ଜଳାତଙ୍କ

ଗୋଟିଏ ଭୁତାଣୁ ଜନିତ ରୋଗ, ଏହା ଦ୍ଵାରା ମନୁଷ୍ୟ ତଥା ଉଷ୍ମରକ୍ତ ପ୍ରାଣୀମାନଙ୍କର ମସ୍ତିଷ୍କରେ ପ୍ରଦାହ ହୁଏ

ଜଳାତଙ୍କ (ଇଂରାଜୀରେ Rabies / ଲାଟିନ ଭାଷାରେ ˈreɪbiːz; ଯାହାର ଅର୍ଥ ପାଗଳାମି) ଗୋଟିଏ ଭୁତାଣୁ ଜନିତ ରୋଗ, ଏହାଦ୍ୱାରା ମନୁଷ୍ୟ ତଥା ଉଷ୍ମରକ୍ତ ପ୍ରାଣୀମାନଙ୍କର ମସ୍ତିଷ୍କରେ ପ୍ରଦାହ ହୁଏ ।ଆରମ୍ଭରେ ଜ୍ୱର ଓ ଦେହର ଅଘୋଡ଼ା ସ୍ଥାନରେ ଝିମ୍‌ଝିମ୍ ହୁଏ ।[୧] ଏହି ଲକ୍ଷଣ ପରେ ପରେ କ୍ରମଶଃ ପ୍ରଚଣ୍ଡ ଅଙ୍ଗପ୍ରତ୍ୟଙ୍ଗ ଚଳନ, ଅଣାୟତ ଉତ୍ତେଜନା, ଜଳ ପ୍ରତି ଭୟ, ବିଭିନ୍ନ ଅଙ୍ଗ ଚଳେଇବାକୁ ଅକ୍ଷମତା, ଦ୍ୱନ୍ଦ(confusion) ଓ ଚେତନଶୂନ୍ୟତା (loss of consciousness) ହୁଏ । [୧] ଲକ୍ଷଣ ଦେଖାଯିବା ପରେ ପ୍ରାୟ ମୃତ୍ୟୁ ହୁଏ ।[୧] ଭୁତାଣୁ ପ୍ରବେଶ ସମୟଠାରୁ ଲକ୍ଷଣ ଆରମ୍ଭ ହେବାକୁ ସାଧାରଣତଃ ୧ରୁ ୩ ମାସ ଲାଗେ । କିନ୍ତୁ ସ୍ଥଳ ବିଶେଷରେ ଏହି ସମୟ ଏକ ସପ୍ତାହରୁ ଏକ ବର୍ଷ ହୋଇପାରେ ।[୧] କାମୁଡ଼ା ସ୍ଥାନଠାରୁ ଭୁତାଣୁ କେନ୍ଦ୍ରୀୟ ସ୍ନାୟୁମଣ୍ଡଳକୁ ଯିବା ନିମନ୍ତେ ଲାଗୁଥିବା ସମୟ ଉପରେ ଏହା ନିର୍ଭର କରେ ।[୨]

Rabies
Dog with rabies in the paralytic (post-furious) stage
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], veterinary medicine[*]
ଆଇସିଡ଼ି-୧୦A82.
ରୋଗ ଡାଟାବେସ11148
ମେଡ଼ିସିନ-ପ୍ଲସ001334
ଇ-ମେଡ଼ିସିନmed/1374 eerg/493 ped/1974
Patient UKଜଳାତଙ୍କ
MeSHD011818

