ନାସ୍ତିକତା

ଭଗବାନଙ୍କ ଅସ୍ତିତ୍ଵକୁ ଅସ୍ଵିକାର

ନାସ୍ତିକତା ଅଥବା ନାସ୍ତିକବାଦ ହେଉଛି ଏକ ସିଦ୍ଧାନ୍ତ ଯାହା କହେ "ଏ ଜଗତକୁ ସୃଷ୍ଟି ତଥା ନିୟନ୍ତ୍ରଣ କରୁଥିବା କୌଣସି ଶକ୍ତି ବା ତଥା କଥିତ ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ କୌଣସି ତର୍କ ସଂଗତ ସର୍ବମାନ୍ୟ ଆଧାର ନ ଥିବାରୁ ଈଶ୍ୱରଙ୍କ ଅସ୍ତିତ୍ୱ ବିଶ୍ୱାସ ଯୋଗ୍ୟ ନୁହେଁ" ।[୧][୨] ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ ନ କରୁଥିବା ବ୍ୟକ୍ତି ବିଶେଷ ହେଲେ ନାସ୍ତିକ ଏବଂ ନାସ୍ତିକ ଲୋକ ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ ସ୍ପଷ୍ଟ ପ୍ରମାଣ ନ ଥିବା କାରଣରୁ ଈଶ୍ୱର (ଭଗବାନ)ଙ୍କ ଅସ୍ତିତ୍ୱକୁ ମିଥ୍ୟା ବୋଲି ଗ୍ରହଣ କରିଥାନ୍ତି । ଅଧିକାଂଶ ନାସ୍ତିକ ବ୍ୟକ୍ତି କୌଣସି ଦେବୀ, ଦେବତା, ପରଲୌକିକ ଶକ୍ତି, ଧର୍ମ, ଆତ୍ମା ତଥା ପରମାତ୍ମା ଇତ୍ୟାଦି ବିଷୟ ମାନନ୍ତି ନାହିଁ । ହିନ୍ଦୁ ଦର୍ଶନ ମତରେ ଯେ କେହି ବେଦକୁ ଯଦି ମାନତି ନାହିଁ ସେମାନେ ମଧ୍ୟ ନାସ୍ତିକ ପଦବାଚ୍ୟ । ନାସ୍ତିକମାନେ ସାଧାରଣତଃ ସାଧାରଣ ଭାବେ ମାନିବା ଆପେକ୍ଷା ମାନିବା ପୂର୍ବରୁ ଈଶ୍ୱର କିମ୍ବା ବେଦ ଇତ୍ୟାଦି ବିଷୟରେ ପ୍ରମାଣ ଦେଖିବାକୁ ଚାହିଁଥାନ୍ତି । ଅନ୍ୟପକ୍ଷରେ ଆସ୍ତିକ, ଯିଏକି ଈଶ୍ୱର ବିଶ୍ୱାସୀ, କୌଣସି ପ୍ରମାଣର ଅପେକ୍ଷା ନ ରଖି ନିଜ ଜାତି, କୁଳ, ସଂପ୍ରଦାୟ ବା ମତ ଅନୁସ଼ାରେ କୌଣସି ନା କୌଣସି ଦେବା ଦେବୀଙ୍କ ମାଧ୍ୟମରେ ଈଶ୍ୱଙ୍କ ଅସ୍ତିତ୍ୱ ସଂପର୍କରେ ପ୍ରଗାଢ ଆସ୍ଥା ପ୍ରକଟ କରିଥାନ୍ତି । ସେମାନଙ୍କ ମତରେ, "ବିଶ୍ୱାସେ ମିଳନ୍ତି କୃଷ୍ଣ, ତର୍କେ ବହୁଦୂର" । ନାସ୍ତିକତା କିନ୍ତୁ ଏଭଳି ବିଶ୍ୱାସକୁ ଅନ୍ଧବିଶ୍ୱାସ ଆଖ୍ୟା ଦିଏ କାରଣ କୌଣସି ଦୁଇ ଧର୍ମ, ସଂପ୍ରଦାୟ କିମ୍ବା ମତରେ ଈଶ୍ୱରଙ୍କ ମାନ୍ୟତା ଏକ ପ୍ରକାର ନୁହେଁ । ଏହିପରି ଭାବେ ନାସ୍ତିକମାନଙ୍କ ମତରେ ନାସ୍ତିକତା କେବଳ ପ୍ରମାଣ ଏବଂ ବାସ୍ତବିକତା ଉପରେ ଆଧାରିତ; କୌଣସି ପ୍ରକାର ଋଢିବାଦୀ ବା ଅବାସ୍ତବ ଧାରଣା ଉପରେ ନୁହେଁ । ଏହାଛଡା ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ ବର୍ତ୍ତମାନ ସୁଦ୍ଧା ଯେତେସବୁ ପ୍ରମାଣ କିମ୍ବା ତର୍କ ରହିଛି ସେସବୁ ଈଶ୍ୱରଙ୍କ ଅସ୍ତିତ୍ୱ ଜାହିର କରିବା ନିମିତ୍ତ ପର୍ଯ୍ୟାପ୍ତ ନୁହେଁ ।

