ଇମରାନ ଖାଁ

ଇମ୍ରାନ ଅହମ୍ମଦ ଖାଁ ନିଆଜୀ (ଜନ୍ମ ୫ ଅକ୍ଟୋବର ୧୯୫୨) ଜଣେ ପାକିସ୍ତାନୀ ରାଜନେତା ତଥା ପୂର୍ବତନ କ୍ରିକେଟର ଯିଏକି ଅଗଷ୍ଟ ୨୦୧୮ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଅବିଶ୍ୱାସ ପ୍ରସ୍ତାବରେ ହାରିଯାଇ ବହିଷ୍କୃତ ହେବାରେ ସେ ହେଉଛନ୍ତି ପାକିସ୍ତାନ୍ନର ପ୍ରଥମ ପ୍ରଧାନମନ୍ତ୍ରୀ ।[୧] ସେ ପାକିସ୍ତାନର ଅନ୍ୟତମ ବଡ ରାଜନୈତିକ ଦଳ 'ପାକିସ୍ତାନ ତେହେରିକ-ଇ-ଇନସାଫ' (ପିଟିଆଇ)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଟନ୍ତି ।

ବାଲ୍ୟ ଜୀବନ ଓ ପରିବାର

ଇମରାନ ଖାଁ ୫ ଅକ୍ଟୋବର ୧୯୫୨ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ । କିଛି ରିପୋର୍ଟରୁ ଜଣାପଡିଛି ଯେ ସେ ୨୫ ନଭେମ୍ବର ୧୯୫୨ରେ ଜନ୍ମ ହୋଇଥିଲେ । [୨] ତଥ୍ୟ ମୁତାବକ, ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧିକାରୀମାନେ ତାଙ୍କ ପାସପୋର୍ଟରେ ଭୁଲ ଭାବରେ ତାଙ୍କ ଜନ୍ମ ତାରିଖ ୨୫ ନଭେମ୍ବର ଭାବେ ଉଲ୍ଲେଖ କରିଥିଲେ । ସେ ସିଭିଲ ଇଞ୍ଜିନିୟର ଇକ୍ରାମୁଲ୍ଲା ଖାନ ନିୟାଜୀଙ୍କ ଏକମାତ୍ର ପୁତ୍ର । ପରିବାରରେ ତାଙ୍କ ପତ୍ନୀ ଶୌକତ ଖାନୁମ ଏବଂ ତାଙ୍କର ଚାରି ଭଉଣୀ ଅଛନ୍ତି । ତାଙ୍କ ପୂର୍ବ ପୁରୁଷ ଉତ୍ତର-ପଶ୍ଚିମ ପଞ୍ଜାବର ମିଆନୱାଲିରେ ବାସିନ୍ଦା । ସେମାନେ ପାସ୍ତୁନ ଜାତିର ଏବଂ ନୟାଜୀ ଜନଜାତିର ଅଟନ୍ତି ।[୩] ଭାରତ ବିଭାଜନ ହୋଇ ପାକିସ୍ତାନ ସୃଷ୍ଟି ହେବା ପରେ ଖାନଙ୍କ ମାତୃ ସମ୍ପର୍କୀୟମାନେ ଲାହୋରକୁ ଚାଲିଯାଇଥିଲେ । ଖାନଙ୍କ ମାତୃ ପରିବାରରେ ଜାଭେଦ୍ ବୁର୍କି ଏବଂ ମାଜିଦ୍ ଖାଁ ଭଳି ଅନେକ କ୍ରିକେଟର ଜନ୍ମ ଗ୍ରହଣ କରିଛନ୍ତି, ଯେଉଁମାନେ ପାକିସ୍ତାନର ପ୍ରତିନିଧିତ୍ୱ କରିଛନ୍ତି ।