ପଶୁମାନଙ୍କ ଦେହରୁ ଜଳାତଙ୍କ ସଞ୍ଚାରିତ ହୁଏ । ସଂକ୍ରମିତ ପଶୁ ଅନ୍ୟ ସୁସ୍ଥ ପଶୁ ବା ମଣିଷକୁ କାମୁଡ଼ିଲେ ବା ରାମ୍ପୁଡ଼ିଲେ ଭୁତାଣୁ ସଞ୍ଚାରିତ ହୁଏ । [୧] ସଂକ୍ରମିତ ପ୍ରାଣୀର ଲାଳ ଅନ୍ୟ ପ୍ରାଣୀର ଝିଲ୍ଲୀ ସଂସ୍ପର୍ଶରେ ଆସିଲେ ରୋଗ ଡିଏଁ ।[୧] କୁକୁର କାମୁଡ଼ା ଯୋଗୁ ଅଧିକାଂଶ ଜଳାତଙ୍କ ମଣିଷ ଦେହରେ ହୁଏ ।[୧] ଅନେକ ଦେଶମାନଙ୍କରେ ଜଳାତଙ୍କ ରୋଗ‌ଗ୍ରସ୍ତ କୁକୁର ଥିଲେ ଏମାନଙ୍କ କାମୁଡ଼ିବାଦ୍ୱାରା ୯୯% ରୋଗ ହୁଏ ।[୩] ଆମେରିକା ଦେଶମାନଙ୍କରେ ବାଦୁଡ଼ି କାମୁଡ଼ାଦ୍ୱାରା ଜଳାତଙ୍କ ହୁଏ, କୁକୁର କାମୁଡ଼ା ଯୋଗୁ ୧ %ରୁ କମ ରୋଗ ହୁଏ ।[୧][୩] ମୂଷା ବା ଗୁଣ୍ଡୁଚି ଜାତୀୟ ଜୀବ କ୍ୱଚିତ ସଂକ୍ରମିତ ହୁଅନ୍ତି ।[୩] କାମୁଡ଼ା ସ୍ଥାନରୁ ଜଳାତଙ୍କ ଭୁତାଣୁ ପ୍ରାନ୍ତୀୟ ସ୍ନାୟୁ ମଣ୍ଡଳ ମାଧ୍ୟମରେ ଯାଇ ମସ୍ତିଷ୍କରେ ପ‌ହ‌ଞ୍ଚନ୍ତି । ଲକ୍ଷଣ ଆରମ୍ଭ ହେବାପରେ ହିଁ ଏହି ରୋଗ ନିର୍ଣ୍ଣୟ ହେବା ସମ୍ଭବ ହୁଏ ।[୧]

ପଶୁ ନିୟନ୍ତ୍ରଣ ଓ ଟିକାକରଣ ପ୍ରୋଗ୍ରାମ ଯୋଗୁ ପୃଥିବୀର ଆନେକ ସ୍ଥାନରେ କୁକୁରବାହିତ ଜଳାତଙ୍କ ସଙ୍କଟ ଦୂର ହୋଇଛି ।[୧] ଅତି ସଙ୍କଟରେ ଥିବା ଲୋକଙ୍କୁ ଟିକା ଦେବାକୁ ଉପଦେଶ ଦିଆଯାଏ । ଯେଉଁମାନେ ବାଦୁଡ଼ି ସ‌ହ କାମକରନ୍ତି ଓ ଯେଉଁମାନେ ବ‌ହୁତ ସମୟ ଧରି ଜଳାତଙ୍କ ରୋଗ ବ‌ହୁଳ ସ୍ଥାନରେ ରହ‌ନ୍ତି ସେମାନଙ୍କୁ 'ଉଚ୍ଚ ସଙ୍କଟମୟ' ବୋଲି କୁହାଯାଏ ।[୧] ଜଳାତଙ୍କ ପ୍ରଭାବିତ ଲୋକଙ୍କୁ ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ଟିକା ଓ ଇମ୍ମ୍ୟୁନୋଗ୍ଲୋବିନ ଦେଲେ ରୋଗ ପ୍ରତିରୋଧ-ସାପେକ୍ଷ ହୁଏ ।[୧] କାମୁଡ଼ା ବା ରାମ୍ପୁଡ଼ା କ୍ଷତ ସ୍ଥାନ‌କୁ ସାବୁନ ପାଣିରେ ଭଲରୁପେ ୧୫ ମିନିଟ ଧୋଇଲେ ବା ପୋଭିଡନ୍ ଆୟୋଡିନ କିମ୍ବା ଡିଟର୍‌ଜେଣ୍ଟ ବ୍ୟବ‌ହାରଦ୍ୱାରା ଭୁତାଣୁ ମରି ପାରନ୍ତି ବା ସଞ୍ଚାରଣ ପ୍ରତିରୋଧ ହୋଇପାରେ ।[୧] ଲକ୍ଷଣ ଆରମ୍ଭ ପରେ ଅଳ୍ପ କେତେକ ଲୋକ ବଞ୍ଚନ୍ତି । ଏହା ସମ୍ଭବ ହୁଏ ଅତି ଖର୍ଚ୍ଚସାପେକ୍ଷ ମିଲଅକି ପ୍ରୋଟୋକୋଲ ଚିକିତ୍ସା ନେଲେ ।[୪]

