅନେକ ସାମଞ୍ଜସ୍ୟ ରହିଛି । ମିଶରୀୟ ବା ଭୂମଧ୍ୟ ସାଗରୀୟ ଅଞ୍ଚଳରୁ ଏହି ଶବ୍ଦ ଉଦ୍ଧୃତ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।[୧୨][୧୩] ପ୍ରଥମେ ୧୩ଶ ଶତାବ୍ଦୀରେ ଏହି ଶବ୍ଦର ବ୍ୟବହାର କରାଯିବା ଆରମ୍ଭ କରାଗଲା ।[୧୧] ଅନ୍ୟ କିଛି ସ୍ଥାନୀୟ ନାମ ହେଲା ଗ୍ରେଉପାନ୍ଥର୍, ପାନ୍ଥର୍ । ହିନ୍ଦୀ ଭାଷାରେ କଲରାପତରିଆ ବାଘକୁ तेन्दुआ (ତେନ୍ଦୁଆ) କୁହାଯାଇଥାଏ ।[୧୪] ମେଲାନିନ୍ ଆଧିକ୍ୟ ରହିଥିବା କଲରାପତରିଆ ବାଘଙ୍କୁ ଈଂରାଜୀରେ "black panther" (ବ୍ଲାକ୍ ପାନ୍ଥର୍) ବୋଲି କୁହାଯାଏ ।[୧୫] ଅତୀତରେ ଈଂରାଜୀ ଭାଷାରେ "pard" (ପାର୍ଡ୍) ବୋଲି ଏକ ଶବ୍ଦ ବ୍ୟବହୃତ ହେଉଥିଲା ଯାହା କଲରାପତରିଆ ବାଘକୁ ବୁଝାଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏହି ଶବ୍ଦ ଆଉ ବ୍ୟବହୃତ ହେଉନାହିଁ ।[୧୬]

କଲରାପତରିଆ ବାଘର ଜୀବବିଜ୍ଞାନ ନାମ ହେଲା : ପାନ୍ଥେରା ପାର୍ଡୁସ୍ । ପାନ୍ଥେରା ଶବ୍ଦଟି ଗ୍ରୀକ୍-ଲାଟିନ୍ ଶବ୍ଦ πάνθηρରୁ ଗୃହୀତ ।[୧୭] ୧୩ଶ ଶତାବ୍ଦୀରେ ପ୍ରଥମେ ବ୍ୟବହୃତ ହୋଇଥିବା ପାନ୍ଥର୍ ଶବ୍ଦ ମୁଖ୍ୟତଃ କଲରାପତରିଆ ବାଘକୁ ସୂଚାଏ (କୁଗାର୍ ବା ଜାଗୁଆର ପାଇଁ ଏହାକୁ ଅଳ୍ପ କେତେକ ସ୍ଥାନରେ ବ୍ୟବହାର କରାଯାଇଛି) ।[୧୫] ଅନ୍ୟ ଏକ ଦୃଷ୍ଟିକୋଣ କ୍ରମେ ପାନ୍ଥେରା ଶବ୍ଦଟି ଭାରତୀୟ-ଇରାନୀୟ ଭାଷାରେ ଅବସନ୍ନ-ପୀତ ସୂଚାଉଥିବା ଏକ ଶବ୍ଦରୁ ମଧ୍ୟ ଗୃହୀତ ହୋଇଥାଇପାରେ ବୋଲି ଅନୁମାନ କରାଯାଏ । ସଂସ୍କୃତରେ ବାଘର ଅର୍ଥସୂଚକ ଶବ୍ଦ ପୁଣ୍ଡରୀକ (पुण्डरीक) ଓ ସମାର୍ଥବାଚକ ଅପଭ୍ରଂଶ ଶବ୍ଦ ପାଣ୍ଡର (पाण्डर)ରୁ ମଧ୍ୟ ଏହା ଉଦ୍ଧୃତ ହୋଇଥିବାର ସମ୍ଭାବନା ରହିଛି ।[୧୩][୧୭] ଏହି ପ୍ରାଣୀର ଜୀବବିଜ୍ଞାନ ନାମରେ ରହିଥିବା ପାର୍ଡୁସ୍ ଶବ୍ଦଟି ଗ୍ରୀକ୍ ଶବ୍ଦ πάρδος (ପାର୍ଡୋସ୍ – ଅଣ୍ଡିରା ପାନ୍ଥର୍) ଶବ୍ଦରୁ ଗୃହୀତ ହୋଇଛି ।[୧୪]

ବର୍ଗୀକରଣ

ବିଡ଼ାଳ (Panthera) ପ୍ରଜାତିର ଦୁଇଟି ବର୍ଗୀକରଣ ଚିତ୍ର । ଉପର ଚିତ୍ରଟି ୨୦୦୬ ଓ ୨୦୦୯ ମସିହାର ଗବେଷଣା[୧୮][୧୯] ଏବଂ ତଳ ଚିତ୍ରଟି ୨୦୧୦-୨୦୧୧ ମସିହାର ଗବେଷଣା ଉପରେ ଆଧାରିତ ।[୨୦][୨୧]
ବିଭିନ୍ନ କଲରାପତରିଆ ଉପପ୍ରଜାତିର ଆନୁମାନିକ ଭୌଗୋଳିକ ବିତରଣ ଦର୍ଶାଉଥିବା ମାନଚିତ୍ର

ବିଡ଼ାଳ (Panthera-ପାନ୍ଥେରା) ପରିବାରର ପାଞ୍ଚଟି ପରିବାର ମଧ୍ୟରେ କଲରାପତରିଆ ବାଘ ଅନ୍ୟତମ । ଜାଗୁଆର (P. onca), ସିଂହ (P. leo), ତୁଷାର ଚିତାବାଘ ବା ସ୍ନୋ ଲେପର୍ଡ୍ (P. uncia) ଓ ମହାବଳ ବାଘ (P. tigris) ଏହି ପରିବାରର ଅନ୍ୟ ଚାରୋଟି ପ୍ରଜାତି । କଲରାପତରିଆ ପ୍ରଜାତି ଓ ନିଓଫେଲିସ୍ ପ୍ରଜାତିକୁ ମିଶାଇ ପାନ୍ଥରିନାଏ ଉପ-ପରିବାର ସୃଷ୍ଟି ହୋଇଛି ।[୨୨]

ସ୍ୱିଡେନ୍‍ର ଜୀବବିଜ୍ଞାନୀ କାର୍ଲ୍ ଲିନାୟସ୍ ପ୍ରଥମେ Systema Naturaeର ଦଶମ ସଂସ୍କରଣରେ କଲରାପତରିଆ ବାଘ ବିଷୟ ଉଲ୍ଲେଖ କରିଥିଲେ । ଲିନାୟସ୍ କଲରାପତରିଆ ବାଘକୁ ଫେଲିସ୍ ପାର୍ଡୁସ୍ (Felis pardus) ବୋଲି କହିଥିଲେ ଓ ଏହାକୁ ଗୃହପାଳିତ ବିଲେଇ, ମହାବଳ ବାଘ, ୟୁରେସୀୟ ଲିଂକ୍ସ୍, ସିଂହ, ଜାଗୁଆରଙ୍କ ଶ୍ରେଣୀରେ ସ୍ଥାନ ଦେଇଥିଲେ ।[୨୩] ୧୮ଶ ଓ ୧୯ଶ ଶତାବ୍ଦୀରେ ବହୁ ପ୍ରକୃତି ବିଜ୍ଞାନୀ ଓ ବର୍ଗୀକରଣ ବିଶେଷଜ୍ଞ ମଧ୍ୟ ଲିନାୟସ୍‍ଙ୍କ ଶ୍ରେଣୀ ବିଭାଜନକୁ ଅନୁସରଣ କରୁଥିଲେ । ୧୮୧୬ ମସିହାରେ ଲରେଂଜ୍ ଓକେନ୍ ପାନ୍ଥେରା ପ୍ରଜାତିର ସଂଜ୍ଞା ପ୍ରକାଶ କରିଥିଲେ ଓ ଫେଲିସ୍ ପାର୍ଡୁସ୍‍କୁ ପାନ୍ଥେରା ପ୍ରଜାତିର ଏକ ଉପ-ପ୍ରଜାତି ବୋଲି କହିଲେ । ଓକେନ୍‍ଙ୍କ ବର୍ଗୀକରଣ ସର୍ବତ୍ର ଗ୍ରହଣ କରାଗଲା ନାହିଁ ଏବଂ କଲରାପତରିଆ ବାଘକୁ ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଫେଲିସ୍ ବା ଲିଓପାର୍ଡୁସ୍ ଶ୍ରେଣୀରେ ସ୍ଥାନ ଦିଆଯାଇଥିଲା ।[୨୪] ୧୯୧୬ ମସିହାରେ ଈଂରେଜ ଜୀବବିଜ୍ଞାନୀ ରେଜିନାଲ୍ଡ ଇନିସ୍ ପୋକକ୍ ପାନ୍ଥେରା ପ୍ରଜାତି ଓ ପାନ୍ଥେରା ପାର୍ଡୁସ୍ ଉପପ୍ରଜାତିରେ ବର୍ଗୀକରଣକୁ ସଠିକ୍ ବୋଲି ଦର୍ଶାଇଥିଲେ ।[୨୫]

ଉପପ୍ରଜାତି

ଲିନାୟସ୍‍ଙ୍କ କଲରାପତରିଆ ବାଘ ସମ୍ପର୍କିତ ବିବରଣୀକୁ ଆଧାର କରି ୧୭୯୪ରୁ ୧୯୫୬ ମସିହା ମଧ୍ୟରେ ପ୍ରକୃତି ବିଜ୍ଞାନୀମାନେ ୨୭ଟି ଉପପ୍ରଜାତି ଚିହ୍ନଟ କରିଥିଲେ । ମାଇଟୋକଣ୍ଡ୍ରିଆ ବିଶ୍ଳେଷଣ ତଥ୍ୟାନୁସାରେ ୧୯୯୬ ମସିହା ପରଠାରୁ ଏକ ନୂତନ ମାନଦଣ୍ଡ ସ୍ଥିର ହୋଇ କେବଳ ୮ଟି ଉପପ୍ରଜାତିରେ କଲରାପତରିଆ ବାଘମାନଙ୍କ ବର୍ଗୀକରଣ କରାଗଲା ।[୨୬] ପରବର୍ତ୍ତୀ ସମୟରେ କରାଯାଇଥିବା ଅଧିକ ବୈଜ୍ଞାନିକ ଗବେଷଣା ଆରବୀୟ କଲରାପତରିଆ ବାଘକୁ ଏକ ସ୍ୱତନ୍ତ୍ର ପ୍ରଜାତି ବୋଲି ମାନ୍ୟତା ଦେବା ପରେ ଏହି ସଂଖ୍ୟା ବର୍ତ୍ତମାନ ୯ରେ ପହଞ୍ଚିଛି ।[୨୭]

IUCN ସଂସ୍ଥାଦ୍ୱାରା ମଧ୍ୟ ସ୍ୱୀକୃତିପ୍ରାପ୍ତ ଏହି ୯ଟି ଉପ-ପ୍ରଜାତିଙ୍କ ବ୍ୟାଖ୍ୟା ନିମ୍ନ ସାରଣୀରେ ପ୍ରଦତ୍ତ ହୋଇଛି ।[୨][୨୭][୨୮] ୨୦୧୭ ମସିହାରୁ IUCN ସଂସ୍ଥାର ବିଡ଼ାଳ ବର୍ଗୀକରଣ ଦଳ ପୁଣି ୮ଟି ଉପ-ପ୍ରଜାତିକୁ ସ୍ୱୀକୃତି ଦେଲା । ଏହା ଅନୁଯାୟୀ P. p. ciscaucasicaକୁ P. p. tullianaP. p. japonensisକୁ P. p. orientalis ଶ୍ରେଣୀର ବୋଲି କୁହାଗଲା ।[୩]

କଲରାପତରିଆ ବାଘ ଉପପ୍ରଜାତି
ଉପପ୍ରଜାତିବିବରଣୀଚିତ୍ର
ଆଫ୍ରିକୀୟ କଲରାପତରିଆ ବାଘ (P. p. pardus) (ଲିନାୟସ୍, ୧୭୫୮), ଅନ୍ୟ ସମାର୍ଥବାଚୀ ବୈଜ୍ଞାନିକ ନାମ - P. p. panthera (ସ୍ଖ୍ରେବର୍, ୧୭୭୭), P. p. leopardus (ସ୍ଖ୍ରେବର୍, ୧୭୭୭), P. p. melanotica (ଗୁନ୍ଥର୍, ୧୮୮୫), P. p. suahelicus (ନଏମାନ୍, ୧୯୦୦), P. p. nanopardus (ଥୋମାସ୍, ୧୯୦୪), P. p. ruwenzorii (କ୍ୟାମେରାନୋ, ୧୯୦୬), P. p. chui (ହେଲର୍, ୧୯୧୩), P. p. reichenowi (କାବ୍ରେରା, ୧୯୧୮), P. p. antinorii (ଡି ବ୍ୟୁ, ୧୯୨୩), P. p. iturensis (ଆଲେନ୍, ୧୯୨୪), P. p. adusta (ପୋକକ୍, ୧୯୨୭), P. p. shortridgei (ପୋକକ୍, ୧୯୩୨), P. p. adersi (ପୋକକ୍, ୧୯୩୨)[୧]ଏହି ଉପପ୍ରଜାତି ମୁଖ୍ୟତଃ ଉପ-ସାହାରା ଆଫ୍ରିକାରେ ବସବାସ କରନ୍ତି ଓ ଏମାନେ ଏହି ଅଞ୍ଚଳରେ ସର୍ବବ୍ୟାପ୍ତ ।[୨]
  • ଉତ୍ତର ଆଫ୍ରିକା : ଆଲଜେରିଆ, ଲିବିଆ, ଟ୍ୟୁନିସିଆରେ ଏମାନେ ବର୍ତ୍ତମାନ ବିଲୁପ୍ତ । ମୋରୋକ୍କୋ ଏବଂ ଦକ୍ଷିଣପୂର୍ବ ମିଶର୍ ଦେଶରେ ଅଳ୍ପସଂଖ୍ୟକ କଲରାପତରିଆ ବାଘ ବଞ୍ଚି ରହିଛନ୍ତି ।[୨୯]
  • ପଶ୍ଚିମ ଆଫ୍ରିକା : ବେନିନ୍, ବୁର୍କିନା ଫାସୋ, ଘାନା, ଗିନି, ଗିନି-ବିଶାଊ, ଆଇଭରି କୋଷ୍ଟ, ଲାଇବେରିଆ, ମାଲି, ମୌରିଟାନିଆ, ନାଇଜର, ନାଇଜେରିଆ, ସେନେଗାଲ୍, ସିଏରା ଲିଓନ୍, ଟୋଗୋ
  • ପୂର୍ବ ଆଫ୍ରିକା : ବୁରୁଣ୍ଡି, ଜିବୁଟି, ଇରିଟ୍ରିଆ, ଇଥିଓପିଆ, କେନିଆ, ତାଞ୍ଜାନିଆ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ, ରୁଆଣ୍ଡା, ୟୁଗାଣ୍ଡା
  • ମଧ୍ୟ ଆଫ୍ରିକା : କ୍ୟାମେରୁନ୍, କେନ୍ଦ୍ରୀୟ ଆଫ୍ରିକା ଗଣରାଜ୍ୟ, ଚାଦ, କୋଙ୍ଗୋ ଗଣରାଜ୍ୟ, ଗାବୋନ୍
  • ଦକ୍ଷିଣ ଆଫ୍ରିକା : ଅଙ୍ଗୋଲା, ବୋତ୍ସୱାନା, ମଲାୱି, ମୋଜାମ୍ବିକ୍, ନାମିବିଆ, ଦକ୍ଷିଣ ଆଫ୍ରିକା, ସ୍ୱାଜିଲାଣ୍ଡ, ଜାମ୍ବିଆ ଓ ଜିମ୍ବାବ୍ୱେ
ଭାରତୀୟ କଲରାପତରିଆ ବାଘ (P. p. fusca) (ମେୟର୍, ୧୭୯୪), ଅନ୍ୟ ସମାର୍ଥବାଚୀ ବୈଜ୍ଞାନିକ ନାମ - P. p. pernigra (ହଜ୍‍ସନ୍, ୧୮୬୩), P. p. millardi (ପୋକକ୍, ୧୯୩୦)ଭାରତୀୟ ଉପମହାଦ୍ୱୀପରେ ଭାରତ, ନେପାଳ, ଭୁଟାନ, ପାକିସ୍ତାନବଙ୍ଗଳାଦେଶରେ ଏହି ଉପପ୍ରଜାତି ଦେଖିବାକୁ ମିଳନ୍ତି ।
ଜାଭା କଲରାପତରିଆ ବାଘ (P. p. melas) (ଜର୍ଜେସ୍ କୁଭିଏ, ୧୮୦୯)ଏହି ଉପପ୍ରଜାତି ଇଣ୍ଡୋନେସିଆ ଓ ଜାଭା ଦ୍ୱୀପର ମୂଳ ନିବାସୀ । ଏହି ଉପପ୍ରଜାତିକୁ IUCN ସଂସ୍ଥା Critically Endangered ତାଲିକାଭୁକ୍ତ କରିଛି ।[୨]
ଆରବୀୟ କଲରାପତରିଆ ବାଘ (P. p. nimr) (ହେମ୍ପ୍ରିଖ୍ ଓ ଏହରେନ୍‍ବର୍ଗ୍, ୧୮୩୩), ଅନ୍ୟ ସମାର୍ଥବାଚୀ ବୈଜ୍ଞାନିକ ନାମ - P. p. jarvisi (ପୋକକ୍, ୧୯୩୨)ସମସ୍ତ କଲରାପତରିଆ ଉପପ୍ରଜାତି ମଧ୍ୟରେ ଏହି ଉପପ୍ରଜାତିର ଆକାର କ୍ଷୁଦ୍ରତମ । ବୟସ୍କା ବାଘୁଣୀମାନେ ପ୍ରାୟ ୧୮ କି.ଗ୍ରା. ଓଜନବିଶିଷ୍ଟ ହୋଇଥାନ୍ତି । ଆରବୀୟ ଉପଦ୍ୱୀପର ସାଉଦି ଆରବ, ଓମାନ୍, ୟେମେନ୍, କୁୱେତ୍, ଇସ୍ରାଏଲ୍, ଜୋର୍ଡାନ୍, ଲେବାନନ୍, ସିରିଆ ଓ ସଂଯୁକ୍ତ ଆରବ ଏମିରେତ ଆଦି ଦେଶମାନଙ୍କରେ ଏମାନେ ପରିଲକ୍ଷିତ ହୁଅନ୍ତି । ସିନାଇ ଉପଦ୍ୱୀପରେ ଏମାନେ ବର୍ତ୍ତମାନ ବିଲୁପ୍ତ ।[୩୦]
ଆନାତୋଲୀୟ କଲରାପତରିଆ ବାଘ (P. p. tulliana) (ଭାଲେଂସିଏନ୍ନେସ୍, ୧୮୫୬), ଅନ୍ୟ ସମାର୍ଥବାଚୀ ବୈଜ୍ଞାନିକ ନାମ - (P. p. ciscaucasica – ପର୍ସୀୟ କଲରାପତରିଆ ବାଘ) (ସ୍ୟାଟୁନିନ୍, ୧୯୧୪),[୩] P. p. saxicolor (ପୋକକ୍, ୧୯୨୭), P. p. sindica (ପୋକକ୍, ୧୯୩୦), P. p. dathei (ଜୁକୋସ୍କି, ୧୯୬୪)ପୂର୍ବ ତୁର୍କୀ, କକେସସ୍, ଜର୍ଜିଆ, ଆର୍ମେନିଆ, ଦକ୍ଷିଣ ଋଷ୍, ଆଜେର୍ବାଇଜାନ୍, ତୁର୍କ୍‍ମେନିସ୍ତାନ୍, ଉଜ୍‍ବେକିସ୍ତାନ୍, ଆଫଗାନିସ୍ତାନ, ଇରାକ୍ ଓ ଉତ୍ତର ଇରାନ୍ ଇତ୍ୟାଦି ଦେଶରେ କଲରାପତରିଆ ବାଘଙ୍କ ଏହି ଉପ-ପ୍ରଜାତି ରହନ୍ତି ।[୨]