ବାଲ୍ୟ ଯୌବନରେ ଜଣେ ଶାନ୍ତ ଏବଂ ଲାଜୁଆ ବାଳକ, ଖାନ୍ ନିଜ ଭଉଣୀମାନଙ୍କଠାରୁ ଅପେକ୍ଷାକୃତ ଧନୀ, ଉଚ୍ଚ ମଧ୍ୟବିତ୍ତ ପରିସ୍ଥିତିରେ ବଢିଥିଲେ ଏବଂ ଉଚ୍ଚତର ଶିକ୍ଷା ଲାଭ କରିଥିଲେ । ସେ ଲାହୋରସ୍ଥିତ ଆଇଚିସନ କଲେଜ ଏବଂ କ୍ୟାଥେଡ୍ରାଲ ସ୍କୁଲରେ ଶିକ୍ଷାଲାଭ କରିଥିଲେ ।[୪] ଏବଂ ପରେ ଇଂଲଣ୍ଡର 'Royal Grammar School Worcester'ରେ ଅଧ୍ୟୟନ କାଳରେ ସେ କ୍ରିକେଟରେ ବିଶେଷ ପାରଦର୍ଶିତା ଲାଭ କରିଥିଲେ । ୧୯୭୨ ମସିହାରେ, ସେ ଅକ୍ସଫୋର୍ଡର 'Keble College'ରେ ନାମ ଲେଖାଇଲେ ଯେଉଁଠାରେ ସେ ଦର୍ଶନ, ରାଜନୀତି ଏବଂ ଅର୍ଥନୀତି ଅଧ୍ୟୟନ କରିଥିଲେ ଏବଂ ୧୯୭୫ରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ ।

କ୍ରିକେଟ ଜୀବନ

ଇମ୍ରାନ ଖାଁ ଲାହୋରରେ ମାତ୍ର ୧୬ ବର୍ଷ ବୟସରେ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ୧୯୭୦ ଦଶକର ଆରମ୍ଭରେ, ସେ ଲାହୋର-ଏ (୧୯୬୯–୭୦), ଲାହୋର-ବି (୧୯୬୯–୭୦), ଲାହୋର- ଗ୍ରୀନ୍ସ (୧୯୭୦–୭୧) ଏବଂ ଶେଷରେ ଲାହୋର (୧୯୭୦–୭୧)ର ଘରୋଇ ଦଳ ପାଇଁ ଖେଳୁଥିଲେ । 51] ୧୯୭୩–୧୯୭୫ ମଧ୍ୟରେ ଖାଁ ଅକ୍ସଫୋର୍ଡ ୟୁନିଭରସିଟିର ବ୍ଲୁ କ୍ରିକେଟ୍ ଟିମର ଅଂଶ ଥିଲେ ।

ସେ ୱର୍କେଷ୍ଟେରେଶର୍ ପାଇଁ ୧୯୭୧ରୁ ୧୯୭୬ ପର୍ଯ୍ୟନ୍ତ ଇଂରାଜୀ କାଉଣ୍ଟି କ୍ରିକେଟ୍ ଖେଳିଥିଲେ । ଏହି ଦଶନ୍ଧି ମଧ୍ୟରେ, ଖାନଙ୍କଦ୍ୱାରା ପ୍ରତିନିଧିତ୍ୱ ହୋଇଥିବା ଅନ୍ୟ ଦଳଗୁଡିକ ହେଲା ଦାଉଦ ଇଣ୍ଡଷ୍ଟ୍ରିଜ୍ (୧୯୭୫–୧୯୭୬) ଏବଂ ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (୧୯୭୫–୧୯୭୬ରୁ ୧୯୮୦–୧୯୮୧) । ଏତଦ୍ ବ୍ୟତୀତ ସେ ୧୯୮୩ରୁ ୧୯୮୮ ପର୍ଯ୍ୟନ୍ତ ସେ ସସେକ୍ସ ପାଇଁ ମଧ୍ୟ ଖେଳିଥିଲେ ।