ପୃଥିବୀରେ ବାର୍ଷିକ ୨୬୦୦୦ରୁ ୫୫୦୦୦ ମୃତ୍ୟୁ ଜଳାତଙ୍କ ରୋଗ‌ଯୋଗୁ ହୁଏ ।[୧][୫] ଏହାର ୯୫ %ରୁ ଅଧିକ ମୃତ୍ୟୁ କେବଳ ଏସିଆଆଫ୍ରିକାରେ ହୁଏ ।[୧] ଆଣ୍ଟାର୍କଟିକା ବ୍ୟତୀର ଅନ୍ୟ ସବୁ ମହାଦେଶର ୧୫୦ରୁ ଅଧିକ ଦେଶରେ ଜଳାତଙ୍କ ରୋଗ ହୁଏ ।[୧] ୩ ଶହ କୋଟିରୁ ଅଧିକ ଲୋକ ଏହି ରୋଗପ୍ରବଣ ଇଲାକାରେ ରହ‌ନ୍ତି ।[୧] ଅଧିକାଂଶ ୟୁରୋପ ଓ ଅଷ୍ଟ୍ରେଲିଆସ୍ଥିତ ଦେଶମାନଙ୍କରେ ବାଦୁଡ଼ି ଦେହରେ ଜଳାତଙ୍କ ଥାଏ ।[୬] ଅନେକ ଛୋଟ ଦ୍ୱୀପରେ ଜଳାତଙ୍କ ଆଦୌ ନ ଥାଏ ।[୭]


ଚିହ୍ନ ଓ ଲକ୍ଷଣ

Person with rabies, 1959

ସଂକ୍ରମଣ ହେବାଠାରୁ ଶର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଇବାକୁ ୨ ରୁ୧୨ ସପ୍ତାହ ଲାଗେ । ଇନ୍‌କ୍ୟୁବେଶନ ସମୟ ୪ ଦିନରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ଏହା କାମୁଡ଼ା ସ୍ଥାନ, କ୍ଷତ ଆକାର ଓ ଭୁତାଣୁ ସଂଖ୍ୟା ଉପରେ ନିର୍ଭର କରେ । ଲକ୍ଷଣ ଅଧିକ ହୋଇ ଆଂଶିକ ପାରାଲିସିସ, ଉତ୍କଣ୍ଠା, ନିଦ୍ରାହୀନତା, ଚିନ୍ତାଶକ୍ତି ଅଭାବ, ଉଦ୍ଦମତା, ଅସାଧାରଣ ବ୍ୟବହାର, ପାରାନୈଆ, ଭୟ, ହାଲ୍ୟୁସିନେସନ ହୋଇ ଆସ୍ତେ ବାଉଳି ଚାଉଳି ହେବା ଦେଖାଯାଏ ।[୮] ଜଳାତଙ୍କ ମଧ୍ୟ ହୁଏ ।
ପ୍ରଥମ ଲକ୍ଷଣ ଦେଖାଯିବାର ୨ରୁ ୧୦ ଦିନ ପରେ ପ୍ରାୟ ମୃତ୍ୟୁ ହୁଏ । ଇଣ୍ଟେନ୍ସିଭ ଚିକିତ୍ସା ସତ୍ତ୍ୱେ କ୍ୱଚିତ କେହି ବଞ୍ଚିଯାଆନ୍ତି ।[୯] ଜିନ ଜିସେ କୌଣସି ଟିକା ନ ନେଇ ୨୦୦୪ ମସିହାରେ ପ୍ରଥମ ରୋଗୀ ଭାବେ ମିଲ୍ଅକି ପ୍ରୋଟୋକଲଦ୍ୱାରା[୧୦] ଚିକିତ୍ସିତ ହୋଇ ପ୍ରଥମ ରୋଗୀ ଯିଏ କି ଏହି ରୋଗରୁ ବଞ୍ଚି ଯାଇଥିଲେ । ଏହି ପ୍ରୋଟୋକଲଦ୍ୱାରା ୮% ରୋଗୀ ବଞ୍ଚି ପାରୁଛନ୍ତି ।