ଦକ୍ଷିଣ-ପଶ୍ଚିମ ତୁର୍କୀରୁ ଏହି ଉପପ୍ରଜାତି ବିଲୋପ ହୋଇ ସାରିଲାଣି । ଦସ୍ତ-ଏ-କାଭିର୍ ଓ ଦସ୍ତ-ଏ-ଲୁଟ୍ ମରୁଭୂମି ଯୋଗୁଁ ଉତ୍ତରୀୟ ପ୍ରାନ୍ତର କଲରାପତରିଆ ବାଘଙ୍କଠାରୁ ବିଚ୍ଛିନ୍ନ ହୋଇ ଦକ୍ଷିଣ ଇରାନ୍, ଦକ୍ଷିଣ ଆଫଗାନିସ୍ତାନ୍ ଓ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବେଲୁଚିସ୍ତାନ୍ କଲରାପତରିଆ ବାଘର କ୍ରମବିବର୍ତ୍ତନ ହୋଇଥିବା ସମ୍ଭବପର ।[୨୮]

ଏମୁର୍ କଲରାପତରିଆ ବାଘ (P. p. orientalis) (ଶ୍ଳେଗେଲ୍, ୧୮୫୭) ଅନ୍ୟ ସମାର୍ଥବାଚୀ ବୈଜ୍ଞାନିକ ନାମ - (P. p. japonensis – ଉତ୍ତର ଚୀନୀ କଲରାପତରିଆ ବାଘ) (ଜନ୍ ଏଡ୍ୱାର୍ଡ୍ ଗ୍ରେ, ୧୮୬୨)ଏହି ଉପପ୍ରଜାତି କେନ୍ଦ୍ର ଓ ଉତ୍ତର ଚୀନ,[୩୧] ଏବଂ ସୁଦୂର ପୂର୍ବ ଋଷ୍‍ର ମୂଳ ନିବାସୀ । କୋରିଆ ଉପଦ୍ୱୀପରେ ଏମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ।[୨] ଏହି ଉପପ୍ରଜାତିର ଖୁବ୍ କମ୍ ବାଘ ବର୍ତ୍ତମାନ ଜୀବିତ ଅଛନ୍ତି ।[୩୧]
ଇଣ୍ଡୋଚୀନୀ କଲରାପତରିଆ ବାଘ (P. p. delacouri) ପୋକକ୍, ୧୯୩୦ଦକ୍ଷିଣ-ପୂର୍ବ ଏସିଆର ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ୍, ମାଲେସିଆ, କାମ୍ବୋଡ଼ିଆ, ଲାଓସ୍, ଭିଏତ୍‍ନାମ୍ ଓ ଦକ୍ଷିଣ ଚୀନରେ ଏହି ଉପପ୍ରଜାତି ପରିଲକ୍ଷିତ ହୋଇଥାଏ ।[୨]
ସିଂହଳୀ କଲରାପତରିଆ ବାଘ (P. p. kotiya) ଡିରେନିୟାଗଲା, ୧୯୫୬ଏହି ଉପପ୍ରଜାତିର କଲରାପତରିଆ ବାଘ ଶ୍ରୀଲଙ୍କାରେ ଦେଖାଯାନ୍ତି ।[୨]

କ୍ରମବିବର୍ତ୍ତନ ଓ ଜେନେଟିକ୍ସ୍

ପାନ୍ଥେରାନିଓଫେଲିସ୍ ପ୍ରଜାତିମାନଙ୍କ ପୂର୍ବପୁରୁଷ ଏକା ଓ ପ୍ରାୟ ୬୩.୭ ଲକ୍ଷ ବର୍ଷ ପୂର୍ବେ ଏମାନେ ଧରାପୃଷ୍ଠରେ ବିଚରଣ କରୁଥିବାର ଅନୁମାନ କରାଯାଏ । ତୁଷାର ଚିତାବାଘ ଓ କ୍ଲାଉଡେଡ୍ ଲେପର୍ଡ୍ ପାନ୍ଥେରା ପ୍ରଜାତିର ବ୍ୟତିକ୍ରମ ରୂପେ ପରିଗଣିତ ହୋଇଥିଲେ । ପାନ୍ଥେରା ପ୍ରଜାତିଟି ଏସିଆରୁ ସୃଷ୍ଟି ହୋଇଥିବା ଓ ପରବର୍ତ୍ତୀ ସମୟରେ ଆଫ୍ରିକାକୁ ବିସ୍ତାର ଲାଭ କରିଥିବା ଅନୁମାନ କରାଯାଏ । ପ୍ରାୟ ୨୯ ଲକ୍ଷ ବର୍ଷ ପୂର୍ବେ ମହାବଳ ବାଘ ଓ ତୁଷାର ଚିତାବାଘଙ୍କ ବିବର୍ତ୍ତନ ଧାରା ଅନ୍ୟ ପାନ୍ଥେରା ଜୀବଙ୍କଠାରୁ ବିଚ୍ଛିନ୍ନ ହୋଇ ନିଜର ସ୍ୱତନ୍ତ୍ର ଶାଖା ସ୍ରୋତରେ ପ୍ରବାହିତ ହେଲା ।[୨୦][୨୧] ଜନ୍‍ସନ୍ ଓ ତାଙ୍କ ସହକର୍ମୀମାନଙ୍କ ମତାନୁସାରେ ଏହା ପରେ କଲରାପତରିଆ ଓ ସିଂହଙ୍କ ବିବର୍ତ୍ତନର ଅନ୍ୟ ଏକ ସ୍ୱତନ୍ତ୍ର ବିବର୍ତ୍ତନ ଧାରା ସୃଷ୍ଟି ହେଲା ।[୧୮]

ଅନ୍ୟ ଫେଲିଡାଏ ଜୀବଙ୍କ ପରି କଲରାପତରିଆ ବାଘର ଡାଇପ୍ଲଏଡ୍ କ୍ରୋମୋଜୋମ୍ ସଂଖ୍ୟା ୩୮ ।[୩୨] ୪ ଆକ୍ରୋସେଣ୍ଟ୍ରିକ୍, ୫ ମେଟାସେଣ୍ଟ୍ରିକ୍, ୭ ସବ୍-ମେଟାସେଣ୍ଟ୍ରିକ୍, ୨ ଟେଲୋସେଣ୍ଟ୍ରିକ୍ ଯୁଗଳକୁ ନେଇ କଲରାପତରିଆର କ୍ରୋମୋଜୋମ୍ ବ୍ୟବସ୍ଥା ଗଠିତ ।[୩୩]

ଫେଲିଡାଏ ବଂଶର ୮ଟି ଲତିକାରୁ ଅନ୍ୟତମ ହେଲା ପାନ୍ଥେରା ପରିବାର ଓ କଲରାପତରିଆ ବାଘ ଏହି ପାନ୍ଥେରା ଶ୍ରେଣୀର ପ୍ରଜାତି । ଫେଲିଡାଏ ବଂଶରେ ପାନ୍ଥେରା ଓ ନିଓଫେଲିସ୍ ପରି ଦୁଇଟି ଜାତିଙ୍କୁ ନେଇ ଗଠିତ । ଏହି ବଂଶର ପ୍ରଜାତିମାନଙ୍କ ବିବର୍ତ୍ତନ ଧାରାରୁ ପ୍ରଥମେ କ୍ଲାଉଡେଡ୍ ଲେପର୍ଡ୍‍ର ବିବର୍ତ୍ତନ ଧାରା ବିଚ୍ଛିନ୍ନ ହୋଇ ଏକ ସ୍ୱତନ୍ତ୍ର ଧାରା ଅନୁସରଣ କଲା । ପରେ ମହାବଳ ବାଘ, ତୁଷାର ଚିତାବାଘଙ୍କ ଧାରା ବିଚ୍ଛିନ୍ନ ହେଲା । ପ୍ରାୟ ୨୦-୩୦ ଲକ୍ଷ ବର୍ଷ ପୂର୍ବେ ବିବର୍ତ୍ତନର ଅନ୍ୟ ଶାଖା ସବୁ ସୃଷ୍ଟି ହେଲା ବୋଲି କୁହାଯାଏ କିନ୍ତୁ ଏ ତଥ୍ୟ ନିର୍ବିବାଦୀୟ ନୁହେଁ ।[୩୪]

nDNA ଓ mtDNA ବିଶ୍ଳେଷଣ ଭିତ୍ତିରେ କରାଯାଇଥିବା ଫାଇଲୋଜେନେଟିକ୍ ପରୀକ୍ଷାରୁ ଜଣାପଡ଼ିଛି ଯେ ପାନ୍ଥେରା ପ୍ରଜାତି ମଧ୍ୟରେ କଲରାପତରିଆ ବାଘ, ସିଂହ ଓ ଜାଗୁଆର ପ୍ରାୟ ଭଗିନୀ ପ୍ରଜାତି ପରି ।[୧୮][୧୯] କିନ୍ତୁ ଆଉ ଏକ ଫାଇଲୋଜେନେଟିକ୍ ପରୀକ୍ଷା ବିବର୍ତ୍ତନ ଲତିକାରେ କଲରାପତରିଆ ବାଘ ଓ ଜାଗୁଆରର ସ୍ଥାନ ପରିବର୍ତ୍ତନ କରି ପ୍ରକାଶ କରିଥିଲା ।[୨୦][୨୧] ୨୦୦୧ ମସିହାର ଏକ ପରୀକ୍ଷଣ ଅନୁସାରେ କଲରାପତରିଆ ବାଘ ଓ ସିଂହ ଶରୀରରେ ହେଉଥିବା ରାସାୟନିକ କ୍ଷରଣ ପ୍ରାୟ ଏକ ପ୍ରକାରର ଯାହା ସୂଚନା ଦିଏ ଯେ ଏହି ଦୁଇ ପ୍ରଜାତି ପରସ୍ପରର ନିକଟତର ।[୩୫]

ପ୍ରାୟ ୨୦ରୁ ୩୫ ଲକ୍ଷ ବର୍ଷ ପୂର୍ବେ ପ୍ଲାଇଷ୍ଟୋସିନ୍ କାଳରେ କଲରାପତରିଆ ବାଘଙ୍କ ପୂର୍ବପୁରୁଷ ପୂର୍ବ ଆଫ୍ରିକା ଓ ଦକ୍ଷିଣ ଏସିଆରେ ବିବର୍ତ୍ତିତ ହୋଇଥିବା ଅନୁମାନ କରାଯାଏ । ଆଧୁନିକ ସମୟର କଲରାପତରିଆ ବାଘ ପ୍ରାୟ ୫-୮ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ବିବର୍ତ୍ତିତ ହୋଇ ୨-୩ ଲକ୍ଷ ବର୍ଷ ପୂର୍ବେ ଏସିଆକୁ ଆସିଥିବେ ବୋଲି ଅନୁମାନ କରାଯାଉଛି ।[୨୭]ପ୍ଲାଇଷ୍ଟୋସିନ୍ ସମୟରୁ କଲରାପତରିଆ ବାଘ ୟୁରୋପ୍ ମହାଦେଶରେ ଦେଖାଯାଉଥିବା ସମ୍ଭବପର । ଫ୍ରାଂସ୍‍ର ପେରିଅର୍, ଉତ୍ତର-ପୂର୍ବ ଲଣ୍ଡନଇଟାଲୀର ଭାଲ୍‍ଡାର୍ଣ୍ଣୋ ଇତ୍ୟାଦି ସ୍ଥାନରେ ଅସ୍ଥି ଓ ଦାନ୍ତ ଇତ୍ୟାଦି ଜୀବାଶ୍ମ ମିଳିଛି ଯାହା ପ୍ଲାୟୋସିନ୍ କାଳର । ସମାନ ପ୍ରକାରର ପ୍ଲାଇଷ୍ଟୋସିନ୍ ସମୟର ମଧ୍ୟ କିଛି ଜୀବାଶ୍ମ ଲିସ୍‍ବନ୍ ନିକଟସ୍ଥ ଗୁମ୍ଫା, ଜିବ୍ରାଲଟର୍, ସ୍ପେନ୍‍ର ସାଣ୍ଟାଣ୍ଡର ଅଞ୍ଚଳ, ଫ୍ରାଂସ୍, ସ୍ୱିଜର୍‍ଲ୍ୟାଣ୍ଡ, ଇଟାଲୀ, ଅଷ୍ଟ୍ରିଆ, ଜର୍ମାନୀ, ଚେକ୍ ଗଣରାଜ୍ୟ ହଙ୍ଗେରୀ,[୩୬] ଓ ପୋଲାଣ୍ଡ[୩୭] ପରି ଦେଶମାନଙ୍କରୁ ମଧ୍ୟ ମିଳିଛି ।ୟୁରୋପ୍ ମହାଦେଶରେ ପ୍ଲାଇଷ୍ଟୋସିନ୍ ଯୁଗରେ ଦେଖାଯାଇଥିବା କଲରାପତରିଆ ବାଘଙ୍କ ଚାରୋଟି ମୁଖ୍ୟ ଉପପ୍ରଜାତି ଥିଲା । ସମୟ କ୍ରମାନୁସାରେ ଦେଖିଲେ ପ୍ଲାଇଷ୍ଟୋସିନ୍ ଆରମ୍ଭ କାଳରୁ P. p. begoueni ଉପପ୍ରଜାତି, ପ୍ରାୟ ୬ ଲକ୍ଷ ବର୍ଷ ପୂର୍ବେ P. p. sickenbergi ଉପପ୍ରଜାତିର ସୃଷ୍ଟି, ୩ ଲକ୍ଷ ବର୍ଷ ପୂର୍ବେ P. p. antiqua ଉପପ୍ରଜାତିର ବିବର୍ତ୍ତନ ଓ ପ୍ଲାଇଷ୍ଟୋସିନ୍ କାଳର ଶେଷ ଆଡ଼କୁ P. p. spelaea (ଈଂରାଜୀରେ European Ice Age leopard)ର ବିବର୍ତ୍ତନ ହେଲା ଯାହା ଆଜିକୁ ପ୍ରାୟ ୨୪୦୦୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ୟୁରୋପ୍‍ର ବିଭିନ୍ନ ଦେଶରେ ବିଚରଣ କରୁଥିଲା ।[୩୮]

