ଇନ୍ଫ୍ଲୁଏଞ୍ଜା
ଇନ୍ଫ୍ଲୁଏଞ୍ଜା ରୋଗ ଫ୍ଲୁ ନାମରେ ମଧ୍ୟ ପରିଚିତ । ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀମାନଙ୍କର ଇନ୍ଫ୍ଲୁଏଞ୍ଜା ଏକ ସଂକ୍ରାମକ ରୋଗ । ଇନ୍ଫ୍ଲୁଏଞ୍ଜା ଭୁତାଣୁ ଅର୍ଥୋମିକ୍ସୋଭିରିଡେ ପ୍ରଜାତିର ଏକ ଆର୍.ଏନ୍.ଏ. ଭୁତାଣୁ । ଏହାର ଲକ୍ଷଣ: କମ୍ପ, ଜ୍ୱର, ନାକରୁ ପାଣି ବୋହିବା, ତଣ୍ଟି ଦରଜ, ମାଂସ ପେଶୀ ଯନ୍ତ୍ରଣା, ମୁଣ୍ଡ ବ୍ୟଥା (ବେଳେ ବେଳେ ଅତ୍ୟଧିକ), କାଶ, ଦୂର୍ବଳତା/ଥକ୍କାଣ ଓ ରୋଗା ଅନୁଭବ[୧] । ଏହି ରୋଗକୁ ସାଧାରଣ ଶର୍ଦ୍ଦି ରୋଗ ସହ ଭ୍ରମ ହୁଏ କିନ୍ତୁ ଏହା ଶର୍ଦ୍ଦି ଅପେକ୍ଷା ଗୁରୁତର ରୋଗ ଓ ଏହାର ଭୁତାଣୁ ମଧ୍ୟ ସମାନ ନୁହେଁ[୨]। ପିଲାମାନଙ୍କରଏହି ରୋଗରେ ବାନ୍ତି ଲାଗେ ଓ ବାନ୍ତି ହୁଏ ଓ ଅନେକ ସମୟରେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଏହି ଭଳି ହେବାରୁ ତାହାକୁ ସ୍ଟମାକ ଫ୍ଲୁ ଓ ୨୪ ଘଣ୍ଟିଆ ଫ୍ଲୁ ନାମ ଦେଇ କହନ୍ତି । ଏହାର ଇନ୍ଫ୍ଲୁଏଞ୍ଜା ସହ କୌଣସି ସମ୍ପର୍କ ନାହିଁ ।[୩]
ବେଳେ ବେଳେ ନିମୋନିଆ ଭୁତାଣୁଦ୍ୱାରା ଇନ୍ଫ୍ଲୁଏଞ୍ଜା ରୋଗ ନିମୋନିଆ ରୋଗକୁ ରୁପାନ୍ତରିତ ହୋଇଯାଏ, ଏପରିକି ଅତି ସୁସ୍ଥ ଲୋକକୁ ମଧ୍ୟ ଆକ୍ରମଣ କରେ[୪] । ଇନ୍ଫ୍ଲୁଏଞ୍ଜା ରୋଗ ହୋଇ ଭଲ ଦିଗକୁ ଗତି କରୁଥିବା ବେଳେ ହଠାତ ଖରାପ ଦିଗକୁ ଗତି କରିବାର ଦେଖାଗଲେ ନିମୋନିଆ ହେବା ସନ୍ଦେହ କରାଯାଏ । ଇନ୍ଫ୍ଲୁଏଞ୍ଜା ରୋଗରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ନିମୋନିଆକୁ ଗତି କରିବାର ଅନ୍ୟ ଏକ ସତର୍କ ଲକ୍ଷଣ ।
ଇନ୍ଫ୍ଲୁଏଞ୍ଜା ଏକ ବାୟୁ ବାହିତ ଭୁତାଣୁ ରୋଗ । କାଶିବା ଓ ଛିଙ୍କିବା ବେଳେ କ୍ଷୁଦ୍ର ଜଳ କଣାରେ ଏହି ଜୀବାଣୁ ଦେହରୁ ବାହାରି ବାୟୁ ମଣ୍ଡଳରେ ଉଡ଼ି ସୁସ୍ଥ ଲୋକକୁ ସଂକ୍ରମିତ ହୁଏ । ରୋଗୀ ବ୍ୟବହୃତ ଜିନିଷ ସଂସ୍ପର୍ଷରେ ଆସିଲେ, ନାକରୁ ବାହାରୁ ଥିବା ପାଣି ଓ ରୋଗା ପକ୍ଷୀ ସଂସ୍ପର୍ଷରେ ଆସିଲେ ମଧ୍ୟ ଇନ୍ଫ୍ଲୁଏଞ୍ଜା ସଂକ୍ରମିତ ହୁଏ ।
ସୂର୍ଯ୍ୟାଲୋକ, ବିଭିନ୍ନ ଆଣ୍ଟିସେପ୍ଟିକ ଓ ଡିସ୍ଇନ୍ଫେକ୍ଟାଣ୍ଟଦ୍ୱାରା ଇନ୍ଫ୍ଲୁଏଞ୍ଜା ଭୁତାଣୁ କ୍ରିୟାହୀନ ହୋଇଯାଆନ୍ତି[୫][୬] । ସାବୁନଦ୍ୱାରା ମଧ୍ୟ ଏହାର ଶକ୍ତି କମିଯାଏ । ଏଣୁ ବାରମ୍ବାର ହାତ ଧୋଇବାଦ୍ୱାରା ରୋଗ ସଂକ୍ରମଣ ଆଶଙ୍କା କମିଯାଏ[୭] ।