ଜଳାତଙ୍କ

ଏହି ରୋଗର ଶେଷ ଭାଗରେ ରୋଗୀର ଢ଼ୋକିବାରେ ଅସୁବିଧା ହୁଏ, କିଛି ପାନୀୟ ଦେଖାଇଲେ ଆତଙ୍କିତ ହୁଏ ଓ ତାହାର ଶୋଷ ମେଣ୍ଟେଇ ପାରେନାହିଁ । ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହୁଏ । ପିଇବା ନିମନ୍ତେ ଭାବିଲେ, ଚେଷ୍ଟା କଲେ ବା ସେ କଥା କହିଲା ମାତ୍ରେ ରୋଗୀର ଯନ୍ତ୍ରଣାଦାୟକ ମାଂସପେଶୀ ସଙ୍କୋଚନ ଗଳାରେ ଓ ଲାରିଙ୍କ୍ସରେ ହୁଏ ।

କାରଣ

TEM micrograph with numerous rabies virions (small, dark grey, rodlike particles) and Negri bodies (the larger pathognomonic cellular inclusions of rabies infection)

ରାବିସ ଭୁତାଣୁ ଓ ଅଷ୍ଟ୍ରେଲିଆ ବାଦୁଡ଼ି ଭୁତାଣୁ ସହ ଅନେକ ପ୍ରକାରର ଲିସା ଭୁତାଣୁଦ୍ୱାରା ଜଳାତଙ୍କ ରୋଗ ହୁଏ ।[୧୧]