ଜାପାନର ଦ୍ୱୀପପୁଞ୍ଜରେ ମଧ୍ୟ ପ୍ଲାଇଷ୍ଟୋସିନ୍ କାଳର ଜୀବାଶ୍ମ ମିଳିଛି ।[୧୦]


ସଂକର ବା ମିଶ୍ର ପ୍ରଜାତି

ପୁମାପର୍ଡ୍, ୧୯୦୪

କଲରାପତରିଆ ବାଘ ଓ ଅନ୍ୟ ପାନ୍ଥେରା ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ସଂକରଦ୍ୱାରା ମିଶ୍ର ପ୍ରଜାତି ସୃଷ୍ଟି କରାଯାଇଥିବା କିଛି ଘଟଣାର ଉଲ୍ଲେଖ ମିଳେ । ୧୯୫୩ ମସିହାରେ ଜାପାନର ନିଶିମୋନିଆସ୍ଥିତ ହାନ୍‍ଶିନ୍‍ ଉଦ୍ୟାନରେ ଏକ କଲରାପତରିଆ ବାଘ ଓ ଏକ ସିଂହୀର ମିଳନ କରାଯାଇଥିଲା । କିଛି ବର୍ଷର ଚେଷ୍ଟା ପରେ ୧୯୫୯ ମସିହା ନଭେମ୍ବର ୨ ତାରିଖରେ ଏହି ଯୁଗଳଙ୍କଠାରୁ ଏକ ଅଣ୍ଡିରା ଓ ଏକ ମାଈ ଶାବକ ଜନ୍ମ ଗ୍ରହଣ କଲେ । ୧୯୬୧ରେ ଦ୍ୱିତୀୟ ଥର ପାଇଁ ଶାବକ ଜନ୍ମ ହେଲେ । ଏହି ଶବକମାନଙ୍କ ଦେହରେ କଲରପତ୍ର ଦାଗ ରହିଥିଲା ଓ ତରୁଣାବସ୍ଥାରେ କଲରାପତରିଆ ବାଘଠାରୁ ଏହି ଶାବକମାନେ ବଡ଼ ଆକାରର ଥିଲେ । ଏହି ମିଶ୍ର ପ୍ରଜାତିକୁ "ଲିଓପନ୍ (Leopon = LEOPard + liON)" ବୋଲି କୁହାଗଲା । ପରେ ଏକ ଲିଓପନ୍ ଓ ଏକ ବାଘୁଣୀ ମଧ୍ୟରେ ମିଳନ କରାଇବାର ଅନେକ ବିଫଳ ପ୍ରଚେଷ୍ଟା କରାଯାଇଥିଲା ।[୩୯]

ଉପ-ସାହାରା ଅଞ୍ଚଳରେ ସିଂହ ଓ କଲରାପତରିଆ ବାଘ ପରସ୍ପର ଆଖାପାଖି ବସବାସ କରନ୍ତି ଓ ଅନେକ ସମୟରେ ଭେଟ ମଧ୍ୟ ହୁଏ । କିନ୍ତୁ ପ୍ରାକୃତିକ ଉପାୟରେ ଏମାନେ ପରସ୍ପର ସହିତ ମିଳନ କ୍ରିୟାରେ ସମ୍ପୃକ୍ତ ହେବା କେବେ ଦେଖାଯାଇନାହିଁ । ତେବେ କେନ୍ଦ୍ରୀୟ ଆଫ୍ରିକୀୟ ଗଣତନ୍ତ୍ର, ରୁୱାଣ୍ଡା କେନିଆ ଓ ଉଗାଣ୍ଡାରେ ଲୋକମାନେ ଏକ ନୂତନ ମାଂସାସୀ ଜୀବ ବିଷୟରେ କହିଥିଲେ । ଏହି ଜୀବ ଚିତାଠାରୁ ବଡ଼, ସିଂହଠାରୁ ଛୋଟଓ ଏହାର ମୁହଁ ସିଂହ ପରି । ଏହି ଜୀବର ଅନେକ ସ୍ଥାନୀୟ ନାମ ରହିଛି ଓ ଏହିପରି ଏକ ନମ ହେଲା ମରୋଜି । ଏହି ପ୍ରାଣୀର ପୃଷ୍ଠ, ପାର୍ଶ୍ୱଦେଶ ଓ ଗୋଡ଼ରେ ଧୁସରିଆ ଦାଗ ବା କଲରା ପତ୍ର ପରି ଦାଗ ରହିଥାଏ । ୧୯୩୦ ମସିହା ପରଠାରୁ କିନ୍ତୁ ଏହି ପ୍ରାଣୀର କୌଣସି ଦର୍ଶନ ମିଳିପାରି ନାହିଁ ।[୪୦]

ଅଣ୍ଡିରା କଲରାପତରିଆ ବାଘ ଓ ମାଈ ପୁମା ପ୍ରଜାତିର ମିଳନ ଫଳରେ ପୁମାପର୍ଡ୍ (PUMA + leoPARD = Pumapard) ସୃଷ୍ଟି ହୋଇଛି । ୧୮୯୦ ଦଶନ୍ଧିର ଶେଷରୁ ୧୯୦୦ର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଜର୍ମାନୀର ହାମ୍‍ବର୍ଗ୍ ସ୍ଥାନରେ କାର୍ଲ୍ ହାଗେନ୍‍ବେକ୍ ୩ ପ୍ରକାରର ମିଶ୍ର ପ୍ରଜାତି ସୃଷ୍ଟି କରଇଥିଲେ । ଏହି ମିଶ୍ର ଶାବକଙ୍କ ମଧ୍ୟରୁ ଅଧିକାଂଶ ଶୈଶବରେ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ଜୀବକୁ ୧୮୯୮ ମସିହାରେ ବର୍ଲିନ୍ ଚିଡ଼ିଆଘର କିଣି ନେବାକୁ ଚେଷ୍ଟା କରୁଥିଲା । ଆଉ ଏକ ସଂକର ଜାତୀୟ ପ୍ରାଣୀର ଉଦାହରଣ ହେଲା – ହାଗେନ୍‍ବେକ୍‍ରୁ ବର୍ଲିନ୍ ଚିଡ଼ିଆଘର ବିକ୍ରି ହୋଇଥିବା ଅଣ୍ଡିରା କଲରାପତରିଆ ବାଘ ଓ ମାଈ ପୁମାଙ୍କ ମିଳନରୁ ଜାତ ଏକ ଜୀବ । ଅଣ୍ଡିରା ପୁମା ଓ ଭାରତୀୟ କଲରାପତରିଆ ବାଘୁଣୀର ମିଳନରୁ ଜାତ ଜୀବକୁ ପୁମାପର୍ଡ୍ କୁହନ୍ତି ଓ ହାମ୍‍ବର୍ଗ୍ ଚିଡ଼ିଆଖାନାରେ ଏପରି ଏକ ଜୀବ ରହିଥିଲା । ପୁମାପର୍ଡ୍‍ର ଶରୀର ପୁମା ପରି ଲମ୍ବା, କିନ୍ତୁ ଗୋଡ଼ ଛୋଟ । ପୁମାପର୍ଡ୍‍ର ଶରୀର ନିଜର ଉଭୟ ପିତାମାତାଙ୍କ ଅପେକ୍ଷା ଛୋଟ (ବାମନ ପରି) । ଏମାନଙ୍କ ଛାଲ ମାଟିଆ ବା ଧୁସରିଆ ଓ ଏଥିରେ କଲରା ପତ୍ରର ଦାଗ ଅସ୍ପଷ୍ଟ ଭାବେ ଦେଖାଯାଏ ।[୪୧]

ଗଠନ ଓ ପ୍ରକୃତି

ଜଳବାୟୁ ଓ ଅଧିବାସ ଅନୁସାରେ କଲରାପତରିଆ ବାଘର ଛାଲରେ ବିଭିନ୍ନତା ଦେଖାଦିଏ । କାହାର ଛାଲ ଅବସନ୍ନ ପୀତ, ତ କାହାର ହଳଦିଆ ମାଟିଆ, ପୁଣି ଆଉ କାହାର ସୁନେଲୀ । ଜଙ୍ଗଲରେ ରହୁଥିବା କଲରାପତରିଆ ବାଘମାନେ ଶୁଷ୍କ ଅଞ୍ଚଳର କଲରାପତରିଆ ବାଘଙ୍କ ଅପେକ୍ଷା ଅଧିକ ଗାଢ଼ ରଙ୍ଗର । ଏମାନଙ୍କ ଦେହର କଲରାପତ୍ର ଦାଗ ଧୀରେ ଧୀରେ ଅସ୍ପଷ୍ଟ ହୋଇ ପେଟ ପାଖରେ ନିଶ୍ଚିହ୍ନ ହୋଇ ଛାଲଟି ଧଳା ରଙ୍ଗର ହୋଇଥାଏ । ଗୋଡ଼ର ପଛପଟ ଓ ପଞ୍ଝା ତଳ ମଧ୍ୟ ସେହିପରି ଧଳା ରଙ୍ଗର । କଲରାପତ୍ର ଦାଗ ପିଠି, ପାର୍ଶ୍ୱ ଓ ପଶ୍ଚାତ୍ ଭାଗରେ ସ୍ପଷ୍ଟ ଦେଖାଯାଏ ।[୪୨] ପ୍ରତ୍ୟେକ ବାଘ ବାଘୁଣୀର କଲରାପତ୍ର ଛାପ ସ୍ୱତନ୍ତ୍ର ଓ ପରସ୍ପରଠାରୁ ଭିନ୍ନ ।[୪୩][୪୪][୪୫]ପୂର୍ବ ଆଫ୍ରିକୀୟ କଲରାପତରିଆ ବାଘଙ୍କ କଲରାପତ୍ର ଦାଗ ଗୋଲ ଗୋଲ ଏବଂ ଦକ୍ଷିଣ ଆଫ୍ରିକୀୟ ଓ ଏସୀୟ କଲରାପତରିଆ ବାଘଙ୍କ କଲରାପତ୍ର ଚିହ୍ନ ସାମାନ୍ୟ ବର୍ଗାକାର ପରି ଲାଗେ । ଥଣ୍ଡା ଜଳବାୟୁରେ କଲରାପତରିଆ ବାଘର ଚମଡ଼ା ସାମାନ୍ୟ ପାଉଁଶିଆ ଓ ଆର୍ଦ୍ର ଓ ବୃଷ୍ଟିପାତ ଅରଣ୍ୟରେ ଗାଢ଼ ସୁନେଲୀ ରଙ୍ଗର ।[୮]

କଲରାପତରିଆ ବାଘର ଲାଞ୍ଜର ଅଗ୍ର ଭାଗ ଧଳା ରଙ୍ଗର ଓ ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୬୦-୧୦୦ ସେଣ୍ଟିମିଟର୍ । ଲାଞ୍ଜର ଉପର ପଟ ଛାପିଛାପିକା ଓ ଭିତର ପଟଟି ଧଳା । ଲାଞ୍ଜର ତଳପଟକୁ ଚିତା ଦାଗ ଅସମ୍ପୂର୍ଣ୍ଣ କୁଣ୍ଡଳୀ ପରି ଦେଖାଯାଏ ।[୪୨] ଲୋମ ମୋଟା ଓ କୋମଳ ଏବଂ ପିଠି ଅପେକ୍ଷା ପେଟ ପାଖରେ ଲୋମ ଅତି କୋମଳ ।[୪୪]

ଥଣ୍ଡା ଜଳବାୟୁରେ କଲରାପତରିଆ ବାଘମାନେ ଅନ୍ୟ ଜଳବାୟୁର ବାଘଙ୍କ ତୁଳନାରେ ସାମାନ୍ୟ ଲମ୍ବା ହୋଇଥାନ୍ତି ।[୧୪] ମୁହଁ ଓ ମୁଣ୍ଡରେ ଲୋମ ୩-୪ ମି.ମି. ହୋଇଥିବା ବେଳେ ପେଟ ଓ ଦୁଇ ପାର୍ଶ୍ୱରେ ଲୋମ ୨୫-୩୦ ମି.ମି. ପର୍ଯ୍ୟନ୍ତ ହୋଇଥାଏ । ଶାବକମାନଙ୍କ ଲୋମ ଉଷ୍ମବସ୍ତ୍ର ପରି ଓ ଦେହର କଲରାପତ୍ର ଦାଗ ଲାଗି ଲାଗି ହୋଇ ରହିଥିବାରୁ ଗାଢ଼ ରଙ୍ଗର ଦେଖାଯାଏ ।[୪୬][୪୩]

କଲରାପତରିଆ ପରିବାରରେ ଅଣ୍ଡିରା (ବାଘ)ମାନେ ମାଈ (ବାଘୁଣୀ)ମାନଙ୍କଠାରୁ ଆକାରରେ ବଡ଼ ହୋଇଥାନ୍ତି ।[୪୨] ପୁଣି ବାଘମାନେ ଅଧିକ ହୃଷ୍ଟପୁଷ୍ଟ, ସେମାନଙ୍କ ଗୋଡ଼ ଛୋଟ ଓ ମୁଣ୍ଡଟି ଟିକେ ଚଉଡ଼ା । ଠିଆ ହେଲେ ଭୂମିରୁ ଅଣ୍ଡିରାମାନଙ୍କ କାନ୍ଧର ଉଚ୍ଚତା ୬୦-୭୦ ସେ.ମି. ଏବଂ ମାଈମାନଙ୍କ କ୍ଷେତ୍ରରେ ଏହି ମାପ ପ୍ରାୟ ୫୭-୬୪ ସେ.ମି. । ମୁଣ୍ଡକୁ ମିଶାଇ ଶରୀରର ଦୈର୍ଘ୍ୟ ସାଧାରଣତଃ ୯୦-୧୯୦ ସେ.ମି. ହୋଇଥାଏ । ବାଘମାନଙ୍କ ଓଜନ ୩୭-୯୦ କି.ଗ୍ରା. ଓ ବାଘୁଣୀମାନଙ୍କ ଓଜନ ୨୮-୬୦ କି.ଗ୍ରା. ମଧ୍ୟରେ ହୋଇଥାଏ ।[୪୬][୪୭] ଅବଶ୍ୟ ଭୌଗୋଳିକ ଅବସ୍ଥିତି ଅନୁଯାୟୀ ଏହି ସବୁ ମାପରେ ବିବିଧତା ଦେଖାଯାଏ ।[୧୪] ମହାବଳ ବାଘ, ସିଂହ ପରି ବୃହତ୍ତର ମାଂସାସୀ ପ୍ରାଣୀଙ୍କ ଅନୁପସ୍ଥିତିରେ କଲରାପତରିଆ ବାଘ ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ପ୍ରାଣୀ ହୁଏ ଏବଂ ପ୍ରତିଯୋଗିତା ଅଭାବରୁ ଏପରି ପରିସ୍ଥିତିରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଏ ।[୪୮] ଅଦ୍ୟାବଧି ମପାଯାଇଥିବା ସବୁଠାରୁ ଓଜନିଆ କଲରାପତରିଆ ବାଘ ୯୬ କି.ଗ୍ରା. ଓଜନର ଥିଲା ଓ ଦକ୍ଷିଣ ଆଫ୍ରିକାର ନିବାସୀ ଥିଲା । ୨୦୧୬ ମସିହାରେ ହିମାଚଳ ପ୍ରଦେଶ ରାଜ୍ୟରେ ମରାଯାଇଥିବା ଏକ ଭାରତୀୟ କଲରାପତରିଆ ବାଘ ଆଜି ପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠାରୁ ଲମ୍ବା କଲରାପତରିଆ ବାଘ ବୋଲି କୁହାଯାଏ,[୪୯][୫୦] ଯାହାର ଦୈର୍ଘ୍ୟ ୨୬୨ ସେ.ମି. ଥିଲା ।[୫୧][୫୨]

