୨୦୧୯ ପୁଲୱାମା ଆକ୍ରମଣ
ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ (CRPF) ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା ।[୧] ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।[୨][୩]ଏହି ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟମାନଙ୍କ ଭିତରେ ଦୁଇ ଓଡ଼ିଆ ଥିଲେ । ସେମାନେ ହେଲେ, ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା ।[୪]
୨୦୧୯ ପୁଲୱାମା ଆକ୍ରମଣ | |
---|---|
Part of କାଶ୍ମୀର ସମସ୍ୟା | |
ସ୍ଥାନ | ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀର, ଭାରତ |
Coordinates | 33°57′53″N 74°57′52″E / 33.96472°N 74.96444°E |
ତାରିଖ | 14 ଫେବୃଆରୀ 2019 15:15 IST (UTC+05:30) |
ଲକ୍ଷ୍ୟ | ସିଆରପିଏଫର ପ୍ରତିରକ୍ଷା ବାହିନୀ |
ଆକ୍ରମଣ ପ୍ରକାର | ଆତ୍ମଘାତୀ ବୋମା ବିସ୍ଫୋରଣ, କାର ବୋମା ବିସ୍ଫୋରଣ |
ମୃତ୍ୟୁ | ୪୬ ସିଆରପିଏଫ ଯବାନ, ଜଣେ ଆକ୍ରମଣକାରୀ |
ଅମାରାତ୍ମକ କ୍ଷତି | ୩୫ |
Perpetrators | ଜୈଶ-ଏ-ମହମ୍ମଦ |
୧୯୮୯ ପରଠାରୁ ଭାରତୀୟ ସେନାବାହିନୀ ଉପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ।[୫]
ପୃଷ୍ଠଭୂମି
୨୦୧୫ ମସିହାଠାରୁ ଭାରତୀୟ ସେନା ବାହିନୀଙ୍କ ବିରୁଦ୍ଧରେ ପାକିସ୍ତାନରେସ୍ଥିତ ଅନେକ ସଙ୍ଗଠନ ଆତ୍ମଘାତୀ ଆକ୍ରମଣ ସଂଖ୍ୟା ବୃଦ୍ଧି ଘଟିଥିଲା । ଜୁଲାଇ ୨୦୧୫ ମସିହାରେ ତିନି ଜଣ ବନ୍ଧୁକଧାରୀ ଗୁରୁଦାସପୁରଠାରେ ଏକ ବସ ଏବଂ ପୁଲିସ ଥାନା ଉପରେ ଆକ୍ରମଣ କରିଥିଲେ । ୨୦୧୬ ମସିହାରେ ଚାରିରୁ ଛଅ ଜଣ ବନ୍ଧୁକଧାରୀ ପଠାନକୋଟ ବାୟୁସେନା କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ ।[୬] ପାମ୍ପୋରଠାରେ ଆତଙ୍କବାଦୀଗଣ ଆକ୍ରମଣରେ ଫେବୃୟାରୀ ଏବଂ ଜୁନ ମାସ ୨୦୧୬ ମସିହାରେ ଯଥାକ୍ରମେ ୯ ଏବଂ ୮ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଉରୀଠାରେ ସେପ୍ଟେମ୍ବର ୨୦୧୬ ମସିହାରେ ୧୯ ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ୩୧ ଡିସେମ୍ବର ୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ପୁଣି ପାଞ୍ଚ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏହି ସବୁ ଆକ୍ରମଣ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ପାଖାପାଖି ଘଟିଥିଲା ।[୨]