ସଂକ୍ରମଣ

ମନୁଷ୍ୟ ସହ ଯେ କୌଣସି ଉଷ୍ମ ରକ୍ତ ସମ୍ପର୍ଣ୍ଣ ପ୍ରାଣୀଙ୍କଠାରେ ଏହି ରୋଗ ହୋଇପାରିବ, ପକ୍ଷୀମାନଙ୍କଠାରେ ପରୀକ୍ଷାଗାରରେ କେବଳ ଏହି ରୋଗ ହୋଇପାରେ ।[୧୨] ଶୀତଳ-ରକ୍ତ ସମ୍ପର୍ଣ୍ଣ ମେରୁଦଣ୍ଡୀ ପ୍ରାଣୀଙ୍କ ଜୀବକୋଷରେ ଏହି ରୋଗ ହୋଇପାରୁଛି ।[୧୩][୧୪] ଅନେକ ପଶୁଙ୍କ ଦେହରେ ଏହା ସଂକ୍ରମିତ କରାଇ ମନୁଷ୍ୟକୁ ସଂକ୍ରମିତ ହୋଇପାରୁଛି । ସଂକ୍ରମିତ ବାଦୁଡ଼ି[୧୫][୧୬], ମାଙ୍କଡ଼, କୋକିଶିଆଳି, ବଳଦ, ଗଧିଆ, କୁକୁର, ନେଉଳ ମଧ୍ୟରେ ହଳଦିଆ ନେଉଳ[୧୭], ବିଲେଇ, ରାକୁନ୍ (raccoons), କଏଟ (coyotes) ଇତ୍ୟାଦି ପ୍ରାଣୀ ଏହି ରୋଗ ବାହକ ହୋଇ ମନୁଷ୍ୟ ପ୍ରତି ସଙ୍କଟ ସୃଷ୍ଟି କରନ୍ତି ।
ପୋଷା ଗୃହପାଳିତ ପଶୁଙ୍କଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପେ ।
ଗୁଣ୍ଡୁଚି, ମୂଷା, ଠେକୁଆ, ଗିନିପିଗ୍, ହାମ୍‌ସ୍ଟର (hamster), ଚିପ୍‌ମଙ୍କ (chipmunks) ଇତ୍ୟାଦି ରୋଡେଣ୍ଟଙ୍କୁ ଏହି ରୋଗ ହୁଏ ନାହିଁ ଓ କଦାପି ମନୁଷ୍ୟକୁ ରୋଗ ସଂକ୍ରମଣରେ ଏମାନେ ସାହାଯ୍ୟ କରନ୍ତି ନାହିଁ । ଭିରଜିନିଆ ଓପ୍ପୋସମ ପ୍ରତିରୋଧ କରେ କିନ୍ତୁ ଇମ୍ମୁନ ନୁହେଁ ।[୧୮]
ରୋଗାକ୍ରାନ୍ତ ପ୍ରାଣୀଙ୍କର ଲାଳ ଓ ସ୍ନାୟୁରେ ଭୁତାଣୁ ଥାଆନ୍ତି ।[୧୯][୨୦] କାମୁଡ଼ାଦ୍ୱାରା ସର୍ବଦା ଏହି ରୋଗ ସଂକ୍ରମିତ ହୁଏ ନାହିଁ । ଅନେକ କ୍ଷେତ୍ରରେ ପ୍ରାଣୀ ବିନା କାରଣରେ ଉତ୍ତେଜିତ ହୋଇ ଆକ୍ରମଣ କରନ୍ତି ।[୨୧]
ମନୁଷ୍ୟଠାରୁ ମନୁଷ୍ୟ ସଂକ୍ରମଣ କ୍ୱଚିତ ହୁଏ । ଟ୍ରାନ୍ସପ୍ଲାଣ୍ଟ ଅପରେଶନ ପରେ କେତେକ କେଶ ଲିପିବଦ୍ଧ ହୋଇଛି ।[୨୨]
କାମୁଡ଼ା ପରେ ଭୁତାଣୁ ପ୍ରାନ୍ତୀୟ ସ୍ନାୟୁ ମାଧ୍ୟମରେ (afferent nerve) ଗତି କରି କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ପହଞ୍ଚେ ।[୨୩] ଏହି ସମୟରେ ଭୁତାଣୁ ଚିହ୍ନଟ କରିହୁଏ ନାହିଁ କିନ୍ତୁ ଟିକା ଦେଲେ ଇମ୍ମୁନିଟି ଜାତ ହୁଏ । ଥରେ ମସ୍ତିଷ୍କରେ ପହଞ୍ଚି ଗଲେ ଏହା ଅତି ଶିଘ୍ର ଏନ୍‌କେଫାଲାଇଟିସ୍ ରୋଗ ସୃଷ୍ଟି କରେ ଓ ଲକ୍ଷଣ ଦେଖାଯାଏ । ଥରେ ଲକ୍ଷଣ ପ୍ରକାଶିତ ହେଲେ ମୃତ୍ୟୁ ୯୯ %ରୁ ଅଧିକ ହୁଏ । ମେରୁଦଣ୍ଡରେ ମଧ୍ୟ ସଂକ୍ରମଣ ହୋଇ ଟ୍ରାନ୍ସଭର୍ସ୍ ମାୟେଲାଇଟିସ ହୁଏ । [୨୪][୨୫]