ତାଞ୍ଜାନିଆର ସେରେଙ୍ଗେଟି ଜାତୀୟ ଉଦ୍ୟାନର ଏକ ଆଫ୍ରିକୀୟ କଲରାପତରିଆ ବାଘ

ଅନେକ ସମୟରେ ଲୋକେ କଲରାପତରିଆ ବାଘକୁ ଚିତାବାଘ ବୋଲି କୁହନ୍ତି । କିନ୍ତୁ ଏହି ଦୁଇ ପ୍ରାଣୀ ସମ୍ପୂର୍ଣ୍ଣ ଭିନ୍ନ । ଚିତାବାଘର ଦେହର ଦାଗ ଛୋଟ ଛିଟା ଦାଗ ପରି ହୋଇଥିବା ବେଳେ କଲରାପତରିଆ ବାଘର ଦାଗ କଲରାପତ୍ର ପରି (ଈଂରାଜୀରେ Rosettes) ।[୫୩] ପୁଣି ଚିତାବାଘର ଦୁଇ ଆଖି ତଳେ ଲୁହ ଗଡ଼ିଲା ପରି ଏକ କଳା ଚିହ୍ନ ଥାଏ ଯାହା କଲରାପତରିଆ ବାଘଠାରେ ଦେଖାଯାଏ ନାହିଁ ।[୫୪] କଲରାପତରିଆ ବାଘ ପରି ଦେଖାଯାଉଥିବା ଅନ୍ୟ ପ୍ରଜାତିମାନ ହେଲେ କ୍ଲାଉଡେଡ୍ ଲେପର୍ଡ୍ ଓ ଜାଗୁଆର । କ୍ଲାଉଡେଡ୍ ଲେପର୍ଡ୍ କ୍ଷେତ୍ରରେ ଲମ୍ବା ଗୋଡ଼, ପତଳା ଲାଞ୍ଜ ଓ ଦେହର ଦାଗ କଲରାପତ୍ର ଦାଗରୁ ଯଥେଷ୍ଟ ବଡ଼ ମେଘଖଣ୍ଡ ପରି । ତେଣୁ ଏମାନଙ୍କ ସହ ତଫାତ୍ ସହଜରେ ବାରି ହୋଇପାରିବ ।[୫୫] ଜାଗୁଆର ଦେହରେ ମଧ୍ୟ କଲରାପତ୍ର ପରି ଦାଗ ରହିଥାଏ କିନ୍ତୁ ଜାଗୁଆରର କଲରା ପତ୍ର ଦାଗ ମଧ୍ୟରେ ଆଉ ଏକ ଛୋଟ ଗୋଲାକାର ଦାଗ ଦେଖିବାକୁ ମିଳେ । ଏପରି ଦାଗ କଲରା ପତରିଆ ବାଘ କ୍ଷେତ୍ରରେ ଦେଖାଯାଏ ନାହିଁ । ଜାଗୁଆରମାନେ ଆକାରରେ ବଡ଼, ପାଦର ପଞ୍ଝା ଅଧିକ ଗୋଲାକୃତି ଓ ମୁଣ୍ଡର ଖପୁରୀର ଆକାର ବଡ଼ ।[୧୪]

ରଙ୍ଗରେ ବିବିଧତା

ମେଲାନିନ୍ ଆଧିକ୍ୟ ବିଶିଷ୍ଟ ଏକ କଲରାପତରିଆ ବାଘ ବା କଳାବାଘ

ମେଲାନିନ୍ ଆଧିକ୍ୟବିଶିଷ୍ଟ କଲରାପତରିଆ ବାଘଙ୍କୁ ବ୍ଲାକ୍ ପାନ୍ଥର୍ ବା କଳାବାଘ କୁହାଯାଏ । କିଛି କଲରାପତରିଆ ବାଘଙ୍କ ଦେହରେ ସ୍ୟୁଡୋମେଲାନିଜମ୍ (Pseudomelanism) ପରି ଅବସ୍ଥା ମଧ୍ୟ ଦେଖାଯାଇଛି ।[୫୬]କଲରାପତରିଆ ବାଘଙ୍କ କ୍ଷେତ୍ରରେ ମେଲାନିନ୍ ଆଧିକ୍ୟତା ବଂଶାନୁକ୍ରମିକ ମଧ୍ୟ ହୋଇପାରେ, ତେବେ ପତ୍ରଦାଗ ତୁଳନାରେ ଏହା ଏକ ପ୍ରଭାବୀ ଗୁଣ ନୁହେଁ ।[୫୭] କଳା ବାଘ-ବାଘୁଣୀଙ୍କ ଅନ୍ତଃ-ପ୍ରଜନନରୁ ଜାତ ଶାବକଙ୍କ ସଂଖ୍ୟା କମ୍ ।[୫୮] ସାଧାରଣ କଲରାପତରିଆ ଓ କଳା କଲରାପତରିଆ ବାଘଙ୍କ ମିଳନ ଅଧିକ ପ୍ରାକୃତିକ ଓ ସ୍ୱସ୍ଥ ପ୍ରକ୍ରିୟା ।

ସାଧାରଣତଃ ମାଳୟ ଉପଦ୍ୱୀପର ବିଶୁବ ବୃତ୍ତୀୟ ଅରଣ୍ୟରେ ଓ ଆଫ୍ରିକାର କେତେକ ଅଞ୍ଚଳ ଯଥା କେନିଆ ପର୍ବତ ନିକଟବର୍ତ୍ତୀ କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟରେ କଳାବାଘ ଦେଖାଯାନ୍ତି ।[୫୯]

ଜାନୁଆରୀ ୧୯୯୬ରୁ ମାର୍ଚ୍ଚ ୨୦୦୯ ମାଳୟ ଉପଦ୍ୱୀପର ୧୬ଟି ସ୍ଥାନରେ ରାତିରେ ୧୦୦୦ରୁ ଅଧିକ କ୍ୟାମେରା ଟ୍ରାପ୍ ବ୍ୟବହାର କରି ଇଣ୍ଡୋଚୀନୀ କଲରାପତରିଆ ବାଘଙ୍କ ଫଟୋଚିତ୍ର ଉଠାଯାଇଥିଲା । ମିଳିଥିବା ୪୪୫ଟି କଳାବାଘଙ୍କ ଫଟୋରୁ ୪୧୦ଟି ଦକ୍ଷିଣ ମାଳୟର କ୍ରା ଇସ୍ଥମସ୍ ନାମକ ସ୍ଥାନରୁ ମିଳିଥିଲା । ଏହି ସ୍ଥାନରେ ପ୍ରାୟ ସାଧାରଣ କଲରା ପତ୍ର ଦାଗଯୁକ୍ତ ବା ମିଶ୍ରିତ ବାଘଙ୍କ ଫଟୋ ପ୍ରାୟ ମିଳିନଥିଲା । ଏପରି ଜେନେଟିକ୍ ବିବର୍ତ୍ତନ ପାଇଁ ୧୧୦୦ରୁ ୧୦୦୦୦୦ ବର୍ଷ ସମୟ ଲାଗିଥାଇପାରେ ଓ ବର୍ତ୍ତମାନ ଏହି କଳା ରଙ୍ଗର ଜିନ୍ ପ୍ରାୟ ସ୍ଥାୟୀ ହୋଇଯାଇଛି ।[୬୦][୬୧] କିଛି କଲରାପତରିଆ ବାଘଙ୍କଠାରେ ସ୍ୟୁଡୋମେଲାନିଜମ୍ (Pseudomelanism) ମଧ୍ୟ ଦେଖାଯାଇଛି ।[୬୨]

କଲରାପତରିଆ ବାଘଙ୍କ ଶରୀର ଚମଡ଼ା ଲାଲ୍ ରଙ୍ଗର ହୋଇଯିବା ଖୁବ୍ କମ୍ ସମୟରେ ଦେଖାଯାଏ ।[୬୩] ଏହି ରୂପ ବିଶିଷ୍ଟ ଜୀବକୁ ଷ୍ଟ୍ରବେରି କଲରାପତରିଆ ବାଘ କୁହାଯାଏ । ଏହା ଏକ ପ୍ରକାରର ସ୍ୱତନ୍ତ୍ର ଜେନେଟିକ୍ ଅବସ୍ଥା ।[୬୪] ବିଭିନ୍ନ ସୂତ୍ରରୁ ଜଣାଯାଏ ଯେ ଭାରତରେ ୫ଟି, ଦକ୍ଷିଣ ଆଫ୍ରିକାରେ ୭ଟି ଷ୍ଟ୍ରବେରି କଲରାପତରିଆ ବାଘ ଦେଖାଯାଇଛନ୍ତି ।[୬୩]

ଭୌଗୋଳିକ ବିତରଣ ଓ ଅଧିବାସ

କଲରାପତରିଆ ବାଘର ଚିତ୍ର ବହନ କରିଥିବା ଟ୍ୟୁନିସିଆର ମାଜେରିୟସ୍ ମୋଜାଇକ୍ । ବହୁ ରୋମାନ୍ ମୋଜାଇକ୍ ଉତ୍ତର ଆଫ୍ରିକାରୁ ଅଣାଯାଇଥିଲା ଓ ଏଥିରେ ବର୍ତ୍ତମାନ କେବଳ କ୍ରାନ୍ତୀୟ ଆଫ୍ରିକାର ପଶୁଙ୍କ ଚିତ୍ର ରହିଥିଲା ।[୬୫]
ଏକ କଲରାପତରିଆ ବାଘୁଣୀ ଓ ତା’ ଛୁଆ ସେରେଂଗେଟି ସାଭାନ୍ନା ତୃଣଭୂମିର ଏକ ଗଛରେ ବସି ରହିଥିବା ବେଳର ଚିତ୍ର

ସବୁ ବିଡ଼ାଳ ଜାତୀୟ ପ୍ରାଣୀଙ୍କ ମଧ୍ୟରେ କଲରାପତରିଆ ବାଘ ସର୍ବବ୍ୟାପ୍ତ । ଆଫ୍ରିକା, ପୂର୍ବ ଓ ଦକ୍ଷିଣ ଏସିଆରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି କିନ୍ତୁ ତଥାପି ଏଠାରେ ବହୁ ମାତ୍ରାରେ ଦେଖାଯାନ୍ତି ।[୫] ଉପ-ସାହାରା ଆଫ୍ରିକା ବାହାରେ ଏମାନେ ବିକ୍ଷିପ୍ତ ଭାବେ ଦେଖାଯାନ୍ତି । ଉପ-ସାହାରା ଆଫ୍ରିକାରେ ଏମାନେ ବହୁ ସଂଖ୍ୟାରେ ବାସ କରନ୍ତି ଓ ଛୋଟ ଛୋଟ ଅଧିବାସ ଯେଉଁଠାରେ ଅନ୍ୟ ବଡ଼ ବିଡ଼ାଳଜାତୀୟ ପ୍ରାଣୀ ଆଉ ରହୁ ନାହାନ୍ତି, ସେଠାରେ ମଧ୍ୟ ଏମାନଙ୍କ ବଂଶ ବିକଶିତ ହୋଇଥାଏ । ତେବେ କଲରାପତରିଆ ବାଘମାନେ ଗୃହପାଳିତ ପଶୁଙ୍କୁ ଶିକାର କରୁଥିବାରୁ ମନୁଷ୍ୟ-କଲରାପତରିଆ ସଂଘର୍ଷର ସମ୍ଭାବନା ସୃଷ୍ଟି ହୋଇଛି ।[୬୬] ଉତ୍ତର ଆଫ୍ରିକାରୁ କଲରାପତରିଆ ଲୋପ ପାଇଗଲେଣି ।[୮] ଏସିଆରେ ଏମାନଙ୍କ ବିତରଣ ଓ ବ୍ୟାପ୍ତି ସମ୍ପର୍କରେ ପ୍ରାପ୍ତ ତଥ୍ୟ ପୁରାପୁରି ଠିକ୍ ନୁହେଁ । ଦକ୍ଷିଣ-ପଶ୍ଚିମ ଓ ମଧ୍ୟ ଏସିଆରେ ଅଳ୍ପ ସଂଖ୍ୟକ କଲରାପତରିଆ ବିକ୍ଷିପ୍ତ ଭାବେ ରହିଛନ୍ତି । ଉତ୍ତର-ପୂର୍ବ ଏସିଆରେ ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ । ଭାରତୀୟ ଉପମହାଦ୍ୱୀପ, ଦକ୍ଷିଣ-ପୂର୍ବ ଏସିଆ ଓ ଚୀନରେ ବହୁ ସଂଖ୍ୟାରେ କଲରାପତରିଆ ବାଘ ରହିଛନ୍ତି । ଅନ୍ୟ ସମସ୍ତ ପାନ୍ଥେରା ପ୍ରଜାତିର ଜୀବଙ୍କ ତୁଳନାରେ କଲରାପତରିଆ ବାଘ ସର୍ବାଧିକ ସଂଖ୍ୟାରେ ଜୀବିତ ଅଛନ୍ତି, ଯେବେକି ଅନ୍ୟ ପ୍ରଜାତିଙ୍କ ସଂରକ୍ଷଣ ସ୍ଥିତି ନୈରାଶ୍ୟଜନକ ରହିଛି ।[୨][୬୭]

ମୂଳତଃ ସାଭାନ୍ନା ତୃଣଭୂମି ଓ ଆର୍ଦ୍ର ଅରଣ୍ୟ ନିବାସୀ ହେଲେ ମଧ୍ୟ କଲରାପତରିଆ ବାଘ ଯେକୌଣସି ପରିବେଶ ଓ ପରିସ୍ଥିତିରେ ଖାପଖୁଆଇ ଚଳିଯାଇପାରେ । ତୃଣଭୂମି, ଅରଣ୍ୟ, ନଦୀ କୂଳିଆ ଅରଣ୍ୟ ପରି ବିଭିନ୍ନ ପରିବେଶରେ କଲରାପତରିଆ ବାଘ ରହନ୍ତି ଓ ନିଜ ବଂଶବୃଦ୍ଧି କରନ୍ତି । ଶୀତଋତୁରେ ସୁଦୂର ପୂର୍ବ ଋଷିଆରେ ତାପମାତ୍ରା -୨୫° ସେଲ୍‍ସିୟସ୍ ପର୍ଯ୍ୟନ୍ତ କମିଯାଏ ଓ ଏପରି ଜଳବାୟୁରେ ମଧ୍ୟ କଲରାପତରିଆ ବାଘ ରହନ୍ତି ।[୨୭] ସେହିପରି ବିଶ୍ୱର ଅନେକ ଆର୍ଦ୍ର ଅରଣ୍ୟ ଓ ଶୁଷ୍କ ମରୁ ଅଞ୍ଚଳରେ ମଧ୍ୟ କଲରାପତରିଆ ବାଘ ବାସ କରନ୍ତି ।

