ମଧୁମେହ

ମଧୁମେହ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପ

ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ ।[୨] ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । [୩] ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍‌କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା[୪] ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍‌ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍‌କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି [୩]

ମଧୁମେହ
Universal blue circle symbol for diabetes.[୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିdiabetology[*]
ଆଇସିଡ଼ି-୧୦E10.–E14.
ଆଇସିଡ଼ି-୯-ସିଏମ୍250
ମେଡ଼ିସିନ-ପ୍ଲସ001214
ଇ-ମେଡ଼ିସିନmed/546 emerg/134
Patient UKମଧୁମେହ
MeSHC18.452.394.750

ଅଗ୍ନାଶୟରୁ (ଇଂରାଜୀରେ Pancreas) ଇନ୍‌ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍‌ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ ।[୫] ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।

  • ମଧୁମେହ ଟାଇପ ୧ (ଇଂରାଜୀରେ Type 1 DM) - ଯଥେଷ୍ଟ ଇନ୍‌ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଅଇଲ ଡାଏବେଟିସ୍ (insulin-dependent diabetes mellitus" (IDDM) or "juvenile diabetes") କୁହାଯାଉଥିଲା । କେଉଁ କାରଣରୁ ଏହି ସ୍ରାବ ହୁଏ ନାହିଁ ତାହା ଜଣା ନାହିଁ । [୩]
  • ମଧୁମେହ ଟାଇପ ୨ (ଇଂରାଜୀରେ Type 2 DM) ରୋଗରେ ଇନ୍‌ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । [୩] ରୋଗ ଆଗେଇଲେ ଇନ୍‌ସୁଲିନ ଅଭାବ ମଧ୍ୟ ଦେଖାଯାଏ ।[୬] ପୂର୍ବେ ଏହାକୁ ନନ୍ ଇନ୍‌ସୁଲିନ୍ ଡେପେଣ୍ଡେଣ୍ଟ ଡାଏବେଟିସ୍ (NIDDM) ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ପରିଲକ୍ଷିତ ହୋଇଛି । [୩]
  • ଗର୍ଭାବସ୍ଥା ଡାଏବେଟିସ୍‌ - କେତେକ ମହିଳାମାନଙ୍କର ପୁର୍ବରୁ ଅଧିକ ରକ୍ତ ଶର୍କରା ନ ଥାଇ ମଧ୍ୟ ଡାଏବେଟିସ ହୁଏ । [୩]

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦ‌ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ ।[୩] ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ ।[୭] କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ ।[୮] ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ ।[୯] ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ । [୧୦]

ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି,[୧୧] ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ ।[୧୨][୧୩] ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ,[୧୩] ଓ ପୁରୁଷ ଓ ମହିଳା ହାର ସମାନ ।[୧୪] ସନ ୨୦୧୨ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା ।[୭][୧୧] ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ ।[୩] ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । [୧୧] ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର ।[୧୫] କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା । [୧୬]

ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।

ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି ।

୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହୋଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।

କାହାକୁ ଅଧିକ ହେବାର ଆଶଙ୍କା

Overview of the most significant symptoms of diabetes
  • ପରିବାରରେ ବାପା,ମା,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ ।
  • ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ ।
  • ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।

ଲକ୍ଷଣ

  • ଅଧିକ ଶୋଷ
  • ଅଧିକ ପରିସ୍ରା
  • ଓଜନ କମିଯିବା
  • ଅଧିକ ଭୋକ
  • ଅଧିକ ଥକା
  • ମାନ୍ଦା ଦୁର୍ବଳ ଲାଗିବା
  • ଆଖିକୁ ଝାପସା ଦିଶିବା
  • ଯୌନାଙ୍ଗରେ ଘା' ହେବା
  • ଯୌନଶକ୍ତି କମିଯିବା
  • ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା
  • ଘା' ନ ଶୁଖିବା
  • ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି ।
  • କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡ଼ିଥାଏ । [୧୭][୧୮]