ରୋଗ ନିର୍ଣ୍ଣୟ

ପ୍ରାଥମିକ ଅବସ୍ଥାରେ ଏହି ରୋଗ ନିର୍ଣ୍ଣୟ ବହୁତ କଷ୍ଟ, ଅନ୍ୟ ରୋଗ ଓ ଆଗ୍ରେସିଭନେସ୍ (aggressiveness) ସାଥିରେ ଦ୍ୱନ୍ଦ ହୁଏ ।[୨୬] ଫ୍ଲୋରେସେଣ୍ଟ ଆଣ୍ଟିବଡି ଟେଷ୍ଟ (Fluorescent Antibody Test ବା FAT) ଏହାର ସ୍ୱର୍ଣ୍ଣିମ ପରୀକ୍ଷା ଯାହା ଡବ୍ଲ୍ୟୁ.ଏଚ୍.ଓ.ଦ୍ୱାରା ସ୍ଥିରିକୃତ ହୋଇଛି ।[୨୭] ମୃତ୍ୟୁ ପରେ ପଚି ଯାଇଥିବା ଦେହରୁ[୨୮] ରୁଟିନ ପରୀକ୍ଷା ନିମନ୍ତେ ଆର୍.ଟି ପି.ସି.ଆର୍ (RT PCR ) ପରୀକ୍ଷା ଉପଯୁକ୍ତ[୨୯] । ମସ୍ତିଷ୍କ, ଲାଳ, ପରିସ୍ରା ଓ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ ନେଇ ପରୀକ୍ଷା କରାଯାଏ । କାମୁଡ଼ିଥିବା ଜୀବକୁ ମଧ୍ୟ ପରୀକ୍ଷା କରି ଭୁତାଣୁର ଉପସ୍ଥିତି ପରୀକ୍ଷା କରାଯାଏ ।
ବିଭିନ୍ନ ପ୍ରକାରର ଭୁତାଣୁଦ୍ୱାରା ହେଉଥିବା ଏନ୍‌କେଫାଲାଇଟିସ୍ (encephalitis) ରୋଗ ସାଥିରେ ନିର୍ଣ୍ଣୟ ଦ୍ୱନ୍ଦ ହୁଏ ।
ସାଧାରଣ ଲାଇଟ ମାଇକ୍ରୋସ୍କୋପିଦ୍ୱାରା (light microscopy) ଶସ୍ତାରେ ଏହି ରୋଗ ମଧ୍ୟ ଜାଣିହୁଏ ।[୩୦]

ପ୍ରତିଷେଧ

ଲୁଇ ପାଶ୍ଚର ଓ ଏମିଲ୍ ରୁକ୍ସ ୧୮୮୫ ମସିହାରେ ଟିକା ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଜଳାତଙ୍କ ରୋଗରେ ମୃତ୍ୟୁ ଅବଶ୍ୟମ୍ଭାବୀ ଥିଲା । ସଂକ୍ରମିତ ଠେକୁଆର ସ୍ନାୟୁରୁ ଭୁତାଣୁ ବାହାର କରି ୫ରୁ ୧୦ ଦିନ ପର୍ଯ୍ୟନ୍ତ ଶୁଖେଇ ଦୁର୍ବଳ କରି ଟିକା ତିଆରି କରାଯାଉଥିଲା ।[୩୧] ଏହି ଭଳି ଟିକା ଆଜିକାଲି ମଧ୍ୟ ଅନେକ ଦେଶରେ ବ୍ୟବହାର କରାଯାଉଛି, ଏହା ଶସ୍ତା ଅଟେ ।[୩୨]
ଡିପ୍ଲଏଡ ସେଲ୍ ରାବିସ୍ ଟିକା ୧୯୬୭ ମସିହାରେ ବାହାରିଲା । ଅପେକ୍ଷାକୃତ କମ ଦାମିକା ଚିକେନ୍ ସେଲ୍ ଏମ୍ବ୍ରିଓ ଟିକା ଓ ପରିସ୍କୃତ ଭେରୋ ସେଲ୍ ଟିକା ଆଜିକାଲି ମିଳୁଛି । ଭି.ଆର୍.ଜି. (V-RG) ଟିକା ବେଲଜିଅମ, ଫ୍ରାନ୍ସ, ଜର୍ମାନୀ ଓ ଆମେରିକାରେ ଅଣଗୃହପାଳିତ ପଶୁମାନଙ୍କଠାରୁ ରୋଗ ବ୍ୟାପିବା ବ୍ୟାହତ କରିବା ନିମନ୍ତେ ବ୍ୟବହାର କରାଯାଉଛି ।[୩୩] ମଣିଷ ଓ ଗୃହପାଳିତ ପ୍ରାଣୀମାନଙ୍କୁ ଏହି ଟିକା ଦେବା ଦରକାର ହେଉଛି ।[୩୪]
ବିଂଶ ଶତାବ୍ଦୀର ୧୦୦ ମୃତ୍ୟୁରୁ କମି ଏହା ଆଜିକାଲି ଆମେରିକାରେ ବର୍ଷକୁ ୧ ବା ୨ମୃତ୍ୟରେ ସୀମିତ ଅଛି । ଅଧିକାଂଶ ମୃତ୍ୟୁ ବାଦୁଡ଼ି କାମୁଡ଼ା ପରେ ଜାଣି ନ ପାରିବା ଯୋଗୁ ହେଉଛି ।[୩୫]
ପ୍ରତି ବର୍ଷ ସେପ୍ଟେମ୍ବର ୨୮ ତାରିଖ ଦିନ ପୃଥିବୀ ଜଳାତଙ୍କ ଦିବସ ରୂପେ ପାଳନ କରାଯାଉଛି ।[୩୬]