ପଶ୍ଚିମ ଓ କେନ୍ଦ୍ରୀୟ ଏସିଆର କଲରାପତରିଆ ବାଘମାନେ ମରୁଭୂମି, ତୁଷାରାବୃତ ଅଞ୍ଚଳ ଓ ସହରିଆ ଜନବସତି ଇତ୍ୟାଦିଠାରୁ ଦୂରରେ ରହିବା ପସନ୍ଦ କରନ୍ତି ।[୬୭] ଭାରତରେ କଲରାପତରିଆ ବାଘମାନେ ଜନବସତିକୁ ଲାଗି ବସବାସ କରିବା ଦେଖାଯାଏ ।[୬୮] ମନୁଷ୍ୟମାନଙ୍କ କାର୍ଯ୍ୟକଳାପ ଏମାନଙ୍କ ଗତିବିଧିରେ ସାମାନ୍ୟ ବାଧା ପହଞ୍ଚାଉଥିଲେ ମଧ୍ୟ ଶିକାର ପ୍ରାଣୀଙ୍କ ଘନତା, ଲୁଚି ରହିବା ପାଇଁ ଜଙ୍ଗଲ ଇତ୍ୟାଦି ଠାବ କରି ଜୀବନଯାପନ କରନ୍ତି; ତେଣୁ ଅତି ବିକଶିତ ଅଞ୍ଚଳରେ କଲରାପତରିଆ ବାଘ ଦେଖାଯାନ୍ତି ନାହିଁ ।[୬୭][୬୮] ଲୁଚି ରହିବାରେ କଲରାପତରିଆ ବାଘ ଧୂରନ୍ଧର ହୋଇଥିବାରୁ ଲୋକେ ଜାଣିପାରନତି ନାହିଁ ଯେ କଲରାପତରିଆ ବାଘ ସେମାନଙ୍କ ବାସସ୍ଥଳୀର ଆଖେପାଖେ ରହନ୍ତି ବୋଲି ।[୬୮]

ପରିସ୍ଥିତିକ ବ୍ୟବହାର

ଗଛ ଉପରେ ବିଶ୍ରାମ ନେଉଥିବା ଏକ କଲରାପତରିଆ ବାଘ

ବାଘ[୬୯] ଓ ସିଂହଙ୍କ[୭୦] ପରି କଲରାପତରିଆ ବାଘ ମଧ୍ୟ ମୁଖ୍ୟତଃ ରାତ୍ରିଚର ଓ ଅନ୍ଧାର ହେବା ପରେ ଏମାନେ ସକ୍ରିୟ ହୋଇ ଉଠନ୍ତି ।[୭୧][୭୨] ପଶ୍ଚିମ ଆଫ୍ରିକାରେ ଶିକାର ଜୀବମାନେ ଚରାବୁଲା କରୁଥିବା ବେଳେ କଲରାପତରିଆ ବାଘମାନେ ଦିବାଲୋକରେ ଶିକାର କରିବା ଦେଖାଯାଇଛି । ଋତୁ ଅନୁସାରେ ଏଥିରେ ସାମାନ୍ୟ ଭିନ୍ନତା ପରିଲକ୍ଷିତ ହୋଇପାରେ ।[୭୩] ସାଧାରଣତଃ କଲରାପତରିଆ ବାଘମାନେ ସଂଧ୍ୟାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସକ୍ରିୟ ରହନ୍ତି । ଦିନବେଳା ଅଧିକାଂଶ ସମୟ ଏମାନେ ଘଞ୍ଚ ବୁଦା, ପଥର ଗୁମ୍ଫା ବା ଗଛର ଡାଳରେ ବିଶ୍ରାମ କରିବା ପସନ୍ଦ କରନ୍ତି । କଲରାପତରିଆ ବାଘମାନେ ନିଜ ଇଲାକାରେ ରାତିରେ ୧-୨୫ କି.ମି. ଚାଲି ପଇଁତରା ମାରିବା ଦେଖାଯାଇଛି । ଉତ୍ତେଜିତ ଓ ଅଶାନ୍ତ ଅବସ୍ଥାରେ ଏମାନେ ୭୫ କି.ମି. ଚାଲି ଚାଲି ବୁଲିବା ମଧ୍ୟ ଦେଖାଯାଇଛି ।[୪୬][୪୭]

ବୃକ୍ଷାରୋହଣରେ କଲରାପତରିଆ ବାଘ ଓସ୍ତାଦ ପ୍ରାଣୀ । ଗଛ ଉପରେ ବିଶ୍ରାମ କରିବା, ଶିକାରକୁ ଅନ୍ୟ ଜନ୍ତୁଙ୍କଠାରୁ ବଞ୍ଚାଇ ରଖିବା ପାଇଁ ଏମାନେ ଉଚ୍ଚା ଗଛର ସାହାଯ୍ୟ ନିଅନ୍ତି । ଏମନେ ସାମାନା ପଟକୁ ମୁହଁ କରି ଗଛ ଚଢ଼ିବା ଓ ଓହ୍ଲାଇବା ଦେଖାଯାଇଛି ।[୭୪] କଲରାପତରିଆ ବାଘ ଭଲ ସନ୍ତରଣକାରୀ ମଧ୍ୟ କିନ୍ତୁ ମହାବଳ ବାଘ ପରି ଏ କଳାରେ ପୋଖତ ନୁହେଁ । ବାଘମାନେ ପାଣିକୁ ପଶିବାକୁ ଭଲ ପାଆନ୍ତି, କିନ୍ତୁ କଲରାପତରିଆ ପାଣିରେ ପହଁରିବାକୁ ସ୍ୱତଃ ମନ ବଳାଏ ନାହିଁ । କେବଳ ଆବଶ୍ୟକତା ସମୟରେ ପାଣିରେ ପଶି ପହଁରେ । କଲରାପତରିଆ ବାଘ ଅତ୍ୟନ୍ତ ଚଳଚଞ୍ଚଳ, ୫୮ କି.ମି. ପ୍ରତି ଘବଣ୍ଟା ବେଗରେ ଦଉଡ଼ିପାରେ, ଭୂମି ସହ ସମାନ୍ତରାଳ ଭାବେ ୬ ମିଟର୍ ଲମ୍ଫ ପ୍ରଦାନ କରିପାରେ ଓ ଭୂମି ସହ ଅବଲମ୍ବ ଭାବେ ୩ ମିଟର୍ ଉଚ୍ଚତାକୁ ଡେଇଁପାରେ ।[୭୫] ଆଫ୍ରିକାରେ କଲରାପତରିଆ ବାଘ ଗଛର ଉଚ୍ଚ ଡାଳରେ ଲୁଚି ରହି ହରିଣ କିମ୍ବା ଅନ୍ୟ ଶିକାର ଗଛ ନିକଟକୁ ଆସିଲେ ୮-୧୦ ଫୁଟ୍ ଉଚ୍ଚରୁ ଭୂମି ଆଡ଼କୁ ଡେଇଁ ଶିକାର କରିବା ମଧ୍ୟ ଦେଖାଯାଇଛି ।

ସାମାଜିକ ବ୍ୟବହାର

କଲରାପତରିଆ ବାଘଙ୍କ ପରସ୍ପର ପ୍ରତି ସଙ୍କେତ
କଲରାପତରିଆ ବାଘୁଣୀ ନିଜ କାନ ପଛପଟର ଧଳାଦାଗ ଦେଖାଇ ଅନ୍ୟ କଲରାପତରିଆ ବାଘଙ୍କ ସହ ଯୋଗାଯୋଗର ସଙ୍କେତ ଦିଏ ।[୭୬]
ଶିକାର କରିବା ବେଳେ କଲରାପତରିଆ ବାଘୁଣୀ ନିଜ ଲାଞ୍ଜ ପଛର ଧଳାଗୁଚ୍ଚ ଦେଖାଇ ବୁଦାରେ ଲୁଚିଥିବା ନିଜ ଛୁଆଙ୍କୁ ସଙ୍କେତ ବା ନିର୍ଦ୍ଦେଶ ଦିଏ ।[୭୬]

କଲରାପତରିଆ ବାଘ ଏକୁଟିଆ ରୁହେ ଓ ଶିକାର ପାଇଁ ଏକ ଇଲାକା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ । ମିଳନ ଋତୁରେ କଲରାପତରିଆ ବାଘ ବାଘୁଣୀ ପରସ୍ପରର ସାନ୍ନିଧ୍ୟ ଲାଭ କରିବାର ଚେଷ୍ଟା କରନ୍ତି । ଛୁଆ ବଡ଼ ହେବାପରେ ମଧ୍ୟ ମା’ କଲରାପତରିଆ ବାଘ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଦେଖାଯାଇଛି । ଏପରିକି ଛୁଆମାନେ ସ୍ୱାଧୀନ ଭାବେ ଶିକାର କରୁଥିବା ସମୟରେ ମା’ ଶିକାର ନ କରିପାରିଲେ ଛୁଆଙ୍କ ସହ ମିଶି ଶିକାର ଖାଇବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୪୬] ଆଫ୍ରିକାର କ୍ରୁଗର୍ ଜାତୀୟ ଉଦ୍ୟାନରେ କଲରାପତରିଆ ବାଘମାନେ ପରସ୍ପରଠାରୁ ୧ କି.ମି. ଦୂରରେ ରହିବା ଦେଖାଯାଇଛି ।[୪୭] ପିତା କଲରାପତରିଆ ବାଘ ନିଜ ସଙ୍ଗିନୀ ଓ ଛୁଆଙ୍କ ପ୍ରତି ସହିଷ୍ଣୁତା ଦେଖାନ୍ତି ।[୭୭][୭୮] ନିଜ ଇଲାକାର ରକ୍ଷା କରିବା ବେଳେ କିମ୍ବା ଅନ୍ୟ ଅଣ୍ଡିରା କଲରାପତରିଆଠାରୁ ଛୁଆଙ୍କୁ ରକ୍ଷା କରିବା ବେଳେ କଲରାପତରିଆ ବାଘମାନେ ପରସ୍ପର ପ୍ରତି ଆକ୍ରାମକ ମନୋଭାବ ପୋଷଣ କରନ୍ତି ।[୧୪] ଦକ୍ଷିଣ ଆଫ୍ରିକାରେ ଏକ ଶିକାରର ମୃତଦେହ କିଏ ଖାଇବ ତାହାକୁ ନେଇ ଦୁଇଟି କଲରାପତରିଆ ବାଘଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା ।[୭୯] ବେଳେବେଳେ ଏକ କଲରାପତରିଆ ବାଘ ଅନ୍ୟ କଲରାପତରିଆ ବାଘର ମାଂସ ଖାଇବା ମଧ୍ୟ ଦେଖାଯାଇଛି ।[୮୦][୮୧]

ନିଜ କାନ ପଛପଟେ ଓ ଲାଞ୍ଜର ତଳପଟକୁ ରହିଥିବା ଧଳାଦାଗ ଦେଖାଇ ଲମ୍ବା ଘାସ ବା ବୁଦାଳିଆ ସ୍ଥାନରେ କଲରାପତରିଆ ବାଘମାନେ ପରସ୍ପରକୁ ସୂଚନା ଆଦାନପ୍ରଦାନ କରିଥାନ୍ତି ।[୭୬] ଏହାଛଡ଼ା ବିଭିନ୍ନ ପ୍ରକାରର ଧ୍ୱନି ସଙ୍କେତଦ୍ୱାରା ମଧ୍ୟ ସେମାନେ ଭାବ ଆଦାନପ୍ରଦାନ କରନ୍ତି ।[୪୬] କଲରାପତରିଆ ବାଘର ତୁହାକୁ ତୁହା ଗର୍ଜନ ନିରେଖି ଶୁଣିଲେ ତାହା କରତ (Saw) କାଠ କାଟିବା ବେଳର ଶବ୍ଦ ପରି ଜଣାପଡ଼େ ।[୮୨][୪୬] ଶାବକମାନେ ନିଜ ମା’କୁ ଉର୍ର-ଉର୍ର ଶବ୍ଦ କରି ଡାକିଥାନ୍ତି ।[୪୬]

କଲରାପତରିଆ ବାଘମାନେ ଶିକାର ପାଇଁ ଏକ ବଡ଼ ଇଲାକା ନିୟନ୍ତ୍ରଣ କରନ୍ତି । ସେମାନଙ୍କ ଇଲାକା କେତୋଟି କଲରାପତରିଆ ବାଘୁଣୀଙ୍କ ଛୋଟ ଛୋଟ ଇଲାକା ମଧ୍ୟ ଦେଇ ଯାଇଥାଏ । ଏପରି କରିବାର ଏକ ସମ୍ଭାବ୍ୟ କାରଣ ହେଲା ଅଧିକ ବାଘୁଣୀଙ୍କ ସହିତ ମିଳନର ସୁଯୋଗ ମିଳିପାରିବ । ଆଇଭରି କୋଷ୍ଟ ଦେଶରେ ହୋଇଥିବା ଏକ ରେଡ଼ିଓ କଲାର୍ ବିଶ୍ଳେଷଣରୁ ଜଣା ପଡ଼ିଥିଲା ଯେ ବାଘୁଣୀମାନଙ୍କ ଇଲାକାକୁ ଘେରି ବାଘଙ୍କ ଇଲାକା ରହିଥାଏ ।[୮୩] ବାଘୁଣୀମାନେ ନିଜ ଶାବକଙ୍କ ସହିତ ନିଜ ଇଲାକାରେ ରହନ୍ତି । କଲରାପତରିଆ ବାଘୁଣୀଙ୍କ ମଧ୍ୟରେ ମା’-ଝିଅ ସମ୍ପର୍କ ନିବିଡ଼ ହୋଇଥିବାରୁ ଅନେକ ବାଘୁଣୀଙ୍କ ଇଲାକା ପରସ୍ପରକୁ ଲାଗି ରହିଥାଏ । ବାଘମାନଙ୍କ ଇଲାକା ପରସ୍ପର ସହିତ ଲାଗି ରହିବା କମ୍ ଦେଖାଯାଏ । ବାଘମାନେ ଅନ୍ୟ ଅନୁପ୍ରବେଶକାରୀଙ୍କ ପ୍ରତି ସହିଷ୍ଣୁତା ପ୍ରଦର୍ଶନ କରନ୍ତି ନାହିଁ ।[୪୬][୪୭]

ନାମିବିଆରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ କଲରାପତରିଆଙ୍କ ଇଲାକା ଲିଙ୍ଗ, ବୃଷ୍ଟିପାତ ବା ଋତୁ ଉପରେ ନିର୍ଭରଶୀଳ ନୁହେଁ; ଇଲାକାର ବ୍ୟାପ୍ତି କେବଳ ଶିକାର ଜନ୍ତୁଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ । ଆଖପାଖରେ ମାନବୀୟ କାର୍ଯ୍ୟକଳାପ ଦେଖାଯାଉଥିଲେ ଶିକାର ଇଲାକାର କ୍ଷେତ୍ରଫଳ ବୃଦ୍ଧି ପାଏ ।[୮୪] ଭୌଗୋଳିକ ଅବସ୍ଥିତି ଅନୁସାରେ ଶିକାର ଇଲାକାରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ । ସେରେଙ୍ଗେଟି ଓ କ୍ରୁଗର୍ ଜାତୀୟ ଉଦ୍ୟାନରେ ବାଘଙ୍କ ଇଲାକା ୩୩-୩୮ ବର୍ଗ କି.ମି. ଓ ବାଘୁଣୀଙ୍କ ଇଲାକା ୧୪-୧୬ ବର୍ଗ କି.ମି. ଅଞ୍ଚଳରେ ବ୍ୟାପ୍ତ ଥିବା ଦେଖାଯାଇଛି ।[୮୫][୮୬] ଉତ୍ତର-ପୂର୍ବ ନାମିବିଆରେ ବାଘମାନେ ୪୫୧ ବର୍ଗ କି.ମି. ଓ ବାଘୁଣୀମାନେ ୧୮୮ ବର୍ଗ କି.ମି. ଇଲାକା ନିୟନ୍ତ୍ରଣ କରିବା ଦେଖାଯାଏ ।[୮୭] ମରୁ ଓ ପାର୍ବତୀୟ ଅଞ୍ଚଳରେ ଇଲାକା ଆହୁରି ବଡ଼ ହେବା ସମ୍ଭବପର ।[୧୪] ନେପାଳରେ କଲରାପତରିଆ ବାଘମାନେ ୪୮ ବର୍ଗ କି.ମି. ଓ ବାଘୁଣୀମାନେ ୫-୭ ବର୍ଗ କି.ମି. ଇଲାକା ନିୟନ୍ତ୍ରଣ କରୁଥିବାର ଦେଖାଯାଏ ।[୮୮]

ଶିକାର ଓ ଖାଦ୍ୟ

କଲରାପତରିଆ ବାଘର ଶିକାର କରିବାର ବିଭିନ୍ନ ସୋପାନ
ଛକି ଛକି ଶିକାର ପଛରେ ଯିବା ବା ଜଗି ରହିବା
ଶିକାରକୁ କାର୍ଯ୍ୟକାରୀ କରାଇବା
ଶିକାରକୁ ଦାନ୍ତରେ ଭିଡ଼ି ଧରି ଟାଣିନେବା
ଶିକାରକୁ ଅନ୍ୟ ମାଂସଭୋଜୀ ପ୍ରାଣୀଙ୍କଠାରୁ ବଞ୍ଚାଇ ରଖିବା ପାଇଁ ଗଛ ଉପରକୁ ଉଠାଇନେବା