ଭାରତରେ ନାସ୍ତିକତା

ଭାରତର ଇତିହାସରେ ବହୁପୂର୍ବରୁ ନାସ୍ତିକତା ବା ନାସ୍ତିକବାଦର ଉଲ୍ଲେଖ ରହିଛି । ହିନ୍ଦୁ ତଥା ଜୈନ ଶିଖ ଧର୍ମାବଲମ୍ବୀ ବହୂଳ ଭାବେ ଭଗବାନଙ୍କର ଅସ୍ତିତ୍ୱରେ ବିଶ୍ୱାସ କରନ୍ତି । ଭାରତରେ ନାସ୍ତିକତା ମତର ପ୍ରଚାର ତଥା ପ୍ରଚାର କରୁଥିବା ବହୁ ଜଣାଶୁଣା ସପ଼କ୍ଷବାଦୀ ଜନ୍ମ ଗ୍ରହଣ କରିଛନ୍ତି । ୨୦୧୧ ଜନଗଣନା ଅନୁସାରେ ୦.୨୪ % ଭାରତୀୟ ସେମାନଙ୍କର ଧର୍ମ ନିର୍ଦ୍ଦିଷ୍ଟ ଭାବେ ପ୍ରକାଶ କରିନାହାନ୍ତି । ୧୮୮୨ରୁ ୧୮୮୮ ମଧ୍ୟରେ ମାଡ୍ରାସ ସେକ୍ୟୁଲାର ସୋସାଇଟି ପକ୍ଷରୁ ପ୍ରକାଶିତ "ଦି ଥିଙ୍କର" ନାମକ ଏକ ପତ୍ରିକାରେ ନାସ୍ତିକବାଦକୁ ନେଇ ଅନେକ ଲେଖା ପ୍ରକାଶ ପାଇଛି ।

ଭାରତୀୟ ଦର୍ଶନରେ ନାସ୍ତିକତା

ଭାରତୀୟ ଦର୍ଶନରେ ନାସ୍ତିକ ଶବ୍ଦ ନିମ୍ନ ପ୍ରକାର ଅର୍ଥରେ ପ୍ରଯୁଯ୍ୟ ଅଟେ ।[୩]

୧) ଯେଉଁମାନେ ବେଦକୁ ପରମ ପ୍ରମାଣ ମାନ୍ୟତା ଦିଅନ୍ତି ନାହିଁ, ସେମାନେ ନାସ୍ତିକ ପଦବାଚ୍ୟ । ଏହି ପରିଭାଷା ପ୍ରକାରେ ଦେଖିବାକୁ ଗଲେ ବୌଦ୍ଧ, ଜୈନ ଏବଂ ଲୋକାୟତ ସଂପ୍ରଦାୟର ସମସ୍ତ ବ୍ୟକ୍ତି ବିଶେଷ ନାସ୍ତିକ ପଦବାଚ୍ୟ ଏବଂ ଏହି ତିନି ଗୋଷ୍ଠୀର ଦର୍ଶନ ଯେହେତୁ ବେଦ କିମ୍ବା ଈଶ୍ୱରଙ୍କୁ ମାନ୍ୟତା ଦିଅନ୍ତି ନାହିଁ ତେଣୁ ଏହିସବୁ ମତବାଦର ଦର୍ଶନକୁ ମଧ୍ୟ ନାସ୍ତିକ ଦର୍ଶନ କୁହାଯାଏ ।

୨) ଯେଉଁମାନେ ଲୋକ, ପରଲୋକ ତଥା ମୃତ୍ୟୁ ପର ଜୀବନକୁ ବିଶ୍ୱାସ କରନ୍ତି ନାହିଁ, ସେମାନେ ନାସ୍ତିକ ପଦବାଚ୍ୟ । ଏହି ଅର୍ଥରେ ଚାର୍ବାକଙ୍କ ଦର୍ଶନ, ଯାହା ଭାରତରେ ଲୋକାୟତ ଦର୍ଶନ ନାମରେ ମଧ୍ୟ ଖ୍ୟାତ, ତାହା ଏକ ନାସ୍ତିକ ଦର୍ଶନ ପଦବାଚ୍ୟ ଏବଂ ଏହି ଦର୍ଶନରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ ନାସ୍ତିକ ।

୩) ଯେଉଁମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ ରଖନ୍ତି ନାହିଁ ସେମାନେ ମଧ୍ୟ ନାସ୍ତିକ ।

ଆଧାର