ଚିକିତ୍ସା

ସଂକ୍ରମଣର ୧୦ ଦିନ ଭିତରେ ଆଶୁ ଚିକିତ୍ସା କଲେ ଜଳାତଙ୍କ ରୋଗ ରୋକି ହେବ । ଯେତେ ଶୀଘ୍ର ସମ୍ଭବ କ୍ଷତକୁ ଭଲ ଭାବରେ ପାଞ୍ଚ ମିନିଟ ଧରି ଧୋଇଲେ ଭୁତାଣୁ ସଂଖ୍ୟା କମିଯାଏ ।[୩୭]
ଆମେରିକାରେ (the Centers for Disease Control and Prevention) ରାବିସ୍ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ୍ ଗୋଟିଏ ଡୋଜ୍ ଓ ରାବିସ୍ ଟିକା ଚାରି ଡୋଜ ୧୪ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଅଛି ।[୩୮] ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ୍ ୨୦ ୟୁନିଟ/ କେଜିରୁ ଅଧିକ ଦିଆଯିବ ନାହିଁ । ଏହି ଔଷଧ ଅତ୍ୟଧିକ ଦାମିକା । ଏହାକୁ କ୍ଷତ ଚାରିପଟେ ଇଞ୍ଜେକସନ୍ ଆକାରରେ କିଛି ଦିଆଯାଏ ଓ ଅବଶିଷ୍ଟାଶଂ କ୍ଷତଠାରୁ ଦୂରରେ ଗଭୀର ମାଂସପେଶୀରେ ଦିଆଯାଏ ।[୩୯]
ପ୍ରଥମ ଡୋଜଟି ଆହତ ହେବା ସଙ୍ଗେ ସଙ୍ଗେ ଦିଆଯାଏ, ଅଧିକ ଡୋଜ ଏହାର ତୃତୀୟ, ସପ୍ତମ ଓ ଚତୁର୍ଦ୍ଦଶ ଦିନ ଦିଆଯାଏ । ଯେଉଁମାନେ ଆଗରୁ ଟିକା ନେଇଥିବେ ସେମାନେ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ୍ ନେବା ଆବଶ୍ୟକ ନାହିଁ, କେବଳ ପୋଷ୍ଟଏକ୍ସପୋଜର ଟିକା ୦ ଦିନ ଓ ୨ୟ ଦିନ ଦିଆଯାଏ ।
ପୁରାତନ ପେଟରେ ଦିଆଯାଉଥିବା ଟିକା ଶସ୍ତା କିନ୍ତୁ ତାହା ଆଉ ଦିଆଯାଉ ନାହିଁ ଓ ବଦଳରେ ଡବ୍ଲ୍ୟୁ.ଏଚ୍.ଓ. ସ୍ଥିରୀକୃତ ଟିକା ଦିଆଯାଉଛି ।
ଇଞ୍ଜେକସନ ବାହୁର ଉପର ଭାଗରେ ଥିବା ଡେଲ୍‌ଟଏଡ ପେଶୀରେ ଦିଆଯାଏ, ପିଚାରେ ଦିଆଯାଏ ନାହିଁ, କାରଣ ସେଠାରେ ଭୂଲ କ୍ରମେ ପେଶୀରେ ଇଞ୍ଜେକସନ ନ ପହଞ୍ଚି ଚର୍ବିରେ ଦିଆଯିବା ସମ୍ଭାବନା ଥାଏ । ପିଲାମାନଙ୍କ ଜଙ୍ଘର ବାହାର ଭାଗରେ ଦିଆଯାଏ ।