ଶିକାର କରିବା ପାଇଁ କଲରାପତରିଆ ବାଘମାନେ ନିଜ ସୂକ୍ଷ୍ମ ଓ ପ୍ରଖର ଦୃଷ୍ଟିଶକ୍ତି ଓ ଶ୍ରବଣଶକ୍ତି ଉପରେ ନିର୍ଭର କରନ୍ତି ।[୮୯] ପ୍ରାୟ ସମସ୍ତ ସ୍ଥାନରେ ଏମାନେ ରାତିରେ ଶିକାର କରନ୍ତି ।[୪୬] ପଶ୍ଚିମ ଆଫ୍ରିକୀୟ ଜଙ୍ଗଲ ଓ ତ୍ସାଭୋ ଜାତୀୟ ଉଦ୍ୟାନରେ କଲରାପତରିଆ ବାଘମାନେ ଦିନବେଳା ଶିକାର କରିବା ମଧ୍ୟ ଦେଖାଯାଇଛି ।[୯୦]

କଲରାପତରିଆ ବାଘ ୧୦-୪୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ମଧ୍ୟମ ଆକାରର ଜନ୍ତୁଙ୍କ ଶିକାର କରିବା ପସନ୍ଦ କରେ । ଏପରି ଓଜନର ଶିକାର ପ୍ରାଣୀ ଘଞ୍ଚ ଓ ବୁଦାଳିଆ ଜଙ୍ଗଲରେ ଛୋଟ ଗୋଠରେ ରହନ୍ତି । ଖୋଲା ମଇଦାନରେ ରହୁଥିବା ଶିକାର ପ୍ରାଣୀମାନେ ହିଂସ୍ର ଜନ୍ତୁଙ୍କଠାରୁ ସୁରକ୍ଷା ପାଇଁ ଅଧିକ ସତର୍କ ରହନ୍ତି ଓ ଅଧିକ ଦୂର ଦୌଡ଼ିପାରନ୍ତି । ତେଣୁ କଲରାପତରିଆ ବାଘ ଏପରି ପ୍ରାଣୀଙ୍କ କମ୍ ଶିକାର କରିବାକୁ ଚେଷ୍ଟା କରେ । କଲରାପତରିଆ ବାଘ ୧୦୦ରୁ ଅଧିକ ଜୀବଙ୍କ ଶିକାର କରିବା ଦେଖାଯାଇଛି । ଆଫ୍ରିକାରେ ଇମ୍ପାଲା, ଥୋମ୍‍ସନ୍ ଗ୍ୟାଜେଲ୍, ନ୍ୟାଲା, ଆଫ୍ରିକୀୟ ବାର୍‍ହା, ବୁଦା ହରିଣ, କୁଦୁ ଇତ୍ୟାଦି ଜୀବ କଲରାପତରିଆଙ୍କ ଶିକାର ତାଲିକାରେ ପରିଗଣିତ ହୁଅନ୍ତି । ଏସିଆରେ ଚିତଲ୍ ହରିଣ, କୁଟୁରା, ସମ୍ବର, ଚୌଶିଂଘା, ଗୟଳ, ବାର୍‍ହା ଇତ୍ୟାଦି କଲରାପତରିଆର ଶିକାର । କଲରାପତରିଆ ବିଭିନ୍ନ ପ୍ରକାରର ମାଙ୍କଡ଼, ବିଲୁଆ, କୋକିଶିଆଳୀ, ଶାଳିଆପତିନି, ଗରିଲା, ବବୁନ୍, ଠେକୁଆ, ଝିଙ୍କ ଇତ୍ୟାଦିଙ୍କୁ ମଧ୍ୟ ଶିକାର କରି ଖାଏ ।[୯୧] ବାଘ ଓ ସିଂହଙ୍କ ଅନୁପସ୍ଥିତିରେ ଏମାନେ ବଡ଼ ଶିକାର କରିବା ମଧ୍ୟ ଦେଖାଯାଇଛି ।[୯୨] ଆଜି ପର୍ଯ୍ୟନ୍ତ କୌଣସି କଲରାପତରିଆ ମାରିଥିବା ସବୁଠାରୁ ବଡ଼ ଶିକାର ହେଲା ୯୦୦ କି.ଗ୍ରା. ଓଜନର ଏକ ଇଲାଣ୍ଡ ।[୯୩]

କଲରାପତରିଆ ଛପି ଛପି ଶିକାରର ଅତି ନିକଟକୁ (ପ୍ରାୟ ୫ ମିଟର୍ ପର୍ଯ୍ୟନ୍ତ) ଯିବାକୁ ଚେଷ୍ଟା କରେ । ତା’ ପରେ ଶିକାରକୁ ଅତର୍କିତ ଆକ୍ରମଣ କରେ । ଶିକାରର ଶ୍ୱାସନଳୀ ଚାପିଧରି ତାହାର ଶ୍ୱାସରୁଦ୍ଧ କରି ତା’କୁ ମାରିଥାଏ । ଛୋଟ ଶିକାର ପାଇଲେ କଲରାପତରିଆ ବାଘ ତାହାର ବେକର ଉପର ପଟୁ କାମୁଡ଼ି ଧରି ତାହାର ସୁଷୁମ୍ନା କାଣ୍ଡ ଭାଙ୍ଗି ଓ ବଡ଼ ଶିକାରକୁ ବେକର ତଳପଟୁ କାମୁଡ଼ି ଧରି ତାହାକୁ ଶ୍ୱାସରୁଦ୍ଧ କରି ମାରିଥାଏ ।[୪୬][୪୭]କଲରାପତରିଆର ଖପୁରୀ ବଡ଼ ଓ ଦାନ୍ତ ମାଢ଼ି ଶକ୍ତିଶାଳୀ ହୋଇଥିବାରୁ ବଡ଼ ଶିକାର ମାରିବା ଓ ଶିକାରର ମୃତଦେହକୁ ଦାନ୍ତରେ ଭିଡ଼ି ଧରି ଗଛ ଚଢ଼ିଯିବାରେ ବିଶେଷ ଅସୁବିଧା ହୁଏନାହିଁ । ୧୨୫ କି.ଗ୍ରା. ଓଜନର ଏକ ତରୁଣ ଜିରାଫ୍‍କୁ କଲରାପତରିଆ ବାଘ ଗଛ ଉପରକୁ ୫.୭ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଉଠାଇ ନେବା ଦେଖାଯାଇଛି ।[୯୦]ଶିକାର ଜନ୍ତୁ ଛୋଟ ହୋଇଥିଲେ କଲରାପତରିଆ ସଙ୍ଗେସଙ୍ଗେ ତାହା ଖାଇଦିଏ । ବଡ଼ ଶିକାରକୁ ଅନେକ ଦିନ ପର୍ଯ୍ୟନ୍ତ ଗଛ ଉପରେ, ଗୁମ୍ଫାରେ ବା ବୁଦାରେ ଲୁଚାଇ ରଖି କିଛି ଦିନ ଧରି ଖାଇଥାଏ । ଶିକାର ଲୁଚାଇବା ସ୍ଥାନ ଭୌଗୋଳିକ ପରିବେଶ ଉପରେ ନିର୍ଭର କରେ । ଆଫ୍ରିକାର କ୍ରୁଗର୍ ଜାତୀୟ ଉଦ୍ୟାନରେ କଲରାପତରିଆ ବାଘମାନେ ଗଛ ଉପରେ ଓ କାଲାହାରି ମରୁଭୂମିରେ ବୁଦାରେ ଲୁଚାଇ ରଖନ୍ତି ।[୧୪][୯୪]

ତାଇ ଜାତୀୟ ଉଦ୍ୟାନରେ ଏକ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ, କଲରାପତରିଆ ବାଘମାନେ ଦିନବେଳା ଚିମ୍ପାଞ୍ଜି ଓ ପୋଟ୍ଟୋ ବ୍ୟତୀତ ଅନ୍ୟ ସବୁ ବାନର ପ୍ରଜାପତିଙ୍କ ଶିକାର କରନ୍ତି ।[୯୫]ଦକ୍ଷିଣ ଭାରତର ଏକ ଜଙ୍ଗଲରେ କଲରାପତରିଆ ବାଘ, ବଳିଆ କୁକୁର ଓ ହେଟା ବାଘ ସମସ୍ତେ ସମାନ ପ୍ରଜାତିର ଶିକାର ଜନ୍ତୁଙ୍କୁ ମାରି ଖାଉଥିଲେ ।[୯୬]

ଚୀନର ୱୋଲୋଂଗ୍ ଅଭୟାରଣ୍ୟରେ ଏକ ସର୍ବେକ୍ଷଣ କରାଯାଇଥିଲା । ୭ ବର୍ଷ ମଧ୍ୟରେ ଏଠାକାର କଲରାପତରିଆ ବାଘଙ୍କ ଶିକାର ଜୀବ ଓ ଖାଦ୍ୟ ଶୈଳୀରେ ବହୁ ପରିବର୍ତ୍ତନ ଦେଖାଯାଇଥିଲା । ଜଙ୍ଗଲ କମୁଥିବାରୁ ଏଠାକାର କଲରାପତରିଆ ବାଘମାନେ ଛୋଟ ହରିଣ, ମୂଷା ଓ ଅନ୍ୟ ଛୋଟ ଶିକାର ମଧ୍ୟ ଖାଉଥିଲେ ।[୯୭] ଆଉ ଏକ ସର୍ବେକ୍ଷଣ ଅନୁଯାୟୀ ବାଘମାନେ ଦିନକୁ ହାରାହାରି ୩.୫ କି.ଗ୍ରା. ଓ ବାଘୁଣୀମାନେ ଦିନକୁ ୨.୮ କି.ଗ୍ରା. ଖାଦ୍ୟ ଖାଉଥିଲେ ।[୯୮] ଦକ୍ଷିଣ କାଲାହାରୀ ମରୁଭୂମିର କଲରାପତରିଆ ବାଘଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏମାନେ ଶିକାର ଶରୀରର ତରଳ ଅଂଶ ଓ ଜଳ ଗଚ୍ଛିତ କରୁଥିବା ଉଦ୍ଭିଦରୁ ନିଜ ଶୋଷ ମେଣ୍ଟାନ୍ତି । ଏମାନେ ୨-୩ ଦିନରେ ଥରେ ପାଣି ପିଅନ୍ତି । ଆଫ୍ରିକାରେ କିଛି ସ୍ଥାନରେ ମିଳୁଥିବା ସ୍ଥାନୀୟ କାକୁଡ଼ି, ତରଭୁଜ, କଲାହାରି ଖଟା ଘାସ (Schmidtia kalahariensis) ଇତ୍ୟାଦି ଗଛ ଖାଇବା ମଧ୍ୟ ଦେଖାଯାଇଛି ।[୯୯] ନିଜ ଜାତିର ଅନ୍ୟ ଜୀବଙ୍କୁ ଖାଇବା ମଧ୍ୟ ଦେଖାଯାଇଛି ।[୮୦]

ଏସିଆରେ କଲରାପତରିଆ ବାଘ ଭାଲୁ ଛୁଆକୁ ମାରି ଖାଇବା ସମ୍ପର୍କରେ ସୂଚନା ମିଳିଛି ।[୧୦୦] ୫୦ କି.ଗ୍ରା. ଓଜନର ପାଣ୍ଡା ମଧ୍ୟ କଲରାପତରିଆ ବାଘର ଶିକାର ହୋଇପାରନ୍ତି ।[୧୦୧]

ପ୍ରତିଦ୍ୱନ୍ଦୀ ଓ ଶତ୍ରୁ

ଶିକାର ଓ ଅଧିବାସ ପାଇଁ କଲରାପତରିଆ ବାଘମାନଙ୍କ ଅନ୍ୟ ବୃହତ୍ ମାଂସାସୀ ଜୀବ ଯଥା – ମହାବଳ ବାଘ, ସିଂହ, ଚିତାବାଘ, ହେଟା ବାଘ, ବଳିଆ କୁକୁର ଓ ଭାଲୁ ଇତ୍ୟାଦିଙ୍କ ସହ ପ୍ରତିଦ୍ୱନ୍ଦିତା ଲାଗି ରହିଥାଏ । ଏହି ପ୍ରାଣୀମାନେ କଲରାପତରିଆ ବାଘଙ୍କ ଶିକାର ବଳପୂର୍ବକ ବା କୌଶଳ ସହକାରେ ଚୋରାଇ ନେବାକୁ ମଧ୍ୟ ଚେଷ୍ଟା କରନ୍ତି । କିଛି ଜୀବ କଲରାପତରିଆ ବାଘଙ୍କ ହତ୍ୟା କରି ଖାଦ୍ୟ ଶୃଙ୍ଖଳରେ ପ୍ରତିଯୋଗିତା କମ୍ କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ନିଜଠାରୁ ବଡ଼ ମାଂସାସୀ ପ୍ରାଣୀଙ୍କଠାରୁ ଦୂରରେ ରହି ଓ ଭିନ୍ନ ପ୍ରକାରର ଶିକାର ଚୟନ କରି କଲରାପତରିଆ ବାଘ ଏମାନେ ରାଜୁତି କରୁଥିବା ଜଙ୍ଗଲରେ ଖାପ ଖୁଆଇ ଚଳିଯାଏ । ବଡ଼ ଜନ୍ତୁଙ୍କ ସହ ସଂଘର୍ଷ ହେବା ପରିସ୍ଥିତି ସୃଷ୍ଟି ହେଲେ କଲରାପତରିଆ ଗଛ ଉପରକୁ ଚଢ଼ିଯାଏ ଓ ନିଜକୁ ରକ୍ଷା କରିନିଏ । ବିଲୁଆ, କାରାକାଲ୍, ବଣଭୂଆ, ସିଂହ ଶାବକ, ଚିତାବାଘ ଶାବକ, ହେଟାବାଘ ଛୁଆ ଓ ବଳିଆ କୁକୁର ଛୁଆଙ୍କୁ କଲରାପତରିଆ ବାଘ ମାରି ଖାଇବା ମଧ୍ୟ ଦେଖାଯାଇଛି ।[୧୦୨][୮]

ଏକ ସିଂହୀ କଲରାପତରିଆ ବାଘ ମାରିଥିବା ଶିକାର ଛଡ଼ାଇନେବାକୁ ଚେଷ୍ଟା କରୁଛି

ମହାବଳ ବାଘ ଓ କଲରାପତରିଆ ବାଘ ଏକା ଜଙ୍ଗଲରେ ରହୁଥିଲେ ଉପଲବ୍ଧ ଶିକାର ଆବଣ୍ଟିତ ହେବା ନିଶ୍ଚିତ । ଏପରି କ୍ଷେତ୍ରରେ କଲରାପତରିଆ ବାଘମାନେ ଛୋଟ ଶିକାର (୭୫ କି.ଗ୍ରା.ରୁ କମ୍) କରିବା ପସନ୍ଦ କରନ୍ତି ।[୮] କଲରାପତରିଆ ଓ ମହାବଳ ବାଘ ଏକାଠୀ ରହିବା କମ୍ ଦେଖାଯାଏ । ଅର୍ଥାତ୍ ଏକ ଅଞ୍ଚଳରେ ମହାବଳ ବାଘ ଅଧିକ ରହିଥିଲେ ସେଠାରେ କମ୍ କଲରାପତରିଆ ବାଘ ରହନ୍ତି ।[୧୦୩] ୨୦୦୪ରୁ ୨୦୦୮ ମସିହା ମଧ୍ୟରେ ଭାରତର ରାଜାଜୀ ଜାତୀୟ ଉଦ୍ୟାନରେ ମହାବଳ ବାଘଙ୍କ ଘନତା ବଢ଼ିବାରୁ (ପ୍ରତି ୧୦୦ ବର୍ଗ କି.ମି. ପିଛା ୩.୩୧ରୁ ୫.୮୧ଟି ବାଘ) କଲରାପତରିଆ ବାଘଙ୍କ ଘନତା ହ୍ରାସ ପାଇଥିଲା (ପ୍ରତି ୧୦୦ ବର୍ଗ କି.ମି. ପିଛା ୯.୭୬ରୁ ୨.୦୭ଟି ବାଘ) ।[୧୦୪] ତେଣୁ ବାଘଙ୍କ ସଂଖ୍ୟା ବଢ଼ିଲେ କଲରାପତରିଆଙ୍କ ସଂଖ୍ୟା କମେ, ସେମାନଙ୍କ ଶିକାରରେ ପରିବର୍ତ୍ତନ ଦେଖାଦିଏ । ହାରାହାରି ୯% ସମୟରେ ଛୋଟ ଶିକାର କରୁଥିବା କଲରାପତରିଆ ୩୬% ସମୟରେ ଛୋଟ ଶିକାର ଓ ପୂର୍ବେ କେବଳ ୬.୮% ସମୟରେ ଗୃହପାଳିତ ପଶୁଙ୍କ ଶିକାର କରୁଥିବା କଲରାପତରିଆ ବାଧ୍ୟ ହୋଇ ୩୧.୮% ସମୟରେ ଗୃହପାଳିତ ଜୀବଙ୍କ ଶିକାର କରିବା ଦେଖାଯାଇଛି ।[୧୦୪]