ଖାନ ଇଂଲଣ୍ଡ ବିପକ୍ଷରେ ଜୁନ ୧୯୭୧ରେ ଏଜବାଷ୍ଟନ୍‌ରେ ଟେଷ୍ଟ କ୍ରିକେଟ୍ ଡେବ୍ୟୁ କରିଥିଲେ । ତିନି ବର୍ଷ ପରେ, ଅଗଷ୍ଟ ୧୯୭୪ରେ, ସେ ଦିନିକିଆ ଇଣ୍ଟରନ୍ୟାସନାଲ (ODI) ମ୍ୟାଚରେ ଡେବ୍ୟୁ କରିଥିଲେ, ପୁଣି ଥରେ ପୃଡେନସିଆଲ ଟ୍ରଫି ପାଇଁ ଟ୍ରେଣ୍ଟ ବ୍ରିଜରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଅକ୍ସଫୋର୍ଡରୁ ସ୍ନାତକ ହାସଲ କରିବା ପରେ ଏବଂ ୱର୍କେଷ୍ଟେରେର୍ଶରେ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ସେ ୧୯୭୬ ମସିହାରେ ପାକିସ୍ତାନକୁ ଫେରିଥିଲେ ଏବଂ ନିଜ ଦେଶ ଜାତୀୟ ଦଳରେ ଏକ ସ୍ଥାୟୀ ଖେଳାଳି ଭାବେ ସ୍ଥାନ ଲାଭ କରିଥିଲେ ।[୫]

ରାଜନୈତିକ ଜୀବନ

୨୫ ଏପ୍ରିଲ ୧୯୯୬ରେ, ଖାନ ଏକ ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ପ୍ରତିଷ୍ଠା କରିଥିଲେ ।[୬] ସେ ୧୯୯୭ରେ ପାକିସ୍ତାନୀ ସାଧାରଣ ନିର୍ବାଚନରେ ​​ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା NA-53, ମିଆନୱାଲି ଏବଂ NA-94, ଲାହୋରର ପ୍ରାର୍ଥୀ ଭାବରେ ପାକିସ୍ତାନୀ ସାଧାରଣ ନିର୍ବାଚନରେ ​​ନିର୍ବାଚନ ଲଢିଥିଲେ ମଧ୍ୟ ବିଫଳ ହୋଇଥିଲେ ଏବଂ PML (N)ର ପ୍ରାର୍ଥୀଙ୍କୁ ଉଭୟ ଆସନ ହରାଇଥିଲେ ।

୨୦୧୮ ସାଧାରଣ ନିର୍ବାଚନରେ ​​ଇମ୍ରାନ ଖାନ ପାଞ୍ଚୋଟି ଆସନ ଯଥା NA-35 (Bannu), NA-53 (Islamabad-II), NA-95 (Mianwali-I), NA-131 (Lahore-IX), ଏବଂ NA-243 (Karachi East-II)ରୁ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।[୭] । 28 ଜୁଲାଇରେ ଗଣନା ଶେଷ ହେବା ପରେ ପାକିସ୍ତାନର ନିର୍ବାଚନ ଆୟୋଗ (ECP) ଘୋଷଣା ଅନୁଯାୟୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ୨୭୦ଟି ଆସନ ମଧ୍ୟରୁ ମୋଟ ୧୧୬ଟି ଆସନରେ ପିଟିଆଇ ଜିତିଥିଲା । ପାକିସ୍ତାନ ସାଧାରଣ ନିର୍ବାଚନ ଇତିହାସରେ ଖାନ ପ୍ରଥମ ବ୍ୟକ୍ତି ହୋଇଥିଲେ ଯିଏକି ସମସ୍ତ ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । ପିଟି ଆଇ ପକ୍ଷରୁ ତାଙ୍କୁ ଦଳର ନେତାଭାବେ ବଛାଯିବା ଅଗଷ୍ଟ ୮ ତାରିଖରେ ସେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।[୮]

ପରବର୍ତ୍ତୀ ସମୟରେ ପିଟିଆଇର ପ୍ରମୁଖ ସହଯୋଗୀମାନେ ଶାସକ ଦଳରୁ ଓହରି ଯାଇଥିଲେ ଏବଂ ଖାଁଙ୍କର ସରକାର ସହ ସେନାର ମତାନ୍ତର ଦେଖାଦେଇଥିଲେଏ । ପରେ ଏହା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ୍ ଅନୁଷ୍ଠିତ ହୋଇଥିଲା ଏବଂ ଏପ୍ରିଲ୍ ୧୦ରେ ଖାନ ପାକିସ୍ତାନ ଇତିହାସରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଯିଏକି ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ତାଙ୍କୁ ପଦରୁ ହଟାଯାଇଥିଲା ।[୯]

ଆଧାର