ପ୍ରକାର ଭେଦ

  • ଟାଇପ୍ -୧ ଡାଇବେଟିସ(ମଧୁମେହ )
  • ଟାଇପ୍-୨ ଡାଇବେଟିସ(ମଧୁମେହ )
  • ଗର୍ଭାବସ୍ଥାରେ ଡାଇବେଟିସ
  • ଅନ୍ୟାନ୍ୟ କାରଣରୁ ଡାଇବେଟିସ
  • ଶହେ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ପ୍ରାୟ ୯୮ ଜଣ ଟାଇପ୍-୨ ଡାଇବେଟିସ । ଏମାନଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ । ଟାଇପ୍ -୧ ଡାଇବେଟିସ ସାଧାରଣତଃ ପିଲା,କିଶୋର ଓ ଯୌବନର ଆଦ୍ୟାବସ୍ଥାରେ ହେଇଥାଏ ।
  • ଶହେ ଜଣ ଗର୍ଭବତୀ ମହିଳାଙ୍କ ଶର୍କରା ପରୀକ୍ଷାକଲେ ପାଞ୍ଚ-ସାତଜଣ ଡାଇବେଟିସ ରୋଗ ଭୋଗ କରୁଥିବା ଜଣାଯାଏ । ଗର୍ଭାବସ୍ଥାରେ ଡାଇବେଟିସ ପରିକ୍ଷାନ କଲେ ଗର୍ଭସ୍ଥ ପିଲାର ଓଜନ ବଢିଯାଏ । ଜନ୍ମ ହେଲା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟହୁଏ ଏବଂ ଜନ୍ମ ସମୟରେ ପିଲା ମୃତ୍ୟୁବରଣ କରିବାର ସମସ୍ୟା ଅଧିକ । ଏହି ସମୟରେ ଇନସୁଲିନ୍ ଚିକିତ୍ସା ଆବଶ୍ୟକ ହେଇଥାଏ । ପ୍ରସବପରେ ବହୁ ପ୍ରସୂତିଙ୍କର ଡାଇବେଟିସ ଭଲ ହୋଇଯାଇଥାଏ । [୧୯][୨୦]
ମଧୁମେହ ଟାଇପ ୧ ଓ ୨ ମଧ୍ୟରେ ତୁଳନା ।[୧୨]
ଲକ୍ଷଣଟାଇପ ୧ ମଧୁମେହଟାଇପ ୨ ମଧୁମେହ
ଆରମ୍ଭହଠାତ୍କ୍ରମଶଃ
ଆରମ୍ଭ ବୟସଅଧିକାଂଶ ପିଲା ବୟସରେଅଧିକାଂଶ ବୟସ୍କ ଲୋକ
ଶାରୀରିକ ଆକାରପତଳା ବା ସାଧାରଣ ସ୍ୱାସ୍ଥ୍ୟ[୨୧]ଅଧିକାଂଶ ସମୟରେ ମୋଟା
କିଟୋଏସିଡୋସିସସାଧାରଣକ୍ୱଚିତ
ଅଟୋଆଣ୍ଟିବଡି (Autoantibodies)ସାଧାରଣତଃ ଥାଏନ ଥାଏ
ଅନ୍ତସ୍ରାବୀ ଇନସୁଲିନ
ଏକ ରୂପ ଯମଜରେ (identical twin) ସାମଞ୍ଜସ୍ୟ (Concordance)
୫୦%୯୦%
ପ୍ରଚଳନ~୧୦%~୯୦%

ଚିକିତ୍ସା

ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।

ଆୟୁର୍ବେଦିକ ଚିକିତ୍ସା

ଆୟୁର୍ବେଦ ଅନୁସାରେ, ମଧୁମେହ ବାତ, ପିତ୍ତ ଓ କଫର ସନ୍ତୁଳନ ଅଭାବରୁ ହୋଇଥାଏ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଔଷଧ ସ‌ହ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ମଧୁମେହର ପ୍ରଭାବ କମ୍ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ ସ‌ହିତ ଧୂମ‌ପାନ ଏବଂ ମଦ୍ୟପାନରୁ ବିରତ ରହିବା ଆବଶ୍ୟକ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁ ଓ ପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଏତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବାକୁ କୁହାଯାଏ । ଆୟୁର୍ବେଦରେ ମଧୁମେହ ପାଇଁ ମେଥି, ହଳଦୀ ଆଦି ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଚିକିତ୍ସାରେ ଔଷଧରେ ବସନ୍ତକୁସୁପାକର ରସ, ଶିଳାଜିତ୍, ଚନ୍ଦ୍ରକଳା ବଟି, ମଧୁନାଶିନୀ ଆଦି ଖାଇବାକୁ ଦିଆଯାଏ । ଯୋଗ, ଯଥା: ସୂର୍ଯ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ମଧୁମେହ ପାଇଁ ବ‌ହୁତ ଉପକାରୀ । ତମ୍ବା ପାତ୍ରରେ ଏକ କପ୍ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ଲାଭ ମିଳିଥାଏ । ତେବେ ଏ ସବୁ ଚିକିତ୍ସା ଆୟୁର୍ବେଦିକ ଡାକ୍ତରଙ୍କ ତ‌ତ୍ତ୍ୱାବଧାନରେ କରିବା ଉଚିତ୍ ।[୨୨]

ଏ ପ୍ରକାର ଚିକିତ୍ସା କଲାବେଳେ ପ୍ରତି ସପ୍ତାହରେ ରକ୍ତ ଶର୍କରା ଓ ପ୍ରତି ତିନି ମାସରେ ଥରେ ରକ୍ତର ଏଚ୍‌ବିଏ ୱାନ୍ ସି ପରୀକ୍ଷା କରିବା ଉଚିତ୍ । ରକ୍ତ ଶର୍କରା ଖାଲି ପେଟରେ ୧୨୦ ମିଗ୍ରା ଓ ଖାଇବା ପରେ ୧୪୦ ମିଗ୍ରା ମଧ୍ୟରେ ରହିବା ଦରକାର । ପ୍ରତି ତିନି ମାସରେ ଥରେ ଏୱାନ୍‌ସି ପରୀକ୍ଷା କଲେ, ଏହା ୬.୩ ତଳେ ରହିବା ଦରକାର ।[୨୨]

ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକ‌କ୍, ହୃତ୍‌ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ । ଏପରି ହେଲେ ଆୟୁର୍ବେଦିକ ଚିକିତ୍ସା ବନ୍ଦ କରି ମଧୁମେହ ବିଶେଷଜ୍ଞ ଓ ଏଲୋପାଥିକ୍ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ତ‌ଥା ଜଟିଳତା ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିବା ମଧୁମେହ ରୋଗୀଙ୍କ ପକ୍ଷେ ନିହାତି ଦରକାର ।[୨୨]

ଡାଇବେଟିସର କେତେକ ସ୍ୱତନ୍ତ୍ର ପରୀକ୍ଷା

ଏଚ୍ ବି ଏ ୱ୍ଆନ୍ ସି

ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ । [୨୩]

ଉଚ୍ଚ ରକ୍ତଚାପ ପରୀକ୍ଷା

ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ ।

ରକ୍ତର ଚର୍ବି ଅଂଶ

ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ । [୨୪]

ଓଜନ ପରୀକ୍ଷା ଓ ପେଟ ମାପ

ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ ।

ଆଧାର

ବାହାର ତଥ୍ୟ