ନେପାଳର ଚିତ୍ତବନ ଜାତୀୟ ଉଦ୍ୟାନରେ ବହୁ ଶିକାର ଜୀବ ରହିଥିବାରୁ ଓ ଜଙ୍ଗଲ ଖୁବ୍ ଘଞ୍ଚ ହୋଇଥିବାରୁ ଅଧିକ ମହାବଳ ବାଘ ଓ ଅଧିକ କଲରାପତରିଆ ବାଘ ଏକାଠୀ ଦେଖାଯାନ୍ତି । ଏଠାକାର କଲରାପତରିଆ ବାଘମାନେ ୨୫-୧୦୦ କି.ଗ୍ରା. ଓଜନର ଶିକାର କରନ୍ତି । କଲରାପତରିଆଙ୍କ ଶିକାରର ହାରାହାରି ଓଜନ ୨୫-୫୦ କି.ଗ୍ରା. ମଧ୍ୟରେ ହୋଇଥିବା ବେଳେ ମହାବଳ ବାଘଙ୍କ ଶିକାରର ହାରାହାରି ଓଜନ ୫୦-୧୦୦ କି.ଗ୍ରା. ମଧ୍ୟରେ ହୋଇଥାଏ ।[୧୦୫] ପୁଣି ଜଙ୍ଗଲର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୁଇ ବାଘ ପ୍ରଜାତି ଭିନ୍ନ ସମୟରେ ବିଚରଣ କରୁଥାନ୍ତି । ମହାବଳ ବାଘମାନେ କଚା ସଡ଼କ ବ୍ୟବହାର କରୁଥିବା ବେଳେ କଲରାପତରିଆ ବାଘମାନେ ଖୋଲା ପଡ଼ିଆ ବା ନୂଆରେ ପୋଡ଼ିଯାଇଥିବା ଅଞ୍ଚଳରେ ବିଚରଣ କରୁଥିଲେ ।[୧୦୬] ମହାବଳ ବାଘ କୌଣସି ସ୍ଥାନରେ ଶିକାର ମାରିଥିବା ଜାଣିପାରିଲେ କଲରାପତରିଆ ବାଘ ସେ ଅଞ୍ଚଳକୁ ଆଉ ଯାଏନାହିଁ ।[୧୦୭]

ଭାରତର ନାଗାରହୋଳେ ଜାତୀୟ ଉଦ୍ୟାନରେ ମହାବଳ ବାଘମାନେ ୧୭୬ କି.ଗ୍ରା.ରୁ ଅଧିକ ଓଜନର ଓ କଲରାପତରିଆ ବାଘମାନେ ୩୦-୧୭୫ କି.ଗ୍ରା. ପର୍ଯ୍ୟନ୍ତ ଓଜନର ଶିକାର କରିବା ଦେଖାଯାଇଛି ।[୧୦୮]କ୍ରାନ୍ତୀୟ ଅରଣ୍ୟରେ ମହାବଳ ବାଘଙ୍କ ଶିକାର ସମୟରୁ ଭିନ୍ନ ସମୟରେ କଲରାପତରିଆଙ୍କୁ ଶିକାର କରିବାକୁ ପଡ଼ିନଥାଏ । ଏଠାରେ ବହୁ ଆକାରର ଓ ଅଧିକ ସଂଖ୍ୟକ ଶିକାର ପ୍ରାଣୀ ରହିଥିବାରୁ ମହାବଳ ଓ କଲରାପତରିଆ ବାଘ ଏକାଠି ରହିଆସୁଛନ୍ତି । କିନ୍ତୁ ଆଫ୍ରିକୀୟ ସାଭାନ୍ନା ଅଧିବାସରେ ଖାଦ୍ୟଶୃଙ୍ଖଳରେ ଉପର ସ୍ତରରେ ରହିଥିବା କଲରାପତରିଆ ବାଘ ଓ ସିଂହଙ୍କ ମଧ୍ୟରେ ଘୋର ଶତ୍ରୁତା ଦେଖାଯାଏ ।[୧୦୯] କେନ୍ଦ୍ରୀୟ ଭାରତର କାହ୍ନା ଜାତୀୟ ଉଦ୍ୟାନ ପରି ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ସଂଖ୍ୟା ଅଧିକ । ଏପରି ସ୍ଥାନମାନଙ୍କରେ କଲରାପତରିଆ ବାଘ ଜଙ୍ଗଲର ସ୍ଥାୟୀ ବାସିନ୍ଦା ହୋଇ ରହନ୍ତି ନାହିଁ । ବରଂ ସେମାନେ ଜଙ୍ଗଲର ବାହାର ପଟରେ ଓ ଜନବସତି ନିକଟରେ ରହିବା ପସନ୍ଦ କରନ୍ତି ।[୧୦୭]

ବିଂଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ସୁଦୂର ପୂର୍ବ ଋଷରେ ସାଇବେରୀୟ ବାଘ ବସବାସ କରୁଥିବାର ଏମୁର୍ କଲରାପତରିଆ ବାଘ ଦେଖିବାକୁ ମିଳୁନଥିଲେ ।[୧୧୦] ଏକବିଂଶ ଶତାବ୍ଦୀରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣା ପଡ଼ିଲା ଯେ ଅଧିକ ତୃଣଭୋଜୀ ଶିକାର ଜନ୍ତୁ ରହୁଥିବା ଓ ମାନୁଷିକ କାର୍ଯ୍ୟକଳାପର ପ୍ରଭାବରୁ ଦୂରରେ ରହିଥିବା ଜଙ୍ଗଲରେ ଉଭୟ କଲରାପତରିଆ ଓ ମହାବଳ ବାଘ ଏକାଠି ରହନ୍ତି ।[୧୧୧]

ସମୟ ସମୟରେ ନୀଳନଦୀ କୁମ୍ଭୀରମାନେ କଲରାପତରିଆ ବାଘଙ୍କୁ ଖାଦ୍ୟରୂପେ ଆହରଣ କରିବା ଦେଖାଯାଇଛି । କ୍ରୁଗର୍ ଜତୀୟ ଉଦ୍ୟାନରେ ବଡ଼ ଓ ବୟସ୍କ କଲରାପତରିଆ ବାଘଟିଏ ଶିକାର ସନ୍ଧାନରେ ରହିଥିବା ବେଳେ ତାହାକୁ ଏକ କୁମ୍ଭୀର ଆକ୍ରମଣ କରି ଖାଇଯାଇଥିଲା ।[୧୧୨][୧୧୩][୧୧୪] ଏପରିକି ଭାରତରେ ମଧ୍ୟ ଗୋମୁହାଁ କୁମ୍ଭୀର କଲରାପତରିଆ ବାଘଙ୍କୁ ମାରିବା ଦେଖାଯାଇଛି ।[୧୧୫] ସିଂହମାନେ କିଛି ଦୂର ପର୍ଯ୍ୟନ୍ତ ଗଛ ଚଢ଼ି ଯାଆନ୍ତି ଓ କଲରାପତରିଆ ବାଘର ଶିକାର ଛଡ଼ାଇ ନେଇଆସନ୍ତି ।[୯୪] କଲରାପତରିଆ ବାଘମାନେ ସିଂହ ଛୁଆଙ୍କୁ ମାରି ଦିଅନ୍ତି ଓ ବେଳେବେଳେ ସେମାନଙ୍କୁ ଆହରଣ କରିଥାନ୍ତି ।[୮] କାଲାହାରି ମରୁଭୂମିରେ ଗଛ ଇତ୍ୟାଦି ନଥିବାରୁ କଲରାପତରିଆ ବାଘ ଶିକାରକୁ ଅନ୍ୟ ପ୍ରାଣୀଙ୍କଠାରୁ ଅପହଞ୍ଚ ଦୂରତାରେ ରଖି ପାରନ୍ତି ନାହିଁ ଓ ତେଣୁ ହେଟାବାଘମାନେ ସହଜରେ ଏମାନଙ୍କ ଶିକାର ଛଡ଼ାଇ ନିଅନ୍ତି । ଏପରିକି ଏକାକୀ ହେଟା ବାଘଟିଏ ମଧ୍ୟ ବଡ଼ କଲରାପତରିଆ ବାଘକୁ ଡରାଇ ତା’ର ଶିକାର ଛଡ଼ାଇ ନେବାର ସାମର୍ଥ୍ୟ ରଖେ ।[୧୧୬][୧୧୭] ବ୍ରହ୍ମଦେଶୀୟ ଅଜଗର ସାପ ବୟସ୍କ କଲରାପତରିଆ ବାଘଙ୍କୁ ଶିକାର କରିବା ଦେଖାଯାଇଛି । ୫.୫ ମିଟର୍ ଲମ୍ବା ଏକ ଅଜଗରର ପେଟରୁ ଏକ ପ୍ରାପ୍ତବୟସ୍କ କଲରାପତରିଆ ବାଘ ମିଳିଥିଲା ।[୧୧୮]

୨୦୧୪ ମସିହାରେ କଲରାପତରିଆ ବାଘମାନେ ଚିତାବାଘଙ୍କୁ ମାରିବାର ୨ଟି ଘଟଣା ଦେଖାଯାଇଥିଲା ।[୧୧୯][୧୨୦]

କଲରାପତରିଆ ବାଘ ବବୁନ୍ ମାଙ୍କଡ଼ଙ୍କୁ ଶିକାର କରିଥାଏ । କିନ୍ତୁ ଅଣ୍ଡିରା ବବୁନ୍‍ମାନେ କଲରାପତରିଆ ବାଘର ଶାବକମାନଙ୍କୁ ମାରି ସେମାନଙ୍କ ଆହରଣ କରିଥାନ୍ତି ।[୧୨୧] ଜର୍ଜ୍ ସ୍କାଲର୍ ନିଜ ପୁସ୍ତକରେ ଲେଖିଥିଲେ ଯେ ସେ ଏକ ଗରିଲା ଓ ଏକ କଲରାପତରିଆଙ୍କ କ୍ଷତବିକ୍ଷତ ମୃତଦେହ ଆଖାପାଖି ପଡ଼ିଥିବା ଦେଖିଥିଲେ ।[୧୨୨]

ପ୍ରଜନନ ଓ ଜୀବନ ଚକ୍ର

କେତେକ ଅଞ୍ଚଳରେ କଲରାପତରିଆ ବାଘ ବର୍ଷସାରା ପ୍ରଜନନ କ୍ରିୟାରେ ଲିପ୍ତ ରହନ୍ତି । ଚୀନର ମଞ୍ଚୁରିଆ ଓ ଋଷିଆର ସାଇବେରିଆ ପରି ଅଞ୍ଚଳରେ ଜାନୁଆରୀ ଓ ଫେବୃଆରୀ ମାସ କଲରାପତରିଆ ବାଘଙ୍କ ମିଳନ ସମୟ । ବାଘୁଣୀମାନଙ୍କ ଋତୁ ଚକ୍ର ୪୬ ଦିନର ଓ ଏଥିରୁ ୬-୭ ଦିନ ବାଘୁଣୀ ମିଳନ ପାଇଁ ବ୍ୟଗ୍ର ରହିଥାଏ ।[୧୨୩] କଲରାପତରିଆ ବାଘୁଣୀଙ୍କ ଗର୍ଭଧାରଣ ସମୟ ୯୦-୧୦୫ ଦିନ ।[୧୨୪] ଏକା ଥରକେ ବାଘୁଣୀମାନେ ୨-୪ଟି ଶାବକଙ୍କୁ ଜନ୍ମ ଦେବା ଦେଖାଯାଏ ।[୧୨୫] ପ୍ରଥମ ବର୍ଷରେ କଲରାପତରିଆ ବାଘ ଛୁଆଙ୍କ ମୃତ୍ୟୁହାର ପ୍ରାୟ ୪୧-୫୦% ।[୯୮]

ବାଘୁଣୀମାନେ ଗୁମ୍ଫା, ପଥର ସନ୍ଧିରେ ରହିଥିବା ସ୍ଥାନ, କୋରଡ଼ ପ୍ରଭୃତି ସ୍ଥାନରେ ଛୁଆଙ୍କୁ ଜନ୍ମ ଦିଅନ୍ତି । ନବଜାତ ଶାବକଙ୍କ ଆଖି ବନ୍ଦ ରହିଥାଏ ଓ ଜନ୍ମ ହେବାର ୪-୯ ଦିନ ପରେ ସେମାନଙ୍କ ଆଖି ଖୋଲିଥାଏ ।[୯୩] ଛୁଆ ବାଘଙ୍କ ଲୋମ ବୟସ୍କ ବାଘଙ୍କ ଲୋମଠାରୁ ମୋଟା ଓ ଲମ୍ବା ହୋଇଥାଏ । ଶାବକଙ୍କ ଚମଡ଼ା ଅପେକ୍ଷାକୃତ ଅଧିକ ଧୁସରିଆ ଓ ଏଥିରେ କମ୍ କଲରା ପତ୍ର ଦାଗ ରହିଥାଏ । ୩ ମାସର ହେବା ପରେ ଶାବକମାନେ ମା’ ବାଘୁଣୀ ସହ ଶିକାର ଦେଖିବାକୁ ବାହାରନ୍ତି । ବର୍ଷେ ବୟସରେ ଉପନୀତ ହେଲେ ଯୁବ କଲରାପତରିଆ ବାଘମାନେ ନିଜେ ଶିକାର କରିବା ଆରମ୍ଭ କରନ୍ତି । ପ୍ରାୟ ୧୮-୨୪ ମାସ ପର୍ଯ୍ୟନ୍ତ ଶାବକମାନେ ମା’ ବାଘୁଣୀ ସହିତ ରହିଥାନ୍ତି ।[୭୪]

କଲରାପତରିଆ ବାଘଙ୍କ ହାରାହାରି ଜୀବନ କାଳ ୧୨-୧୭ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।[୧୨୬] ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ାର ପାମ୍ ବିଚ୍ କାଉଣ୍ଟିସ୍ଥିତ ମକାଥିଜ୍ ୱାଇଲ୍ଡଲାଇଫ୍ ସାଂଚୁଆରିରେ “ରୋକ୍ସାନେ” ନାମକ ଏକ କଲରାପତରିଆ ବାଘୁଣୀ ସବୁଠାରୁ ଅଧିକ ବର୍ଷ ଜୀବିତ ରହିଥିବା ବାଘୁଣୀ । ୨୦୧୪ ଅଗଷ୍ଟ ୮ ତାରିଖରେ ସେ ମୃତ୍ୟୁ ବରଣ କଲାବେଳକୁ ତାହାର ବୟସ ୨୪ ବର୍ଷ, ୨ ମାସ ଓ ୧୩ ଦିନ ଥିଲା । ଗିନିସ୍ ବୁକ୍ ବିଶ୍ୱ କୀର୍ତ୍ତିମାନରେ ଏହା ସ୍ଥାନ ପାଇଛି ।[୧୨୭] ତାହା ପୂର୍ବରୁ ୱାରଶ ଚିଡ଼ିଆଖାନାର “ବର୍ଟି” ନାମକ ଏକ ବାଘୁଣୀ ଏହି କୀର୍ତ୍ତିମାନର ଅଧିକାରିଣୀ ଥିଲା । ୨୦୧୦ ମସିହା ଡିସେମ୍ବର ମାସରେ ସେ ୨୪ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲା ।[୧୨୮] ସେହି ୱାରଶ ଚିଡ଼ିଆଖାନାରେ ବର୍ଟିର ଜୀବନ ସାଥୀ “ସିଜାର୍” ହେଉଛି ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା କଲରାପତରିଆ ବାଘ (ପ୍ରାୟ ୨୩ ବର୍ଷ) । [୧୨୯]