ଆକ୍ରମଣ
State | Number |
---|---|
ଉତ୍ତର ପ୍ରଦେଶ | ୧୨ |
ରାଜସ୍ଥାନ | ୫ |
ପଞ୍ଜାବ | ୪ |
ଓଡ଼ିଶା | ୨ |
ଉତ୍ତରାଖଣ୍ଡ | ୨ |
ବିହାର | ୨ |
ମହାରାଷ୍ଟ୍ର | ୨ |
ପଶ୍ଚିମ ବଙ୍ଗ | ୨ |
ତାମିଲନାଡୁ | ୧ |
ଆସାମ | ୧ |
କର୍ଣ୍ଣାଟକ | ୧ |
ଜମ୍ମୁ ଓ କଶ୍ମୀର | ୧ |
ହିମାଚଳ ପ୍ରଦେଶ | ୧ |
କେରଳ | ୧ |
ଝାଡ଼ଖଣ୍ଡ | ୧ |
ମଧ୍ୟ ପ୍ରଦେଶ | ୧ |
ଜଣାପଡ଼ିନାହିଁ | ୮ |
ମୋଟ | ୪୭ |
୧୪ ଫେବୃୟାରୀ ୨୦୧୯ ମସିହାରେ ୨୫୦୦ରୁ ଅଧିକ ସିଆରପିଏଫ ପ୍ରତିରକ୍ଷାବାହିନୀ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥ ୪୪ରେ ଯାଉଥିଲେ । ଗାଡ଼ିଗୁଡ଼ିକ ଭୋର ସକାଳ ୩:୩୦ରେ ଜମ୍ମୁରୁ ଯାତ୍ରା ପ୍ରାରମ୍ଭ କରିଥିଲେ । ଆଗରୁ ଜାତୀୟ ରାଜପଥ ଦୁଇ ଦିନ ଧରି ବନ୍ଦ ଥିଲା, ଦୁଇଦିନପାରେ ସେହିଦିନ ଖୋଲିଥିବାରୁ ଏତେ ମାତ୍ରାରେ ସେନା ସ୍ଥାନାନ୍ତରିତ ହେଉଥିଲେ । ସନ୍ଧ୍ୟାପୂର୍ବରୁ ଶ୍ରୀନଗରରେ ପହଁଚିବାର ଯୋଜନା କରାଯାଇଥିଲା ।[୨]
ଗାଡ଼ିଗୁଡ଼ିକ ଅବନ୍ତିପୁରା ନିକଟସ୍ଥ ଲେଠାପୁରା ଦେଇ ଅପରାହ୍ନ ୩:୧୫ରେ ଗତି କରୁଥିଲେ ।[୫] ସେହି ସମୟରେ ପ୍ରଚୁର ମାତ୍ରାରେ ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଏକ ମହିନ୍ଦ୍ରା ସ୍କୋର୍ପିଓ ଆସି କିଛି ଯବାନ ଯାଉଥିବା ଏକ ବୁଲେଟ ପ୍ରୁଫ ନଥିବା ବସକୁ[୯] ଜୋରରେ ଧକ୍କା ଦେଇଥିଲା । ଏକ ୱିସ୍ଫୋଟ ହୋଇଥିଲା ଯେଉଁଥିରେ ଅତି କମରେ ୭୬ତମ ବାଟାଲିୟନର ୪୬ ଜଣ ଯବାନ ଶହୀଦ ହେବ ସହ ଅନେକ ଆଘାତପ୍ରାପ୍ତ ହୋଇଥିଲେ ।[୧]
ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।[୨][୧୦][୨][୧୧] ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାର ନାମକ ବ୍ୟକ୍ତି, ଗତବର୍ଷ ଜୈଶ-ଏ-ମହମ୍ମଦ ସଙ୍ଗଠନରେ ଯୋଗଦାନ କରିଥିଲେ । ସେ ଆକ୍ରମଣ ସ୍ଥଳୀରୁ ମାତ୍ର ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିଲେ ।[୧୨] ପାକିସ୍ତାନ ସରକାର ଏହି ଆକ୍ରମଣ ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି କହିଛନ୍ତି ।[୧୩]
ତଦନ୍ତ