ପୃଥିବୀରେ ଋତୁ ଭିତ୍ତିକ ମଡ଼କ ଆକାରରେ ଏହା ବ୍ୟାପେ ଯାହା ଫଳରେ ୩ରୁ ୫ ନିୟୁତ ଲୋକ ଭୟାନକ ଭାବେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ସେମାନଙ୍କ ମଧ୍ୟରୁ ୨,୫୦,୦୦୦ରୁ ୫,୦୦,୦୦୦ ରୋଗୀ ମୃତ୍ୟୁ ବରଣ କରନ୍ତି[୮] । ବିଂଶ ଶତାବ୍ଦୀରେ ଏହି ରୋଗର ତିନୋଟି ଅତି ମହାମାରୀ (Pandemic) ହୋଇ ନିୟୁତ ନିୟୁତ ରୋଗୀ ମରିଗଲେ । ବେଳେ ବେଳେ ପକ୍ଷୀମାନଙ୍କଠାରୁ ନୂଆ ଜାତିର ଭୁତାଣୁ ସଂକ୍ରମଣ କରନ୍ତି । ଏପ୍ରିଲ ୨୦୦୯ ମସିହାରେ ଏହିଭଳି ଗୋଟିଏ ନୂଆ ଭୁତାଣୁ ଆସିଲା ଯାହା ମନୁଷ୍ୟ, ଘୁଷୁରି ଓ ବାର୍ଡ ଫ୍ଲୁ ଜିନକୁ ମିଶେଇ ତିଆରି ହୋଇଥିଲା । ଏହାକୁ ପ୍ରଥମେ ସ୍ୱାଇନ୍ ଫ୍ଲୁ ନାମ ଦିଆଯାଇଥିଲା । ପରେ ଏହାର ନାମ ଇନ୍ଫ୍ଲୁଏଞ୍ଜା ଏ/ଏଚ୍ ୧ଏନ୍ ୧ (influenza A/H1N1) ରଖାଗଲା । ଏହି ରୋଗର ମୃତ୍ୟୁ ହାର କମ ଥିଲା[୯]।
ବିକଶିତ ଦେଶମାନଙ୍କରେ ଲୋକମାନଙ୍କ ନିମନ୍ତେ ଇନ୍ଫ୍ଲୁଏଞ୍ଜା ଟିକା ମିଳେ[୧୦] । ତିନି ପ୍ରକାର ପରିସ୍କୃତ ଓ ନିଷ୍କ୍ରିୟ ଭୁତାଣୁକୁ ନେଇ ଟ୍ରାଇଭାଲେଣ୍ଟ ଇନ୍ଫ୍ଲୁଏଞ୍ଜା ଟିକା (trivalent influenza vaccine ବା TIV) ପ୍ରସ୍ତୁତ ହୋଇଛି । ଏହି ଟିକା ଅପେକ୍ଷାକୃତ ନିରାପଦ । ଇନ୍ଫ୍ଲୁଏଞ୍ଜା ରୋଗର ଗୋଟିଏ ବଡ଼ ବିପଦ ଜନକ କଥା ହେଲା ଏହାର ସମୟାନୁକ୍ରମେ ନୂଆ ନୂଆ ଭୁତାଣୁ ସ୍ଟ୍ରେନ୍ ସୃଷ୍ଟି ହୁଏ । ଏହି କାରଣ ଯୋଗୁ ପ୍ରସ୍ତୁତ ଟିକା ସବୁ ବେଳେ କାମ କରିବା ସନ୍ଦେହ ଜନକ । ଏହି ରୋଗ ନିମନ୍ତେ ଔଷଧର (neuraminidase inhibitor oseltamivir (Tamiflu) କାର୍ଯ୍ୟ ଦକ୍ଷତା ବିଷୟରେ ଲିଖିତ ବିବରଣୀ ନାହିଁ[୧୧] ।
ଇନ୍ଫ୍ଲୁଏଞ୍ଜା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | family medicine[*], pulmonology[*], ସଂକ୍ରାମକ ରୋଗ[*], ଆଶୁ ଚିକିତ୍ସା[*] |
ଆଇସିଡ଼ି-୧୦ | J10., J11. |
ଆଇସିଡ଼ି-୯-ସିଏମ୍ | 487 |
ରୋଗ ଡାଟାବେସ | 6791 |
ମେଡ଼ିସିନ-ପ୍ଲସ | 000080 |
ଇ-ମେଡ଼ିସିନ | med/1170 ped/3006 |
Patient UK | ଇନ୍ଫ୍ଲୁଏଞ୍ଜା |
MeSH | D007251 |