ପ୍ରେରିତ କୋମା

ଆମେରିକାର କିଶୋରୀ ଜିସେ (Jeanna Giese) କୌଣସି ଟିକା ନ ନେଇ ମଧ୍ୟ ବଞ୍ଚିଯାଇଥିଲେ । ତାଙ୍କର ଚିକିତ୍ସକ ଗୋଟିଏ ହାଇପୋଥେସିସ୍ ଉପରେ ନିର୍ଭର କରି ତାଙ୍କର ଚିକିତ୍ସା କରିଥିଲେ । ଏହି ହାଇପୋଥେସିସ୍‌କୁ ମିଲ୍ଅକି ପ୍ରୋଟୋକଲ ("Milwaukee protocol") କୁହାଗଲା । ଏହି ହାଇପୋଥେସିସ୍ ଅନୁସାରେ ଜଳାତଙ୍କ ଭୁତାଣୁର ମସ୍ତିଷ୍କ ଉପରେ ସ୍ୱଳ୍ପ କାଳୀନ ନଷ୍ଟକାରୀ ପ୍ରଭାବ ରହେ । ଏଣୁ ମସ୍ତିଷ୍କର କର୍ମକୁ (function) ଆଂଶିକ ବନ୍ଦ କରିଦିଆଗଲେ ଏହା ନଷ୍ଟକାରୀ ପ୍ରଭାବରୁ ରକ୍ଷା ପାଇଯିବ । ଏହି ସମୟ ମଧ୍ୟରେ ଦେହର ଇମ୍ମ୍ୟୁନ ସିସ୍ଟମ ଭୁତାଣୁକୁ ପ୍ରତିହତ କରିଦେଇ ପାରିବ । ଏହାକୁ ମନରେ ରଖି ସେହି କିଶୋରୀକୁ ଔଷଧ (ketamine, midazolam, ribavirin, and amantadine) ଦେଇ କୋମାକୁ ନିଆଗଲା । ରୋଗୀକୁ ୩୧ ଦିନ ଏକାନ୍ତରେ ରଖାଗଲା ଓ ୭୬ ଦିନ ଡାକ୍ତରଖାନାରେ ରଖାଗଲା ପରେ ଡିସଚାର୍ଜ କରିଦିଆଗଲା ।[୪୦] ଉଚ୍ଚ ସ୍ତରୀୟ ମସ୍ତିଷ୍କ କାମ ସେ କରିପାରିଲା, କିନ୍ତୁ କେବଳ ଦୌଡିବା ଓ ସନ୍ତୁଳନରେ (ଭାରସାମ୍ୟ) ସାମାନ୍ୟ ତୃଟି ରହିଲା[୪୧] ଯାହା ନିମନ୍ତେ ଚିକିତ୍ସା ଚାଲିଥିଲା ।

ପୂର୍ବାନୁମାନ

ଟିକା ନ ନେଇଥିବା ବ୍ୟକ୍ତିର ଥରେ ସ୍ନାୟୁଗତ ଲକ୍ଷଣ ପ୍ରକାଶ ପାଇଲେ ପ୍ରାୟ ପ୍ରାଣ ଘାତକ ହୁଏ ।[୪୨]
ସଂକ୍ରମଣର ଛଅ ଦିନ ମଧ୍ୟରେ ଟିକା ନେଲେ ରୋଗକୁ ପ୍ରତିହତ କରିହୁଏ, ଯେତେ ଶୀଘ୍ର ପାର ସେତେ ଶୀଘ୍ର ଟିକା ଦେଲେ ୧୦୦% ବିପଦମୁକ୍ତ ହେବ ।
ମିଲ୍ଅକି ପ୍ରୋଟୋକଲରେ ଚିକିତ୍ସା କରି ୪୩ ଜଣ ରୋଗୀରୁ ୫ ଜଣ ବଞ୍ଚିଯାଇଛନ୍ତି ଓ ଚିକିତ୍ସା ନ ପାଇଥିବା ରୋଗୀଙ୍କ ଅପେକ୍ଷା ଚିକିତ୍ସା ପାଇଥିବା ରୋଗୀ ଅଧିକ ଦିନ ବଞ୍ଚନ୍ତି ।[୪୩]

ଆଧାର