ବାରଜଣ ସଦସ୍ୟ ବିଶିଷ୍ଟ ଏକ ଜାତୀୟ ତଦନ୍ତ ଏଜେନ୍ସି ଏବଂ ଜମ୍ମୁ ଓ କାଶ୍ମୀର ପୁଲିସ ଏହି ଆକ୍ରମଣର ତଦନ୍ତ କରିବେ ।[୧][୨]
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି କି ସ୍କୋର୍ପିଓରେ ୩୦୦ କିଲୋରୁ ଅଧିକ ବିସ୍ଫୋରକ ସାମଗ୍ରୀ ଥିଲା, ଯେଉଁଥିରେ ୮୦ କିଲୋଗ୍ରାମ ଅରଡିଏକ୍ସ ମଧ୍ୟ ଅନ୍ତର୍ଭୁକ୍ତ ।[୨] [୧୪]ଏହି ଅରଡିଏକ୍ସ ମାସ ମାସ ଧରି କୋଇଲା ବୋଝେଇ ଟ୍ରକଦ୍ୱାରା ପାକିସ୍ତାନରୁ ଭାରତକୁ ଅଣାଯାଉଥିଲା ।[୧୫]
ପରିଣାମ
- ଏହି ଆକ୍ରମଣରେ ଉତ୍ତେଜିତ ହୋଇ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦର କର୍ମୀଗଣ କାଶ୍ମିରୀ ଛାତ୍ରୀଛାତ୍ରଙ୍କୁ ଡେରାଡୁନଠାରେ ମାଡ଼ ମାରିଥିଲେ । ଏଠି ସହ "ହିନ୍ଦୁସ୍ଥାନ କେ ଗଦ୍ଦାରୋଂକୋ ଗୋଲି ମରୋ" ସ୍ଲୋଗାନ ମଧ୍ୟ ଦେଇଥିଲେ । ଏଥିରେ ଭୟଭୀତ ହୋଇ ଛାତ୍ରୀଛାତ୍ରଗଣ ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ । ଅନେକ ଭାରତୀୟ ଅନ୍ୟାନ୍ୟ ସହରରେ କାଶ୍ମିରୀ ଛାତ୍ରୀଛାତ୍ରମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ଟୋଲ ଫ୍ରି ନମ୍ବର ୧୪୪୧୧ କିମ୍ବା ଏସଏମଏସ ନମ୍ବର ୭୦୮୨୮୧୪୪୧୧ ମଧ୍ୟ ଉପଲବ୍ଧ କରାଯାଇଥିଲା ।[୧୬][୧୭][୧୮] କିନ୍ତୁ କିଛି ସମ୍ବାଦପତ୍ର ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହାକୁ ମିଛ ସମ୍ବାଦ ଏବଂ ଏଭଳି କିଛି ଘଟଣା ଆଦୌ ଘଟିନାହିଁ ବୋଲି କହିଥିଲେ ।[୧୯][୨୦][୨୧] ଏହି ସମ୍ବାଦ ଟ୍ୱିଟରରେ ପ୍ରଚାର କରିବା ଆରମ୍ଭ କରିଥିବାରୁ ଜେଏନୟୁ ଗବେଷଣାକାରୀ ସ୍ନେହା ରଶିଦଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇଥିଲା ।[୨୨]
- ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ୱାନରେ ସୋମବାର, ୧୮ ଫେବୃୟାରୀ ୨୦୧୯ରେ ଦେଶବ୍ୟାପୀ ଦୋକାନବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ କରାଯାଇଥିଲା ।[୨୩] ଓଡ଼ିଶାରେ ଏହାକୁ ଜନସମର୍ଥନ ମିଳିଥିଲା ।[୨୪]
- ଭାରତର ୧୨ଟି ମିରେଜ-୨୦୦୦ ଲଢୁଆ ବିମାନ ପାକିସ୍ତାନ ଓ଼କ୍ୟୁପାଏଡ କାଶ୍ମୀର ବା ପାକିସ୍ତାନୀ ଭାଷାରେ ଆଜାଦ କାଶ୍ମୀରରେ ଆକ୍ରମଣ କରି ବହୁ ଜୈଶ-ଏ-ମହମ୍ମଦ ସଙ୍ଗଠନର ଶିବିର ଧ୍ୱଂସ କରିଦେଇଥିଲେ । କିଛି କ୍ଷୟକ୍ଷତି ଛବି ପାକିସ୍ତାନ ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟରରେ ଛାଡ଼ି ଭାରତ ସୀମା ଉଲଙ୍ଘନ କରିଥିବା ଅଭିଯୋଗ କରିଥିଲେ ।[୨୫]
- ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ଜୈସେ ମହମ୍ମଦ ଆତଙ୍କବାଦୀ ସାଜ୍ଜିଦ ଖାନଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । [୨୬]
ପ୍ରତିକ୍ରିୟା
ଭାରତ
- India: ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ, ବହୁ ରାଜନୈତିକ ବ୍ୟକ୍ତି ଏବଂ ସମାଜର ବିଭିନ୍ନ ବର୍ଗରୁ ଏହି ଆକ୍ରମଣର କଡ଼ା ନିନ୍ଦା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଳିଦାନ ବେକାର ଯିବନି ବୋଲି ଟ୍ୱିଟ କରିଥିଲେ । ସମାଜର ବିଭିନ୍ନ ମହଲରୁ ଶହୀଦ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା ଏବଂ ଦାନ କରାଯାଇଥିଲା ।[୨୭] [୨]
ଅନ୍ତର୍ଜାତୀୟ
- Pakistan: ପାକିସ୍ତାନ ଉପରେ ହୋଇଥିବା ଏହି ଆକ୍ଷେପକୁ ସେମାନେ ଏଡ଼େଇ ଦେଇଥିଲେ । ଆକ୍ରମଣରେ ତାଙ୍କର କିଛି ହାତ ନାହିଁ ବୋଲି କୁହାଯାଇଛି [୨୮] ପାକିସ୍ତାନର ଫେଡେରାଲ ତଥ୍ୟ ଅଫିସର ଫୱାଦ ଚୌଧୁରୀ, ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭାରତକୁ ପାକିସ୍ତାନ ଯଥାସାଧ୍ୟ ସହଯୋଗ କରିବ ବୋଲି କହିଥିଲେ ।[୨୯] ଅନ୍ୟ ପକ୍ଷରେ ପାକିସ୍ତାନର ଏକ ଦୈନିକ ଇଂରାଜୀ ଖବରକାଗଜ, ଦ ନେସନ (The Nation) ଏହାର ମୁଖ୍ୟ ପୃଷ୍ଠାରେ "ଜଣେ ସ୍ୱାଧୀନତା ସଂଗ୍ରାମୀ କାଶ୍ମୀରରେ ଜବରଦସ୍ତି କବଜା କରିଥିବା ଅନେକଙ୍କୁ ଆକ୍ରମଣ କରି ମାରିଲେ" ବୋଲି ଲେଖିଥିଲେ ।[୩୦] [୩୧]
- Nepal [୩୨], Russia,[୩୩][୩୪], Singapore,[୩୫], Sri Lanka [୩୬] [୩୭], UAE[୩୮], USA [୩୯][୪୦], France, Bangladesh, Bhutan, Maldives ଏବଂ United Nations[୪୧] ଏହି ଆକ୍ରମଣକୁ ନିନ୍ଦା କରିଥିଲେ ।[୩୩] ୫୮ଟି ଦେଶ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନକୁ ତା ମାଟିରୁ ଆତଙ୍କବାଦୀମାନଙ୍କୁ ବାହାର କରିବାକୁ କହିଥିଲା ।[୪୨]
ଆଧାର
ବାହ୍ୟ ଆଧାର
- "US condemns terrorist attack in J&K’s Pulwama; asks countries to not shelter terrorists" Archived 2019-02-16 at the Wayback Machine., 'DBPOST. 15 February 2019.