ମଣିଷ ଓ କଲରାପତରିଆ ବାଘ

ବେନିନ୍ ପାଣି ହାଣ୍ଡି ଏକ କଲରାପତରିଆ ବାଘର ଆକାରରେ ତିଆରି

ବହୁ ଆଦିମ କାଳରୁ ମନୁଷ୍ୟ ଓ କଲରାପତରିଆ ବାଘ ପରସ୍ପର ସହ ପରିଚିତ । ଅନେକ ଦେଶର କଳା, ପୌରାଣିକ କଥା, ଲୋକକଥାରେ କଲରାପତରିଆ ବାଘଙ୍କ ଉଲ୍ଲେଖ ଦେଖିବାକୁ ମିଳେ । ଏମାନଙ୍କ ଉପସ୍ଥିତି ଥିବା ପ୍ରାଚୀନ ଗ୍ରୀସ୍, ପର୍ସିଆ, ରୋମ୍ ଓ ଏମାନଙ୍କ ସହ ଅପରିଚିତ ଇଂଲଣ୍ଡ ପରି ଦେଶର ସଂସ୍କୃତିରେ ମଧ୍ୟ କଲରାପତରିଆ ବାଘଙ୍କ ଛାପ ରହିଛି । ଆଧୁନିକ ଯୁଗରେ କଲରାପତରିଆ ବାଘକୁ କୌଣସି ରାଜକୀୟ ବା ଅନୁଷ୍ଠାନ, ସଂଗଠନର ସଙ୍କେତ ରୂପେ ବ୍ୟବହାର କରାଯାଏ । ଅଧୁନା ଏପରି ବ୍ୟବହାର ଆଫ୍ରିକାରେ ସୀମିତ ହୋଇଥିବା ବେଳେ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ କାଁଭାଁ ଦେଖାଯାଇପାରିବ । କଲରାପତରିଆ ବାଘକୁ ଜଙ୍ଗଲର ରାଜା ବୋଲି କୁହାଯାଉଥିବାରୁ ବେନିନ୍ ସାମ୍ରାଜ୍ୟରେ ରାଜା (ବା ଓବା)ଙ୍କ ଶକ୍ତି ଓ କ୍ଷମତାର ସୂଚକ ରୂପେ ମୂର୍ତ୍ତି ଓ ପଥର ଖୋଦିତ ଚିତ୍ରରେ କଲରାପତରିଆ ବାଘର ଛାପ ଦେଖିବାକୁ ମିଳେ । ମାସ୍କଟ୍, ଦେବତାଙ୍କ ବଳି ଓ ତାବିଜ ରୂପରେ ମଧ୍ୟ କଲରାପତରିଆ ବାଘଙ୍କୁ ବନ୍ଦୀ କରି ବ୍ୟବହାର କରାଯାଉଥିଲା ।[୧୩୦] ଆଫ୍ରିକାର ରାଜାଙ୍କ ସହିତ ଜଡ଼ିତ ହୋଇଥିବାରୁ କଲରାପତରିଆ ବାଘର ଛାଲ ରାଜକୀୟ ପୋଷାକ ଓ ଅନ୍ୟ ପ୍ରଭାବଶାଳୀ ଅଧିକାରୀଙ୍କ ଚିହ୍ନ ଭାବେ ଆଜି ମଧ୍ୟ ବ୍ୟବହୃତ ହୁଏ ।

ଇଂଲଣ୍ଡର ଶ୍ରୋପ୍‍ଶାୟର୍‍ର ପତାକାରେ ତିନୋଟି କଲରାପତରିଆ ବାଘଙ୍କ ଚିତ୍ର

ବିଭିନ୍ନ ରାଜକୀୟ ଚିହ୍ନରେ ପ୍ରହରୀ ସିଂହ ବା ପ୍ରହରୀ କଲରାପତରିଆ ବାଘ ଦେଖାଯାଇପାରିବ । ଅଧିକାଂଶରେ ତିନୋଟି କଲରାପତରିଆ ବାଘ ଏପରି ଚିହ୍ନରେ ଦେଖିବାକୁ ମିଳନ୍ତି ।[୧୩୧] ଏପରି ପ୍ରହରୀ କଲରାପତରିଆ ବାଘର ଦେହରେ ଚିତା ଦାଗ ନଥାଏ ଓ ମୁଣ୍ଡ ଚାରିପଟେ ସିଂହ ପରି କେଶର ରହିଥାଏ । ଯେପରି ଇଂଲଣ୍ଡରେ ସିଂହ ପ୍ରହରୀ ଚିହ୍ନ ରହିଥାଏ, ସେପରି ଆଫ୍ରିକାର ବେନିନ୍, ମଲାୱି, ସୋମାଲିଆ, କଙ୍ଗୋ, ଗାବୋନ୍ ଇତ୍ୟାଦିର ପ୍ରଶାସନିକ ଚିହ୍ନରେ କଳା ଓ ସାଧାରଣ କଲରାପତରିଆ ବାଘ ଦେଖିବାକୁ ମିଳେ ।[୧୩୨]

କଲରାପତରିଆ ବାଘଙ୍କୁ ପୋଷା ମନାଯିବାର ମଧ୍ୟ ନଜୀର ରହିଛି । ତ୍ରୟୋଦଶ ଶତାବ୍ଦୀରେ ଇଂଲଣ୍ଡର ରାଜା ଜନ୍ “ଟାୱାର୍ ଅଫ୍ ଲଣ୍ଡନ”ରେ ଅନେକ କଲରାପତରିଆ ବାଘଙ୍କୁ ପୋଷା ମନାଇ ରଖିଥିଲେ । ୧୨୩୫ ମସିହାରେ ରୋମ୍ ସମ୍ରାଟ ଫ୍ରେଡେରିକ୍ ତୃତୀୟ ଇଂଲଣ୍ଡର ହେନେରୀ ତୃତୀୟଙ୍କୁ ତିନୋଟି କଲରାପତରିଆ ବାଘ ଉପହାର ଦେଇଥିଲେ ।[୧୩୩]

ପର୍ଯ୍ୟଟନ

ଦକ୍ଷିଣ ଆଫ୍ରିକାର ସାବି ସ୍ୟାଣ୍ଡ୍ସର ଏକ କଲରାପତରିଆ ବାଘୁଣୀ

ବହୁ ଦେଶର ସଂରକ୍ଷିତ ଜଙ୍ଗଲରେ ସଫାରୀ ଓ ବନ୍ୟଜୀବ ପର୍ଯ୍ୟଟନ ଆୟୋଜନ କରାଯାଉଛି ଯାହା ଫଳରେ ପର୍ଯ୍ୟଟକମାନେ କଲରାପତରିଆ ବାଘଙ୍କୁ ସେମାନଙ୍କ ପ୍ରାକୃତିକ ଅଧିବାସରେ ଦେଖିପାରୁଛନ୍ତି । ଯଦିଓ ସଫାରୀ ଆୟୋଜକମାନେ ଅତି ନିକଟରୁ କଲରାପତରିଆ ବାଘ ଦେଖାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ଜଙ୍ଗଲରେ କଲରାପତରିଆ ବାଘର ଛଳାବରଣ ଭେଦ କରିବା ଅତି କଷ୍ଟକର । ତେଣୁ ଖୁବ୍ କମ୍ ସମୟରେ ଏମାନଙ୍କୁ ଦେଖିବାକୁ ପାଇବା ।[୧୩୪] ଶ୍ରୀଲଙ୍କାର ୟାଲା ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟାରେ କଲରାପତରିଆ ବାଘ ରହିଥିଲେ ପର୍ଯ୍ୟଟକମାନେ ଏଠାରେ ସବୁଠାରୁ କମ୍ କଲରାପତରିଆ ବାଘ ଦେଖାଯାଏ ବୋଲି କୁହନ୍ତି ।[୧୩୫]

ଦକ୍ଷିଣ ଆଫ୍ରିକାରେ ସାବି ସାଣ୍ଡ୍ସ ଗେମ୍ ରିଜର୍ଭ୍ ସଫାରୀର ଆୟୋଜନ କରିଥାଏ । ଶ୍ରୀଲଙ୍କାର ୟାଲା ଓ ୱିଲପଟ୍ଟୁ ଜାତୀୟ ଉଦ୍ୟାନରେ ସଫାରୀ ଆୟୋଜନ କରାଯାଏ । ଭାରତରେ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମ ରାଜସ୍ଥାନର ପାଲି ଜିଲ୍ଲାରେ କଲରାପତରିଆ ବାଘ ଦେଖିବା ପାଇଁ ସଫାରୀର ଆୟୋଜନ କରାଯାଇଥାଏ ।[୧୩୬]

ନରଖାଦକ କଲରାପତରିଆ ବାଘ

୧୯୧୦ ମସିହାରେ ଜିମ୍ କର୍ବେଟ୍‍ ଶିକାର କରିଥିବା ନରଭକ୍ଷୀ ପାନାର୍ କଲରାପତରିଆ ବାଘ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲା

ସାଧାରଣତଃ କଲରାପତରିଆ ବାଘମାନେ ମନୁଷ୍ୟଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ତେବେ କିଛି କଲରାପତରିଆ ବାଘ ନରଭକ୍ଷୀ ହୋଇଯାନ୍ତି ଓ ମନୁଷ୍ୟଙ୍କୁ ଶିକାର କରିବାକୁ ଚେଷ୍ଟା କରନ୍ତି । ଏକ ସୁସ୍ଥ କଲରାପତରିଆ ବାଘ ସାମାନ୍ୟ ଶିକାର ପ୍ରାଣୀଙ୍କୁ ଶିକାର କରିବାକୁ ଚେଷ୍ଟା କରେ । କିନ୍ତୁ ଅସୁସ୍ଥ, ଶାରୀରିକ ଅକ୍ଷମତାବିଶିଷ୍ଟ କଲରାପତରିଆ ବାଘ ଅଧିକ ବେଗରେ ଦଉଡ଼ୁଥିବା ଶିକାର ଧରିପାରନ୍ତି ନାହିଁ, ତେଣୁ ମନ୍ଥର ଗତିର ଜୀବ (ଯଥା ମଣିଷ) ଏମାନଙ୍କ ଶିକାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଯାଏ । ବେଳେବେଳେ ଶିକାର ପ୍ରାଣୀଙ୍କ ଅଭାବ ଦେଖାଦେଲେ ମଧ୍ୟ କଲରାପତରିଆ ବାଘ ମଣିଷଙ୍କ ଶିକାର କରିବାକୁ ଉଦ୍ୟମ କରେ ଏବଂ ଏହା କ୍ରମେ ଏକ ଅଭ୍ୟାସରେ ପରିଣତ ହୋଇଥାଏ । ଯଦିଓ କଲରାପତରିଆ ବାଘର ଆକାର ମଣିଷଠାରୁ ସାମାନ୍ୟ ଛୋଟ, କିନ୍ତୁ ଏକ ପ୍ରାପ୍ତ ବୟସ୍କ କଲରାପତରିଆ ବାଘଠାରେ ମନୁଷ୍ୟର ଶିକାର କରିବା ପାଇଁ ଯଥେଷ୍ଟ ବଳ ରହିଥାଏ । ଭାରତରେ ଆଜି ପର୍ଯ୍ୟନ୍ତ ଏପରି ଭୟଙ୍କର ନରଭକ୍ଷୀ କଲରାପତରିଆ ବାଘଙ୍କ ଦୁଇଟି ଉଦାହରଣ ଦେଖାଯାଇଛି : ୧. ରୁଦ୍ରପ୍ରୟାଗ କଲରାପତରିଆ ବାଘ ୧୨୫ଟିରୁ ଅଧିକ ଲୋକଙ୍କୁ ମାରି ଖାଇଥିଲା ଓ ୨. ପାନାର୍ କଲରାପତରିଆ ବାଘ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା । ଈଂରେଜ ଶାସନାଧୀନ ଭାରତର ପ୍ରସିଦ୍ଧ ଶିକାରୀ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ ଏହି ଦୁଇଟି କଲରାପତରିଆ ବାଘଙ୍କ ଶିକାର କରିଥିଲେ ।[୧୩୭] ନରଭକ୍ଷୀ କଲରାପତରିଆ ବାଘ ଅତ୍ୟନ୍ତ ଦୁଃସାହସୀ । ଏମାନେ ନରଭକ୍ଷୀ ମହାବଳ ବାଘ ଓ ସିଂହଙ୍କଠାରୁ ମଧ୍ୟ ଅଧିକ ଭୟଙ୍କର । ନରଭକ୍ଷୀ କଲରାପତରିଆ ବାଘମାନେ ଅତ୍ୟନ୍ତ ଚତୁର ଓ ଏମାନଙ୍କ ଗତିବିଧି ଜାଣିବା କଷ୍ଟକର ବ୍ୟାପାର ବୋଲି କେନ୍ନେଥ୍ ଆଣ୍ଡର୍ସନ୍ ନାମକ ଆଉ ଜଣେ ପ୍ରସିଦ୍ଧ ଶିକାରୀ ଓ ଲେଖକ ମତପୋଷଣ କରିଥିଲେ ।[୧୩୮] ଏହି ସମ୍ପର୍କରେ ଜିମ୍ ଓ କେନ୍ନେଥ୍‍ ନିଜର ବିଭିନ୍ନ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯାହାର ଅନୁବାଦ ନିମ୍ନରେ ପ୍ରଦତ୍ତ କରାଗଲା ।

ଏପରି ଜୀବଙ୍କ ଦୃଷ୍ଟାନ୍ତ ବିରଳ ସତ, କିନ୍ତୁ ଯେବେ କଲରାପତରିଆ ବାଘ ନରଭକ୍ଷୀ ପାଲଟିଯାଏ, ଏହା ନରଭକ୍ଷୀ ମହାବଳ ବାଘଠାରୁ ମଧ୍ୟ ଅଧିକ ବିଧ୍ୱଂସକ ହୋଇଉଠେ ଏବଂ ଏକ ମୃତ୍ୟୁର ଯନ୍ତ୍ର ପାଲଟିଯାଏ । ଆକାରରେ ଛୋଟ ହୋଇଥିବାରୁ କଲରାପତରିଆ ବାଘ ଏପରି ସ୍ଥାନରେ ଛପି ରହିଯାଇପାରେ ଯାହା ଏକ ମହାବଳ ବାଘ ପକ୍ଷରେ କଷ୍ଟକର । କଲରାପତରିଆ ବାଘକୁ କମ୍ ପାଣିର ଆବଶ୍ୟକତା ଥାଏ । କୁଟିଳ ବୁଦ୍ଧି, ସାହସ, ବିପଦ ବେଳେ ନିଜ ପ୍ରତିରକ୍ଷା କରିବା ଓ ବିପଦମୟ ପରିସ୍ଥିତିରୁ କ୍ଷଣକେ ଅନ୍ତର୍ଧାନ ହୋଇଯିବା କଳାରେ ଅନ୍ୟ କୌଣସି ଜୀବ କଲରାପତରିଆ ବାଘର ସମକକ୍ଷ ହୋଇପାରିବ ନାହିଁ ।

— କେନ୍ନେଥ୍ ଆଣ୍ଡର୍ସନ୍, ନ’ଟି ନରଖାଦକ ଓ ଏକ ଧୂର୍ତ୍ତ ପୁସ୍ତକ, ଦ୍ୱିତୀୟ ଅଧ୍ୟାୟ - "ଗୁମ୍ମାଲପୁରର ଚିତାଦାଗଯୁକ୍ତ ସୈତାନ"

ରାଗରେ ଗର୍ଜନ କରି ମାଡ଼ି ଆସୁଥିବା କଲରାପତରିଆ ବାଘ ଅତ୍ୟନ୍ତ ଭୀତିପ୍ରଦାୟକ । ହାତୀପଲ ମହାବଳ ବାଘ ସମ୍ମୁଖରେ ଦମ୍ଭର ସହିତ ଛିଡ଼ା ହେବା କିନ୍ତୁ ଏକ ଆକ୍ରାମକ କଲରାପତରିଆ ବାଘକୁ ଦେଖି ହାତୀପଲ ପଛଘୁଞ୍ଚା ଦେଇ ଦୌଡ଼ି ପଳାଇଯିବା ମୁଁ ଦେଖିଛି ।

— ଜିମ୍ କର୍ବେଟ୍, ମନ୍ଦିରର ବାଘ ଓ କୁମାୟୁଁର ଅନ୍ୟ କିଛି ନରଖାଦକ, ଅଧ୍ୟାୟ : "ପାନାର୍ ନରଖାଦକ"

ଆଧାର

ଆହୁରି ପଢ଼ନ୍ତୁ

ଅନ୍ୟାନ୍ୟ ଲିଂକ୍